ସୁନ୍ଦର ପିଛାଇଙ୍କ କାହାଣୀ: ଘରେ ନ ଥିଲା ଟିଭି, ଆଜି ଗୁଗୁଲର ସିଇଓ

By Pravat Pattnaik

ସୁନ୍ଦର ପିଛାଇଙ୍କ କାହାଣୀ: ଘରେ ନ ଥିଲା ଟିଭି,  ଆଜି ଗୁଗୁଲର ସିଇଓ

Friday December 18, 2015,

2 min Read

ଗୁଗୁଲର ସିଇଓ ଭାବେ ନିଯୁକ୍ତ ହୋଇଥିବା ଚେନ୍ନାଇ ଜନ୍ମିତ ସୁନ୍ଦର ପିଛାଇଙ୍କ କାହାଣୀ ବଲିଉଡ୍ ସିନେମା ଭଳି ରୋମାଂଚକର । ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ଏକ ବାଳକ ନିଜର କଠିନ ପରିଶ୍ରମ ଓ ବିଚକ୍ଷଣ ବୁଦ୍ଧିମତା ବଳରେ ଆଜି ବିଶ୍ୱର ସବୁଠୁ ସଫଳ କଂପାନିର ସିଇଓ ଭାବେ ଅବସ୍ଥାପିତ ହୋଇଛି ।

image


ତାମିଲନାଡୁର ରାଜଧାନୀ ଚେନ୍ନାଇରେ ସୁନ୍ଦର ଜନ୍ମ ଗ୍ରହଣ କରିଥିଲେ । ଯେତେବେଳେ ସୁନ୍ଦରଙ୍କ ପିତାମାତାଙ୍କ କୌଣସି ସନ୍ତାନ ଜନ୍ମ ହୋଇ ନଥିଲେ ସେତେବେଳେ ତାଙ୍କ ମା ଜଣେ ଷ୍ଟେନୋଗ୍ରାଫର୍ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବାପା ରଘୁନାଥ ପିଛାଇ ଇଞ୍ଜିନିୟର ଥିଲେ । କିଛି ଦିନ ପରେ ସେ ନିଜର ଏକ କାରଖାନା ଖୋଲି ସେଥିରେ ବୈଦ୍ୟୁତିକ ଉପକରଣ ନିର୍ମାଣ କରିବା ଆରମ୍ଭ କରିଥିଲେ ।

ସୁନ୍ଦରଙ୍କ ବାପା କହିଛନ୍ତି ଯେ, ସେ କାରଖାନାରୁ କାମ ସାରି ଘରକୁ ଆସିବା ପୁଅ (ସୁନ୍ଦର) ସହ କାରଖାନାରେ କିଭଳି କାର୍ଯ୍ୟ ହେଉଛି ଓ କଣ ସବୁ ସମସ୍ୟା ସାମ୍ନା କରିବାକୁ ପଡୁଛି ତାହା ଆଲୋଚନା କରୁଥିଲେ । ସେହି ସବୁ କଥାକୁ ସୁନ୍ଦର ବହୁତ ଆଗ୍ରହର ସହ ଶୁଣୁଥିଲେ । ସେହିଦିନଠାରୁ ସୁନ୍ଦର ଟେକ୍ନୋଲୋଜି ପ୍ରତି ଆକର୍ଷିତ ହୋଇଥିଲେ । ତାଙ୍କ ପରିବାରରେ ଥିବା ଚାରି ଜଣ ସଦସ୍ୟ । ଏକ ଦୁଇ କୋଠରି ବିଶିଷ୍ଟ ଆପାର୍ଟମେଣ୍ଟରେ ସେମାନେ ରହୁଥିଲେ । ସୁନ୍ଦର ନିଜ ସାନ ଭାଇ ସହ ଗୋଟିଏ କୋଠରୀରେ ଶୋଉଥିଲେ ।

ଯେତେବେଳେ ଦୁଇ ଭାଇ ଛୋଟ ଥିଲେ ସେତେବେଳେ ତାଙ୍କ ଘରେ ଟିଭି ଖଣ୍ଡିଏ ନ ଥିଲା । ଯାତାୟାତ ପାଇଁଁ ତାଙ୍କ ପରିବାର ପାଖରେ ଥିଲା ଦୁଇଟି ବିକଳ୍ପ । ଗୋଟିଏ ହେଉଛି ସହରରେ ଚାଲୁଥିବା ସିଟି ବସ୍ ଓ ଦ୍ୱିତୀୟଟି ହେଉଛି ନିଜ ସ୍କୁଟର । ବେଳେବେଳେ ପୁରା ପରିବାର ସେହି ସ୍କୁଟରରେ ବୁଲିବାକୁ ବାହାରି ଯାଉଥିଲେ ।

ଯେତେବେଳେ ସୁନ୍ଦରଙ୍କୁ ବାର ବର୍ଷ ହୋଇଥିଲା ତାଙ୍କ ଘରକୁ ଟେଲିଫୋନ ସଂଯୋଗ ଆସିଲା । ଟେଲିଫୋନକୁ ନେଇ ସେ ବହୁତ ଉତ୍ସାହିତ ଥିଲେ । ସେ ଯେଉଁ ନମ୍ବର ଡାଏଲ୍ କରୁଥିଲେ ତାହାକୁ ମନେ ରଖି ଦେଉଥିଲେ । ଯଦି ଘରେ କେହି ସଦସ୍ୟ କୌଣସି ନମ୍ବର ଭୁଲି ଯାଉଥିଲେ ସେ ବିଷୟରେ ସୁନ୍ଦରଙ୍କୁ ପଚାରୁଥିଲେ ।

ସୁନ୍ଦରଙ୍କ ସ୍ମରଣ ଶକ୍ତି ବିଷୟରେ ଗୁଗୁ୍ଲର ଅଧିକାରୀମାନେ ମଧ୍ୟ ଜାଣିଥିଲେ ।

ସ୍କୁଲରେ ପଢ଼ୁଥିବା ବେଳେ ସୁନ୍ଦର କ୍ରିକେଟ୍ ଟିମର ଅଧିନାୟକ ଥିଲେ । ଆଇଆଇଟି ଖଡ଼ଗପୁରରୁ ସେ ଇଞ୍ଜିନିୟରିଂ ସ୍ନାତକ ଡିଗ୍ରି ହାସଲ କରିଥିଲେ । ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ସେ ବିଜ୍ଞାନରେ ସ୍ନାତକୋତର ଓ ୟୁନିଭର୍ସିଟି ଅଫ୍ ପେନ୍ସିଲିଭାନିଆରେ ଏମବିଏ ପାଠ ପଢ଼ିଥିଲେ ।

ପାଠ ଶେଷ ହେବା ପରେ ସେ ମାକିନ୍ସେ ଆଣ୍ଡ କଂପାନିରେ ଯୋଗ ଦେଇଥିଲେ । ୨୦୦୪ରେ ସେ ଗୁଗୁଲରେ ଯୋଗ ଦେଇଥିଲେ । କ୍ରୋମ୍ ବ୍ରାଉଜର୍ ବିକଶିତ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ନିକଟରେ ତାଙ୍କୁ ଆଣ୍ଡ୍ରଏଡ୍ ବିଭାଗର ମୁଖ୍ୟ କରାଯାଇଥିଲା । ୨୦୧୧ରେ ସୁନ୍ଦରଙ୍କୁ ନେବାକୁ ଟ୍ୱିଟର୍ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଷ୍ଟିଭ୍ ବାଲମରଙ୍କ ଅବସର ପରେ ମାଇକ୍ରୋସଫ୍ଟର ମୁଖ୍ୟ ଭାବେ ସୁନ୍ଦରଙ୍କୁ ନିଯୁକ୍ତି ମିଳିବ ବୋଲି ସେହି ସମୟରେ ଚର୍ଚ୍ଚା ହୋଇଥିଲା ।

ଭାରତକୁ ଗର୍ବିତ କରିଥିବା ୧୫ ଭାରତୀୟ

୧-ସତ୍ୟ ନାଡେଲା-ମାଇକ୍ରୋସଫ୍ଟ ସିଇଓ

୨-ସୁନ୍ଦର ପିଛାଇ -ଗୁଗୁଲ ସିଇଓ

୩-ଇନ୍ଦିରା ନୁୟୀ-ପେପ୍ସି ସିଇଓ

୪-ସଞ୍ଜୟ କୁମାର ଝା- ଗ୍ଲୋବାଲ୍ ଫାଉଣ୍ଡ୍ରିଜ୍ ସିଇଓ

୫-ସାନ୍ତନୁ ନାରାୟେନ- ଆଡୋବ୍ ସିଇଓ

୬-ଅଜୟପାଲ୍ ସିଂହ ବାଙ୍ଗା- ମାଷ୍ଟର୍ କାର୍ଡ ସିଇଓ

୭-ଏଲ୍ ଏନ୍ ମିତଲ- ଆର୍ସେଲର ମିତଲ ସିଇଓ

୮-ହରିଷ ମନୱାନି- ୟୁନିଲିଭର୍ ସିଇଓ

୯-ନିକେଶ ଅରୋରା- ସଫ୍ଟବ୍ୟାଙ୍କ ସିଇଓ

୧୦-ଫ୍ରାନ୍ସିସ୍କୋ ଡିସୁଜା- କଗ୍ନିଜାଂଟ ସିଇଓ

୧୧-ରାକେଶ କପୁର- ରେକିଟ୍ ବେନକାଇଜର୍ ସିଇଓ

୧୨-ନୀତିନ ପରାଞ୍ଜପେ- ୟୁନିଲିଭର୍ ହୋମ୍ କେୟାର

୧୩-ଅତୁଲ ସିଂହ- କୋକାକୋଲା ଏସିଆ ମୁଖ୍ୟ

୧୪-ୟୀୟୂଷ ଗୁପ୍ତା- ଡିବିଏସ୍ ବ୍ୟାଙ୍କ ସିଇଓ

୧୫-ରାଜୀବ ବାସୁଦେବ- ଏଗନ୍ ଜେହେନ୍ଦର ସିଇଓ