ବିଶ୍ନୋଇ : ଏପରି ଏକ ଧର୍ମ, ଯେଉଁଠି ଜୀବକୁ ସୁରକ୍ଷା ଦେବା ହିଁ ବ୍ରତ

0

ବୋଧହୁଏ ବିଶ୍ୱରେ କେବଳ ଗୋଟିଏ ଏଭଳି ଧର୍ମ ଅଛି, ଯାହା ବନ୍ୟ ଜନ୍ତୁ ତଥା କୌଣସି ଜୀବିତ ପଦାର୍ଥକୁ ସୁରକ୍ଷା ଦେଇଥାଏ । ସେମାନେ ହେଉଛନ୍ତି ରାଜସ୍ଥାନର ‘ବିଶ୍ନୋଇ’ । ଏହି ଧର୍ମଟି ପ୍ରାୟତଃ ୫୦୦ ବର୍ଷ ପୁରୁଣା ଏବଂ ଏହାର ଅନୁଗାମୀଙ୍କ ସଂଖ୍ୟା ପ୍ରାୟ ୧୦ ଲକ୍ଷ । ଟିକେ ଚିନ୍ତା କରନ୍ତୁ, ୧୦ ଲକ୍ଷ ଲୋକ ବନ୍ୟଜନ୍ତୁଙ୍କ ସୁରକ୍ଷାର ନିଜ ଜୀବନର ବ୍ରତ କରିବା ଜୀବଜଗତ ପାଇଁ କେତେ ସକରାତ୍ମକ ବିଷୟ ।

ଏହି ଧର୍ମଟି ଭଗବାନ ଜମ୍ବେଶ୍ୱରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ବୋଲି ବିଶ୍ୱାସ କରାଯାଏ । ଜୀବଜଗତକୁ ସୁରକ୍ଷା ଦେବା ପାଇଁ

ପ୍ରଭୁ ଜମ୍ବେଶ୍ୱର ଭଗବାନ ବିଷ୍ନଙ୍କ ଏକ ଅବତାର ଥିଲେ । ଏବିଷୟରେ ଏକ କିମ୍ବଦନ୍ତୀ ରହିଛି । ବିଶ୍ୱାସ କରାଯାଏ ଯେ, ପ୍ରଭୁ ଜମ୍ବେଶ୍ୱର ଜନ୍ମ ହେବାର ସାତ ବର୍ଷ ପର୍ଯ୍ୟନ୍ତ କଥା କହି ନଥିଲେ । ଏହାକୁ ନେଇ ତାଙ୍କ ମାତାପିତା ବ୍ୟସ୍ତ ହୋଇଗଲେ । ସେମାନେ କୁଳ ପୁରୋହିତଙ୍କୁ ଡାକିଲେ । ପିଲାଟିକୁ ଅନ୍ତରରୁ ଜ୍ଞାନଦାନ କରିବା ପାଇଁ ପୁରୋହିତ ୬୪ଟି ଦ୍ୱୀପ ଜାଳି ପୂଜା କରିବାକୁ ଉପଦେଶ ଦେଲେ । କିନ୍ତୁ ଶତ ଚେଷ୍ଟା କରିବା ପରେ ମଧ୍ୟ କୌଣସି ଦ୍ୱୀପ ପ୍ରଜ୍ୱଳିତ ହୋଇ ପାରି ନଥିଲା, ଯଦିଓ ସବୁଥିରେ ତେଲ ସଠିକ୍ ମାତ୍ରାରେ ରଖାଯାଇଥିଲା । ବାଳକ ଜମ୍ବେଶ୍ୱର ନିକଟରେ ଏକ ପାତ୍ରରେ ରସି ଲଗାଇ ପାଖରେ ଥିବା ଏକ କୂଅରୁ ପାଣି କାଢ଼ି ସେହି ପ୍ରଦୀପ ସବୁରେ ଭରି ଅଗ୍ନି ସଂଯୋଜନା କରିବାରୁ ଦ୍ୱୀପସମୁହ ପ୍ରଜ୍ୱଳିତ ହୋଇଥିଲା । ଏତେ ଛୋଟ ବୟସବୁ ସେ ଜାଣି ପାରିଥିଲେ, ଜଳ ହିଁ ଜୀବନ ।

୮ ବର୍ଷରୁ ୩୪ ବର୍ଷ ପର୍ଯ୍ୟନ୍ତ ଜମ୍ବେଶ୍ୱର ଗୋପାଳ ଭାବେ ଜୀବନ କାଟିଥିଲେ । ଯଦିଓ ସେ ଜଣେ ଯୋଦ୍ଧା ରାଜପୁତ ପରିବାରରେ ଜନ୍ମଲାଭ କରିଥିଲେ କିନ୍ତୁ ସେ ଭିନ୍ନ ଏକ ଜୀବନ ଅତିବାହିତ କରିବାକୁ ମନସ୍ଥ କରିଥିଲେ । ଗାଈ ଚରାଉ ଚରାଉ ଇତି ମଧ୍ୟରେ ସେ ଗଛଲତା ଓ ଜୀବଜନ୍ତୁମାନଙ୍କ କଥାବାର୍ତ୍ତା କରିବା ଆରମ୍ଭ କରି ଦେଇଥିଲେ । ୩୪ ବର୍ଷ ବୟସରେ ଜମ୍ବେଶ୍ୱର ଏକ ବାଲିକୁଦ ଉପରେ ବସି ତପସ୍ୟା କରିବା ଆରମ୍ଭ କରିତିଲେ । ଏବଂ ସେ ପ୍ରସ୍ତର ଭୂମିକୁ ସବୁଜିମାରେ ପରିଣତ ହେଉଥିବାର ଲୋକେ ଦେଖିବାକୁ ପାଇଥିଲେ । ଏହା ପରେ ସେ ନିଜର ଅନୁଗାମୀମାନଙ୍କୁ ଏବିଷୟ କହିବା ସହ ୨୯ଟି ସିଦ୍ଧାନ୍ତକୁ ମାନିବା ପାଇଁ କହିଥିଲେ । ଏହି ୨୯ଟି ସିଦ୍ଧାନ୍ତ ପାଇଁ ଏହି ଧର୍ମର ନାମ ବିଶ୍ନୋଇ ହୋଇଛି । ହିନ୍ଦିରେ ବିଶ୍ ଅର୍ଥାତ୍ ୨୦ ନୋଇ ଅର୍ଥାତ୍ ୯ । ଏଣୁ ଜମ୍ବେଶ୍ୱରଙ୍କ ସିଦ୍ଧାନ୍ତରେ ଅନୁପ୍ରାଣିତ ହୋଇ ଏହି ଧର୍ମର ଲୋକମାନେ ଏହି ୨୯ଟି ସିଦ୍ଧାନ୍ତକୁ ୫୨୫ ବର୍ଷ ହେଲା ମାନି ଆସିଛନ୍ତି । ଏହି ସିଦ୍ଧାନ୍ତ ମଧ୍ୟରେ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ସିଦ୍ଧାନ୍ତ ଥିଲା ‘ଜୀବେ ଦୟା’ । ଏଣୁ ବିଶ୍ନୋଇ ଧର୍ମର ଲୋକମାନେ ଜୀବଜଗତର ସୁରକ୍ଷା ପାଇଁ ସର୍ବଦା ବଦ୍ଧପରିକର ।

ସେମାନେ ଗଛକୁ ପବିତ୍ର ବୋଲି ବିଶ୍ୱାସ କରନ୍ତି । କିନ୍ତୁ ଅନ୍ୟ ଜୀବଜନ୍ତୁଙ୍କୁ ସେମାନେ କରୁଣା ଚାହାଣୀରେ ଦେଖନ୍ତି । ଜୀବଜନ୍ତୁ ଖାଦ୍ୟ ଖୁଆଇବା, ରୋଗଗ୍ରସ୍ତ ହେଲେ ସେମାନଙ୍କର ସେବା କରିବା, ସେମାନଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦେବା ଆଦି ବିଷୟ ପ୍ରତି ବିଶ୍ନୋଇମାନେ ଧ୍ୟାନ ଦେଇଥା’ନ୍ତି । ଏପରିକି କିଛି ବିଶ୍ନୋଇ ମନ୍ଦିରଙ୍କୁ ପଶୁପକ୍ଷୀଙ୍କ ଆଶ୍ରଳସ୍ଥଳ ମଧ୍ୟ କରାଯାଇଥିବାର ଦେଖାଯାଇଛି । ଏହିଭଳି ଏକ ମନ୍ଦିର ଜଜିୱାଲରେ ରହିଛି । ସେଠାରେ ଥିବା ପୂଜକ ପଶୁପକ୍ଷୀମାନଙ୍କର ସ୍ୱତନ୍ତ୍ର ଧ୍ୟାନ ରଖିଥା’ନ୍ତି । ଆଶ୍ଚର୍ଯ୍ୟର କଥା ଯେ, ଅନେକ କ୍ଷେତ୍ରରେ ବିଶ୍ନୋଇ ସ୍ତ୍ରୀ ମାନେ ଶିଶୁ ବାଛୁରୀର ମା’ ଭଳି ଧ୍ୟାନ ରଖଥା’ନ୍ତି । ଆବଶ୍ୟକସ୍ଥଳେ ସେମାନଙ୍କୁ ସ୍ତନ୍ୟପାନ ମଧ୍ୟ କରାଇଥା’ନ୍ତି ।

ତେବେ ବିଗତ ୫୦୦ ବର୍ଷ ମଧ୍ୟରେ ଯଦି କିଛି ପରିବର୍ତ୍ତନ ହୋଇଛି ତାହାଲେ, ସେମାନଙ୍କର ସେବା କରିବାର ଶୈଳୀ । ଆଗରୁ ସେମାନେ ନରମପନ୍ଥୀ ହୋଇ ଜୀବଜଗତକୁ ସେବା ଯୋଗାଇ ଆସୁଥିଲେ । କିନ୍ତୁ ଏବେ ସେମାନଙ୍କୁ କଠୋର ପନ୍ଥା ମଧ୍ୟ ଅବଲମ୍ବନ କରିବାକୁ ପଡୁଛି । ଆବଶ୍ୟକ ସ୍ଥଳେ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ସେମାନେ ଶସ୍ତ୍ର ଉଠାଉଛନ୍ତି । ବିଶ୍ନୋଇମାନଙ୍କ ଦ୍ୱାରା ଏହିଭଳି ଏକ ସଶସ୍ତ୍ର ସୁରକ୍ଷା ସେନା ‘ଟାଇଗର ଫୋର୍ସ’ ଗଠନ କରାଯାଇଛି । ଏହି ଫୋର୍ସ ଯୋଧପୁରରେ ଶହ ଶହ ଗାଁ ରେ ରହି ଜୀବଜନ୍ତୁଙ୍କ ରକ୍ଷା କରୁଛନ୍ତି । ସେମାନଙ୍କ ପାଇଁ ବଡ ଛୋଟର ଭେଦଭାବ ନଥାଏ । ଏକ ଛୋଟ ଝିଟିପିଟିର ମୂଲ୍ୟ ସେମାନଙ୍କର ପାଇଁ ଯାହା, ଏକ ବିଶାଳ ବାଘର ମୂଲ୍ୟ ମଧ୍ୟ ତାହା । କିଛି ବର୍ଷ ତଳେ ଏହି ଜଙ୍ଗଲରେ ଶିକାର କରୁଥିବା ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ଓ ତାଙ୍କର ସମ୍ପୂର୍ଣ୍ଣ ଗୋଷ୍ଠୀଙ୍କୁ ଏହି ଟାଇଗର ଫୋର୍ସ କାବୁ କରିଥିଲା । ୫୦୦ ଶତାବ୍ଦୀ ଧରି ବିଶ୍ନୋଇମାନଙ୍କର ସିଦ୍ଧାନ୍ତ ଟାଇଗର ଫୋର୍ସ ନିଜସ୍ୱ ଶୈଳୀରେ ବଞ୍ଚାଇ ରଖିଛନ୍ତି ।

ତେବେ ବେଳେ ବେଳେ ସେମାନଙ୍କ ଉପସ୍ଥିତି ସତ୍ତ୍ୱେ ଜୀବଜନ୍ତୁମାନଙ୍କ ଉପରେ ଆକ୍ରମଣ ହୋଇଥାଏ । ଏହି ଫୋର୍ସର ସୈନ୍ୟମାନେ ସେହି ଯୋଧପୁରରେ ଥିବା ସୁରକ୍ଷା ଶିବିର ଆଣି ଚିକିତ୍ସା କରିଥାନ୍ତି । ପ୍ରେମ ଓ ଦୟାର ସହ ଚିକିତ୍ସା ପରେ ଯେତେବେଳେ ତାହା ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଏ, ତାକୁ ପୁଣି ତା ଅଞ୍ଚଳରେ ଛାଡି ଦିଆଯାଇଥାଏ । ୫ ଶତାବ୍ଦୀ ପୂର୍ବ ପ୍ରଭୁ ଜମ୍ବେଶ୍ୱର ଏକ ବାଲୁକା କୁଦ ସବୁଜିମାରେ ରୂପାନ୍ତରିତ ହେଉଥିବାର ସ୍ୱପ୍ନ ଦେଖିଥିଲେ । ଯେଉଁଠି ସବୁ ଜୀବଙ୍କର ସମାନ ଅଧିକାର ରହିଛି । ଯେଉଁଠି ସମ୍ପୂର୍ଣ୍ଣ ଜୀବଜଗତ ସେହ୍ନ, ପ୍ରେମ ଓ ସଦ୍ଭାବନାରେ ବଞ୍ଚୁଛି । ରାଜସ୍ଥାନର ବିଶ୍ନୋଇମାନେ ୫୦୦ ବର୍ଷ ପରେ ମଧ୍ୟ ପ୍ରତ୍ୟେହ ପ୍ରଭୁ ଜମ୍ବେଶ୍ୱରଙ୍କ ସେହି ସ୍ୱପ୍ନକୁ ଦେଖୁଛନ୍ତି ।