ମାର୍ଫତଦାରୀର ଯୁଗ ଶେଷ, ଶିଳ୍ପୀ ଆଉ କ୍ରେତାଙ୍କୁ ଏକାଠି କରୁଛି ଶିଳ୍ପ-ମନ୍ତ୍ର

ମାର୍ଫତଦାରୀର ଯୁଗ ଶେଷ, ଶିଳ୍ପୀ ଆଉ କ୍ରେତାଙ୍କୁ ଏକାଠି କରୁଛି ଶିଳ୍ପ-ମନ୍ତ୍ର

Tuesday November 03, 2015,

3 min Read

ରାଜସ୍ଥାନର ହସ୍ତକଳା ହେଉଛି ରାଜ୍ୟ ସଂସ୍କୃତି ଓ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଦେଶ ବିଦେଶର ପର୍ଯ୍ୟଟକ ଓ ବଜାରରେ ବେଶ୍ ପ୍ରସିଦ୍ଧ ଏହି ହସ୍ତଶିଳ୍ପର ଚାହିଦା କିଛିବର୍ଷ ଧରି ଅହେତୁକ ଭାବେ ବୃଦ୍ଧିପାଇଛି । କିନ୍ତୁ ଦେଖିବାକୁ ମିଳୁଛି, ଏସବୁରୁ ବିଚରା ଶିଳ୍ପୀଟି ବେଶି କିଛି ଫାଇଦା ପାଇପାରୁନି । ହସ୍ତଶିଳ୍ପର ପେଶାଦାର ବ୍ୟବସାୟିକରଣ ଓ ବ୍ୟବସ୍ଥିତ ବଣ୍ଟନ ବ୍ୟବସ୍ଥାର ଅଭାବ ସାଙ୍ଗକୁ ମଝିଲୋକଙ୍କ ଚଢ଼ା ରାଜଭାଗ ଆଦାୟ ଯୋଗୁଁ ଶିଳ୍ପୀକୂଳ ଏହି ବହୁ ପୁରାତନ କଳାକୁ ବେଉଷା ଭାବେ ତ୍ୟାଗ କରିବାକୁ ବାଧ୍ୟ ହେଉଛନ୍ତି ।

Lokendra(Center)-Virendra(Left)-Sandeep(Right)

Lokendra(Center)-Virendra(Left)-Sandeep(Right)


ଭାରତୀୟ ପାରମ୍ପରିକ ହସ୍ତକଳାର ବିପଣି ସାଜିଥିବା ଶିଳ୍ପ-ମନ୍ତ୍ର ନାମରେ ଏକ ଅନଲାଇନ୍ ପୋର୍ଟାଲ ଏବେ ଏହି ଶିଳ୍ପୀମାନଙ୍କ ଭାଗ୍ୟ ବଦଳେଇବାକୁ ଲକ୍ଷ୍ୟ ରଖିଛି । ୨୦୧୩ ମସିହାରେ ତିନି ବନ୍ଧୁ ଲୋକେନ୍ଦ୍ର ରାଣାୱତ, ବୀରେନ୍ଦ୍ର ରାଣାୱତ ଓ ସନ୍ଦୀପ ଗୌର ମିଳିତଭାବେ ଏହି ଶିଳ୍ପ-ମନ୍ତ୍ର ପ୍ରତିଷ୍ଠା କରିଥିଲେ । ଶିଳ୍ପ-ମନ୍ତ୍ରର କାର୍ଯ୍ୟାଳୟ ଉଦୟପୁରରେ ରହିଛି । ଏ ତିନିହେଁ ହେଉଛନ୍ତି ରାଜସ୍ଥାନ ବାସିନ୍ଦା ଏବଂ ବ୍ୟାବସାୟିକ ସଂପୃକ୍ତି ଓ ଇଣ୍ଟରନେଟ୍ ମାର୍କେଟିଂ କ୍ଷେତ୍ରରେ ସେମାନଙ୍କର ଦୀର୍ଘ ୨୦ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି ।

ସେମାନଙ୍କ କାର୍ଯ୍ୟଶୈଳୀ ବିଷୟରେ ଜାଣିବା ପାଇଁ ଲୋକେନ୍ଦ୍ର ରାଣାୱତଙ୍କ ସହ ମୁହାଁମୁହିଁ ହୋଇଥିଲା ସୋସିଆଲ-ଷ୍ଟୋରି ।

ଶ୍ରୀ ରାଣାୱତଙ୍କ ସହ କଥାବାର୍ତ୍ତାର କୀୟଦଂଶ ପଢ଼ନ୍ତୁ...

କ୍ରେତା-ବିକ୍ରେତାଙ୍କୁ ଏକାଠି ଯୋଡ଼ିବାର ପ୍ରୟାସ

ସ୍ଥାନୀୟ କାରୀଗରମାନଙ୍କ ସହ କଥାବାର୍ତ୍ତା ବେଳେ ଆମେ ଜାଣିବାକୁ ପାଇଲୁ, ଯଦି ସେମାନେ କୌଳିକ ବେଉଷା ଛାଡ଼ି ଅଲଗା ଧନ୍ଦା କରିବେ ତେବେ ଏ ପ୍ରାଚୀନ ହସ୍ତଶିଳ୍ପର ମୃତ୍ୟୁ ଘଟିବ । ଯଦି ସେମାନଙ୍କୁ ଉଚିତ ଉପଭୋକ୍ତାଙ୍କ ବଜାର ସହ ପରିଚିତ କରାଇ ଦିଆଯାଇ ପାରିବ ତେବେ ଶିଳ୍ପ ବଞ୍ଚିବା ସହ ଶିଳ୍ପୀମାନେ ନିଜର ଗୁଜୁରାଣ ବି ମେଣ୍ଟାଇ ପାରିବେ । ଅସଲ ହସ୍ତକଳା କ୍ରେତା ଓ ଏହି ଶିଳ୍ପୀମାନଙ୍କ ମଧ୍ୟରେ ଥିବା ଦୂରତାକୁ ହଟାଇ ଗୋଟିଏ ଅନ୍ଲାଇନ୍ ସମ୍ପର୍କ ସେତୁ ପ୍ରତିଷ୍ଠା କରିବାରେ ଶିଳ୍ପ-ମନ୍ତ୍ର ବ୍ରତୀ ହୋଇଛି ।

ଶିଳ୍ପୀମାନଙ୍କ ପରାମର୍ଶ କ୍ରମେ ଆମେ ବିଭିନ୍ନ ହସ୍ତକଳାର ଦ୍ରବ୍ୟ-ବର୍ଣ୍ଣନା ପ୍ରସ୍ତୁତ କରୁଛୁ ଏବଂ ସେମାନଙ୍କର ହାତତିଆରି ସାମଗ୍ରୀ ସବୁକୁ ଆମ ପୋର୍ଟାଲରେ ପ୍ରଦର୍ଶିତ କରୁଛୁ । ବଜାରର ନୂଆ ଟ୍ରେଣ୍ଟ୍ ଓ ନୂଆ ନୂଆ ଶିଳ୍ପ ଶୈଳୀ ସହ ପରିଚିତ କରାଇବା ଉଦ୍ଦେଶ୍ୟରେ ଅମେ ସେମାନଙ୍କ ଲାଗି ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ମାନ ମଧ୍ୟ ଆୟୋଜନ କରୁଛୁ । ବର୍ତ୍ତମାନ ବଜାରର ଚାହିଦା ମୁତାବକ ସାମଗ୍ରୀ ପ୍ରସ୍ତୁତ କରିବାରେ ଏହା ସେମାନଙ୍କୁ ସହାୟକ ହେଉଛି । ଆଗରୁ ଯେଉଁ ଶିଳ୍ପୀଟି ସ୍ଥାନୀୟ ବଜାରରେ କମ୍ ଦରରେ ହାତତିଆରି ସାମଗ୍ରୀ ବିକି୍ର କରୁଥିଲା ଏବେ ଆମ ପୋର୍ଟାଲ ମାଧ୍ୟମରେ ବେଶି ଲାଭ ପାଉଛି ।

ଅସଲ ଆହ୍ୱାନ

ଆମର ଯାତ୍ରା ସୁଗମ ନଥିଲେ ବି ଏହକୁ ଏକ ଆହ୍ୱାନ ଭାବେ ନେଇ ଆମେ ସଫଳ ହୋଇଛୁ । ୩୦୦ ଗାଁ ବୁଲିଛୁ, ହସ୍ତକଳା ଏକାଠି କରିଛୁ, ସେସବୁର ଛବି ସଂଗ୍ରହ କରିଛୁ, ଶିଳ୍ପୀମାନଙ୍କୁ ଶିଳ୍ପ-ମନ୍ତ୍ର ବାବଦରେ ବୁଝାଇ ଆମ ଅଭିଯାନରେ ସାମିଲ କରିଛୁ । ଏଯାବତ ୨୦୦ରୁ ଅଧିକ ଶିଳ୍ପୀ ଆମ ପୋର୍ଟାଲ ସହ ସଂପୃକ୍ତ ହୋଇଥିବା ବେଳେ ସେମାନଙ୍କ ହସ୍ତକଳା ପାଇଁ ଆମେ ୨୦ ହଜାରରୁ ଅଧିକ ଅର୍ଡର ପାଇସାରିଛୁ । ୬୦ଟି ଦେଶରୁ ପ୍ରତ୍ୟହ ୩୦୦୦ରୁ ଅଧିକ କ୍ରେତା ଶିଳ୍ପ-ମନ୍ତ୍ର ୱେବ୍ସାଇଟ୍ ଦେଖୁଛନ୍ତି । ବିଗତ ୮ ମାସରେ ଆମେ ୭୦ ଲକ୍ଷ ଟଙ୍କାର ବ୍ୟବସାୟ କରିଛୁ । ଆମେ ମାତ୍ର ୧୫ ପ୍ରତିଶତ ଅର୍ଥ ବ୍ୟାବସାୟିକ ଖର୍ଚ ଭାବରେ ରଖି ବାକି ଅର୍ଥ ଶିଳ୍ପୀକୁ ଦେଉଛୁ।

ପ୍ରକୃତରେ ଦୂର ଗାଁରେ ଥିବା ଶିଳ୍ପୀମାନଙ୍କ ପାଖରେ ପହଞ୍ଚିବା ଓ ସେମାନଙ୍କ ସହ ନିୟମିତ ସଂପର୍କ ରଖିବା ଆମ ପାଇଁ ଏକ ଆହ୍ୱାନ । କିନ୍ତୁ ଯାହା ବି ହେଉ, ଆଜି ଆମେ ମଧ୍ୟସ୍ତ, ଦଲାଲ ଓ ମାର୍ଫତଦାର ଆଦିଙ୍କୁ ହଟାଇ ସେମାନଙ୍କ ସହ ସିଧାସଳଖ ଯୋଡ଼ିହେବାରେ ସମର୍ଥ ହୋଇଛୁ । ଆମର ୪୫ ଜଣ ନିୟମିତ କର୍ମଚାରୀ ଅଛନ୍ତି; ସେମାନଙ୍କ ମଧ୍ୟରେ ପ୍ରଡକ୍ଟ ଡିଜାଇନର ଓ ସୋସିଆଲ ମିଡିଆ ତଥା ଇଣ୍ଟରନେଟ୍ ମାର୍କେଟିଂରେ ନିପୁଣ ବ୍ୟକ୍ତି ବି ରହିଛନ୍ତି । ପୋର୍ଟାଲ ବ୍ୟତୀତ ଆମେ ଅଫ୍ଲାଇନ୍ ବଜାର ସୃଷ୍ଟି ପାଇଁ ମଧ୍ୟ ଚିନ୍ତା କରୁଛୁ । ଅନ୍ୟ ରାଜ୍ୟର ଶିଳ୍ପୀମାନଙ୍କୁ ସାମିଲ କରିବା ସହ ଭବିଷ୍ୟତରେ କଷ୍ଟମ ପ୍ରଡକ୍ଟ ଡିଜାଇନିଂ ବ୍ୟବସ୍ଥାର ପ୍ରୟୋଗ କରିବୁ ।