ମେଡିସିନ୍ ବାବା : ରହିବାକୁ ଘର ନାହିଁ, କିନ୍ତୁ ଗରିବ ରୋଗୀ ପାଇଁ ସଂଗ୍ରହକରି ଦେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମେଡିସିନ୍ ବାବା : ରହିବାକୁ ଘର ନାହିଁ, କିନ୍ତୁ ଗରିବ ରୋଗୀ ପାଇଁ ସଂଗ୍ରହକରି ଦେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଔଷଧ

Monday December 28, 2015,

3 min Read

ଦିଲ୍ଲୀର ଗଳି ଗଳି ବୁଲି ମାଗନ୍ତି ଗରିବଙ୍କ ପାଇଁ ଔଷଧ

• ନିଜେ ଗରିବ ହୋଇ ମଧ୍ୟ ଅନ୍ୟକୁ ସହାୟତା

• ଓଁକାରନାଥ ଶର୍ମାଙ୍କୁ ଲୋକେ ଡାକନ୍ତି ମେଡିସିନ୍‌ ବାବା

• ପ୍ରତିମାସରେ ଲକ୍ଷାଧିକ ଟଙ୍କାର ଔଷଧ ଦାନ କରନ୍ତି

ସାଧାରଣତଃ ବାବା କହିଲେ ଆମ ମନକୁ ଆସେ କେହି ଜଣେ ବୃଦ୍ଧ ବ୍ୟକ୍ତି ନିଜ ଧର୍ମ ପ୍ରଚାର ପାଇଁ କାମ କରୁଥିବେ | କିନ୍ତୁ ଦିଲ୍ଲୀରେ ଏମିତି ଜଣେ ବାବା ଅଛନ୍ତି, ଯିଏ ଧର୍ମ, ଜାତି ଉପରକୁ ଉଠି ମାନବଧର୍ମ ବିଷୟରେ ଭାବନ୍ତି ଓ ଗରିବ ଲୋକଙ୍କର ସହାୟତା କରିବାକୁ ନିଜ ଜୀବନର ଲକ୍ଷ୍ୟ ବୋଲି ମାନି ନେଇଛନ୍ତି | ଗରିବ ଲୋକମାନଙ୍କର ଜୀବନ ପରିବର୍ତ୍ତନ ପାଇଁ କାର୍ଯ୍ୟକରୁଛନ୍ତି | ସେ ଭିନ୍ନକ୍ଷମ ଓ ବୟସ ୭୯ ହେଲାଣି | ତଥାପି ସେ ନିଜ ଉଦ୍ଦେଶ୍ୟରୁ ପଛକୁ ହଟିନାହାନ୍ତି | ଏବେ ବି ସେ ଯୁବକମାନଙ୍କୁ ପଛରେ ପକାଇବାର ସାହସ ରଖନ୍ତି |

image


ହଁ, ସେ ହେଉଛନ୍ତି ଦିଲ୍ଲୀରେ ରହୁଥିବା ବୟୋବୃଦ୍ଧ ମେଡିସିନ୍‌ ବାବା | ଯିଏକି ଅନେକ ବର୍ଷ ଧରି ଦିଲ୍ଲୀ, ନୋଏଡା, ଗାଜିଆବାଦ, ଗୁଡଗାଁଓର ଗଳି ଗଳି ବୁଲି ଔଷଧ ଦାନ କରିବାକୁ ଲୋକଙ୍କୁ ନିବେଦନ କରନ୍ତି | ତାଙ୍କ ପ୍ରକୃତନାମ ହେଉଛି ଓଁକାରନାଥ ଶର୍ମା | ତାଙ୍କ କାମ ଦେଖି ଲୋକେ ତାଙ୍କୁ ମେଡିସିନ୍ ବାବା ବୋଲି ଡାକୁଛନ୍ତି | ସେ ନୋଏଡାର କୈଳାଶ ହସ୍ପିଟାଲ୍‌ ରେ ଟେକ୍ନିସିଆନ୍ କାମ କରୁଥିଲେ |

ମେଡିସିନ୍ ବାବା କୁହନ୍ତି, “ଦିଲ୍ଲୀର ଲକ୍ଷ୍ମୀ ନଗର ଇଲାକାରେ ମେଟ୍ରୋ କନଷ୍ଟ୍ରକସନ୍‌ ଦୁର୍ଘଟଣା ସମୟରେ କେତେକ ଗରିବ ଶ୍ରମିକ ପ୍ରାଣ ହରାଇଥିଲେ ଓ ଅନ୍ୟ କେତେକ ଆହତ ହୋଇଥିଲେ | ଏହି ଘଟଣା ମୋତେ ଶକ୍ତ ଧକ୍କା ଦେଇଥିଲା | ଏଭଳିକି ମୁଁ ଶୋଇପାରିନଥିଲି | ମୁଁ ଦେଖିଲି ଯେ ସେମାନଙ୍କ ପାଖରେ ଔଷଧ କିଣିବାକୁ ପଇସା ନାହିଁ | ପୁଣି ଡାକ୍ତର କହୁଛନ୍ତି ଡାକ୍ତରଖାନାରେ ଔଷଧ ନାହିଁ | ଏଭଳି ସ୍ଥିତିରେ ସେମାନଙ୍କର ଚିକିତ୍ସାରେ ସମସ୍ୟା ଦେଖାଯାଇଥିଲା | ପୁଣି ଔଷଧ ଅଭାବରୁ ଅନ୍ୟ କେତେକ ରୋଗ ମଧ୍ୟ ମାଡିବସେ |”

ସେହି ଘଟଣାପରେ ଓଁକାରନାଥ ଗେରୁଆ ରଂଗର କୁର୍ତ୍ତାରେ ନିଜ ଫୋନ୍ ନମ୍ବର, ଇମେଲ୍ ଆଦି ବଡ ବଡ ଅକ୍ଷରରେ ଲେଖିଲେ | ଏହାକୁ ପିନ୍ଧି ସେ ଦିଲ୍ଲୀର ରାଜରାସ୍ତାରେ ବୁଲି ଗରିବମାନଙ୍କ ପାଇଁ ଔଷଧ ମାଗିବା ଆରମ୍ଭ କଲେ | ସେହି ଅଭିଯାନ ଆଜି ପର୍ଯ୍ୟନ୍ତ ଚାଲିଛି | ସେ ଘର ଘର ବୁଲି ସେମାନଙ୍କ ପାଖରେ ଥିବା ଔଷଧ ଦାନ କରିବା ପାଇଁ ନିବେଦନ କରନ୍ତି | ଔଷଧ ସଂଗ୍ରହ କରି ଡାକ୍ତରଖାନାର ଡାକ୍ତରମାନଙ୍କୁ ଦେଇଦିଅନ୍ତି | ଯାହା ଫଳରେ ସେହି ଔଷଧରେ କେହି ଗରିବ ରୋଗୀଟିଏ ଭଲ ହୋଇପାରିବ |

image


ମେଡିସିନ୍ ବାବା ପ୍ରତିମାସରେ ଲକ୍ଷାଧିକ ଟଙ୍କାର ଔଷଧ ଦାନ କରନ୍ତି | ସେ ଦିଲ୍ଲୀର ଏମ୍ସ, ରାମ ମନୋହର ଲୋହିଆ ହସ୍ପିଟାଲ୍, ଲେଡି ହାର୍ଡିଂ ମେଡିକାଲ କଲେଜ୍ ଓ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଔଷଧ ଦିଅନ୍ତି |

ଆଜି ଦେଶର ବିଭିନ୍ନ ସ୍ଥାନରୁ ଓ ବିଦେଶରୁ ମଧ୍ୟ ଲୋକେ ମେଡିସିନ୍‌ ବାବାଙ୍କୁ ଔଷଧ ପଠାଉଛନ୍ତି | ଯେମିତି ଗରିବ ରୋଗୀମାନେ ଏଥିରୁ ଉପକୃତ ହୋଇପାରିବେ | ଏହା ବ୍ୟତୀତ ଲୋକମାନେ ହ୍ୱିଲ ଚେୟାର, ଅକ୍ସିଜେନ୍ ସିଲିଣ୍ଡର, ବେଡ୍‌, ସିରିଂଜ୍‌ ଆଦି ମଧ୍ୟ ଦେବା ଆରମ୍ଭ କଲେଣି | ଉତ୍ତରାଖଣ୍ଡ ବିପଦ ସମୟରେ ମଧ୍ୟ ମେଡିସିନ୍‌ ବାବା ଲକ୍ଷାଧିକ ଟଙ୍କାର ଔଷଧ ପ୍ରଭାବିତ ଅଂଚଳକୁ ପଠାଇଥିଲେ |

image


ମେଡିସିନ୍‌ ବାବା କହନ୍ତି, ଔଷଧକୁ ରକ୍ଷଣବେକ୍ଷଣ କରିବାରେ ଅସୁବିଧା ହେଉଛି | ସେ ଏକ ଭଡା ଘରେ ରହୁଛନ୍ତି ଓ ସେଇଟା ହିଁ ତାଙ୍କର ଅଫିସ୍ ଭଳି କାମ କରୁଛି | ତାଙ୍କ ପାଖେ ଥିବା ସବୁକିଛି ସେ ଏହି କାମରେ ଲଗାଇଛନ୍ତି | ଯଦି କିଛି ସରକାରୀ ସାହାଯ୍ୟ ମିଳନ୍ତା, ତେବେ ତାଙ୍କ କାମକୁ ଆହୁରି ବ୍ୟାପକ ଭାବେ କରିପାରନ୍ତେ | ସେ ଭବିଷ୍ୟତରେ ଗୋଟିଏ ମେଡିସିନ୍ ବ୍ୟାଙ୍କ୍ କରିବା ପାଇଁ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି, ଯେଉଁଠାରେ ଲୋକଙ୍କୁ ମାଗଣାରେ ଔଷଧ ମିଳିପାରିବ |

image


ମେଡିସିନ୍ ବାବା ଠିକ୍‌ ରେ ଚାଲିପାରୁନାହାନ୍ତି | କିନ୍ତୁ ଲୋକଙ୍କୁ ସାହାଯ୍ୟ କରିବାର ଇଛା ତାଙ୍କୁ ସବୁବେଳେ ଆଗକୁ ବଢିବାର ପ୍ରେରଣା ଦେଉଛି | ସେ ଏହି କାମକୁ ନିସ୍ୱାର୍ଥପର ଭାବରେ କରିଚାଲିଛନ୍ତି ଓ ଦେଶକୁ ସୁସ୍ଥ ଦେଖିବାକୁ ଚାହୁଁଛନ୍ତି | ସମର୍ଥଲୋକମାନେ ଦେଶର ଗରିବଲୋକମାନଙ୍କୁ ପାଇଁ ସହାଯ୍ୟର ହାତ ବଢେଇବା ଜରୁରୀ ବୋଲି ସେ ମତ ଦେଇଛନ୍ତି |

ଆପଣ ବି ଯଦି ମେଡିସିନ୍‌ ବାବାଙ୍କ ଏହି ଅଭିଯାନରେ ସାମିଲ ହେବା ସହ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ଆପଣ ତାଙ୍କ ସହ ସିଧା ସମ୍ପର୍କ କରିପାରିବେ |

ଫୋନ୍ ନମ୍ବର - 09250243298

ୱେବ୍ - http://www.medicinebaba.com

ମୂଳ ଲେଖା - ଆଶୁତୋଷ ଖଣ୍ଟୱାଲ

ଭାଷାନ୍ତର - ଅଖଣ୍ଡ