‘Krishi Naturals’ର ବିଲରୁ ଭାତଥାଳି ପର୍ଯ୍ୟନ୍ତ ଅଭିଯାନ

0

କେତନ ପରମାର ଛୋଟ ଥିଲାବେଳେ କୁଟୁମ୍ବର ବଡ଼ମାନଙ୍କର କଥାବାର୍ତ୍ତାର ଟୁକୁରା ଅଂଶ ସବୁ ତାଙ୍କ କାନରେ ପଡ଼େ। ସେମାନେ କଥା ହୁଅନ୍ତି ଚାଷ କାମ ଉପରେ, ବିଭିନ୍ନ ବିହନର ଗୁଣବତ୍ତା ବିଷୟରେ ତ କେତେବେଳେ ଆଲୋଚନା କରନ୍ତି ଭଲ ଅମଳ ପାଇଁ ମାଟିର ବଳ କିପରି ବଢ଼ାଇ ହେବ।ଏମିତି ବି ସମୟ ଥିଲା ଯେତେବେଳେ କିଏ ଜଣେ କକା ରୋଗ ଅବା ଫସଲ ନଷ୍ଟ ହେତୁ ଅନ୍ୟ ଚାଷୀଙ୍କର ଦୁର୍ଭାଗ୍ୟର କାହାଣୀ ଶୁଣାଇବେ ଆଉ ଅନୁମାନ କରିବେ କୀଟନାଶକ ଔଷଧ ପାଇଁ ଏମିତି ହେଲା କି? ଥରକର ରାତି ଖାଇବା ବେଳର କଥା ତାଙ୍କର ସ୍ପଷ୍ଟ ମନେ ଅଛି। ଗୋଟିଏ ଘଟଣା ଉପରେ କୁଟୁମ୍ବର ପୁରୁଷଲୋକମାନେ ଖୁବ୍ ଉତ୍ତେଜିତ ଜଣା ପଡୁଥିଲେ। ଘଟଣାଟି ଥିଲା କ୍ୟାନସର ଓ ଅନ୍ୟାନ୍ୟ ରୋଗର ଚିକିତ୍ସା ପାଇଁ ଚାଷୀମାନଙ୍କର ସୁଦୂର ପଞ୍ଜାବରୁ ଅହମଦାବାଦ ଯାତ୍ରା କରିବା।

କେତନଙ୍କର ଜନ୍ମ ଗୁଜରାଟର ଏକ ଛୋଟ ସହର ଦାହୋଦର ଏକ କୃଷକ ପରିବାରରେ। ତେଣୁ ସେ ମୂଳତଃ ରାସାଯନିକ ପଦାର୍ଥମୁକ୍ତ ମାଟିର ମୂଲ୍ୟ ଓ ସ୍ୱାସ୍ଥ୍ୟ ଉପରେ ତା’ର ପ୍ରଭାବକୁ ବୁଝିଥିଲେ। ତା’ଛଡ଼ା ‘ଜୈବ’ ଶବ୍ଦଟି ଲୋକପ୍ରିୟ ହେବା ପୂର୍ବରୁ ତାଙ୍କର ଜେଜେବାପା ଜଣେ ଜୈବ ଚାଷୀ ଥିଲେ। ତା ସହିତ କେତନ ଭୁଲି ନ ଥିଲେ , ସେତେବେଳେ କିପରି ଉତ୍ପାଦନ ବଢ଼ାଇବା ପାଇଁ ଅନ୍ୟ ଚାଷୀମାନଙ୍କର ସାଧାରଣ ଅଭ୍ୟାସ ଥିଲା କ୍ଷତିକାରକ କୀଟନାଶକ ଔଷଧ ପ୍ରୟୋଗ କରିବା। 

ସେ କହନ୍ତି,“ ସେତେବେଳେ ମୁଁ କୃଷିର ଶୈଳୀରେ ଏକ ସଂପୂର୍ଣ୍ଣ ପରିବର୍ତ୍ତନ ଲକ୍ଷ୍ୟ କରିଥିଲି; ଏପରିକି ଅତ୍ୟନ୍ତ ଦୂରବର୍ତ୍ତୀ ଗାଁଗୁଡ଼ିକ ମଧ୍ୟ କ୍ଷତିକାରକ ରାସାୟନିକ କୀଟନାଶକ ଔଷଧ ପ୍ରୟୋଗ କରିବା ପ୍ରଭାବରୁ ବାଦ୍ ପଡ଼ି ନ ଥିଲେ। "

୨୦୧୧ରେ ସେ ଜୈବକୃଷିକୁ ବଡ଼ ଆକାରରେ ପ୍ରୋତ୍ସାହିତ କରିବା ପାଇଁ ଔପଚାରିକ ଭାବେ Krishi Naturals ନାମକ ସାମାଜିକ ଉଦ୍ୟୋଗ ପ୍ରତିଷ୍ଠା କଲେ। ଏହାର ଲକ୍ଷ୍ୟ ଥିଲା ଏ ଦିଗରେ ଚାଷୀମାନଙ୍କୁ ପ୍ରଶିକ୍ଷିତ କରିବା ଏବଂ ସେମାନଙ୍କର ଜୈବ ଉତ୍ପାଦଗୁଡ଼ିକ ପାଇଁ ଗ୍ରାହକ ପାଇବାରେ ସାହାଯ୍ୟ କରିବା। ଏହା ବର୍ତ୍ତମାନ ତାଙ୍କ ଜୀବନର ଧ୍ୟେୟ ହୋଇଯାଇଛି।

କେତନ ମାନବସମ୍ବଳ ପରିଚାଳନାରେ ସ୍ନାତକ ଉପାଧି ପ୍ରାପ୍ତ । ଗ୍ରାମାଞ୍ଚଳରେ ଜୀବିକା ନିର୍ବାହରେ ଉନ୍ନତି ଆଣିବା କ୍ଷେତ୍ରରେ ସର୍ବଦା ତାଙ୍କର ଗଭୀର ଆଗ୍ରହ। ଗ୍ରାମାଞ୍ଚଳରେ ଆଦିବାସୀ ମହିଳାମାନଙ୍କର ଅବସ୍ଥାରେ ଉନ୍ନତି ଆଣିବା ପାଇଁ କାମ କରୁଥିବା ଗୋଟିଏ ଏନଜିଓରେ କିଛି ଦିନ କାମ କରିବା ପରେ ସେ ଟାଟା ସାମାଜିକ ବିଜ୍ଞାନ ପ୍ରତିଷ୍ଠାନରେ(Tata Institute of Social Sciences, TISS) ସାମାଜିକ ଉଦ୍ୟୋଗ ବିଷୟକ ପାଠ୍ୟକ୍ରମରେ ଯୋଗ ଦେଲେ। ଆଜି ପଛକୁ ଚାହିଁ ଦୃଷ୍ଟିପାତ କଲେ, ସେହି ନିଷ୍ପତ୍ତିଟି ଥିଲା ତାଙ୍କ ଜୀବନର ଏକ ଶୀର୍ଷ ବିନ୍ଦୁ। TISS ତାଙ୍କୁ ପରିଚିତ କରାଇଲା ବହୁ ଆକାଂକ୍ଷିତ ଭିନ୍ନ ଭିନ୍ନ ସାମାଜିକ ଉଦ୍ୟୋଗର ମଡେଲ ସହିତ। କେତନ ମଧ୍ୟ ଜୈବକୃଷିର ବିଭିନ୍ନ ମଡେଲ ଉପରେ ଗବେଷଣା କଲେ। “TISSରେ ତାଲିମ ପାଇଲା ପରେ ମୁଁ ଅନୁଭବ କଲି ଯେ ବାସ୍ତବିକ ମୁଁ ଏହି ବିଚାରଗୁଡ଼ିକର ପ୍ରୟୋଗ ଜୈବକୃଷି କ୍ଷେତ୍ରରେ କରି କିଛି ଗୋଟାଏ କରିପାରିବି। ମୁଁ ମଧ୍ୟ ଦେଶୀ ଗାଈ ପ୍ରଜାତିର ସଂରକ୍ଷଣ ପାଇଁ କାମ କରିବାକୁ ଅତ୍ୟନ୍ତ ଆଗ୍ରହୀ ଥିଲି” କେତନ କହନ୍ତି ।

ସାମାଜିକ ଉଦ୍ୟୋଗ ପାଠ୍ୟକ୍ରମ ଅନୁସାରେ କେତନଙ୍କୁ ଏକ କ୍ଷେତ୍ରଭିତ୍ତିକ ପ୍ରୋଜେକ୍ଟ କରିବାକୁ ଥିଲା। ତାଙ୍କର ପସନ୍ଦ ଥିଲା ଜୈବକୃଷିକୁ ପ୍ରୋତ୍ସାହନ ଦେବା। ପାଇଲଟ ପ୍ରୋଜେକ୍ଟ ପାଇଁ ସେ ନିଜ ପ୍ରଦେଶକୁ ବାଛିଲେ। ସେ ଜୈବକୃଷି ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି କୃଷକ ଦଳ ସବୁ ଗଠନ କଲେ। ତିନି ମାସ ମଧ୍ୟରେ କୃଷକସଂଖ୍ୟା ୫୦ ଛୁଇଁଲା। ସେମାନଙ୍କର ବିପୁଳ ଆଗ୍ରହ କେତନଙ୍କୁ ବିଚାରଟିକୁ ଆଗେଇବା ପାଇଁ ଉତ୍ସାହିତ କଲା। ଜେଜେବାପାଙ୍କର ଆଜୀବନ ଜୈବକୃଷି ପ୍ରତି ଅନୁରକ୍ତିର ପ୍ରେରଣା ତାଙ୍କର ଏହି କ୍ଷେତ୍ରରେ କିଛି କରି ଦେଖାଇବାର ସଙ୍କଳ୍ପକୁ ଦୃଢ଼ତର କରିଥିଲା।

ଏହି ପାଇଲଟ ପ୍ରୋଜେକ୍ଟଟି ତାଙ୍କ ଜୀବନର ଡ୍ରିମ ପ୍ରୋଜେକ୍ଟ ହୋଇଗଲା। ଆଜି Krishi Naturals ର ୧୨ଜଣ ସଭ୍ୟ । ଟିମଟି ଅବିରତ ଭାବେ କୃଷକମାନଙ୍କୁ ଶିକ୍ଷିତ କରିବା, କୃଷି ଉତ୍ପାଦନର ସଂଗ୍ରହ ଓ ପ୍ରସ୍ତୁତିକରଣ କରିବା ଏବଂ ବେଶୀରୁ ବେଶୀ ଗ୍ରାହକମାନଙ୍କ ପାଖକୁ ପହଞ୍ଚିବା ପାଇଁ କାମ ଜାରୀ ରଖିଛି। Krishi Naturalsର ଦୁଇଟି ମୁଖ୍ୟ ପରିଯୋଜନା –‘ହରିୟାଲି ଟୋପଲି’ ଓ ‘ଗିରିଜ’-

‘ହରିୟାଲି ଟୋପଲି’ ଜୈବକୃଷିର ମଡେଲ ହୋଇଥିଲାବେଳେ ‘ଗିରିଜ’ ଦେଶୀ ଗାଈମାନଙ୍କ ବିକାଶ କ୍ଷେତ୍ରରେ ସହାୟତା କରେ। ୭୦ରୁ ୮୦ ପରିବାର ‘ହରିୟାଲି ଟୋପଲି’ ପରିଯୋଜନାରେ ପଞ୍ଜୀକରଣ କରିଛନ୍ତି ଏବଂ ଭାଦୋଦାରାର ପ୍ରାୟ ୪୦୦ ପରିବାର ତାଙ୍କର ଜୈବ ଉତ୍ପାଦର ଗ୍ରାହକ ହୋଇଛନ୍ତି।

Krishi Naturals ଚାଷୀମାନଙ୍କୁ ଜୈବକୃଷିର ସର୍ବୋତ୍ତମ ପଦ୍ଧତିଗୁଡ଼ିକ ବିଷୟରେ ପରାମର୍ଶ ଦେବା କାମରେ ଘନିଷ୍ଠଭାବେ ଲାଗିଥାଏ ଏବଂ ବୈଷୟିକ ସହାୟତା ମଧ୍ୟ କରିଥାଏ। ଆଗ୍ରହୀ ଚାଷୀମାନଙ୍କୁ ନେଇ ସମବାୟ ସମିତି ଗଠନ କରାଯାଏ ଏବଂ ତା’ପରେ ସେମାନଙ୍କୁ ବିନାମୂଲ୍ୟରେ ଜୈବକୃଷି ବିଷୟରେ knowledge partnersଙ୍କ ଦ୍ଵାରା ଶିକ୍ଷା ଦିଆଯାଏ। knowledge partners ମାନେ ତାଲିମପ୍ରାପ୍ତ ଜୈବକୃଷକ । ଏମାନେ ବିନାମୂଲ୍ୟରେ Krishi Naturals ସହିତ ଅନୁବନ୍ଧିତ ହୋଇଥାନ୍ତି।Krishi Naturals ପଞ୍ଜୀକୃତ ଚାଷୀମାନଙ୍କୁ ସୁନିଶ୍ଚିତ ବଜାର ଉପଲବ୍ଧ କରାଇଥାଏ ଏବଂ ଭାଦୋଦାରାର ଘରମାନଙ୍କୁ ପ୍ରତି ସପ୍ତାହରେ ଝୁଡ଼ିଭର୍ତ୍ତି ତଟକା ଜୈବ ଉତ୍ପାଦ ଯୋଗାଇ ଦେଇଥାଏ।

ଗ୍ରାହକମାନେ ଆଗତୁରା ସେମାନଙ୍କର ଆବଶ୍ୟକତା ପଞ୍ଜୀକରଣ କରିଥାନ୍ତି ଏବଂ ସେମାନଙ୍କ ପ୍ରଦତ୍ତ ଅର୍ଥରାଶି ମୂଳଧନ ଭାବେ କାମ କରେ। ଚାଷୀମାନେ ସେମାନଙ୍କର ଉତ୍ପାଦ ପାଇଁ ଏକ ପ୍ରିମିୟମ ମୂଲ୍ୟ ପାଇଥାନ୍ତି ଯାହାକି ଉତ୍ପାଦନ ଖର୍ଚ୍ଚର ଶତକଡ଼ା ୩୦ରୁ ୬୦ ଭାଗ ମଧ୍ୟରେ ରହେ ଏବଂ ବଜାର ଦରଠାରୁ ପ୍ରାୟ ୬ ଟଙ୍କା ଅଧିକ ଥାଏ। Krishi Naturals ମଧ୍ୟ ଚାଷୀମାନଙ୍କୁ ମୌଳିକ ସରଞ୍ଜାମ ଯେମିତିକି ପ୍ଲାଷ୍ଟିକର ପ୍ୟାକିଙ୍ଗ ବାସ୍କେଟ ଓ ଓଜନଯନ୍ତ୍ର ଯୋଗାଇ ଦେଇଥାଏ। ପନିପରିବାଗୁଡ଼ିକ ଓଜନ କରାଯାଇ ଠିକ ଭାବେ ପ୍ୟାକିଙ୍ଗ ହୁଏ ଏବଂ ଗ୍ରାହକମାନଙ୍କ ପାଖକୁ ମିନିଟ୍ରକ କିମ୍ବା ବାଇକ ଦ୍ଵାରା ପଠାଇ ଦିଆଯାଏ। ‘ଗିରିଜ’ ପରିଯୋଜନାରେ Krishi Naturals ଉନ୍ନତ ମାନର ଦେଶୀ ଷଣ୍ଢ ଓ ଗାଈ ସଂଗ୍ରହ କରିଥାଏ ଏବଂ ଗ୍ରାହକମାନଙ୍କୁ A2 କିସମର କ୍ଷୀର ଯୋଗାଇଥାଏ। ଦେଶୀ ଗାଈର କ୍ଷୀରକୁ A2 କୁହାଯାଇଥାଏ। କେତନ ଗର୍ବର ସହିତ କହନ୍ତି ଯେ ଏହି ଦିଗରେ କେବଳ ତାଙ୍କର ସଂସ୍ଥା ହେଉଛି ଏକମାତ୍ର ସଂସ୍ଥା ଯେ’କି A2 କିସମର କ୍ଷୀର ଯୋଗାଇଥାଏ।ପ୍ରତି ୧୨ଟି ଗାଈ ପାଇଁ ସମ୍ପୃକ୍ତ ଚାଷୀମାନଙ୍କୁ ଏକ ପ୍ରିମିୟମ ମୂଲ୍ୟ ଦିଆଯାଇଥାଏ।

କେତନ Krishi Naturalsକୁ ଏଇ ସ୍ତର ପର୍ଯ୍ୟନ୍ତ ଆଣିପାରିବାର ଶ୍ରେୟ ; ତାଙ୍କ ପାଖରେ ଥିବା ଏକମାତ୍ର ମାର୍କେଟିଙ୍ଗ ଟୁଲ –‘ମୁହଁର ଭାଷା’କୁ ଦିଆଯାଇପାରିବ।“ଯେଉଁ ସପ୍ତାହରେ ଆମେ Krishi Naturalsକୁ ଲଞ୍ଚ କଲୁ, ଆମର ଉତ୍ପାଦ ପାଇଁ ୨୦୦ଗ୍ରାହକ ବାହାରିଲେ।‘ମୁହଁର ଭାଷା’ ଆମ ପାଇଁ ପ୍ରଚାରର ସର୍ବୋତ୍ତମ ମାଧ୍ୟମ। ଆମର ସମସ୍ତ ଗ୍ରାହକ ମାନେ ବଜାରର ସ୍ରୋତ। ତେଣୁ ବଜାର ପାଇଁ ଆମର ନିବେଶ ନଗଣ୍ୟ” କହନ୍ତି କେତନ। କମ୍ପାନୀ ମଧ୍ୟ ଉପଭୋକ୍ତା-ଚାଷୀ ଭେଟଘାଟ ଆୟୋଜିତ କରିଥାଏ ଯଦ୍ୱାରା ଉପଭୋକ୍ତାମାନେ ଜାଣିପାରିବେ ସେମାନେ ବ୍ୟବହାର କରୁଥିବା ଜିନିଷଗୁଡ଼ିକ କିପରି ଏବଂ କେଉଁଠାରୁ ଆସୁଛି। ଏହା ମଧ୍ୟ ଏକ ଉତ୍ତମ ସମ୍ପର୍କ ନିର୍ମାଣ କରିଥାଏ; ଉଭୟ ଉପଭୋକ୍ତା ଓ ଚାଷୀମାନେ ଏ ମଉକାରେ ନିଜ ନିଜର ତ୍ରୁଟି ବିଷୟରେ ଜାଣିପାରିଥାନ୍ତି। ଏକ ବଢ଼ିଚାଲିଥିବା ଉଦ୍ୟୋଗର ପ୍ରତିଷ୍ଠାତା ଭାବେ କେତନ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି ଓ ଏବେ ମଧ୍ୟ ହେଉଛନ୍ତି। ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଲା ଚାଷୀମାନଙ୍କୁ ବୁଝାଇ ଜୈବକୃଷି ପାଇଁ ରାଜି କରାଇବା।ଏ ସବୁ ନିମନ୍ତେ ସାଧନ ଯୋଗାଡ଼ କରିବା ଆଉ ଏକ ଚ୍ୟାଲେଞ୍ଜ। କିନ୍ତୁ କେତନ ବିଶ୍ଵାସ କରନ୍ତି ଯେ ଏଇ ସବୁ ଚ୍ୟାଲେଞ୍ଜଗୁଡ଼ିକୁ ସେ ଗ୍ରାହକମାନଙ୍କ ସମର୍ଥନ ଓ DBS Bank India ଟିମ ସୌଜନ୍ୟରୁ ମିଳିଥିବା ସହଭାଗୀମାନଙ୍କ ସାହାଯ୍ୟ ଦ୍ଵାରା ଅତିକ୍ରମ କରିପାରିବେ”।

ଯେଉଁ ସମାଜ ଆମକୁ ମଣିଷ କଲା ତାହାର ଆମେ ନିଶ୍ଚିତ ଭାବେ ଋଣୀ। କିନ୍ତୁ ଆମେ କେତେଜଣ ସେହି ଋଣ ପରିଶୋଧ କରିବା ଲାଗି ଚିନ୍ତା କରୁ?

DBS Bank Indiaର ପବିତ୍ର ଅଙ୍ଗୀକାର ସେ ସମାଜଠାରୁ ଯାହା ପାଇଛି,କିଛି ତ ଫେରାଇବ ! ସେହି ଦାୟରେ DBS Bank India ସହାୟତା ଦେଇଥିବା ୨୧ଟି ପ୍ରଚେଷ୍ଟା ମଧ୍ୟରୁ KrishiNaturals ଗୋଟିଏ। ସାରା ଏସିଆରେ DBS Bank ସାମାଜିକ ଉଦ୍ୟୋଗୀମାନଙ୍କୁ ସାହାଯ୍ୟ କରିଥାଏ ; ଏହା ତାହାର CSR ର ମୁଖ୍ୟ କାର୍ଯ୍ୟ । ଭାରତରେ DBS ଓ TSS ର ସହଭାଗିତାରେ ଆରମ୍ଭ କରାଯାଇଛି DBS-TISS Social Entrepreneurship Programme। ଏଠାରେ TISSରୁ ଆସିଥିବା ବିଭିନ୍ନ ଅଭିନବ ଉଦ୍ୟୋଗ ଗୁଡ଼ିକୁ ଉଦ୍ୟୋଗ ମୂଳପୁଞ୍ଜି ବ୍ୟବସ୍ଥା ସହିତ ପୃଷ୍ଠପୋଷକତା ମଧ୍ୟ କରାଯାଏ। କେତନ କହନ୍ତି,“DBS Bankର ସହାୟତା ଯୋଗୁ ଆମେ ଆର୍ଥିକ ସଙ୍କଟକୁ ଅତିକ୍ରମ କରି ତିଷ୍ଠି ରହି ପାରିଛୁ। ସେମାନେ ଅତୀତରେ ଏବଂ ଏବେ ମଧ୍ୟ ଆମର facilitator ପରି ଅଛନ୍ତି”।

ପ୍ରତି ତିନିମାସରେ DBS team କାର୍ଯ୍ୟକଳାପର ସମୀକ୍ଷା କରେ ଯାହାକି Krishi Naturalsର ଟିମକୁ ଲକ୍ଷ୍ୟପୂରଣ ଦିଗରେ ସଠିକ ମାର୍ଗରେ ରଖେ।DBS Bankର ସହାୟତା ଏବଂ ଗ୍ରାହକ ଓ କୃଷକମାନଙ୍କ ମଧ୍ୟରେ ଲୋକପ୍ରିୟତାକୁ ଆଖିରେ ରଖି କେତନ ଏବେ ସୁରାଟ,ଅହମଦାବାଦ ,ଏବଂ ରାଜକୋଟର ବୃହତ୍ତର ବଜାରକୁ ଆସିବାକୁ ଚାହୁଁଛନ୍ତି।ଏକ ସୁସ୍ଥ କୃଷି ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ସହିତ ସେ ସେହି ଅଞ୍ଚଳର କୃଷକମାନଙ୍କର ଜୀବନଶୈଳୀରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସେ ୧୦,୦୦୦ ଚାଷୀ ପରିବାର ପାଖରେ ପହଞ୍ଚିବାକୁ ଏବଂ ଗୁଣସୂତ୍ର ଦୃଷ୍ଟିରୁ ଦୁଇରୁ ତିନି ଲକ୍ଷ ଉନ୍ନତ ଦେଶୀ ଗାଈ ପ୍ରଜଜନ କରିବାକୁ ଇଚ୍ଛା କରନ୍ତି।

କେତନଙ୍କର ଦୃଢ଼ ବିଶ୍ଵାସ ଯେ ଆଗକୁ ଜୈବକୃଷି ହିଁ ପୋଷଣୀୟ କୃଷି ପାଇଁ ଏକ ରାସ୍ତା ଏବଂ ବେଶୀରୁ ବେଶୀ କୃଷକ ଆଗାମୀ ଦଶକ ଗୁଡ଼ିକରେ ଏଥି ପ୍ରତି ସଚେତନ ହେବେ।

Portraits of Purpose (PoP) ଗୋଟିଏ ଧାରାବାହିକ ଯାହା ମାଧ୍ୟମରେ ଆମେ DBS ସମର୍ଥିତ ସାମାଜିକ ଉଦ୍ୟୋଗ ଗୁଡ଼ିକର କାହାଣୀ ଉପସ୍ଥାପନ କରୁ।ଏହା ଏପରି ଏକ ଯାତ୍ରା ଯାହା ତମକୁ ପ୍ରତ୍ୟେକ ସାମାଜିକ ଉଦ୍ୟୋଗୀଙ୍କର ନିଷ୍ଠା, ଆବେଗ ତଥା ଆତ୍ମବିଶ୍ଵାସ ସହିତ ପରିଚିତ କରାଇବ। ଆମେ ସମ୍ମୁଖୀନ ହେଉଥିବା ସାମାଜିକ ଓ ଅର୍ଥନୈତିକ ଚ୍ୟାଲେଞ୍ଜ ଗୁଡ଼ିକୁ କିପରି ଅଧ୍ୟବସାୟ ଏବଂ ନୂତନ ପୋଷଣୀୟ ରଣନୀତି ସାହାଯ୍ୟରେ ଲଢ଼ି ବିଜଯ ଲାଭ କରିପାରିବା - ଏହି କାହାଣୀଗୁଡ଼ିକ ତାହାର ପ୍ରମାଣ। ଗତ ଦୁଇ ବର୍ଷ ଧରି ଏହି ଉଦ୍ୟମ ଗୁଡ଼ିକରେ ପାଞ୍ଚଶହରୁ ବେଶୀ DBS କର୍ମଚାରୀ ସେମାନଙ୍କର ସମର୍ଥନ ଜଣାଇଛନ୍ତି।

ମୂଳ ଲେଖା - ପଲ୍ଲବୀ ସିହ୍ନା

ଭାଷାନ୍ତର - ଅନନ୍ତ ନାରାୟଣ ପାଣିଗ୍ରାହୀ