ହସ୍ତଶିଳ୍ପ ସାମ୍ରାଜ୍ୟର ପାଟରାଣୀ ଲୈଲା ତ୍ୟାବଜୀ

ହସ୍ତଶିଳ୍ପ ସାମ୍ରାଜ୍ୟର ପାଟରାଣୀ ଲୈଲା ତ୍ୟାବଜୀ

Monday November 09, 2015,

4 min Read

ମେଟ୍ରୋ ସହରରେ ରହି କିମ୍ବା ବିଦେଶରେ ବୁଲୁଥିବା ବେଳେ ଭାରତୀୟ ହସ୍ତଶିଳ୍ପୀଙ୍କ ଉପରେ ପ୍ରତିକୂଳ ମନ୍ତବ୍ୟ ଦେଇ ଦେବାଟା ଭାରି ସହଜ । କିନ୍ତୁ କେହି କେବେ ଯାଇ ଦେଖିନି କୋଉ ପରିବେଶରେ ସେମାନେ କାମ କରନ୍ତି। ସେମାନଙ୍କ ନିତିଦିନିଆ ଥାଳିରେ କିଛି ଖାଇବାକୁ ଅଛି ନା ନାହିଁ ? ଆମର ପୁରୁଣା ଦିନର ଗାଥା, ଐତିହାସିକ କାରୁକାର୍ଯ୍ୟ ସଂପର୍କରେ ମନେ ପକାଇ ଆମେ ଗର୍ବ କରୁ । କହୁ- ପୁରୁଣା ଦିନ ଏତେ ଭାସ୍କର୍ଯ୍ୟପୂର୍ଣ୍ଣ ଥିଲା । ହେଲେ ଆଜିକା ଦିନରେ ଆମେ ନିଜେ ହସ୍ତକଳା ଓ ହସ୍ତଶିଳ୍ପୀଙ୍କ ପାଇଁ କଣ କରୁ ? କେବେ ସେ କଥା ଆମ ମନକୁ ଆସେନି । ବରଂ ମନକୁ ଆସେ-ଅଯଥାରେ ପ୍ରତିକୂଳ ମନ୍ତବ୍ୟ ଦେଇଦେବା- ପ୍ରାୟ ତିନି ଦଶନ୍ଧି ଧରି ଭାରତୀୟ ହସ୍ତକଳାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଥିବା ଲୈଲା ତ୍ୟାବଜୀ କ୍ଷୋଭର ସହ ଏହା କହନ୍ତି ।

image


ୟୋର ଷ୍ଟୋରୀ ପକ୍ଷରୁ ତାଙ୍କୁ ସାକ୍ଷାତ କଲା ବେଳେ ତାଙ୍କ ଭିତରୁ ମଣିଷଙ୍କ ମନ ଭିତରେ ଥିବା ସାଧାରଣ ଭାବନା ପ୍ରତି ଥିଲା ଅସନ୍ତୋଷ ।

୩୦ ବର୍ଷରୁ ଅଧିକ ସମୟ ଧରି ଭାରତର ପ୍ରତିଟି ଇଲାକାର କାରିଗରମାନଙ୍କୁ ସେ ପାଖରୁ ଦେଖିଛନ୍ତି । ତାଙ୍କ ସହ କାମ କରିଛନ୍ତି । ସମସ୍ୟାକୁ ବୁଝିଛନ୍ତି । ହୁଏତ ସମାଧାନ ପାଇଁ ଛୋଟିଆ ଉପାୟଟେ କାଢିଛନ୍ତି ।

image


ଗ୍ରାମୀଣ ଭାରତରେ ଏବେ ୭ ନିୟୁତରୁ ଅଧିକ ହସ୍ତଶିଳ୍ପୀ ଅଛନ୍ତି । କୃଷି ବାଦ୍ ଏହା ସେମାନଙ୍କ ପାଇଁ ଜୀବିକାର୍ଜନର ମୁଖ୍ୟ ପନ୍ଥା । ଯେଉଁ ମହିଳାମାନେ ଆର୍ଥିକ ମୁଖ୍ୟ ସ୍ରୋତରେ ନିଜକୁ ବିଭିନ୍ନ କାରଣରୁ ସାମିଲ କରିପାରି ନାହାନ୍ତି, ସେମାନେ ଘରେ ବସି ଏମିତି ହାତ ତିଆରି କାମ କରି ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରନ୍ତି । ଯଦି ସେମାନଙ୍କ ସାମଗ୍ରୀ ବିକିବା ପାଇଁ ବଜାର ଅଛି, ତେବେ ଏହି ସୁଅ ଟିକେ ଅନୁକୂଳ ରାସ୍ତାରେ ଚାଲେ । ଏମିତି ଅନେକ ସମସାର ସମାଧାନ ପାଇଁ ତ୍ୟାବଜୀ ୧୯୮୧ରେ ଆରମ୍ଭ କରିଥିଲେ-ଦସ୍ତକର ନାମକ ସଙ୍ଗଠନ । ଲକ୍ଷ୍ୟ- ଗ୍ରାମୀଣ ହସ୍ତଶିଳ୍ପୀ, ମୁଖ୍ୟତଃ ମହିଳାମାନଙ୍କ ପାଇଁ ସହଯୋଗର ହାତ ବଢାଇବା । ତାଙ୍କୁ ଆର୍ଥିକ ଓ ସାମଜିକ ସ୍ତରରେ ପ୍ରତିଷ୍ଠିତ କରାଇବା । ଲୈଲା ତ୍ୟାବଜୀ ଏଥିପାଇଁ କଠିନ ପରିଶ୍ରମ କରିଛନ୍ତି ଓ ସଫଳତାର କାହାଣୀ ବି ଲେଖିଛନ୍ତି । ତ୍ୟାବଜୀ ନିଜେ ଜଣେ ପ୍ରଚଳିତ ରୀତି ବିରୋଧୀ ଓ ଖୋଲାଖୋଲି ନିଜର ମତ ପୋଷଣ କରୁଥିବା ମଣିଷ ଭାବେ ବେଶ ପରିଚିତ ।

ଜୀବନ ବଦଳାଇ ଦେଇଥିବା ଅନୁଭୂତି

କଲେଜରେ ପାଠପଢା ଦିନରୁ ଡିଜାଇନିଂ ସହିତ ଲୈଲାଙ୍କ ସଂପର୍କ । ଜାପାନରୁ ଫାଇନ୍ ଆର୍ଟସ ପାଠ ପଢା ସାରିବା ପରେ ଦିଲ୍ଲୀ ଫେରିଥିଲେ ସେ । କିନ୍ତୁ ଏଇଠି ଫେରି ଜାଣିଥିଲେ ଜଣେ ମୁକ୍ତିବୃତି ଡିଜାଇନର୍ ହେବା ପାଇଁ ଭାରତରେ କୌଣସି ସୁଯୋଗ ହିଁ ନଥିଲା । ଫେସନ ଡିଜାଇନିଂ, ଇଂଟେରିଅର ଡିଜାଇନିଂ, ଗ୍ରାଫିକ ଡିଜାଇନିଂ, ଏମିତିକି ଷ୍ଟେଜ୍ ଡିଜାଇନ୍ ଇଣ୍ଡଷ୍ଟ୍ରି ସଂପର୍କରେ କୌଣସି ବିଶେଷ ଧାରଣା ବି ନଥିଲା ।

Artisans at Dastkar Bangalore ‘Nature Bazaar.

Artisans at Dastkar Bangalore ‘Nature Bazaar.


ଯଦିଓ ସବୁଦିନେ ପାରଂପରିକ ହସ୍ତଶିଳ୍ପୀମାନଙ୍କ ସହିତ ଲୈଲା କାମ କରି ଆସିଛନ୍ତି, କିନ୍ତୁ ଗୁଜୁରାଟର କଚ୍ଛ ଇଲାକାରେ ମହିଳାଙ୍କ ସହ କାମ କରିବା ସମୟଟି ତାଙ୍କ ଜୀବନର ଲକ୍ଷ୍ୟ ବଦଳାଇ ଦେଇଥିଲା । ସେଇଠି ଗାଁର ମହିଳା କାରିଗରମାନଙ୍କ ସହ ତାଙ୍କର ଦେଖା ହୋଇଥିଲା ଓ ସେ ମୁହାଁମୁହିଁ ହୋଇଥିଲେ ଅସଲ ସମସ୍ୟାର । କାରିଗରୀରେ ନିଖୁଣ ଥିଲେ ମହିଳାମାନେ । ହେଲେ ଉତ୍ପାଦନ ବିକିବା ପାଇଁ ଘୋର ଅଭାବ ଥିଲା ବଜାରର ।

ଲୈଲା ସେହି କଥା ମନେ ପକାଇ କହନ୍ତି- ଆମେ କେମିତି ଏହି ଗ୍ରାମୀଣ କାରିଗରମାନଙ୍କୁ କାମ କରିବା ପାଇଁ କହିବା, ଯେତେବେଳେ ସାମଗ୍ରୀ ବିକିବା ପାଇଁ ଆଦୌ ସୁଯୋଗ ହିଁ ନାହିଁ । ଏଥିପାଇଁ ସମସ୍ତେ ସହଯୋଗ କରିବା ଦରକାର । ଆଉ ଏଇ କାରଣ ପାଇଁ-ଦସ୍ତକର ଆରମ୍ଭ କରିବାକୁ ମୁଁ ଠିକ କରିଥିଲି ।

ଗମ୍ଭୀର ସମସ୍ୟା

ହସ୍ତଶିଳ୍ପ ଅନେକ ସମସାର ସାମ୍ନା କରୁଛି । ଏଥିରେ ଯଦିଓ ସରକାରଙ୍କ ଭୂମିକା ରହିଛି, ତେବେ ମଧ୍ୟ ସମାଜର ଭୂମିକା ଅଧିକ ବୋଲି ଲୈଲା କହନ୍ତି । ପୃଥିବୀର ସର୍ବାଧିକ ଅସଂଗଠିତ ହସ୍ତଶିଳ୍ପୀ ଓ କାରିଗର ଭାରତରେ ଅଛନ୍ତି । ହେଲେ ସେମାନଙ୍କ ପାଇଁ ବଜାର ନାହିଁ । ଏବେ ଅବଶ୍ୟ ‘ଫ୍ୟାବ୍ ଇଣ୍ଡିଆ’ ପରି ଅନୁଷ୍ଠାନ ସେ ଦିଗରେ ଆଗେଇ ଆସିଛନ୍ତି । ଯାହାର ପ୍ରଶଂସା କରନ୍ତି ସେ ।

ଲିଙ୍ଗଗତ ବୈଷମ୍ୟ ନାହିଁ

କାରିଗରି ଶିଳ୍ପରେ ସାରା ପରିବାର କାମ କରିଥାଏ । ସ୍ୱାମୀ କିଛି କରେ, ସ୍ତ୍ରୀ ହାତ ବଢେଇ ଦିଏ । ସେମିତି ସ୍ତ୍ରୀ କିଛି କରେ, ସ୍ୱାମୀ ହାତ ବଢେଇ ଦିଏ । ତେଣୁ ଏଥିରେ ପୁରୁଷ ଜାତି ଯେ ପ୍ରାଧାନ୍ୟ ପାଉଛି, ତାହାକୁ ଅସ୍ୱୀକାର କରନ୍ତି ଲୈଲା । ନିଜେ ବି ଏମିତି ବୈଷମ୍ୟର ଶିକାର ହୋଇ ନାହାନ୍ତି ବୋଲି କହନ୍ତି । କିନ୍ତୁ ଯଦି ସେ ପାଇଲଟ୍ କିମ୍ବା ଏରୋନେଟିକ୍ ଇଂଜିନିଅର୍ ହେବାକୁ ଚାହିଁ ଥାଆନ୍ତେ, ତେବେ ପରିସ୍ଥିତି ଅଲଗା ଥାଆନ୍ତା ବୋଲି ମତ ଦିଅନ୍ତି।

ଉତ୍ସାହର ସୁଅ

ଲୈଲାଙ୍କୁ ଏବେ ୬୬ ବର୍ଷ ଚାଲିଛି । କିନ୍ତୁ କାମ କଥା ଆସିଲେ- ମୁଁ ବିଛଣାରୁ ଡେଇଁ ଚାଲି ଆସିବି ବୋଲି ସେ କହନ୍ତି । ନିଜ ପ୍ରେରଣା ସଂପର୍କରେ ସେ କହନ୍ତି- ଗ୍ରାମୀଣ କାରିଗରଙ୍କ ସହ କାମ କରି ତାଙ୍କ ମୁହଁରେ ହସ ଫୁଟାଇବାର ଅନୁଭୂତି ନିଆରା । ପୁଣି ଯେତେବେଳେ ଆପଣଙ୍କ ସହଯୋଗର ହାତ, ଅନ୍ୟର ଜୀବନ ବଦଳାଇ ଦେଉଛି, ସେତେବେଳେ ଆତ୍ମସନ୍ତୋଷରେ ଛାତି ଫାଟି ପଡେ଼ ।

image


ଶେଷକୁ ନିଜର ଦୀର୍ଘ ଅନୁଭୂତିକୁ ପାଥେୟ କରି ଉପଦେଶରେ ସେ କହନ୍ତି- ହସ୍ତଶିଳ୍ପ କ୍ଷେତ୍ରରେ ଆପଣଙ୍କ ପାଇଁ ପାରଂପରିକ ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି । ଏଠି କେବଳ ସାହାଯ୍ୟ ଦରକାର କରୁଥିବା ମଣିଷଙ୍କୁ ସହଯୋଗର ହାତ ବଢାଇବା ଜରୁରୀ । ତେଣିକି ଆତ୍ମସନ୍ତୋଷ ଆପେ ଆସିଯିବ ।

Share on
close