୨୦୧୮ରେ ଦର୍ଲିପାଲିରୁ ଉତ୍ପାଦିତ ହେବ ୧୬୦୦ ମେଗାୱାଟ୍ ବିଦ୍ୟୁତ, ସୁନ୍ଦରଗଡରେ ମେଡିକାଲ କଲେଜ୍ ଓ ହସ୍ପିଟାଲ୍

୨୦୧୮ରେ ଦର୍ଲିପାଲିରୁ ଉତ୍ପାଦିତ ହେବ ୧୬୦୦ ମେଗାୱାଟ୍ ବିଦ୍ୟୁତ, ସୁନ୍ଦରଗଡରେ ମେଡିକାଲ କଲେଜ୍ ଓ ହସ୍ପିଟାଲ୍

Friday February 19, 2016,

3 min Read

image


ନ୍ୟାସନାଲ୍ ଥର୍ମାଲ ପାୱାର କର୍ପୋରେସନ୍ (ଏନଟିପିସି) କେବଳ ବିଦ୍ୟୁତ ଉତ୍ପାଦନ କରେ ନାହିଁ, ଏହା ସାମାଜିକ ଦାୟିତ୍ୱବୋଧକୁ ମଧ୍ୟ ଭଲ ଭାବେ ପୂରଣ କରିଥାଏ | ଓଡିଶାରେ ଏନଟିପିସି ଅନେକ ଜନହିତକର କାମ ହାତକୁ ନେଇଛି | ନିକଟରେ କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ହୋଇଥିଲା | ଯେଉଁଥିରେ କମ୍ପାନୀ ଭବିଷ୍ୟତରେ କେଉଁ କେଉଁ ଶକ୍ତି ପ୍ରକଳ୍ପ କେବେ ଶେଷ ହେବ ଓ ପାରିପାର୍ଶ୍ଵିକ ଉନ୍ନତି ପାଇଁ କମ୍ପାନୀର ଭୂମିକା ସମ୍ପର୍କରେ ବରିଷ୍ଠ ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇଥିଲେ |

image


ମେଡିକାଲ୍ କଲେଜ୍ ଓ ଆଟିଆଇ

ସୁନ୍ଦରଗଡରେ ଦେଶର ଶ୍ରେଷ୍ଠ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ କାର୍ଯ୍ୟ ଆରମ୍ଭ କରିଛି ଏନଟିପିସି | ଏଥିପାଇଁ କମ୍ପାନୀ ୪୧୭ କୋଟି ଟଙ୍କା ବ୍ୟୟ କରିବ | ୨୦୧୮ ସୁଦ୍ଧା ଏହାର କାମ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି | ଏହା ପରେ ଏହାକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ | ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେବା ସହ ଓଡିଶା ବାସୀଙ୍କୁ ଉତ୍ତମମାନର ସ୍ୱାସ୍ଥ୍ୟ ସେବା ମିଳିପାରିବ | ସେହିପରି ଯୁବକମାନଙ୍କୁ ବିଭିନ୍ନ ବୈଷୟିକ ଟ୍ରେଡ୍ ରେ ତାଲିମ ଦେବା ପାଇଁ ଗଂଜାମର ଶେରଗଡ ଠାରେ ଏକ ଆଇଆଇଟି ପ୍ରତିଷ୍ଠା କରିବାକୁ ମଧ୍ୟ କାମ ଆରମ୍ଭ ହୋଇଯାଇଛି | ଏଥିରେ ବ୍ୟୟ ଅଟକଳ ଅଛି ୭.୭୨ କୋଟି | ଏହା ଦ୍ୱାରା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ତାଲିମ ଦେବା ସହ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇପାରିବ |

ଦର୍ଲିପାଲି ପ୍ରକଳ୍ପ

ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା ତହସିଲ ଅନ୍ତର୍ଗତ ଦର୍ଲିପାଲି ତାପଜ ବିଦ୍ୟୁତ କେନ୍ଦ୍ର ୨୦୧୮ ସୁଦ୍ଧା ଶେଷ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି | ଏହୁ ପ୍ରକଳ୍ପ ୧୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ହେବ | ଏ ସମ୍ପର୍କରେ କମ୍ପାନୀର ମହାପ୍ରବନ୍ଧକ ଏ.କେ. ତ୍ରିପାଠୀ କହିଛନ୍ତି,

୧୩ ହଜାର କୋଟି ଟଙ୍କାରେ ଏହି ପ୍ରକଳ୍ପର କାମ ଦ୍ରୁତ ଗତିରେ ଆଗେଇ ଚାଲିଛି | ୨୦୧୮ ଫେବୃୟାରୀରୁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରଖିଛୁ | ଏଠାରୁ ଉତ୍ପାଦିତ ବିଦ୍ୟୁତ ଶକ୍ତିରୁ ଓଡିଶାକୁ ୫୦ ପ୍ରତିଶତ ଅର୍ଥାତ୍ ୮୦୦ ମେଗାୱାଟ୍ ବିଦ୍ୟୁତ୍ ଦିଆଯିବ | ଏହି ପ୍ରକଳ୍ପ ପାଇଁ ଡୁଲୁଙ୍ଗା ଖଣିରୁ କୋଇଲା ଓ ହୀରାକୁଦରୁ ଜଳ ନିଆଯିବ |

ସେହିପରି ଢେଙ୍କାନାଳ ଜିଲ୍ଲା ଗଜମରାରେ ହେବାକୁ ଥିବା ତାପଜ ବିଦ୍ୟୁତ ପ୍ରକଳ୍ପରୁ କମ୍ପାନୀ ଓହରିବ ନାହିଁ ବୋଲି ସ୍ପଷ୍ଟ କରିଛି | ଶକ୍ତି କ୍ରୟ ଚୁକ୍ତି ହୋଇନଥିବା କାରଣରୁ ପ୍ରକଳ୍ପ କାର୍ଯ୍ୟ ଧୀମା ଚାଲିଛି | ଜମି ଅଧିଗ୍ରହଣ ମଧ୍ୟ ଶେଷ ହୋଇନାହିଁ | ଜମି ଅଧିଗ୍ରହଣ ପାଇଁ କମ୍ପାନୀ ସରକାରଙ୍କ ନିକଟରେ ୫୦୦ କୋଟି ଟଙ୍କା ଜମା କରିଛି | ଶକ୍ତି କ୍ରୟ ଚୁକ୍ତି ହେଲା ପରେ ଏହି ପ୍ରକଳ୍ପର କାମ ଚାଲିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି |

ଏନଟିପିସି ସାରା ଦେଶରେ ୧୮ଟି କୋଇଲା ଭିତ୍ତିକ, ୭ଟି ଗ୍ୟାସ ଭିତ୍ତିକ, ଗୋଟଏ ଜଳ ବିଦ୍ୟୁତ୍ ଓ ୮ଟି ସୌର ପ୍ରକଳ୍ପ ସ୍ଥାପନ କରିଛି | ଏସବୁ ମିଶାଇଲେ କମ୍ପାନୀର ବିଦ୍ୟୁତ ଉତ୍ପାଦନ କ୍ଷମତା ହେଉଛି ୪୫୫୪୮ ମେଗାୱାଟ୍ | କଣିହାଁରେ ସ୍ଥାପନ କରାଯାଇଥିବା ୧୦ ମେଗାୱାଟ୍ ସୌର ବିଦ୍ୟୁତ ପ୍ରକଳ୍ପ ଅଦ୍ୟାବଧି ରାଜ୍ୟର ବୃହତ୍ତମ ସୌର ପ୍ରକଳ୍ପ ଭାବେ ମାନ୍ୟତା ପାଇଆସିଛି |

ସହଯୋଗର ହାତ

image


ସୁନ୍ଦରଗଡରେ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପ୍ରତିଷ୍ଠା କାମ ସହ ପାରିପାର୍ଶ୍ୱିକ ବିକାଶ ପାଇଁ କମ୍ପାନୀ ଅନେକ ପଦକ୍ଷେପ ନେଇଛି | ଏ ସମ୍ପର୍କରେ କମ୍ପାନୀ ଆଂଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅରବିନ୍ଦ କୁମାର କହନ୍ତି,

ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନରେ କମ୍ପାନୀ ପକ୍ଷରୁ ୩୭୨୫ଟି ପାଇଖାନା ନିର୍ମାଣ ହୋଇଛି | ଯାହା ଫଳରେ ଖୋଲାରେ ମଳତ୍ୟାଗ କରୁଥିବା ଲୋକେ ଏବେ ପାଇଖାନା ବ୍ୟବହାର କରିପାରିବେ | ପୁରୀରେ ଆଲୋକ ବ୍ୟବସ୍ଥା, ଆଦିବାସୀ ମହିଳାଙ୍କୁ ଇନ୍ଧନ ଚୁଲା ପ୍ରଦାନ ଆଦି ଅନେକ କାମ କମ୍ପାନୀ କରୁଛି |

ଏହା ବ୍ୟତୀତ କମ୍ପାନୀ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାକୁ ୧୦ କୋଟି ଟଙ୍କା ପ୍ରଦାନ କରିଛି | ଫାଇଲିନ୍ ସମୟରେ ମଧ୍ୟ କମ୍ପାନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କା ସହାୟତା ଦେଇଥିଲେ | ସେହିପରି କମ୍ପାନୀ ଗ୍ରାମାଂଚଳରେ ଗଢି ଉଠିଥିବା ସ୍ୱଂୟ ସହାୟକ ଗୋଷ୍ଠୀକୁ ସହଯୋଗ କରି ମହିଳା ସଶକ୍ତିକରଣ ପ୍ରକ୍ରିୟାରେ ସାମିଲ ହୋଇଛି |