ଜଣେ ସଫଳ ଚାଷୀଙ୍କ କାହାଣୀ

ଜଣେ ସଫଳ ଚାଷୀଙ୍କ କାହାଣୀ

Wednesday October 19, 2016,

3 min Read

ଆଧୁନିକ ଚାଷ ପ୍ରଣାଳୀ

ବୈଜ୍ଞାନିକ ପଦ୍ଧତିରେ ଜୈବ ଚାଷ ପ୍ରତି ଚାଷୀ ଆଗ୍ରହ ଦେଖାଉ ନାହିଁ । ପୁରୁଣାକାଳିଆ ପଦ୍ଧତିକୁ ଆବୋରି ବସୁଛି । କୃଷିଜୀବୀଙ୍କୁ ସଚେତନ କରିବାକୁ ସରକାର ବହୁ କାର୍ଯ୍ୟକ୍ରମ କରୁଛନ୍ତି । ହେଲେ କୌଣସି କାର୍ଯ୍ୟକ୍ରମର ପ୍ରଭାବ ବିଶେଷ ଭାବେ ପରିଲିତ ହେଉନାହିଁ । ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାର ଜଣେ ଚାଷୀ ଆଧୁନିକ ଚାଷ ପ୍ରଣାଳୀକୁ ଆପଣେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଥର ପୁରଷ୍କୃତ ହେବାର ନଜିର ରହିଛି ।

image


ସୁଧୀର ରାଉତ ସଫଳ ଚାଷୀ

କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବାଲିପଡା ପଞ୍ଚାୟତର ବାଇଗଣବାଡି ଗ୍ରାମର ଚାଷୀ ସୁଧୀର ରାଉତ । ବୟସ ୫୦ରୁ ବେଶୀ । ୨୦୦୬ରୁ ‘ଶ୍ରୀ’ ପଦ୍ଧତିରେ ଧାନ ଚାଷ କରି କୃଷି କ୍ଷେତ୍ରରେ ଯୋଡ଼ିଛନ୍ତି ନୂଆ ଫର୍ଦ୍ଦ । ପ୍ରଥମ ଥର ପାଇଁ ସେ ୨୦୦୭ରେ ନାୟକ ପୁରଷ୍କୃତ ହୋଇଥିଲେ । ଜିଲ୍ଲାରେ ହାରାହାରି ଅମଳ ଏକର ପ୍ରତି ୨୭ କ୍ଵିଣ୍ଟାଲ ଧାର୍ଯ୍ୟ ହୋଇଥିବା ବେଳେ ଶ୍ରୀ ପଦ୍ଧତିରେ ଚାଷ କରି ସେ ରେକର୍ଡ଼ ପରିମାଣ ୫୯.୬ କ୍ଵିଣ୍ଟାଲ୍ ଧାନ ଅମଳ କରିଥିଲେ । କୃଷି ତାଲିମ କେନ୍ଦ୍ର, ରଙ୍ଗେଇଲୁଣ୍ଡାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷି ମହୋତ୍ସବରେ ଏହି ପୁରଷ୍କାର ତାଙ୍କୁ ଦେଇଥିବା ପ୍ରୋତ୍ସାହନ । ଏହାପରେ ସେ ପଛକୁ ଚାହିଁ ନଥିଲେ । ପ୍ରଥମେ ପରୀକ୍ଷାମୂଳକ ଭାବେ ଗୋଟିଏ ଏକର ଧାନ ଚାଷ କରିବା ପରେ ଏବେ ସେ ୪ ଏକର ଜମିରେ ଧାନ ଚାଷ କରୁଛନ୍ତି । ଏନେଇ ସୁଧୀରଙ୍କୁ ପୁଣି ୨୦୧୫ରେ ଆଞ୍ଚଳିକ କୃଷି ମହୋତ୍ସବରେ ସମ୍ମାନୀତ ହୋଇଛନ୍ତି । ସେ କହିଛନ୍ତି ଯେ ତତ୍କାଳୀନ କୃଷି ଉପନିର୍ଦ୍ଦେଶକ ଦାମୋଦର ପଲେଇଙ୍କର ପରାମର୍ଶରେ ସଘନ ଧାନ ଚାଷ ପଦ୍ଧତି ‘ଶ୍ରୀ’ ଆରମ୍ଭ କରିଥିଲେ । ଆଗ୍ରୋନୋମିଷ୍ଟ ଲକ୍ଷ୍ମଣ ପାଲଟାସିଂ ତାଙ୍କୁ ବୈଷୟିକ ପରାମର୍ଶ ଦେଇଥିଲେ । ପିଲାଟି ଦିନରୁ ପାରମ୍ପରିକ ଚାଷ ପ୍ରଣାଳୀରେ ପରିବର୍ତ୍ତନ ଆଣିବାକୁ ସେ ଚିନ୍ତା କରିଥିଲେ । କିନ୍ତୁ ଉପାୟ ମିଳୁ ନଥିଲା । କୃଷି ବିଭାଗ ଆନୁକୂଲ୍ୟରେ ୨୦୦୬ରେ ଗଞ୍ଜାମ ଜିଲ୍ଲାର ୧୫ଜଣ ଚାଷୀଙ୍କ ସହ କର୍ଣ୍ଣାଟକ, ପଞ୍ଜାବ ଓ ଆନ୍ଧ୍ରପ୍ରଦେଶ ଗସ୍ତ କରି ସେଠାରେ ଚାଷ ପ୍ରଣାଳୀ ଅନୁଧ୍ୟାନ କରିଥିଲେ । ସେଠାରୁ ସେ ଅନୁପ୍ରାଣିତ ହୋଇ ତାଙ୍କ ଜିଲ୍ଲାରେ ମଧ୍ୟ ଉନ୍ନତମାନର କୃଷି ପ୍ରଣାଳୀ ଅବଲମ୍ବନ କରିବାକୁ ଉଦ୍ୟମ କରିଥିଲେ । ତାଙ୍କଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଚାଷୀ ପରାମର୍ଶ ନେଇଥିବା କହିଛନ୍ତି । ଅପରପକ୍ଷେ ୧୯୮୮ରେ ଖଲିକୋଟ କଲେଜରୁ ହାସଲ କରିଛନ୍ତି ସେ ସ୍ନାତକ ଡିଗ୍ରୀ । ରାଜନୀତିରେ ରହିଛି ରୁଚି । କେବଳ ଚାଷ କାର୍ଯ୍ୟ ନୁହେଁ, ଜଣେ ସଫଳ ସମବାୟବିତ୍ ଭାବେ ସେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବ୍ରହ୍ମପୁର ପାଇକାରୀ ସମବାୟ ଭଣ୍ଡାର ସଭାପତି ଭାବେ ୧୯୯୪ରୁ ଏୟାବତ୍ ଲଗାତର ଗତ ଦୁଇ ଦଶନ୍ଧି ଧରି କାର୍ଯ୍ୟଭାର ସମ୍ଭାଳିଛନ୍ତି । ଜିଲ୍ଲାରେ ସମବାୟ ଆନ୍ଦୋଳନକୁ ଅଗ୍ରଗତି କରାଇବାରେ ନେତୃତ୍ଵକାରୀ ଭୂମିକା ନେଇଥିବାରୁ ୧୯୯୯ରେ ରାଜ୍ୟ ସମବାୟରେ ସମ୍ମାନିତ ହୋଇଥିଲେ । ‘ଶ୍ରୀ’ ପ୍ରଣାଳୀ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ସୁଧୀର ରାଉତ କହିଛନ୍ତି ଯେ ପ୍ରଥମେ ଏହି ପଦ୍ଧତିରେ ଚାଷ ପ୍ରଣାଳୀ ମାଡାଗାସ୍କରେ ୧୯୮୦ରେ ହେନରୀ ଡି ଲାଉଲାନୀ ଆରମ୍ଭ କରିଥିଲେ । ସାଧାରଣ ଚାଷ ପ୍ରଣାଳୀ ଠାରୁ ଏଥିରେ ଉତ୍ପାଦନ ଅଧିକ । କମ୍ ଶ୍ରମଶକ୍ତି ବିନିଯୋଗ, କମ୍ ଜଳ ଓ ଶୀଘ୍ର ଅମଳକ୍ଷମ ମଧ୍ୟ ହୁଏ । ପାରମ୍ପରିକ ପ୍ରଣାଳୀରେ ୨୫ କିଗ୍ରା ବିହନ ଆବଶ୍ୟକ ହେଉଥିବା ବେଳେ ଏହି ପଦ୍ଧତିରେ ୨କିଗ୍ରା ବିହନ ଲୋଡ଼ା ହୁଏ । ସାଧାରଣ ଚାଷରେ ୨୫ ରୁ ୩୦ ଦିନରେ ତଳି ରୁଆଯାଏ । କିନ୍ତୁ ଶ୍ରୀ ପଦ୍ଧତିରେ ୮ରୁ ୧୨ ଦିନରେ ତଳି ରୁଆ ହୁଏ । ବର୍ଗ ମିଟର ପ୍ରତି ୩୩ରୁ ୫୦ ଗଛ ରୁଆ ଯାଉଥିବା ବେଳେ ଶ୍ରୀ ପଦ୍ଧତିରେ ୧୬ଟି ଗଛ ପୂର୍ବରୁ ପଶ୍ଚିମ ଦିଗରେ ଧାଡ଼ିରେ ରୁଆଯାଏ । ଆମ ରାଜ୍ୟରେ ୨୦୦୦ ମସିହାରୁ ଏହି ପଦ୍ଧତି ପ୍ରଚଳନ ହୋଇଛି ।