ସାରା ବିଶ୍ୱରେ ହେବ “ଷ୍ଟାର୍ଟ-ଅପ୍ ଇଣ୍ଡିଆ’ର ପ୍ରଚାର

ସାରା ବିଶ୍ୱରେ ହେବ “ଷ୍ଟାର୍ଟ-ଅପ୍ ଇଣ୍ଡିଆ’ର ପ୍ରଚାର

Wednesday March 16, 2016,

2 min Read

image


ଭାରତ ସରକାର ଷ୍ଟାର୍ଟ-ଅପ୍ ଗୁଡିକୁ ଆକୃଷ୍ଠ କରିବା ପାଇଁ ସମଗ୍ର ବିଶ୍ୱରେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି । ବିଶ୍ୱର ବିଭିନ୍ନ ବଡ଼ ବଡ଼ ସହରରେ ଏ ନେଇ ରୋଡ୍ ଶୋ' ଆୟୋଜନ କରାଯିବ । ନିବେଶକମାନଙ୍କୁ ଭାରତରେ ଷ୍ଟାର୍ଟ-ଅପ୍ ସୃଷ୍ଟି କରିବା ପାଇଁ ଅନୁରୋଧ କରାଯିବ । ସେମାନେ ଚାହୁଁଥିବା ସୁବିଧା ସହଯୋଗ ଯୋଗାଇ ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେବେ । ଏଭଳି ଭାବେ ସରକାର ଭାରତକୁ ବିଶ୍ୱର ଏକ ନମ୍ବର ଷ୍ଟାର୍ଟ-ଅପ୍ ହବ୍ ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଏହି ପ୍ରଚାର ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ସରକାର କ୍ରିଏଟିଭ୍ ଏଜେନ୍ସିଗୁଡ଼ିକଠାରୁ ଟେଣ୍ଡର ଆହ୍ୱାନ କରିଛନ୍ତି । କେବଳ ବିଶ୍ୱ ନୁହେଁ ସାରା ଭାରତରେ ମଧ୍ୟ ଷ୍ଟାର୍ଟ-ଅପ୍ ଇଣ୍ଡିଆର ଜୋରଦାର ପ୍ରଚାର କରାଯିବ । ଟିଭି, ଛାପା ଗଣମାଧ୍ୟମଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁ ଆଡେ ଏହାର ପ୍ରଚାର ହେବ ।

image


ଶିଳ୍ପ ନୀତି ଓ ବିକାଶ ବୋର୍ଡ (ଡିଆଇପିପି) ପକ୍ଷରୁ ଏହି ପ୍ରଚାର କରାଯିବ । ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଡିଆଇପିପି ଜଣାଇଛନ୍ତି ଯେ ଭାରତକୁ ଷ୍ଟାର୍ଟ-ଅପ୍ ପାଇଁ ପସନ୍ଦଯୋଗ୍ୟ ନିବେଶ ସ୍ଥାନ ଭାବେ ଉପସ୍ଥାପିତ କରିବା ନିମନ୍ତେ ସବୁ ପ୍ରକାର ପ୍ରୟାସ ହେଉଛି । ଏଥିପାଇଁ ଅନଲାଇନରେ ଏକ ଇଂଟରଆକ୍ଟିଭ୍ ପୋର୍ଟାଲ୍ ପ୍ରସ୍ତୁତ କରାଯିବ । ଡିଆଇପିପି ହେଉଛି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ବିଭାଗ। ଏହା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) ମାମଲାଗୁଡ଼ିକର ବିଚାର ବିମର୍ଶ କରିଥାଏ ।

ବିଦେଶରେ ହେବାକୁ ଥିବା ପ୍ରଚାରରେ ସରକାର ଭାରତକୁ ଏଭଳି ଭାବେ ଉପସ୍ଥାପିତ କରିବାକୁ ପ୍ରୟାସ କରିବେ ଯଦ୍ୱାରା ବିଶ୍ୱ ସ୍ତରରେ ଥିବା ନୂତନ ଚିନ୍ତାଧାରା ଓ ଉଦ୍ୟୋଗ ପରିକଳ୍ପନାଗୁଡ଼ିକ ଟାଣି ହୋଇ ଭାରତ ଚାଲି ଆସିବେ । ଭାରତରେ ରହି ସେମାନେ ନିଜର ସ୍ୱପ୍ନକୁ ସାକାର କରିବାକୁ ପ୍ରୟାସ କରିବେ । ସେମାନେ ଚାହୁଁଥିବା ଭିତ୍ତିଭୂମି ଓ ଟିକସ ସୁବିଧା ସରକାର ଯୋଗାଇ ଦେବେ । ଏହି ଭଳି ଭାବେ ଭାରତରେ ହଜାର ହଜାର ଷ୍ଟାର୍ଟ-ଅପ୍ ସୃଷ୍ଟି କରିବାର ଯୋଜନା ରଖାଯାଇଛି ।

ପ୍ରଚାର ବେଳେ ଭାରତରେ ଥିବା ସୁଯୋଗ ଓ ସୁଦୃଢ଼ା ବିଷୟରେ ନିବେଶକମାନଙ୍କୁ ବାର୍ତ୍ତା ପ୍ରଦାନ କରାଯିବ ।

ଚଳିତ ବର୍ଷ ଜାନୁଆରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାର୍ଟ-ଅପ୍ ଇଣ୍ଡିଆ ବିଷୟରେ ଘୋଷଣା କରିଥିଲେ । ଏଥିରେ ଉଦ୍ୟୋଗୀମାନଙ୍କୁ ଷ୍ଟାର୍ଟ-ଅପ୍ ପ୍ରତିଷ୍ଠା କରିବା ନିମନ୍ତେ ଟିକସ ଛାଡ଼, ତିନି ବର୍ଷ ପର୍ଯ୍ୟନ୍ତ ଇନସପେକ୍ଟର ରାଜରୁ ମୁକ୍ତି ଆଦି ସୁବିଧା ଯୋଗାଇ ଦେବାକୁ ଘୋଷଣା କରାଯାଇଛି । ଷ୍ଟାର୍ଟ-ଅପ୍ ଗୁଡିକ ପାଇଁ ୧୦ ହଜାର କୋଟି ଟଙ୍କାର ଏକ ପାଣ୍ଠି ଗଠନ କରାଯାଇଛି । ନିକଟରେ ଷ୍ଟାର୍ଟଅପ୍ ଗୁଡିକ ପାଇଁ ଏକ ସେଲ୍ଫ ସାର୍ଟିଫିକେସନ୍ ସ୍କିମ୍ ଘୋଷଣା କରାଯାଇଛି । ଏଥିରେ ୯ ପ୍ରକାର ପରିବେଶ ମଞ୍ଜୁରି ରହିଛି ।

ଚଳିତ ବର୍ଷ ବଜେଟ୍ ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଷ୍ଟାର୍ଟ-ଅପ୍ ଗୁଡିକ ନିମନ୍ତେ ଅନେକ ନୂତନ ବ୍ୟବସ୍ଥା ଘୋଷଣା କରିଛନ୍ତି । SC/ST ମାନଙ୍କୁ ଉଦ୍ୟୋଗୀ ଭାବେ ଉପସ୍ଥାପନ କରିବା ନିମନ୍ତେ ଯୋଜନା ଘୋଷଣା କରାଯାଇଛି । ତିନି ବର୍ଷରେ ସେମାନଙ୍କୁ ୫୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯିବ ।