Donate a Blanket: ଏକ ମାତ୍ର ଲକ୍ଷ୍ୟ-“କେହି ଶୀତରେ ଥରିବେ ନାହିଁ’’

Donate a Blanket: ଏକ ମାତ୍ର ଲକ୍ଷ୍ୟ-“କେହି ଶୀତରେ ଥରିବେ ନାହିଁ’’

Thursday November 26, 2015,

4 min Read

ସମାଜକୁ ବଦଳାଇବାକୁ ହେଲେ ଆମକୁ ହିଁ ଉଦ୍ୟମ କରିବାକୁ ପଡ଼ିବ । କେବଳ ଦୃଢ଼ ଇଛା ଶକ୍ତି ଦରକାର । ପାଖରେ ଅର୍ଥ ଥାଉ ବା ନ ଥାଉ ବିଶେଷ କିଛି ଅସୁବିଧା ହେବ ନାହିଁ । ସମାଜର ଚିତ୍ର ବଦଳାଇବା ଯେଉଁ ସ୍ୱପ୍ନ ଦେଖାଯାଇଛି ତାହାକୁ ନିଷ୍ଠାର ସହ ଅନୁସରଣ କଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରିବ । ଏହା କରିଦେଖାଇଛନ୍ତି “ଡୋନେଟ୍ ଏ ବ୍ଲାଙ୍କେଟ୍’’ ଅଭିଯାନ ସହ ଜଡ଼ିତ ଥିବା କିଛି ଯୁବକ ।

କେମିତି ଆରମ୍ଭ ହେଲା

କିଛି ଯୁବ ବନ୍ଧୁ ମିଳିତ ହୋଇ ସବୁ ଦିନ ଯେତିକି କଥାବାର୍ତ୍ତା ହୁଅନ୍ତି, ସେଭଳି କଥାବାର୍ତ୍ତା ଚାଲିଥିଲା । ସେମାନଙ୍କ ମଧ୍ୟରୁ ଜଣେ କେହି ଗରୀବ ଲୋକମାନେ କିଭଳି ରାସ୍ତା କଡ଼ରେ, ଷ୍ଟେସନ୍ ଓ ଫୁଟପାଥରେ ସାରା ରାତି ଚାଦର ଖଣ୍ଡିଏ ଘୋଡେଇ ହୋଇ ଶୋଉଛନ୍ତି, ସେହି ଉପରେ ଚର୍ଚ୍ଚା ଚାଲିଲା । ଆଲୋଚନା ଏତେ ଗମ୍ଭୀର ରୂପ ଧାରଣ କଲା ଯେ ସେହି ଯୁବକମାନେ ମିଳିତ ହୋଇ କିଛି ଗୋଟେ କରିବାକୁ ଆଗ୍ରହ ଦେଖାଇଲେ । ସେହିଦିନ ପଡ଼ିଥିଲା ଡୋନେଟ୍ ଏ ବ୍ଲାଙ୍କେଟର ମୂଳଦୁଆ । ବାସ ଆରମ୍ଭ ହୋଇଗଲା ସେମାନେ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ କିଭଳି ପୂରଣ କରିବେ । ପାଖରେ ସେମିତି ମୋଟା ଅଙ୍କର ଅର୍ଥ କାହା ପାଖରେ ନ ଥିଲା । କିନ୍ତୁ ସେମାନେ ଜାଣିଥିଲେ ଯେ ଦୁନିଆ ଏବେ ବି ଏଭଳି ଲୋକ ବଂଚିଛନ୍ତି ଯେଉଁମାନେ ଜନ ସେବା କରିବାକୁ ଚାହୁଁଛନ୍ତି, କିନ୍ତୁ କେଉଁ ଉପାୟରେ ସେବା କରିବେ ତାଙ୍କୁ ଜଣାନାହିଁ । ସେଭଳି ଲୋକଙ୍କୁ ଖୋଜିବାକୁ ଲାଗିଲା ଡୋନେଟ୍ ଏ ବ୍ଲାଙ୍କେଟ୍ ଟିମ୍ ।

image


କମ୍ବଳ ସଂଗ୍ରହ ଅଭିଯାନ

ଡୋନେଟ ଏ ବ୍ଲାଙ୍କେଟ୍ ସହ ଜଡ଼ିତ ଥିବା ସାହସୀ ଯୁବକମାନେ ଏକ ଅଭିନବ ଢ଼ଙ୍ଗରେ ସେମାନଙ୍କ ଯାତ୍ରା ଆରମ୍ଭ କରିଦେଲେ । ସେମାନେ କିଛି ପ୍ଲା-କାର୍ଡ ଧରି ସହରର ପ୍ରମୁଖ ଛକଗୁଡ଼ିକ ଉପରେ ଠିଆ ହେଲେ । ପ୍ଲାକାର୍ଡରେ ଲେଖାଥିଲା କମ୍ବଳଟିଏ ଦାନ କରନ୍ତୁ । ପ୍ରଥମେ କିଛି ଲୋକ ଏହାକୁ ଦେଖି ନିଶ୍ଚିତ ଉପହାସ କରିଥିବେ । ସେମାନଙ୍କୁ ପାଗଳ ବୋଲି ମଧ୍ୟ ଭାବିଥିବେ । କିନ୍ତୁ ଲୋକଙ୍କ ଆଡ଼ ଆଖି ସେମାନଙ୍କ ମନୋବଳକୁ ପ୍ରଭାବିତ କରିପାରି ନ ଥିଲା । ପ୍ରଥମ କିଛି ଦିନର ବିଫଳତା ସେମାନଙ୍କୁ ବିଚଳିତ କରିପାରି ନ ଥିଲା । ଜୟଦେବ ବିହାର ନିକଟସ୍ଥ ପାଲ୍ ହାଇଟସ୍ ସାମ୍ନାରେ ପ୍ଲାକାର୍ଡ ଧରି ଠିଆ ହୋଇଥିବା ସେହି ଯୁବକମାନଙ୍କ ଉପରେ ଜଣେ ଧନୀ ବ୍ୟକ୍ତିଙ୍କ ନଜର କେବେ ପଡ଼ିଥିଲା । ସେ କଥା ସେହି ଜାଣିଥିବେ । ହଠାତ ଦିନେ ସେହି ବ୍ୟକ୍ତି ଜଣ ୩୦-୫୦ଟି କମ୍ବଳ ଆଣି ସେହି ଯୁବକମାନଙ୍କୁ ଦାନ କଲେ । ଏହା ପାଇବା ପରେ ଡୋନେଟ୍ ଏକ ବ୍ଲାଙ୍କେଟ୍ ଟିମର ଖୁସିର ସୀମା ରହିଲାନି । ସେହି ଦିନଠାରୁ କମ୍ବଳ ସଂଗ୍ରହ ଅଭିଯାନ ବ୍ୟାପକ ହେଲା । ଅଫିସରେ କାମ ସରିବା ପରେ ହେଉ ଅଥବା ଯାହାର ଯାହା କାମ ଅଛି ତାହାକୁ ଶେଷ କରି ଯୁବକମାନେ ପ୍ଲାକାର୍ଡ ଧରି ଛକ ଉପରେ ଠିଆ ହେଉଛନ୍ତି । ଅନ୍ୟ ଏକ ଟିମ୍ ବିଭିନ୍ନ ଆବାସିକ ସ୍ଥଳ ଭ୍ରମଣ କରି ଘରେ ଘରେ ଲୋକମାନଙ୍କୁ କମ୍ବଳ ଦାନ କରିବାକୁ ଉତ୍ସାହିତ କରୁଛନ୍ତି । ସଂଗ୍ରହ ହେଉଥିବା ସମସ୍ତ କମ୍ବଳକୁ ଆଣି ଗୋଟିଏ ଘରେ ଗଚ୍ଛିତ ରଖାଯାଉଛି ।

image


କିଭଳି ବଣ୍ଟା ହେଉଛି କମ୍ବଳ

କୌଣସି ରାଜନୈତିକ ଉଦେଶ୍ୟ ନାହିଁ । କେବଳ ଗୋଟିଏ ଲକ୍ଷ୍ୟ ଶୀତରେ କେହି ଥରିବେ ନାହିଁ । ତେଣୁ ଡୋନେଟ୍ ଏ ବ୍ଲାଙ୍କେଟ୍ ଟିମ୍ ଏହା ନିଶ୍ଚିତ କରିଦେଇଛି ଯେ, କେବଳ ଯେଉଁମାନେ ଶୀତରେ ଥରୁଥିବେ ସେମାନେ ହେଉଛନ୍ତି ଏହି କମ୍ବଳଗୁଡ଼ିକୁ ପାଇବାକୁ ହକଦାର । କିଭଳି ଖୋଜିବେ ସେଭଳି ଲୋକଙ୍କୁ ସେମାନେ?

ଏହି ଭାବନରେ ବୁଡ଼ି ରହିଥିବା ବେଳେ ଗୋଟିଏ ଦିନ ସେମାନେ ବିଭିନ୍ନ ଟିମରେ ବିଭକ୍ତ ହୋଇ ସହରର ପ୍ରମୁଖ ସ୍ଥାନଗୁଡ଼ିକ ଭ୍ରମଣ କଲେ । କେଉଁଠାରେ ଲୋକମାନେ ଶୀତ ଦିନେ ଖୋଲା ଆକାଶ ତଳେ ଜୀବନଯାପନ କରୁଛନ୍ତି ତାହା ଜାଣିବାକୁ ଲାଗିଲେ । ଶେଷରେ ଏହା ନିଷ୍ପତି ହେଲା ଯେ, ରାତିରେ ସେମାନେ ବୁଲି ଯେଉଁମାନେ ଶୀତରେ ଥରୁଛନ୍ତି ସେମାନଙ୍କୁ ନେଇ କମ୍ବଳ ଦାନ କରିବେ ।

୨୦୧୫ର ଅଭିଯାନ ଆରମ୍ଭ

ସେମାନେ ଗରିବ, ଅସହାୟ ଓ ବାସହରା । ତେଣୁ ଶୀତ, କାକରରୁ ରକ୍ଷା ପାଇବା ଲାଗି କିଏ ମନ୍ଦିର ପିଣ୍ଡା, ଷ୍ଠେସନ୍, ବସଷ୍ଟାଣ୍ଡ ଅବା ଓଭରବ୍ରିଜ୍ ତଳେ ଆଶ୍ରୟ ନେଇଛି ତ ଆଉ କିଏ ଖୋଲା ଆକାଶ ତଳେ ପଡ଼ି ରହିଛି ରାସ୍ତା କଡ଼ରେ । ଏମିତି କିଛି ଅସହାୟ ବୁଢାବୁଢୀ, ପାଗଳ, ଭିନ୍ନକ୍ଷମ ମଣିଷଙ୍କ ପାଇଁ ସହାୟତାର ହାତ ବଢାଇବାକୁ ଆଗେଇ ଆସିଛନ୍ତି ରାଜଧାନୀର କିଛି ଦରଦୀ ଯୁବଗୋଷ୍ଠୀ । ଡ଼ୋନେଟ ଏ ବ୍ଲାଙ୍କେଟ୍ ଚ୍ୟାଲେଞ୍ଜ ନାମରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଅର୍ନ୍ତଗତ ଏହି ଯୁବଗୋଷ୍ଠୀମାନେ ଘର ଘର ବୁଲି ଲୋକଙ୍କ ଅବ୍ୟବହୃତ ଶୀତବସ୍ତ୍ର ସଂଗ୍ରହ କରନ୍ତି । ଯାହାକୁ ସେମାନେ ରାତି ୧୧ଟା ପରେ ରାଜଧାନୀର ବିଭିନ୍ନ ସ୍ତାନରେ ରାସ୍ତାକଡ଼ରେ ଆଶ୍ରୟ ନେଉଥିବା ଅସହାୟ ଲୋକଙ୍କୁ ବାଣ୍ଟିଥାନ୍ତି ।

image


ଏହି ଡ଼ୋନେଟ ଏ ବ୍ଲାଙ୍କେଟ ଚ୍ୟାଲେଞ୍ଜ ଅର୍ନ୍ତଗତ ଗତ ରବିବାର ଦିନ ଏହି ଯୁବଗୋଷ୍ଠୀ ପକ୍ଷରୁ ରାମ ମନ୍ଦିର ସାମ୍ନାରେ ସର୍ବସାଧାରଣଙ୍କ ଠାରୁ ଶୀତବସ୍ତ୍ର ସଂଗ୍ରହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଅନେକ ସଂଖ୍ୟାରେ ସହୃଦୟ ବ୍ୟକ୍ତିମାନେ ଯୋଗଦେଇ ସେମାନଙ୍କର ପୁରୁଣା ଏବଂ ନୂଆ ଶୀତବସ୍ତ୍ର ଦାନ କରିଥିଲେ ।

କିଭଳି କରିବେ ସଂପର୍କ

ଗତ ବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ଦ୍ୱିତୀୟ ବର୍ଷରେ ପହଞ୍ଚିଛି । ଗତ ବର୍ଷ ଏହି ଯୁବଗୋଷ୍ଠୀ ପକ୍ଷରୁ ଭୁବନେଶ୍ୱର ଏବଂ କଟକରେ ଶୀତ ବସ୍ତ୍ର ସଂଗ୍ରହ ଏବଂ ବିତରଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଯୁବଗୋଷ୍ଠୀ ପକ୍ଷରୁ ଫେସବୁକ ପୃଷ୍ଠା ମାଧ୍ୟମରେ ଏହି ଅଭିଯାନ ସହ ଲୋକଙ୍କୁ ଯୋଡ଼ାଜିବା ସହ ଅଭିଯାନ ସମ୍ପର୍କରେ ବିଭିନ୍ନ ସୂଚନା ମଧ୍ୟ ପ୍ରଦାନ କରାଯାଉଛି । ଏହା ସହ ଏହି ଯୁବଗୋଷ୍ଠୀ ପକ୍ଷରୁ ଜନ ସାଧାରଣଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ କରାଯାଉଛି । ଏହି ଅଭିଯାନ ସହ ଯୋଡ଼ିହେବା ପାଇଁ କିମ୍ବା ଶୀତ ବସ୍ତ୍ର ଦାନ ନିମନ୍ତେ ଆପଣ ୯୭୭୭୪୧୪୪୭୬, ୯୬୬୮୮୬୧୧୬୪କୁ କଲ କରିପାରିବେ ।