ସାଇକେଲରେ ସ୍ୱଚ୍ଛତା ଅଭିଯାନ: ପଲ୍ଲୀରୁ ଦିଲ୍ଲୀ

୫୪ ଦିନରେ ୪୬ ହଜାର କିଲୋମିଟର ଯାତ୍ରା, ୧୦ଟି ରାଜ୍ୟର ଲୋକଙ୍କୁ କଲେ ସେଚେତନ କଲେ ମନୋଜ

ସାଇକେଲରେ ସ୍ୱଚ୍ଛତା ଅଭିଯାନ: ପଲ୍ଲୀରୁ ଦିଲ୍ଲୀ

Monday April 04, 2016,

3 min Read

କିଛି କରିଦେଖାଇବାର ଝୁଙ୍କ୍........

ସ୍ୱଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାର ନିଶା....

ଦୃଢ ଇଛାଶକ୍ତି ଯୋଗୁଁ ସ୍ୱଚ୍ଛତା ବାର୍ତ୍ତା ନେଇ ଭାରତର ୧୦ଟି ରାଜ୍ୟ ଭ୍ରମଣ କରିବାରେ ସଫଳ ହୋଇଛନ୍ତି ମନୋଜ | ପୁରୀ ଜିଲ୍ଲା ନିମାପଡା ବ୍ଲକର ଏକ ଅଖ୍ୟାତ ଗାଁ ସାଦିରିଆରୁ ବାହାରି ଭାରତର ପ୍ରମୁଖ ରାଜ୍ୟଗୁଡିକ ସାଇକେଲ୍ ଯୋଗେ ପରିଭ୍ରମଣ କରିବା ଏତେ ସହଜ ନଥିଲା | ତଥାପି ସେ କରି ଦେଖାଇଛନ୍ତି | ଖାସ୍ ସେଥିପାଇଁ ୧୦ ଜଣ ମୁଖ୍ୟମନ୍ତ୍ରୀ ତାଙ୍କୁ ସାବାସି ଦେଇଛନ୍ତି |

image


ଜାନୁୟାରୀ ୨୦ ତାରିଖରୁ ସେ ତାଙ୍କର ଭାରତ ଭ୍ରମଣ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ | ଏହି ଯାତ୍ରା ପାଇଁ ମନୋଜ ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟରୁ ଏକ ଅନୁମତି ପତ୍ର ମାଗିଥିଲେ ମଧ୍ୟ ତାହା ମିଳିପାରିନଥିଲା | ବାରମ୍ବାର ଦୌଡି ଦୌଡି ନିରାଶ ହୋଇଥିଲେ | କିନ୍ତୁ ସାଇକେଲ୍ ଧରି ବାହାରି ପଡିଲେ | ବାଲେଶ୍ୱରରେ କିଛି ସ୍ୱେଚ୍ଛାସେବୀ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ | ସେମାନେ ସେଠାକାର ଜିଲ୍ଲାପାଳଙ୍କ ଠାରୁ ଏକ ଅନୁମତି ଓ ଶୁଭେଚ୍ଛା ପତ୍ର କରାଇଥିଲେ | ଏହି ପତ୍ରଟି ତାଙ୍କୁ ତାଙ୍କ ପରିଭ୍ରମଣରେ ବେଶ୍ ସହାୟକ ହୋଇଥିଲା |

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ


ଓଡିଶାର ବିଭିନ୍ନ ସ୍ଥାନରେ ସେ ଭ୍ରାମ୍ୟମାଣ ବୈଠକମାନ କରିଛନ୍ତି | ଏହାପରେ ସେ ଝାଡଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହିମାଞ୍ଚଳ ପ୍ରଦେଶ, ପଞ୍ଜାବ, ହରିୟାନା, ଜାମୁ ଓ ଦିଲ୍ଳୀ ଆଦି ରାଜ୍ୟ ପରିଭ୍ରମଣ କଲେ | ବାଟରେ ଗାଁ, ସହର ଓ ଶିକ୍ଷାନୁଷ୍ଠାନ ଯାଇ ସେଠାରେ ସ୍ୱଚ୍ଛତା ସମ୍ପର୍କରେ ସଚେତନତା କରାଇଥିଲେ | ବିଭିନ୍ନ ରାଜ୍ୟରେ ତାଙ୍କୁ ଏହି କାମ ପାଇଁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ମିଳିଥିଲା | ଏହି ଯାତ୍ରା ଅବସରରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଖିଲେଶ ସିଂ ଯାଦବ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାୱତ, ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ଯୋଗ ଗୁରୁ ରାମଦେବ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର ଓ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କୁ ଭେଟିଥିଲେ | ଏହି ପରିଭ୍ରମଣ ମାର୍ଚ୍ଚ ୧୪ ତାରିଖରେ ଦିଲ୍ଲୀରେ ଶେଷ ହୋଇଥିଲା | ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ଲାଗି ଅପେକ୍ଷା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ | ତେଣୁ ଓଡିଶା ଫେରିଆସିଥିଲେ |

image


ତାଙ୍କ ଅଭିଯାନ ଅନୁଭୂତି ସମ୍ପର୍କରେ ମନୋଜ କହନ୍ତି,

ଏହି ଯାତ୍ରା ସମୟରେ ସବୁ ରାଜ୍ୟରେ ମୋତେ ସହଯୋଗ ମିଳିଛି | ବିଶେଷକରି ସ୍କୁଲ ଓ କଲେଜରେ ପିଲା ଓ ଶିକ୍ଷକମାନଙ୍କ ଉତ୍ସାହ ମୋତେ ଅଧିକ ଉତ୍ସାହିତ କରିଛି | ଏହି ଅଭିଯାନରେ ମୋତେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି | କିନ୍ତୁ ଲୋକମାନଙ୍କର ସହଯୋଗ ଓ ସ୍ୱଚ୍ଛତା ପାଇଁ ସଂକଳ୍ପ ମୋତେ ଅଧିକ ସାହସ ଦେଇଛି |

ଏହି ଯାତ୍ରା ସମୟରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା ୫ ହଜାର ଟଙ୍କା, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ୨ ହଜାର ଟଙ୍କା ଆର୍ଥିକ ସହଯୋଗ ଦେଇଛନ୍ତି | ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂ ଯାଦବ ସବୁଠାରୁ ଅଧିକ ଖୁସୀ ହେବା ସହ ଏହି ଯାତ୍ରାର ସଫଳତା ପାଇଁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା କରିଥିଲେ |

ସାଦିରିଆ ଗାଁର ବୀରବର ବାରିକଙ୍କ ବଡପୁଅ ମନୋଜ | ପରିବାରର ଅର୍ଥନୈତିକ ସ୍ଥିତି ଅତ୍ୟନ୍ତ ଖରାପ | ବାପା, ବୋଉ, ଦୁଇ ସାନ ଭାଇ ଓ ଗୋଟିଏ ଭଉଣୀଙ୍କୁ ନେଇ ମନୋଜଙ୍କର ପରିବାର | ପରିବାରର ଆର୍ଥିକ ଅନଟନରୁ ବିଏ ପଢା ଅଧାରୁ ଛାଡିଥିଲେ | ତାପରେ ଗୋଟିଏ ମେଡିସିନ୍ ଷ୍ଟୋରରେ ସେଲ୍ସ ମ୍ୟାନ୍ ଭାବେ କାମ କରି ମନୋଜ ଘର ପ୍ରତିପୋଷଣ କରନ୍ତି | ତେବେ ଏପରି ଏକ ଅଭିଯାନ ପ୍ରତି କାହିଁକି ମନ ବଳାଇଲେ ବୋଲି ପଚାରିବାରୁ ସେ କହନ୍ତି,

୨୦୧୦ ମସିହାରେ ପୁରୀ ବୁଲିବାକୁ ଯାଇଥିଲି | ସେଠାରେ ବିଦେଶୀମାନେ ସମୁଦ୍ରକୂଳ ସଫା କରିବାକୁ ଦେଖିବାକୁ ପାଇଲି | ସେହି ଦିନ ଠାରୁ ସ୍ୱଚ୍ଛତା ଅଭିଯାନରେ ସାମଲି ହୋଇ ଲୋକଙ୍କୁ ସଚେତନ କରିବାକୁ ପ୍ରେରଣା ପାଇଥିଲି |

ମନୋଜଙ୍କ ଏହି ସଫଳତାରେ ଗାଁ ଓ ତାଙ୍କ ଅଂଚଳରେ ଖୁସୀର ଲହରୀ ଖେଳିଯାଇଛି | ବାପା, ବୋଉ, ଭାଇଭଉଣୀ, ବନ୍ଧୁବାନ୍ଧବ, ସାଙ୍ଗସାଥୀ ସମସ୍ତେ ବେଶ୍ ଖୁସୀ ଅଛନ୍ତି | ତାଙ୍କର ଏହି ସଫଳତା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ଆଗକୁ ସମାଜସେବାରେ ନିୟୋଜିତ କରିବା ସହ ସ୍ୱଚ୍ଛତା ଅଭିଯାନ ଜାରି ରଖିବେ ଓ ସାଇକେଲରେ ଦକ୍ଷିଣଭାରତ ଗସ୍ତ କରିବେ ବୋଲି କହିଛନ୍ତି |