ସାଇକ୍ଲୋଡ୍ରମ୍ ରୁ ମିଳିବ ମାଗଣା ସାଇକେଲିଂ ସୁବିଧା

ସାଇକ୍ଲୋଡ୍ରମ୍ ରୁ  ମିଳିବ ମାଗଣା ସାଇକେଲିଂ ସୁବିଧା

Thursday March 10, 2016,

3 min Read

ସାଇକେଲ ଚାଳନା ପାଇଁ ମାଗଣାରେ ମିଳିବ ସାଇକେଲ । ଲୋକଙ୍କୁ ସାଇକେଲିଂ ସହ ଅଭ୍ୟସ୍ତ କରି ଫିଟ୍ ରଖିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଏପରି ପଦକ୍ଷେପ ଆରମ୍ଭ ହେବାକୁ ଯାଉଛି । ସରକାରୀସ୍ତରରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏପରି ସୁବିଧା ଆରମ୍ଭ କରାଯିବ ।

image


ମାଗଣାରେ ସାଇକେଲ ପାଇବା ପାଇଁ ସହରରେ ଏକ ସାଇକ୍ଲୋଡ୍ରମ୍ ଖୋଲିବ । ଏଠାରେ ପାଖାପାଖି ୧୦୦ରୁ ଅଧିକ ଡିଜାଇନ୍ ର ସାଇକେଲ ଉପଲବ୍ଧ ହେବ । ଛୋଟପିଲାଙ୍କଠାରୁ ନେଇ ବଡଙ୍କ ବ୍ୟବହାର ପାଇଁ ଭିନ୍ନ ଭିନ୍ନ ଷ୍ଟାଇଲ୍ ଓ ଡିଜାଇନ୍ ର ସାଇକେଲ ଏଠାରେ ମିଳିବ । ଏଥିପାଇଁ ଜୟ ଓଡିଶା ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ସହ ବିଡିଏ ଓ ବିଏମସି ବୁଝାମଣା କରିଛନ୍ତି ।

image


ରାମମନ୍ଦିର ରାସ୍ତାର ଅପରପାଶ୍ୱର୍ରେ ଏହି ସାଇକ୍ଲୋଡ୍ରୋମ୍ ଖୋଲିବ । ଏଠାରେ ବିଏମସିର ପ୍ରାୟ ୧୦୦ଟି ସାଇକେଲ ମହଜୁଦ୍ ରହିବ । ସଂପୃକ୍ତ ଘରୋଇ ସଂସ୍ଥା ମଧ୍ୟ ନିଜେ କିଛି ସାଇକେଲ ରଖିବ । ରାହାଗିରି ପାଇଁ ରାଷ୍ଟ୍ରାୟତ୍ତ ସଂସ୍ଥା ନାଲକୋ ବିଏମସିକୁ ଦେଇଥିବା ପାଖାପାଖି ଶହେ ସାଇକେଲ ଏହି ସାଇକ୍ଲୋଡ୍ରୋମରେ ରହିବ । ଲୋକେ ଚାହିଁଲେ ଆବଶ୍ୟକ ପରିଚୟ ପତ୍ର ଓ ସିକୁ୍ୟରିଟି ଟଙ୍କା ଦେଇ ଏହି ସାଇକେଲ ଚଲାଇବାକୁ ନେଇ ପାରିବେ । ଏଥିପାଇଁ ଲୋକଙ୍କୁ କୌଣସି ଦେୟ ଦେବାକୁ ପଡିବନି ।

ତେବେ ଏଥିପାଇଁ ସାମାନ୍ୟ କିଛି ସର୍ତ୍ତ ରଖା ଯାଇଛି । ସର୍ତ୍ତଗୁଡିକ ହେଉଛି, ସାଇକେଲ ଚଲାଇବାକୁ ଚାହୁଁଥିବା ଲୋକେ ନିଜର ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ । ସାଇକେଲ ବାବଦରେ କିଛି ନିର୍ଦ୍ଦିଷ୍ଟ ଟଙ୍କାର ସିକୁ୍ୟରିଟି ରାଶି ମଧ୍ୟ ଦେବାକୁ ହେବ । ତେବେ ଏହି ଅର୍ଥରାଶିକୁ ପରେ ଫେରସ୍ତ କରି ଦିଆଯିବ । ତେବେ ସିକୁ୍ୟରିଟି ରାଶି ପକେଟକୁ ସୁହାଇଲା ଭଳି ରଖାଯିବ ବୋଲି ନିଷ୍ପତ୍ତି ହୋଇଛି । ଆଉ ଏକ ସର୍ତ୍ତ ହେଉଛି, ପ୍ରଥମ ୬ ଘଣ୍ଟା ଯାଏ ସାଇକେଲ ମାଗଣାରେ ଚଲାଇ ହେବ । ହେଲେ ସାଇକେଲିଂ ସମୟ ୬ ଘଣ୍ଟା ଟପି ଯିବା ପରେ ସାଇକେଲ ବାବଦକୁ ନିର୍ଦ୍ଧାରିତ ଭଡା ଦେବାକୁ ପଡିବ । ସାଇକେଲିଂ ସାରି ସାଇକ୍ଲୋଡ୍ରମରେ ସାଇକେଲ ଫେରାଇବା ପରେ ସିକୁ୍ୟରିଟି ରାଶି ଓ ପରିଚୟ ପତ୍ର ଫେରସ୍ତ ଦିଆଯିବ ।

image


ରାଜଧାନୀରେ ସରକାରୀସ୍ତରରେ ଏପରି ସେବା ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି । ତେବେ ବିଦେଶରେ ଆଗରୁ ଏଭଳି ସାଇକେଲ ବ୍ୟବସ୍ଥା ରହିଛି । ବିଏମ୍ସି ପକ୍ଷରୁ କୁହାଯାଇଛି, ସାଇକେଲିଂ କରିବାକୁ ଲୋକଙ୍କର ଆଗ୍ରହ ବଢାଇବାକୁ ଏପରି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହାଦ୍ୱାରା ବାହାରୁ କିଛି କାମରେ ସହରକୁ ଆସୁଥିବା ଲୋକେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଭଡାରେ ଟଙ୍କା ଖର୍ଚ୍ଚ ନ କରି ସାଇକେଲ ବ୍ୟବହାର କରିବେ । ଏହାଛଡା ଲୋକଙ୍କୁ ଫିଟ୍ ରଖିବା ଓ ଜୀବନଶୈଳୀ ସନ୍ତୁଳିତ କରିବାକୁ ସାଇକେଲ ଚଲାଇବାକୁ ସୁବିଧା ଯୋଗାଇ ଦିଆଯିବ । ଛୋଟ ପିଲା ଓ ଯୁବବର୍ଗଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସାଇକେଲ ରହିବ । ଫଳରେ ସେମାନେ ଏହାକୁ ବ୍ୟବହାର କରିବାକୁ ଆଗ୍ରହୀ ହେବେ । ଏହା ଯୋଗୁ ଯାନବାହାନ ଚଳାଚଳ କିଛି କମ୍ ହେବ ଓ ପରିବେଶ ପ୍ରଦୂଷଣ ରହିତ ସାଙ୍ଗକୁ ଲୋକଙ୍କ ଫିଟନେସ୍ ବଢିବ । ଏହି ଲକ୍ଷ୍ୟରେ ଏହି ସାଇକ୍ଲୋଡ୍ରମରେ ମାଗଣା ସାଇକେଲ ଦେବା ସୁବିଧା ଖୁବ୍ ଶୀଘ୍ର ଆରମ୍ଭ ହେବ।

image


ପୂର୍ବରୁ ମଧ୍ୟ ଜୟ ଓଡିଶା ସଂସ୍ଥା କିଛି ପେଟ୍ରାଲ ପମ୍ପରେ ସାଇକେଲ ସେୟାରିଂ ସେବା ଆରମ୍ଭ କରିଥିଲା । ଏବେ ସରକାରୀସ୍ତରରେ ସାଇକେଲିଂକୁ ଆହୁରି ବ୍ୟାପକ କରିବାକୁ ଯୋଜନା ହୋଇଛି । ଏହି ସେବା ପ୍ରତି ଲୋକଙ୍କର ଆଗ୍ରହ ବଢିଲେ ଓ ଅନ୍ୟ ଘରୋଇ ସଂସ୍ଥା ଚାହିଁଲେ ସହରର ଅଧିକ ସ୍ଥାନରେ ଏହି ସାଇକ୍ଲୋଡ୍ରମ୍ ଖୋଲିବ ବୋଲି ବିଏମ୍ ସି ପକ୍ଷରୁ କୁହାଯାଇଛି ।

ଏହିପରି ଅଧିକରୁ ଅଧିକ କାହାଣୀ ପଢିବା ପାଇଁ ଆମର Facebook ପେଜ like କରନ୍ତୁ। 

ପଢନ୍ତୁ ଆଉ କିଛି ସମ୍ବନ୍ଧିତ କାହାଣୀ - 

ଭୁବନେଶ୍ୱରକୁ ସ୍ମାର୍ଟ କରିବ ଜର୍ମାନୀ

ଲୋକକଳାକୁ ପ୍ରୋତ୍ସାହନ ଯୋଜନା, କଳାକାରଙ୍କୁ ମିଳିବ ସୁବିଧା

୬୨ ବର୍ଷ ବୟସରେ ବିଳାସୀଙ୍କ ହାତର କମାଲ୍, ବର୍ଯ୍ୟବସ୍ତୁକୁ ଦେଉଛନ୍ତି ସୁନ୍ଦର ରୂପ