କ୍ୟାମେରା ଓ କଳାର ନୂଆ ଯାଦୁଗର: ପିୟୁଷ ପୁଟ୍ଟି

କ୍ୟାମେରା ଓ କଳାର ନୂଆ ଯାଦୁଗର: ପିୟୁଷ ପୁଟ୍ଟି

Tuesday April 19, 2016,

2 min Read

image


‘ଆପଣ ବାସ୍ତବରେ କଣ, ତାହା ଆପଣଙ୍କ କାମରୁ ହିଁ ଜଣାପଡ଼େ । ଆପଣଙ୍କ କାମ ଜଣାଇ ଦିଏ ଆପଣଙ୍କ ପରିଚୟ’ । ଏହି କଥା ଉପରେ ଦୃଢ ଭାେବେ ବିଶ୍ୱାସ ରଖନ୍ତି ଯୁବ ସିନେମାଟୋଗ୍ରାଫର୍ ପିୟୁଷ । ପିୟୁଷ ପୁଟ୍ଟି - ଯିଏ ଏବେ ନିଜ ସିନେମାଟୋଗ୍ରାଫିକୁ ନେଇ ବେଶ ଚର୍ଚ୍ଚାରେ ।

image


ଅନେକ ପୁରସ୍କାର ଜିତିଥିବା ଡକ୍ୟୁମେଂଟାରୀ ‘ଅମଦାବାଦ ମା ଫେମସ୍’ ରେ ପିୟୁଷ ଥିଲେ ସିନେମାଟୋଗ୍ରାଫର୍ । ୩୦ ମିନିଟର ଏହି ଡକ୍ୟୁମେଂଟାରୀର ନିର୍ଦ୍ଦେଶନା ଦେଇଥିଲେ ହାର୍ଦ୍ଦିକ ପଟେଲ୍ । ସୂର୍ଯ୍ୟଙ୍କର ଦୁଇଟି ଉତ୍ତରାୟଣ ମଧ୍ୟରେ ସୁଟିଂ ହୋଇଥିବା ଡକ୍ୟୁମେଂଟାରୀଟି ଅହମ୍ମଦାବାଦ ଲୋକଙ୍କ ଗୁଡ଼ି ଉଡ଼ା ଉପରେ ପର୍ଯ୍ୟବେସିତ । ଯାହା ମକର ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଥାଏ ।

image


ଓଡ଼ିଆ ପୁଅ ପିୟୁଷ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରୁ ଦଶମ ଶ୍ରେଣୀ ପାସ୍ କରିବା ପରେ ବିଜେବି କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । 

ସବୁବେଳେ କଳା ଓ ନୂଆ କିଛି କରି ଦେଖାଇବାକୁ ମୋ ମନ ଚାହୁଁଥିଲା- ବୋଲି ପିୟୁଷ କହନ୍ତି । 
image


ତା’ପରେ ସେ ଯାଇଥିଲେ କଟକର ବିଜୁ ପଟ୍ଟନାୟକ ଫିଲ୍ମ ଇନଷ୍ଟିଚ୍ୟୁଟରେ ପଢିବା ପାଇଁ । ହେଲେ ନାମ ଲେଖିବା ପାଇଁ ସୁଯୋଗ ମିଳି ନଥିଲା । ଯାହାକୁ ଦିନେ ନାମ ଲେଖିବା ପାଇଁ ସୁଯୋଗ ମିଳି ନଥିଲା ସେ ଏବେ ଅନେକ ସମ୍ମାନର ଅଧିକାରୀ । ପିୟୁଷଙ୍କ ବାପା ଗଦାଧର ପୁଟ୍ଟି ଓଡ଼ିଶା କଳା ଓ ସିନେମା ଜଗତରେ ବେଶ ପରିଚିତ ।

image


ପିୟୁଷଙ୍କ ସହିତ ହର୍ଷବୀର ସିଂହ ଅହମ୍ମଦାବାଦ ଉପରେ ପର୍ଯ୍ୟବେସିତ ଡକ୍ୟୁମେଂଟାରୀରେ ସିନେମାଟୋଗ୍ରାଫର୍ ଭାବେ କାର୍ଯ୍ୟ କରିଛନ୍ତି । ୬୩ତମ ଜାତୀୟ ଚଳଚିତ୍ର ସମ୍ମାନ ଉତ୍ସବରେ ଏହା ଶ୍ରେଷ୍ଠ ନନ୍ ଫିଚର୍ ଫିଲ୍ମ ଭାବେ ପୁରସ୍କୃତ ହୋଇଥିଲା । ଏହାଛଡ଼ା ୨୦୧୫ରେ ବୁଦାପେଷ୍ଟ ଆର୍ନ୍ତଜାତିକ ଡକ୍ୟୁମେଂଟାରୀ ଫିଲ୍ମ ଫେଷ୍ଟିଭାଲ ଏବଂ ଦୋହାଠାରେ ଆୟୋଜିତ ଅଲ୍-ଜଜିରା ଆନ୍ତର୍ଜାତିକ ଡକ୍ୟୁମେଂଟାରୀ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଏହା ପୁରସ୍କୃତ ହୋଇଥିଲା ।

ପିୟୁଷଙ୍କ ଭାଷାରେ :

ଭଲ ସିନେମା କରିବାକୁ ହେଲେ ଆଗ ଆପଣଙ୍କୁ ସେମିତି ଭାଷା ବନେଇବାକୁ ପଡ଼ିବ । ସିନେମାର ଭାଷା ହିଁ ଏମିତି ହେବା ଦରକାର, ଯାହା ଲୋକଙ୍କୁ ସିଧାସଳଖ ଛୁଉଁଥିବ । ଲୋକଙ୍କ ଛାତି ଭିତରେ ଏହା ସ୍ଥାନ ପାଇବା ପାଇଁ ଯେମିତି ହକଦାର ହେଉଥିବ । ଆଉ ଲମ୍ବା ଛାପ ଦର୍ଶକଙ୍କ ମନରେ ଛାଡ଼ି ଯାଉଥିବ ।

ବଲିଉଡ଼ର କେତୋଟି ସିନେମାରେ ସେ ସହ ନିର୍ଦ୍ଦେଶକକ ଭାବେ ବି କାମ କରିଛନ୍ତି । ଯେମିତି- ଡନ୍-୨, ୱେକ୍ ଅପ୍ ସିଡ଼୍, ଲୁଟେରା ଇନ୍ ଦି ମେକିଙ୍ଗ୍ (ଡକ୍ୟୁମେଂଟାରୀ) । ଏହାଛଡ଼ା ୫୦ରୁ ଅଧିକ ବିଜ୍ଞାପନରେ ମଧ୍ୟ ସେ କାମ କରିଛନ୍ତି ।

ପିୟୁଷଙ୍କ କ୍ୟାରିଅରର ଆଉ ଏକ ଆକର୍ଷଣୀୟ ଦିଗ ହେଲା- ଲେଜେଣ୍ଡାରୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ କ୍ୟାରିଅରର ଶେଷ ୨୦ ଦିନ ଉପରେ ଆଧାରିତ ‘ଦି ସଚିନ ପ୍ରୋଜେକ୍ଟ’ର ସେ ସିନେମାଟୋଗ୍ରାଫର୍ ଅଛନ୍ତି । ପିୟୁଷ ସେ ଦିନକୁ ମନେ ପକାଇ କହନ୍ତି- 

ସଚିନଙ୍କ ଶେଷ ୨୦ ଦିନ ଯେତିକି ଚର୍ଚ୍ଚାରେ ଥିଲା, ସେତିକି ଆବେଗପୂର୍ଣ୍ଣ ମଧ୍ୟ ଥିଲା । ଆମେ ତାଙ୍କ ଘର, ହୋଟେଲ୍ ରୁମ୍, ଡ୍ରେସିଂ ରୁମରେ ସେ ଦିନଗୁଡ଼ିକ ସୁଟିଂ କରିଥିଲୁ ।

ଏବେ ନିଜ ଆବେଗ ସହିତ ଜଡ଼ିତ ନିଜ ରାଜ୍ୟର ଡକ୍ୟୁମେଂଟାରୀ ସହ ସିଏ ଜଡ଼ିତ । ଯାହା ନାଁ ହେଉଛି- ଦି ଟ୍ରାଇବାଲ୍ ସ୍କୁପ୍ । ହକିର ଭାତହାଣ୍ଡି କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାରେ ହକି ଉପରେ ଏହା ଆଧାରିତ । ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମଧ୍ୟରେ ଏଥିରେ ତାଙ୍କୁ ସହାୟତା କରୁଛନ୍ତି । ନିର୍ଦ୍ଦେଶନା ଦେଉଛନ୍ତି ବଲିଉଡର ପ୍ରସିଦ୍ଧ ପୋଷ୍ଟ ପ୍ରଡକ୍ସନ୍ସ ନିର୍ଦ୍ଦେଶକ ବିଶ୍ୱ ରଂଜନ ପ୍ରଧାନ ।