ଆଦିବାସୀ ଗରିବଙ୍କୁ ମାଗଣାରେ ପାଠ ପଢ଼ାଉଥିବା କିସ୍ ହେଲା ଗିନିଜ୍‍ ରେକର୍ଡର ଅଧିକାରୀ

ଆଦିବାସୀ ଗରିବଙ୍କୁ ମାଗଣାରେ ପାଠ ପଢ଼ାଉଥିବା କିସ୍ ହେଲା ଗିନିଜ୍‍ ରେକର୍ଡର ଅଧିକାରୀ

Thursday December 10, 2015,

2 min Read

କଳିଙ୍ଗ ଇନ୍‍ଷ୍ଟିଚୁ୍ୟଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (କିସ୍‍-ଭୁବନେଶ୍ୱର) ଦୁଇଟି ବିଶ୍ୱ ରେକର୍ଡ କରି ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡସ୍‍ରେ ସ୍ଥାନ ପାଇଛି । ବିଶ୍ୱ ମାନବାଧିକାର ଦିବସ ଅବ୍ୟବହିତ ପୂର୍ବରୁ ବୁଧବାର କିସ୍‍ ପରିସରରେ କିସ୍‍ର ୧୫୨୨୫ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶ୍ୱର ସର୍ବବୃହତ ମାନବ ବାକ୍ୟ (ଲାର୍ଜେଷ୍ଟ ହ୍ୟୁମାନ ସେନ୍ଟେନ୍ସ) ଗଠନ କରାଯାଇଥିଲା । ସେହିପରି କିସ୍‍ର ୨୫୧୫୧ ଛାତ୍ରଛାତ୍ରୀ ହାଇ-ଫାଇଭ୍‍ ମାନବ ଶୃଙ୍ଖଳ (ମୋଷ୍ଟ ସାଇମଲ୍‍ଟାନିଅସ୍‍ ହାଇ-ଫାଇଭ୍‍ ଇନ୍‍ ଏ ହୁ୍ୟମାନ୍‍ ଚେନ୍‍) ଗଠନ କରି ଅନ୍ୟ ଏକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି । 

image


ଏଥିପାଇଁ ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡସ୍‍ ସଂସ୍ଥାର କର୍ମକର୍ତ୍ତା ଫର୍ଚୁନା ଲିସା ବର୍କ ବିଚାରକ ଭାବେ ଆସିଥିଲେ । ତାଙ୍କ ପ୍ରସ୍ତାବ କ୍ରମେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତାଙ୍କ ସହ ଏକ ଅଡିଟର ଦଳ ତଥା ପ୍ରତ୍ୟକ୍ଷଦର୍ଶୀ ଗୋଷ୍ଠୀ ଉପସ୍ଥିତ ଥିଲେ । ଏମାନଙ୍କ ସମ୍ମୁଖରେ ଦୀର୍ଘ ୬ଘଣ୍ଟା ଧରି କାର୍ଯ୍ୟକ୍ରମ ଚାଲିଥିଲା । ଶେଷରେ ଟିକ୍‍ନିଖ ତଦାରଖ କରି ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡସ୍‍ ସଂସ୍ଥା ପକ୍ଷରୁ କିସ୍‍କୁ ଗିନିଜ୍‍ ବୁକ୍‍ ଅଫ୍‍ ୱାଲ୍‍ର୍ଡ ରେକର୍ଡସ୍‍ର ଦୁଇଟି ସାର୍ଟିଫିକେଟ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ଦୁବାଇରେ ୬୯୫୮ ଲୋକଙ୍କୁ ନେଇ ଚଳିତବର୍ଷ ନଭେମ୍ବର ୨୫ତାରିଖରେ ଲାର୍ଜେଷ୍ଟ ହ୍ୟୁମାନ ସେନ୍‍ଟେନ୍‍ସ ଗଠନ କରାଯାଇଥିଲା । 

କିସ୍‍ ଦୁବାଇ ରେକର୍ଡକୁ ଭାଙ୍ଗି ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛି । ସେହିପରି ପୂର୍ବରୁ କାନାଡାରେ ଚଳିତବର୍ଷ ମେ ମାସ ୨୯ତାରିଖରେ ମୋଷ୍ଟ ସାଇମଲ୍‍ଟାନିଅସ୍‍ ହାଇ-ଫାଇଭ୍‍ ଇନ୍‍ ଏ ହୁ୍ୟମାନ୍‍ ଚେନ୍‍ ଗଠନ କରାଯାଇଥିଲା । ଏଥିରେ ୭୨୩୮ ଲୋକ ଅଂଶ ଗ୍ରହଣ କରିଥିଲେ । ଏହି ରେକର୍ଡକୁ ମଧ୍ୟ କିସ୍‍ ଅତିକ୍ରମ କରି ଆଉ ଏକ ବିରଳ ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଏଥିରେ କିସ୍‍ର ୨୫୧୫୧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଶ୍ୱ ମାନବାଧିକାର ଦିବସ ଅବସରରେ କିସ୍‍ର ୧୫୨୨୫ ଛାତ୍ରଛାତ୍ରୀ ବିଶ୍ୱକୁ ଆତଙ୍କବାଦ ବିରୋଧରେ ଶାନ୍ତି ପ୍ରତିଷ୍ଠାର ବାର୍ତ୍ତା ଦେଇ ‘ଉଇ ଅର୍ଜ ଫର ୱାର୍ଲ୍ଡ ପିସ୍‍’ ଦୀର୍ଘତମ ମାନବ ବାକ୍ୟ ଗଠନ କରିଥିଲେ। ନିଜ ପ୍ରତିକ୍ରିୟା ଦେଇ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ କହିଲେ, ବିଶ୍ୱରେ ଶାନ୍ତି ପାଇଁ କିସ୍‍ ଛାତ୍ରଛାତ୍ରୀମାନେ ଆଜି ସମଗ୍ର ବିଶ୍ୱକୁ ଶାନ୍ତି ବାର୍ତ୍ତା ଦେଇଛନ୍ତି । ଏଭଳି ରେକର୍ଡ ଦ୍ୱାରା କିସ୍‍ ଗର୍ବିତ ହେବା ସହ ଓଡ଼ିଶା ତଥା ଭାରତର ସମ୍ମାନ ମଧ୍ୟ ବୃଦ୍ଧି ପାଇଛି ।