ଶରଦଙ୍କ ‘ପରାକ୍ରମ’ : ଭ୍ରଷ୍ଟାଚାରୀଙ୍କୁ ଜେଲ୍, ଗାଁ ପାଇଁ ଗଛ, ପିଲାଙ୍କୁ ପ୍ରୋତ୍ସାହନ, ରୋଗୀକୁ ରକ୍ତଦାନ

ଶରଦଙ୍କ ‘ପରାକ୍ରମ’ : ଭ୍ରଷ୍ଟାଚାରୀଙ୍କୁ ଜେଲ୍, ଗାଁ ପାଇଁ ଗଛ, ପିଲାଙ୍କୁ ପ୍ରୋତ୍ସାହନ, ରୋଗୀକୁ ରକ୍ତଦାନ

Thursday December 24, 2015,

4 min Read

  • ୨୦୦୧ରେ ଶରଦଙ୍କ ଭଉଣୀ ଆତଙ୍କବାଦୀଙ୍କ ସହ ଲଢି ଶହୀଦ
  • ଭଉଣୀଙ୍କ ମୃତ୍ୟୁ ପରେ ଦେଶସେବା ପାଇଁ ସଂକଳ୍ପ
  • ଚଳାଇଲେ ଭ୍ରଷ୍ଟାଚାର ବିରୋଧୀ ଅଭିଯାନ
  • ଗାଁ ଗାଁରେ ଲଗାଇଛନ୍ତି ଲକ୍ଷାଧିକ ଗଛ
  • ୭୦ ଥର ରକ୍ତ ଦେଇଛନ୍ତି ଓ ୪୦୦ ରକ୍ତଦାନ ଶିବିର କରିଛନ୍ତି

ଦେଶ ପ୍ରେମ ଓ ସମାଜ କଲ୍ୟାଣର ଚିନ୍ତା ଅନେକ ଲୋକଙ୍କ ମନରେ ଥାଏ । ସେମାନେ ସବୁକିଛି ଛାଡି ଦେଶସେବାକୁ ହିଁ ନିଜ ଜୀବନର ଲକ୍ଷ୍ୟ ଭାବେ ବାଛନ୍ତି ଓ ସବୁ କାମକୁ ନିସ୍ୱାର୍ଥପର ଭାବରେ ନିର୍ବାହ କରନ୍ତି । ମଧ୍ୟପ୍ରଦେଶର ଶରଦ କୁମରେ ଏମିତି ଜଣେ ବ୍ୟକ୍ତିତ୍ୱ, ଯିଏ ସରକାରୀ ଚାକିରି ଛାଡି ଦେଶର ପ୍ରଗତି ପାଇଁ ନିଜକୁ ସମର୍ପି ଦେଇଛନ୍ତି ।

image


୨୦୦୧ରେ ଶରଦ କୁମରେଙ୍କ ଭଉଣୀ ବିନ୍ଦୁ କୁମରେ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢି ଶହୀଦ ହୋଇଥିଲେ । ଦେଶ ପାଇଁ ଜୀବନ ଦେଇଥିବା ବିନ୍ଦୁ ଅସୀମ ସାହସର ପରିଚୟ ଦେଇ ଚାରି ଜଣ ଆତଙ୍କବାଦୀଙ୍କୁ ମାରିଥିଲେ । ଏହି ଘଟଣା ପରେ ଶରଦଙ୍କ ଜୀବନର ମୋଡ ବଦଳି ଯାଇଥିଲା । ସେଇ ଦିନ ଠାରୁ ସେ ଶପଥ ନେଇଥିଲେ ଯେ ରାଷ୍ଟ୍ରର ବିକାଶ ପାଇଁ ଯଥା ସମ୍ଭବ ପ୍ରୟାସ କରିବେ । ଉଚ୍ଚ ଶିକ୍ଷିତ ଶରଦ ଭଲ ସରକାରୀ ଚାକରି କରିଥିଲେ । କିନ୍ତୁ ସେ ଭାବିଲେ ଚାକିରିରେ ଥାଇ ଦେଶ ଓ ସମାଜ ପାଇଁ ଅଧିକ ସମୟ ଦେବା କଷ୍ଟକର ହୋଇପଡିବ । ତେଣୁ ସେ ଚାକିରି ଛାଡି ‘ପରାକ୍ରମ ଜନସେବୀ ସଂସ୍ଥାନ’ ଗଠନ କଲେ ।

image


ଏହି ସଂସ୍ଥା ମାଧ୍ୟମରେ ସେ ଦୁର୍ନୀତି ବିରୋଧରେ ଅଭିଯାନ ଚଲାଇଲେ । ସୂଚନା ଅଧିକାର ଆଇନ ବଳରେ ସେ ବିଭିନ୍ନ ଭ୍ରଷ୍ଟାଚାର ବିରୋଧରେ ତଥ୍ୟ ସଂଗ୍ରହ କଲେ । ଏହା ଫଳରେ କିଛି ଭ୍ରଷ୍ଟ ସରକାରୀ କର୍ମଚାରୀ ଜେଲ୍ ଭୋଗିଲେ । ଏହା ଏତେ ସହଜ ନଥିଲା । ଏଥିପାଇଁ ତାଙ୍କୁ ବହୁତ ହଇରାଣ ହେବାକୁ ପଡିଛି । ଯେଉଁମାନଙ୍କ ବିରୋଧରେ ସେ ଲଢୁଥିଲେ, ସେମାନଙ୍କର ବିଭିନ୍ନ ନେତାଙ୍କ ସହ ଭିତିରି ସମ୍ପର୍କ ଥିଲା । କିନ୍ତୁ ଶରଦ କାହାକୁ ନ ଡରି ନିଜ କାମରେ ଆଗେଇ ଚାଲିଥିଲେ ।

ଭ୍ରଷ୍ଟାଚାର ବିରୋଧୀ ଅଭିଯାନ ବ୍ୟତୀତ ସେ ପରିବେଶ ପାଇଁ ମଧ୍ୟ ଅନେକ କିଛି କାମ କରିଛନ୍ତି । ମଧ୍ୟପ୍ରଦେଶର ସିବନୀ ଜିଲ୍ଲାର ଜାବରକୋଠି, ନକାଟୋଲା, ଆମାଟୋଲା ଓ ହୋସଙ୍ଗାବାଦ୍ ଜିଲ୍ଲାର ଡୋଣ୍ଡିଆଘାଟ ଗାଁକୁ ବୃକ୍ଷରୋପଣ ପାଇଁ ଆପଣାଇଥିଲେ । ଏହି ସବୁ ଗଁଆରେ ସେ ଲକ୍ଷାଧିକ ଗଛ ଲଗାଇଛନ୍ତି । ଏହି ଉଲ୍ଲେଖନୀୟ କାମ ପାଇଁ ତାଙ୍କୁ ‘ଗ୍ରୀନ୍ ଆଇଡଲ୍ ସମ୍ମାନ’ ମିଳିଛି ।

image


ଶରଦଙ୍କର ଗୋଟିଏ ପେଟ୍ରୋଲ ପମ୍ପ ଅଛି, ଯେଉଁଟି ସଂପୂର୍ଣ ସୌର ଶକ୍ତି ଦ୍ୱାରା ଚାଲୁଛି । ଏହି ପେଟ୍ରୋଲ ପମ୍ପର ପରିବେଶ ଅନ୍ୟମାନଙ୍କ ଠାରୁ ଭିନ୍ନ । ଏଠାରେ ଆପଣ ନଡିଆ ଗଛ, କଦଳୀ ଗଛ ସହ ଅନ୍ୟାନ୍ୟ ଫୁଲଫଳ ଗଛ ଓ ପରିବାପତ୍ର ଲଗାଯାଇଥିବା ଦେଖିବାକୁ ପାଇବେ। ପିଲା ଖେଳିବା ପାଇଁ ଦୋଳି ମଧ୍ୟ ଏଠାରେ ଲାଗିଛି । ଏହି ପେଟ୍ରୋଲ ପମ୍ପକୁ ଗତ ଦୁଇ ବର୍ଷ ହେଲା ଗ୍ରୀନ୍ ଆୱାର୍ଡ ମିଳୁଛି । ଏହା ବ୍ୟତୀତ ସେ ବିଭିନ୍ନ ସ୍କୁଲ ଓ କଲେଜ୍ ପାଇଁ ଉପହାର ଆକାରରେ ବିଭିନ୍ନ ଗଛର ଚାରା ଦେଇଥାନ୍ତି । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ଗଲାବେଳେ ସେ ଅନ୍ୟ କୌଣସି ଉପହାର ନ ନେଇ ଗଛ ଚାରା ହିଁ ନେଇଥାନ୍ତି ।

image


ଶରଦ କୁହନ୍ତି, ଭାରତରେ ବହୁତ ପ୍ରତିଭା ଅଛନ୍ତି, କିନ୍ତୁ ଖରାପ ରାଜନୀତି ଦେଶର ବହୁତ କ୍ଷତି କରୁଛି । ରାଜନୀତି କାରଣରୁ ହିଁ ଦେଶରେ ଦଙ୍ଗା ହେଉଛି । ରାଜନୈତିକ ଲୋକଙ୍କ କଥାରେ ପଡି ଲୋକେ ବହୁ ଦିନର ସମ୍ପର୍କ ଓ ଭାଇଚାରକୁ ଭୁଲି ଯିବା ଉଚିତ୍ ନୁହେଁ ବୋଲି ଶରଦଙ୍କ ମତ । ସେ ଏକଥା ଲୋକମାନଙ୍କୁ ବୁଝାନ୍ତି । ସବୁ ଜାତି ଧର୍ମ ପରସ୍ପରକୁ ସାହାଯ୍ୟ କରିବା ଲାଗି ସେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ମଣିଷର ରକ୍ତ ସମାନ । ସବୁ ମଣିଷ ଏକ ଓ ସେମାନଙ୍କ ଇଶ୍ୱର ମଧ୍ୟ ଏକ । ମଣିଷ ଜାତି, ଧର୍ମ ତିଆରି କରିଛି ବୋଲି ସେ କୁହନ୍ତି । ସେ ନିଜେ ୭୦ ଥର ରକ୍ତଦାନ କରିସାରିଛନ୍ତି । ୧୯୯୩ରୁ ସେ ରକ୍ତଦାନ ଶିବିର ଆୟୋନ କରିଆସୁଛନ୍ତି । ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାରେ ସେ ଏ ପର୍ଯ୍ୟନ୍ତ ୪୦୦ରୁ ଅଧିକ ରକ୍ତଦାନ ଶିବିର କରି ସାରିଲେଣି । ଏଥିପାଇଁ ତାଙ୍କୁ ଲୋକଙ୍କର ଓ ବିଭିନ୍ନ ଡାକ୍ତରଖାନାର ସହଯୋଗ ମିଳୁଛି । ରୋଗୀମାନଙ୍କୁ ଜରୁରୀ ସମୟରେ ରକ୍ତ ଯୋଗଇବାରେ ସେ ଆଗଭର ।

ୟୋର୍‌ ଷ୍ଟୋରୀକୁ ଶରଦ କହନ୍ତି,

"ପିଲାମାନେ ହେଉଛନ୍ତି ଆମ ଭବିଷ୍ୟ । କିନ୍ତୁ ବର୍ତ୍ତମାନର ଧାଁ ଧଉଡର ଜୀବନରେ ଆମେ ସେମାନଙ୍କୁ ନୈତିକ ଶିକ୍ଷା ଦେଇପାରୁନାହୁଁ । ସେମାନଙ୍କ ମଧ୍ୟରେ ସଂସ୍କାର ଆସିବା ଜରୁରୀ | ସମସ୍ତଙ୍କୁ ସାହାଯ୍ୟ କରିବାର ମନୋଭାବ ଓ ଦେଶପ୍ରେମର ଭାବନା ରହିବା ଦରକାର।"
image


ଏଥିପାଇଁ ମଧ୍ୟ ଶରଦ ପ୍ରୟାସ ଜାରି ରଖିଛନ୍ତି । ପିଲାମାନଙ୍କୁ ପ୍ରୋତ୍ସାହନ, ଆତ୍ମନିର୍ଭର ଓ ସେମାନଙ୍କମଧ୍ୟରେ ନୈତିକ ମୂଲ୍ୟବୋଧ ଜାଗ୍ରତ କରିବା ପାଇଁ ସେ ଗଢିଛନ୍ତି ‘ଆକାଶ ଟିମ୍‌’ । ଏହି ଟିମ୍‌ ମାଧ୍ୟମରେ ପିଲାମାନଙ୍କୁ ରଚନାତ୍ମକ କାର୍ଯ୍ୟ କରାଇବା ସହ ସେମାନଙ୍କୁ ଦେଶ ଓ ସମାଜ ପ୍ରତି ସଚେତନ କରାଯାଏ । ଏଥିରୁ ପ୍ରେରଣା ପାଇଁ ପିଲାଏ ଗଛ ଲଗାଉଛନ୍ତି । ରକ୍ତଦାନ ଶିବିରରେ ସାହାଯ୍ୟ କରୁଛନ୍ତି । ଆକାଶ ଟିମ୍‌ ସେମାନଙ୍କ ପାଇଁ ବିଭିନ୍ନ ଖେଳର ମଧ୍ୟ ଆୟୋଜନ କରେ ।

ଶରଦ କହନ୍ତି, ଜନସେବା କରିବା ତାଙ୍କର ନିତ୍ୟକର୍ମର ଏକ ଅଂଶ ପାଲଟି ଗଲାଣି । ଏହି କାମରୁ ତାଙ୍କୁ ଆନନ୍ଦ ମିଳେ । ତାଙ୍କ ପତ୍ନୀ ଡ. ଲକ୍ଷ୍ମୀ କୁମେର ଶରଦଙ୍କୁ ଏହି କାମରେ ପୂର୍ଣ୍ଣ ସହଯୋଗ କରନ୍ତି । ଶରଦ ଦୁର୍ନୀତି ମୁକ୍ତ ଭାରତର ସ୍ୱପ୍ନ ଦେଖନ୍ତି । ଦୁନିଆର ସବୁଠୁ ଅଗ୍ରଣୀ ରାଷ୍ଟ୍ର ଭାବେ ଭାରତକୁ ଦେଖିବାକୁ ଚାହୁଁଛନ୍ତି ଏହି ସମାଜସେବୀ ଜଣକ ।

ମୂଳ ଲେଖା - ଆଶୁତୋଷ ଖଣ୍ଟୱାଲ

ଭାଷାନ୍ତର - ଅଖଣ୍ଡ