ସାମାଜିକ ଉଦ୍ୟୋଗୀ ହେବାକୁ ଚାହୁଁଛନ୍ତି କି? ତାହାଲେ ଧ୍ୟାନ ଦିଅନ୍ତୁ

ସାମାଜିକ ଉଦ୍ୟୋଗୀ ହେବାକୁ ଚାହୁଁଛନ୍ତି କି? ତାହାଲେ ଧ୍ୟାନ ଦିଅନ୍ତୁ

Tuesday November 03, 2015,

4 min Read

image


ନିଜର ସାମାଜିକ ଉଦ୍ୟୋଗଟିଏ ଆରମ୍ଭ କରିବା ପାଇଁ ଆପଣ ଇଚ୍ଛୁକ କି? ଏଥିପାଇଁ ନିଜର ଲୋଭନୀୟ କର୍ପୋରେଟ ଚାକିରି ଛାଡିବାକୁ ଆପଣ ପ୍ରସ୍ତୁତ କି? ଏହାର ଉତ୍ତର ଯଦି ହଁ, ତାହାଲେ ବର୍ତ୍ତମାନ ହିଁ ହେଉଛି ପ୍ରକୃଷ୍ଟ ସମୟ। ହେଲେ ଏହି ଯାତ୍ରା ଆରମ୍ଭ କରିବା ପୂର୍ବରୁ ନିଜକୁ ଭଲଭାବେ ପ୍ରସ୍ତୁତ କରିନିଅନ୍ତୁ। ଆଗକୁ କେଉଁ କେଉଁ ସମସ୍ୟା ଆସିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିନିଅନ୍ତୁ। କିଛି ଭଲ କରିବାକୁ ଚିନ୍ତା କରି ଶେଷରେ ଭୁଲ କରି ବସିବା ଅତି ସହଜ। ସେଥିପାଇଁ ତ ନିଜର ସାମାଜିକ ଉଦ୍ୟୋଗ ଆରମ୍ଭ କରିବା ପୂର୍ବରୁ ନିମ୍ନଲିଖିତ ବିଷୟ ଉପରେ ନିଶ୍ଚିତ ଭାବେ ଧ୍ୟାନ ଦିଅନ୍ତୁ।

image


ଆପଣ କାହିଁକି ଏହା କରିବାକୁ ଚାହୁଁଛନ୍ତି? ସଠିକ କାରଣ ବାଛି ରଖନ୍ତୁ

ଆପଣ ଭାବୁଛନ୍ତି କି ନିଜ ସାମାଜିକ ଉଦ୍ୟୋଗ ଦ୍ଵାରା ସମାଜ ପାଇଁ କିଛି କରି ହେବ? ଯଦି ଏପରି କିଛି ଭାବୁଛନ୍ତି ତାହାଲେ ମନେ ରଖନ୍ତୁ ଯେ ଏପରି ଭାବୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ ଏବଂ ନିଜ ଭାବନାକୁ ଠିକ ଭାବେ ଉପଯୋଗ ନକରି ପାରିଲେ ଆପଣ କାହାର କିଛି ଲାଭ କରାଇ ପାରିବେ ନାହିଁ। ଗୋଟିଏ ଭଲ କାରଣ ପାଇଁ ଅର୍ଥଦାନ କରିବା,ସ୍ଵେଚ୍ଛାସେବୀ ସାଜିବା କିମ୍ବା ଗଣଦୌଡର ଆୟୋଜନ କରିବା ଓ ନିଜର ସାମାଜିକ ଉଦ୍ୟୋଗ ଆରମ୍ଭ କରିବା ସମାନ କଥା ନୁହେଁ। ସାମାଜିକ ଉଦ୍ୟୋଗ ପାଇଁ ଭିନ୍ନ ଧାରଣର ନିଷ୍ଠା ଓ ପ୍ରେରଣାର ଆବଶ୍ୟକତା ଅଛି। ଏପରି ଉଦ୍ୟୋଗ ପ୍ରତିଷ୍ଠା କରିବା ପୂର୍ବରୁ ପ୍ରଥମେ ଆପଣଙ୍କୁ ଏପରି ଏକ ଗୁରୁତର ସାମାଜିକ ସମସ୍ୟା ଚିହ୍ନଟ କରିବାକୁ ହେବ ଯାହାର ସମାଧାନ ନିହାତି ଆବଶ୍ୟକ। ଆଉ ଆପଣଙ୍କ ପାଖରେ ଏହାର ସମାଧାନ ସୂତ୍ର ରହିଥିବା ଦରକାର।

ଭାବନାର ବଶବର୍ତ୍ତୀ ହୋଇ ଅନେକ ସାମାଜିକ ଉଦ୍ୟୋଗ କ୍ଷେତ୍ରକୁ ଡେଇଁ ପଡନ୍ତି। ମାତ୍ର ଏକଥା ମନେ ରଖନ୍ତୁ ଯେ ସାମାଜିକ ଉଦ୍ୟୋଗ ପ୍ରତିଷ୍ଠା କରିବା କେବଳ ଏକ ଆବେଗିକ ନିଷ୍ପତ୍ତି ନୁହେଁ। ଆପଣଙ୍କୁ ସମସ୍ୟା ବିଷୟରେ ଭଲ ଭାବେ ଚିନ୍ତା କରିବାକୁ ହେବ ଓ କଣ କଲେ ଏହାର ସମାଧାନ ହୋଇପାରିବ ସେ ବିଷୟରେ ମଧ୍ୟ ନିଶ୍ଚିତ ହେବାକୁ ପଡିବ।

ପ୍ରତିକୂଳ ପରିସ୍ଥିତି ବିଷୟରେ ସମ୍ୟକ ଧାରଣା

ନିଜର ସାମାଜିକ ଉଦ୍ୟୋଗ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ କେଉଁ କେଉଁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ ତାହା ଭଲଭାବେ ଜାଣି ନିଅନ୍ତୁ। ଏହା ସତ ଯେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଜାଣିବା ଓ ସେଥିପାଇଁ ପ୍ରସ୍ତୁତ ରହିବା ସମ୍ଭବ ନୁହେଁ। ସେଥି ପାଇଁ ଯେଉଁ ଯେଉଁ ପ୍ରତିକୂଳ ପରିସ୍ଥିତି ସମ୍ପର୍କରେ ଆପଣ ଭାବି ପାରୁଛନ୍ତି ତା ପାଇଁ ପ୍ରସ୍ତୁତ ରୁହନ୍ତୁ। ସାମାଜିକ ଉଦ୍ୟୋଗ ପ୍ରତିଷ୍ଠା ରାସ୍ତାରେ ଅନେକ ପ୍ରତିବନ୍ଧକ ଆସିପାରେ। ସେଗୁଡିକ ହେଲା ଅର୍ଥର ଅଭାବ, ବନ୍ଧୁ ଓ ପରିବାର ଲୋକଙ୍କ ଉଦାସୀନତା,ବିଫଳ ହେବାର ଭୟ, ସମସ୍ୟାର ସଠିକ ସମାଧାନ ନକରି ପାରିବା ଇତ୍ୟାଦି।

ସାମାଜିକ ଉଦ୍ୟୋଗ ଆପଣଙ୍କୁ ରାତାରାତି କୋଟିପତି କରିପାରିବ ନାହିଁ। ଏହି କ୍ଷେତ୍ରରେ ଆପଣଙ୍କୁ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିବାକୁ ପଡିବ ଓ ନିଜ କାର୍ଯ୍ୟ ଜାରି ରଖିବା ପାଇଁ ଅର୍ଥାଭାବ ମଧ୍ୟ ଦେଖା ଯାଇପାରେ। ଏ ସବୁ ପାଇଁ ପ୍ରସ୍ତୁତ ରୁହନ୍ତୁ। ସବୁବେଳେ ଆର୍ଥିକ ନିଅଣ୍ଟ ପାଇଁ ବିକଳ୍ପ ଯୋଜନା ପ୍ରସ୍ତୁତ ରଖନ୍ତୁ ଓ ପରିବାର ଲୋକଙ୍କୁ ନିଜ ଯୋଜନା ବିଷୟରେ ଜଣାନ୍ତୁ। ସେମାନଙ୍କ ସହଯୋଗ ଆପଣଙ୍କ ସଫଳତା ପାଇଁ ଅତ୍ୟନ୍ତ ମହତ୍ଵପୂର୍ଣ। ଆଉ ହଁ, ବିଫଳତା ପାଇଁ ପ୍ରସ୍ତୁତ ଥାନ୍ତୁ। ବିଫଳତାକୁ ଆଗକୁ ବଢିବା ପାଇଁ ଏକ ଶିକ୍ଷା ଭାବରେ ଗ୍ରହଣ କରିବାର ମାନସିକତା ରଖନ୍ତୁ।

ଉଦ୍ୟୋଗପତି ହେବାର ଗୁଣ ଆପଣଙ୍କ ଭିତରେ ଅଛି ତ?

କିଛି ନୂଆ କରିବାର ଜିଦ, ସମସ୍ୟା ବିଷୟରେ ଜ୍ଞାନ ଓ ସମସ୍ୟା ସମାଧାନ ପାଇଁ ଦକ୍ଷତା ଆପଣଙ୍କୁ ଜଣେ ସଫଳ ସାମାଜିକ ଉଦ୍ୟୋଗୀ କରିବା ପାଇଁ ଯଥେଷ୍ଟ। ଯଦି ଆମେ ସାମାଜିକ ଉଦ୍ୟୋଗପତିମାନଙ୍କୁ ଅନୁଶୀଳନ କରିବା ତାହାଲେ ଜାଣି ପାରିବା ଯେ ବ୍ୟବସାୟ କରିବାର ଅଭିଜ୍ଞତା ସେମାନଙ୍କ ପାଇଁ ପ୍ରଥମ। ସେଥିପାଇଁ ଲକ୍ଷ୍ୟ ଦିଗରେ ଅଗ୍ରସର ହେବା ପାଇଁ ଆବଶ୍ୟକ ଦକ୍ଷତାର ସଠିକ ପରୀକ୍ଷଣ ସେମାନେ କରିପାରନ୍ତି ନାହିଁ। କେବଳ ନିଷ୍ଠା ଯଥେଷ୍ଟ ନୁହେଁ। ଆପଣ ଯଦି ନିଜ ବିଚାରଶକ୍ତି ଓ ଉଦ୍ୟୋଗ କୌଶଳକୁ ସଠିକ ଭାବେ ବିନିଯୋଗ କରିବେ ନାହିଁ ତାହାଲେ ଏହା ଯୁଦ୍ଧକ୍ଷେତ୍ରକୁ ପରିବା କଟା ଛୁରୀ ଧରି ଯିବା ପରି ହେବ।

କୌଣସି ସାମାଜିକ ସମସ୍ୟାର ସମାଧାନ ପାଇଁ ବ୍ୟବସାୟିକ କୌଶଳର ବ୍ୟବହାର କରିବାରେ ହିଁ ସାମାଜିକ ଉଦ୍ୟୋଗର ସଫଳତା ନିର୍ଭର କରେ। ଆପଣଙ୍କ ପାଖରେ ପରିଚାଳନା ଜ୍ଞାନ ଏବଂ ଯୋଜନା ପ୍ରସ୍ତୁତ କରି ଏହାକୁ କାମରେ ଲଗେଇ ପାରିବାର ଦକ୍ଷତା ଥିବା ଦରକାର। ଯଦି ଆପଣଙ୍କ ପାଖରେ ଏପରି ଦକ୍ଷତା ନାହିଁ ତାହାଲେ ବ୍ୟସ୍ତ ହୁଅନ୍ତୁ ନାହିଁ। ଭାରତ ଓ ବିଦେଶରେ ଥିବା ବହୁତ ସଂସ୍ଥା ଏଥି ପାଇଁ ଆପଣଙ୍କୁ ସାହାଯ୍ୟ କରି ପାରିବେ। ଆପଣ କଣ କରି ପାରିବେ ଓ କଣ କରିପାରିବେ ନାହିଁ ତା ବିଷୟରେ ସଚେତନ ରୁହନ୍ତୁ। ଏହା ଅତ୍ୟନ୍ତ ଅପରିହାର୍ଯ୍ୟ।

ଅନ୍ୟ ମାନଙ୍କ ସହ ମିଶି କାମ କରିବା ଓ ନିଜର ସହଯୋଗୀ ଟିମ ଗଠନ ପାଇଁ ପ୍ରସ୍ତୁତ ରୁହନ୍ତୁ

ସଠିକ ଯୋଜନାର ଅଭାବ, ଦ୍ଵିତୀୟ ସ୍ତରୀୟ ନେତୃତ୍ଵ ସୃଷ୍ଟି କରି ନପାରିବା ଓ ଗୋଟିଏ ସ୍ଵୟଂ ସମ୍ପୂର୍ଣ ସହଯୋଗୀ ଟିମ ନଗଢି ପାରିବା ହିଁ ଅନେକ ସାମାଜିକ ଉଦ୍ୟୋଗର ବିଫଳତାର କାରଣ । ଅନେକ ସାମାଜିକ ଉଦ୍ୟୋଗ ଜଣେ ପ୍ରତିଷ୍ଠାତାଙ୍କୁ ନେଇ ଆରମ୍ଭ ହୋଇଥାଏ। ଏଥିରେ କୌଣସି ଅସୁବିଧା ନାହିଁ। ମାତ୍ର ନିଜ ପ୍ରକଳ୍ପକୁ ଆଗକୁ ନେବା ପାଇଁ ଗୋଟିଏ ଟିମର ଆବଶ୍ୟକତା ରହିଛି। ଏଥି ପାଇଁ ଆପଣଙ୍କୁ ଆଉ ଜଣେ ଦୁଇ ଜଣ ସହ ପ୍ରତିଷ୍ଠାତା ଓ ଗୋଟିଏ କୁଶଳୀ ଟିମ ସାଥିରେ ନେବାକୁ ପଡିବ। ଫଳରେ ପ୍ରତିଷ୍ଠାତା ବା ପ୍ରତିଷ୍ଠାତମାନେ ନିଜର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଅଧିକ କେନ୍ଦ୍ରିତ ହୋଇପାରିବେ।

ଅନ୍ୟମାନଙ୍କ ସହ ସହଭାଗିତା ସାମାଜିକ ଉଦ୍ୟୋଗର ସଫଳତା ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ। ଜଣେ ସାମାଜିକ ଉଦ୍ୟୋଗପତି ପାଇଁ ସବୁ କାର୍ଯ୍ୟ ନିଜେ କରିବା ସମ୍ଭବ ନୁହେଁ। ସେଥି ପାଇଁ କାର୍ଯ୍ୟପନ୍ଥାର ବିଭିନ୍ନ ସ୍ତରରେ ଦକ୍ଷ ଲୋକମାନଙ୍କର ସାହାଯ୍ୟ ନେବାର ଆବଶ୍ୟକତା ରହିଛି।

ଧୈର୍ଯ୍ୟ ହିଁ ଦୀର୍ଘକାଳୀନ ସଫଳତାର ଚାବିକାଠି

ସିନ୍ଦୁରା ଫାଟିବା ପୂର୍ବର ଅନ୍ଧାର ସବୁବେଳେ ଗାଢ ହୋଇଥାଏ। ନିଜକୁ ଠିକ ଭାବେ ପ୍ରତିଷ୍ଠା କରିବା ଓ ଚଳାଇବା ପାଇଁ ସାମାଜିକ ଉଦ୍ୟୋଗ ଅନ୍ୟ ଉଦ୍ୟୋଗ ମାନଙ୍କ ତୁଳନାରେ ଅଧିକ ସମୟ ନେଇଥାଏ। ସମ୍ବଳ ଓ ଦକ୍ଷ କର୍ମଚାରୀର ଅଭାବ ଅନେକ ସାମାଜିକ ଉଦ୍ୟୋଗପତିଙ୍କ ପାଇଁ ଚିନ୍ତାର କାରଣ ହେଇଥାଏ। ଲାଭ ଓ ସାମାଜିକ ପ୍ରଭାବ ଭିତରେ ସନ୍ତୁଳନ ରଖିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡେ।

ହେଲେ ଏପରି ସ୍ଥଳେ ଗୋଟିଏ କଥା ମନେ ରଖନ୍ତୁ। ସାମାଜିକ ଉଦ୍ୟୋଗ କ୍ଷେତ୍ରରେ ସଫଳତା ପାଇଁ କୌଣସି ଗଳି ରାସ୍ତା ନାହିଁ। ଯେଉଁ ମାନେ ଧୈର୍ଯ୍ୟ ରଖିପାରନ୍ତି ଭବିଷ୍ୟତରେ ସେହି ମାନେ ହିଁ ସଫଳ ହୋଇ ଥାଆନ୍ତି।