ଆଇଏଏସ୍ ହେବା ଲକ୍ଷ୍ୟ ଆଗରେ ହାର୍ ମାନିଲା ଡେଙ୍ଗୁ

ଆଇଏଏସ୍ ହେବା ଲକ୍ଷ୍ୟ ଆଗରେ ହାର୍ ମାନିଲା ଡେଙ୍ଗୁ

Friday May 13, 2016,

3 min Read

ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ଛଟପଟ ହେଉଥିଲେ । ବିଛଣାରେ ଉଠି ଛିଡା ହେବା ବି କଷ୍ଟକର ଥିଲା । ହେଲେ ସିଭିଲ ସର୍ଭିସ୍ ରେ ସଫଳ ହେବାର ନିଶା ତାଙ୍କୁ ଏମିତି ଘାରିଥିଲା ଯେ, ବିଛଣାରେ ପଡିି ରହି ବହି ଧରି ପାଠ ପଢୁଥିଲେ । ଆଗରୁ ଦୁଇ ଥର ପରୀକ୍ଷା ଦେଇ ବିଫଳ ହୋଇଥିଲେ ମଧ୍ୟ ନିରାଶ ଭାବ ତାଙ୍କୁ ସଫଳ ହେବାରୁ ଅଟକାଇ ପାରିନଥିଲା । ଶେଷରେ ସଫଳତା ତାଙ୍କ ହାତ ମୁଠାରେ ପହଞ୍ଚିଲା । ଖାଲି ସଫଳ ହେଲେନି, ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଦେଶରେ ୨୬ତମ ସ୍ଥାନ ଏବଂ ଓଡିଶାରେ ଏକ ନମ୍ବର ସ୍ଥାନରେ ରହି ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ ପାଲଟି ଯାଇଛନ୍ତି ଦିବ୍ୟଜ୍ୟୋତି ପରିଡା ।

image


ଦିବ୍ୟଜ୍ୟୋତିଙ୍କ ଜନ୍ମସ୍ଥାନ ବାଲେଶ୍ୱର ବ୍ଲକ୍ ନୀଳଗିରି ଅଞ୍ଚଳର ଅଯୋଧ୍ୟା ଗାଁରେ । ତାଙ୍କ ବାପା ଡ. ପ୍ରସନ୍ନ କୁମାର ପରିଡା ଜଣେ ଅବସରପ୍ରାପ୍ତ ସହକାରୀ କୃଷି ଇଞ୍ଜିନିୟର । ଆଉ ମା’ ଡ. ମାୟାବିନୀ ଜେନା କଟକ ବିଦ୍ୟାଧରପୁରରେ ଥିବା ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଅଛନ୍ତି । ତେବେ ପିଲାଟି ଦିନରୁ ସମାଜ ପାଇଁ କିଛି କରିବାର ମନୋବୃତ୍ତି ନେଇ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । କଟକର ଷ୍ଟୁଆର୍ଟ ସ୍କୁଲରୁ ମାଟ୍ରିକ୍ ପରୀକ୍ଷାରେ ପାସ୍ କରିବା ପରେ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ କରିଥିଲେ । ପରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଯାଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ(ଡିୟୁ)ରେ ପଢିଥିଲେ । ସେଠାରେ ସେ ଉଦ୍ଭିଦ ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର କରିଥିଲେ । ସେଠାରେ ପଢିବା ସମୟରେ ସେ ଡିୟୁର ପ୍ରସିଦ୍ଧ ହଷ୍ଟେଲ୍ ଜୁବିଲି ହଲ୍ ରେ ରହୁଥିଲେ । ଏହି ହଷ୍ଟେଲରେ ବହୁ ବିଶିଷ୍ଟ ବ୍ୟକ୍ତି ରହିଛନ୍ତି । ଏଠାରେ ରହିବା ପରେ ଆଇଏଏସ୍ ହେବାକୁ ଦିବ୍ୟଜ୍ୟୋତିଙ୍କୁ ଆହୁରି ପ୍ରେରଣା ମିଳିଥିଲା । ସେଠାରେ ରହିବା ସମୟରୁ ହିଁ ସେ ନିଜ ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ ।

ସିଭିଲ ସର୍ଭିସ୍ ପ୍ରବେଶିକା ପରୀକ୍ଷା ପାଇଁ ୨୦୧୨ରେ ସେ କୋଚିଂ ନେଇଥିଲେ । ତା’ ପର ବର୍ଷ ୨୦୧୩ରେ ସେ ପ୍ରଥମ ଥର ପାଇଁ ସିଭିଲ ସର୍ଭିସ୍ ପରୀକ୍ଷାରେ ବସିଥିଲେ । ପ୍ରଥମ ଥରରେ ପ୍ରିଲିମିନାରି ବା ଲିଖିତ ପରୀକ୍ଷାରେ ସଫଳ ହେଲେ । ହେଲେ ମେନ୍ ରେ ବିଫଳ ହେଲେ । ଯଦିଓ ସାମାନ୍ୟ ନିରାଶ ଭାବ ଆସିଥିଲା କିନ୍ତୁ ପ୍ରଥମ ଥର ପରୀକ୍ଷା ଦେଇଥିବାରୁ ସେତେ ମାତ୍ରାରେ ନିରାଶ ହେଲେନି । ପରେ ପୁଣି ଆଉ ଏକ ବର୍ଷ ୨୦୧୪ ପାଇଁ ପ୍ରସ୍ତୁତ ହେଲେ । ଏଥର ସଫଳ ହେବେ ବୋଲି ସେ ନିଶ୍ଚିତ ଥିଲେ । କିନ୍ତୁ ଏଥର ଲିଖିତ ପରୀକ୍ଷାରେ ବି ସେ ସଫଳ ହୋଇପାରିଲେନି । କିଛି ସମୟ ପାଇଁ ସେ ଭାଙ୍ଗିପଡିଲେ । ଦୁଇ ଥର ପରୀକ୍ଷା ଦେଇ ବିଫଳ ହେବାରୁ ତାଙ୍କ ମନରେ ନିରାଶା ଭାବ ଆସିଲା । କିନ୍ତୁ ନିଜ ଲମ୍ବା ଲକ୍ଷ୍ୟ ପଥ ବିଷୟରେ ମନେ ପକାଇ ସେ ପୁଣି ଛିଡା ହେଲେ ଓ ଆଗକୁ ବଢିଲେ । ଲକ୍ଷ୍ୟରେ ପହଞ୍ଚିବାର ଜୋଶ୍ ତାଙ୍କର ସବୁ ନିରାଶାକୁ ହଟାଇ ଦେଲା । ସେ ପୁଣି ଥରେ ସିଭିଲ ସର୍ଭିସ୍ ପାଇଁ ଫୁଲ୍ ଦମ୍ ରେ ପସ୍ତୁତି ଆରମ୍ଭ କରିଦେଲେ ।

୨୦୧୫ ବର୍ଷର ସିଭିଲ ସର୍ଭିସ୍ ଏଣ୍ଟ୍ରାନସ ଲିଖିତ ପରୀକ୍ଷା ଦେଲେ ଦିବ୍ୟଜ୍ୟୋତି । ଏଥର ପରୀକ୍ଷା ବେଶ୍ ଭଲ ହୋଇଥିଲା । ହଠାତ୍ ଡେଙ୍ଗୁ ରୋଗର ଶିକାର ହେଲେ ସେ । ଆଉ ତିନି ମାସ ପରେ (ଡିସେମ୍ବର ମାସରେ) ମେନ୍ ପରୀକ୍ଷା ଥାଏ । ଡେଙ୍ଗୁରେ ଆକ୍ରାନ୍ତ ହୋଇ ସେ ଗୁରୁତର ଅସୁସ୍ଥ ହୋଇପଡିଲେ । ଅକ୍ଟୋବର ମାସରେ ଲିଖିତ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଲା । ଏଥିରେ ସେ ସଫଳ ହୋଇଥିଲେ । ହେଲେ ଡେଙ୍ଗୁରେ ଆକ୍ରାନ୍ତ କାରଣରୁ ପାଖାପାଖି ଦେଢ ମାସ ସେ ବିଛଣାରେ ପଡି ରହିଲେ । କିନ୍ତୁ ଅସୁସ୍ଥ ଯୋଗୁ ବିଛଣାରେ ପଡିଥିଲେ ବି ତାଙ୍କ ମନୋବଳ ଟିକିଏ ବି କମିନଥିଲା । ବରଂ ଆଇଏଏସ୍ ହେବାର ଝୁଙ୍କ ଆହୁରି ଅଧିକ ବଢିଯାଇଥିଲା । ଏଥିପାଇଁ ବିଛଣାରେ ଶୋଇ ସେ ନିଜ ବହି ଧରି ପଢୁଥିଲେ ।

ସାମାନ୍ୟ ସୁସ୍ଥ ହେବା ପରେ ସେ ପୁଣି ଜୋରସୋର୍ ରେ ପ୍ରସ୍ତୁତିରେ ଲାଗି ପଡିଲେ । ବେଳେବେଳେ ରାତି ଅନିଦ୍ରା ବି ହେବାକୁ ପଡୁଥିଲା ତାଙ୍କୁ । ଏମିତିରେ ମେନ୍ ପରୀକ୍ଷା ଦେଇଥିଲେ ଓ ସେଥିରେ ବି ବାଜି ମାରିନେଲେ । ଶେଷରେ ଅପେକ୍ଷା ଥିଲା ଚୂଡାନ୍ତ ପର୍ସନାଲିଟି ଟେଷ୍ଟ ବା ସାକ୍ଷାତକାରକୁ। ସେଥିରେ ବି ସଫଳତା ଟାଣି ହୋଇ ଦିବ୍ୟଜ୍ୟୋତିଙ୍କ ପାଖକୁ ଚାଲି ଆସିଥିଲା । ସର୍ବଭାରତୀୟ ସ୍ତରରେ ୨୬ତମ ସ୍ଥାନରେ ରହି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ସେ । ସିଭିଲ ସର୍ଭିସ୍ ପରୀକ୍ଷାରେ ସଫଳ ହେବା ପରେ ଦିବ୍ୟଜ୍ୟୋତି କହିଛନ୍ତି, ଯେତେ ବାଧାବିଘ୍ନ ଆସୁନା କାହିଁକି, କେବେବି ହାର୍ ମାନନି । ସବୁ ପ୍ରତିକୂଳ ପରିସ୍ଥିତି ସହ ସାହସର ସହ ଲଢେଇ କର । ସବୁବେଳେ ସକରାତ୍ମକ ଭାବନା ରଖ । ତା ହେଲେ ସବୁ ଲକ୍ଷ୍ୟସ୍ଥଳରେ ତୁମେ ପହଞ୍ଚିପାରିବ । ତେବେ ସୁଯୋଗ ମିଳିଲେ ନିଜ ଜନ୍ମସ୍ଥାନ ଓଡିଶା ପାଇଁ ଉତ୍ସର୍ଗୀକୃତ ଭାବେ କାମ କରିବି ବୋଲି କହିଛନ୍ତି ସେ।

image