'ଛାତ ଉପର ବିପ୍ଲବ'(Roof Top Revolution)

0

ଆପଣ ଏମିତି ଏକ ସଉକ ଅମଳ କରିପାରିବେ ଯାହା ଆପଣଙ୍କୁ ଦେଇଥାଏ ସ୍ଵାସ୍ଥ୍ୟର ସଚେତନତା, ଦେଇଥାଏ ନିଜ ବଗିଚାରୁ ତଟକା ଫୁଲଫଳ, ଶାକ ସବଜି ପୁଣି ପ୍ରକୃତିକୁ ଆପଣଙ୍କ ସହିତ ଘନିଷ୍ଠଭାବେ ଯୋଡ଼ି ଏକ ସାମାଜିକ ଆନ୍ଦୋଳନରେ ମଧ୍ୟ ସାମିଲ କରିଥାଏ। ସଉକଟି ହେଲା 'କିଚେନ ଗାର୍ଡ଼ନ'। 

ସହରାଞ୍ଚଳରେ ଜମିର ଅଭାବ ହେତୁ ଏହି 'କିଚେନ ଗାର୍ଡ଼ନ' ପ୍ରାୟତଃ ଛାତ ଉପରେ କରାଯାଉଛି। ଏ ପ୍ରକାର କୃଷି ବର୍ତ୍ତମାନ ଆମ ଦେଶର ବିଭିନ୍ନ ସହରରେ ପ୍ରସାରିତ ହେଲାପରେ ଏହାକୁ ଏବେ 'ଛାତ ଉପର ବିପ୍ଲବ'(Roof Top Revolution) କୁହାଯାଉଛି। ଏହି 'କିଚେନ ଗାର୍ଡ଼ନ' ଆନ୍ଦୋଳନ ସହରାଞ୍ଚଳ କୃଷିର ଏକ ରୂପ ଏବଂ ଖାଦ୍ୟନିରାପତ୍ତା ନିମନ୍ତେ ଏହାର ଅବଦାନକୁ ସଂଯୁକ୍ତ ରାଷ୍ଟ୍ର ଖାଦ୍ୟ ଏବଂ କୃଷି ସଂଗଠନ (FAO) ମଧ୍ୟ ମାନ୍ୟତା ଦେଇଛି। ଏପରିକି ଏବେ ପ୍ରତିବର୍ଷ ଅଗଷ୍ଟ ମାସର ଶେଷ ସପ୍ତାହରେ 'ବିଶ୍ଵ କିଚେନ ଗାର୍ଡ଼ନ ଦିବସ' ମଧ୍ୟ ପାଳିତ ହେଉଛି।

ଗତ ବର୍ଷ ଅକ୍ଟୋବର ମାସରେ ମିଲାନ ରେ ବିଶ୍ଵର ଏକ ଶହ ସହର, ସହରାଞ୍ଚଳର ଖାଦ୍ୟ ବ୍ୟବସ୍ଥାକୁ ପୋଷଣୀୟ କରିବା ଲାଗି ପ୍ରତିବଦ୍ଧ ହୋଇଛନ୍ତି। FAO ଆନୁକୂଲ୍ୟରେ ହୋଇଥିବା ଏହି ସମ୍ମିଳନୀରେ ଖାଦ୍ୟ ନିରାପତ୍ତା ପାଇଁ ସହରାଞ୍ଚଳ କୃଷି ଉପରେ ଗୁରୁତ୍ଵ ଆରୋପ କରାଯାଇଛି। 

ଏଫଏଓ ର ମୁଖ୍ୟ ଗ୍ରାଜିଆନୋ ଦା ସିଲଭା କହନ୍ତି-

ସମ୍ପ୍ରତି ସହରାଞ୍ଚଳରେ ବିଶ୍ଵ ଜନସଂଖ୍ୟାର ଏକ ବୃହତ ଅଂଶ ବାସ କରନ୍ତି ଏବଂ ବିଶେଷ କରି ବିକାଶଶୀଳ ଦେଶଗୁଡ଼ିକରେ ଏହା ଆହୁରି ବୃଦ୍ଧି ପାଇବ। ତେଣୁ ସହରାଞ୍ଚଳରେ ଓ ସହର ସନ୍ନିକଟ ମଫସଲଗୁଡ଼ିକରେ ନୂତନ ବିକଳ୍ପ କୃଷିଭାବେ ଛୋଟ ଆକାରର କୃଷି ପ୍ରୟାସ ଯେପରିକି ଘରୋଇ ବଗିଚାଗୁଡ଼ିକ ମଧ୍ୟ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରି ପାରିବେ।

ଆପଣ ନ ଦେଖିଲେ ବିଶ୍ଵାସ କରିବେନି। ତିନୋଟି ବଡ଼ ନଡ଼ିଆ ଗଛ,୩୫ଟି କଦଳୀ ଗଛ,ତା ସହିତ ଅମୃତଭଣ୍ଡା,ପିଜୁଳି,ସପେଟା ଗଛ ପୁଣି ଝୁଲୁଥିବା ସବୁଜ ଅଙ୍ଗୁର ପେନ୍ଥା ସବୁ ,ହଳଦୀ- ସବୁଜ ରଙ୍ଗର ବୋଇତାଳୁ, ହାଲକା ସବୁଜ ଲାଉ, ଗାଢ଼ସବୁଜ କଲରା ଲଟା, ଭେଣ୍ଡି, ସଜନା ଛୁଇଁ, ଟମାଟୋ, ବିନ, ମାଟିଆଳୁ, ହଳଦୀ, ରସୁଣ ଓ ଅଦା ଗଛ। ଏ ସବୁ ଏର୍ଣ୍ଣାକୁଲମ ସହରର ବ୍ୟସ୍ତ କନଭେଣ୍ଟ ରୋଡ଼ରେ ଥିବା ଏକ ଚାରିତାଲା କୋଠାର ଟେରାସ ଉପରେ। ବଗିଚାଟିରେ ମଧ୍ୟ ଅଛି ଏକ ଛୋଟ ପଦ୍ମ ପୋଖରୀ ଏବଂ ଜିଆ ଖତ କମ୍ପୋଷ୍ଟ। ଏହି ସବୁଜ ନନ୍ଦନକାନନର ମାଲିକ ସତୁରୀ ବର୍ଷ ବୟସ୍କ ଅବସରପ୍ରାପ୍ତ ସିଭିଲ ଇଞ୍ଜିନିୟର ଶ୍ରୀଯୁକ୍ତ ଭାଧ୍ୟର। 

"ସହରୀ ବାସିନ୍ଦା ମାନେ କହନ୍ତି ସେମାନଙ୍କର ନା ଅଛି ସମୟ ନା ଜାଗା ଯେଉଁଠି କିଛି ବଗିଚା କରିପାରିବେ। କିନ୍ତୁ ଆମେ ତ ଗତ ୧୫ ବର୍ଷ ହେଲା ସଫଳତାର ସହିତ ଛାତ ଉପରେ ଚାଷ କରିଆସୁଛୁ" ଶ୍ରୀଯୁକ୍ତ ଭାଧ୍ୟର କହନ୍ତି।

କେରଳ ଅଧ୍ୟାୟ

ବର୍ତ୍ତମାନ ଭାରତର ବିଭିନ୍ନ ସହରରେ ଏହି ଛାତ ଉପର ବଗିଚା ଲୋକପ୍ରିୟ ହେବାକୁ ଲାଗିଛି। ବିଭିନ୍ନ ଷ୍ଟାର୍ଟଅପ କମ୍ପାନୀମାନେ ମେଟ୍ରୋ ସହରରେ ଏ ଦିଗରେ ସେବା ପ୍ରଦାନ କରୁଛନ୍ତି। ଯେପରି ଦିଲ୍ଲୀର 'Edible Roots', ବେଙ୍ଗାଲୁରୁର 'Squarefoot Farmers', ମୁମ୍ବାଇର 'Urban Leaves', ଜୟପୁରର 'Living Greens' ଇତ୍ୟାଦି। କିନ୍ତୁ କେରଳ ବୋଧହୁଏ ଏ ଦିଗରେ ଅଗ୍ରଣୀ। କେରଳରେ ଏହା ବିଶେଷ ଭାବେ ଲୋକପ୍ରିୟ ହେଲା ଯେତେବେଳେ ୨୦୧୦ରେ କେରଳରେ ହର୍ଟିକଲଚର ମିସନ ଲୋକଙ୍କୁ ପ୍ରୋତ୍ସାହନ ସ୍ୱରୂପ ମୃତ୍ତିକା,ଖତ,ଜୈବିକ ସାର, ଔଷଧ,ବାଲି ଓ ନଡ଼ିଆ କତା ମିଶ୍ରଣର ବ୍ୟାଗ ସହିତ ଚାରା ଗଛ ଓ ଗାଇଡ଼ପୁସ୍ତିକା ମାଗଣାରେ ବଣ୍ଟନ କରିବାକୁ ଆରମ୍ଭ କଲା। କେବଳ ତିରୁବନନ୍ତପୂରମ ସହରରେ ୩୩୦୦୦ରୁ ଉର୍ଦ୍ଧ୍ଵ ପରିବାରଙ୍କୁ ୨୫ଟି ଲେଖାଏଁ ଏହି ବ୍ୟାଗ ଦିଆଯାଇଥିଲା। "ଏମାନଙ୍କ ମଧ୍ୟରୁ ଶତକଡ଼ା ଷାଠିଏ ଭାଗ ପରିବାର ଆଜି ପର୍ଯ୍ୟନ୍ତ ଛାତଉପର କୃଷି କରୁଛନ୍ତି ବୋଲି ଆମେ ନିଶ୍ଚିତ। ବର୍ତ୍ତମାନ ରିହାତି ଦରରେ ପାଞ୍ଚଶହ ଟଙ୍କାରେ ଏହିପରି ୨୫ଟି ବ୍ୟାଗ ଉପଲବ୍ଧ" କହନ୍ତି ମିସନର କର୍ମକର୍ତ୍ତା ଶ୍ରୀ ପ୍ରତାପନ । ଏହାକୁ ପ୍ରସାର କରିବାରେ ସୋସିଆଲ ମିଡିଆ ମଧ୍ୟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ବ୍ୟାଗ ଗୁଡ଼ିକ ଚାରିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ପାରେ।

ଭୁବନେଶ୍ଵରରେ କିଚେନ ଗାର୍ଡ଼ନ ଆନ୍ଦୋଳନ

"ସହରାଞ୍ଚଳରେ ଲୋକଙ୍କର ବଗିଚାରେ ସଉକ ବହୁଦିନରୁ ଅଛି, କିନ୍ତୁ ଭୁବନେଶ୍ଵର 'କିଚେନ ଗାର୍ଡ଼ନ ସଂଘ'ର ସଭ୍ୟମାନେ ତାହାକୁ ଏକ ଜୀବିକାଧାରାରେ ପରିଣତ କରିଛନ୍ତି" କହନ୍ତି ଭୁବନେଶ୍ଵର କିଚେନ ଗାର୍ଡ଼ନ ସଂଘ'ର ପ୍ରମୁଖ ସଭ୍ୟ ପ୍ରଭଞ୍ଜନ ମହାପାତ୍ର ।

ଅବସରପ୍ରାପ୍ତ କର୍ମଚାରୀ, ଗୃହିଣୀ, ଛାତ୍ର ତଥା ପେଷାଦାର ଓ ଅନ୍ୟାନ୍ୟ ଆଗ୍ରହୀ ବ୍ୟକ୍ତିମାନଙ୍କୁ ନେଇ ଗଠିତ ଏହି ସଂଘର ତିନିଶହରୁ ବେଶୀ ସଭ୍ୟ ମାନେ ଛାତ ଉପରେ ଏବେ ପନିପରିବା,ଫୁଲ ଫଳ ଓ ମସଲା ଗୁଳ୍ମ ଇତ୍ୟାଦି ଚାଷ କରୁଛନ୍ତି। ।

କିଛି ବର୍ଷ ପୂର୍ବେ ସରକାରୀ ଚାକିରୀରୁ ଅବସର ନେଇଥିବା ଶହୀଦନଗର ବାସିନ୍ଦା ମହେଶ୍ଵର ଖିଲାର ଏଇ ସହରୀ କୃଷି ଆନ୍ଦୋଳନର ନେତୃତ୍ଵ ନେଇଛନ୍ତି। ସେ ସଭ୍ୟମାନଙ୍କୁ ଛାତଉପରେ ଘର ସାମନାରେ ଓ ପଛପଟ ଜାଗାରେ ବଗିଚା କରିବା ପାଇଁ ଅନୁପ୍ରାଣିତ କରିଥାନ୍ତି।

ଏହି ସହରୀ କୃଷକମାନେ ମାସରେ ଥରେ କୌଣସି ଜଣେ ସଭ୍ୟଙ୍କ ବଗିଚାରେ ଏକାଠି ହୋଇ ନିଜର ଅନୁଭୂତିକୁ ପରସ୍ପର ମଧ୍ୟରେ ବାଣ୍ଟିଥାନ୍ତି ତଥା ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଆଲୋଚନା କରିଥାନ୍ତି। ଫସଲରେ ରାସାୟନିକ ସାର କିମ୍ବା କୀଟନାଶକ ପ୍ରୟୋଗ କରାଯାଇନଥାଏ। ରୋଷେଇ ଘର ଓ ବଗିଚାର ଅଳିଆରୁ ଜୈବ କମ୍ପୋଷ୍ଟ ପ୍ରସ୍ତୁତ କରି ପାରମ୍ପାରିକ ରୀତିରେ ଚାଷ କରାଯାଇଥାଏ। ଘରର ଅବ୍ୟବହୃତ ପାତ୍ରଗୁଡ଼ିକରେ ପ୍ରାୟତଃ ବିଭିନ୍ନ ଚାରା ଲଗାଯାଇଥାଏ। ସ୍ଥାନୀୟ ଅଞ୍ଚଳରୁ ସଂଗୃହୀତ ମଞ୍ଜିସବୁ ବ୍ୟବହାର କରାଯାଇଥାଏ । ସଭ୍ୟମାନେ ମଧ୍ୟ ନିଜମଧ୍ୟରେ ମଞ୍ଜିର ଆଦାନପ୍ରଦାନ କରି ପରସ୍ପରକୁ ଖୁସି କରି ଏହି ଅଭିଯାନକୁ ଆଗକୁ ବଢ଼ାଇଥାନ୍ତି।

ଭୁବନେଶ୍ଵରରେ ଯେଉଁମାନେ ଛାତଉପରେ ବଗିଚା କରିବାକୁ ଆଗ୍ରହୀ ସେମାନଙ୍କ ପାଇଁ ଖୁସିର ଖବର ଏହି ଯେ ଏହି ଚାଷକୁ ଉତ୍ସାହିତ କରିବାପାଇଁ ସଂଘର ଉଦୀୟମାନ ସଭ୍ୟ ପ୍ରଭଞ୍ଜନ ମହାପାତ୍ର ଏକ ଷ୍ଟାର୍ଟଅପ୍ କମ୍ପାନୀ ଆରମ୍ଭ କରିଅଛନ୍ତି। ତାଙ୍କର ଟିମ୍ ନୂତନ ବଗିଚା କରିବାରେ ସହାୟତା କରିଥାନ୍ତି। ସେମାନେ ବଗିଚାର ପ୍ଳାନଠାରୁ ଆରମ୍ଭ କରି ବଗିଚାର ବିଭିନ୍ନ ଉପକରଣ,ବିହନ,ଚାରା,ଗାମଲା, ଜୈବିକ ସାର ଓ କୀଟନାଶକ ଇତ୍ୟାଦି ଯୋଗାଇ ଦେଇଥାନ୍ତି। ଏହି 'କିଚେନ ଗାର୍ଡ଼ନ ସଂଘ'ର ସଭ୍ୟମାନେ ଆଶା କରନ୍ତି ଯେ ୨୦୧୬ ମଧ୍ୟରେ ସେମାନଙ୍କର ସଭ୍ୟ ସଂଖ୍ୟା ୧୦୦୦ ଛୁଇଁବ।

Facebook Page ସବୁଜ ମିତ୍ର

ଯୋଗାଯୋଗ - 

ମହେଶ୍ଵର ଖିଲାର - 9437455680

ପ୍ରଭଞ୍ଜନ ମହାପାତ୍ର - 9437189814,9040289814