ଝିଅଙ୍କ ସମ୍ମାନ ପାଇଁ କଳା ଚାର୍ଲୁଙ୍କ ନିଆରା ଅଭିଯାନ

ଝିଅଙ୍କ ସମ୍ମାନ ପାଇଁ କଳା ଚାର୍ଲୁଙ୍କ ନିଆରା ଅଭିଯାନ

Monday November 16, 2015,

5 min Read

ଦୁର୍ଘଟଣାରେ ଝିଅ ତାଙ୍କର ସବୁଦିନ ପାଇଁ ଚାଲିଗଲା । ଏକମାତ୍ର ଝିଅକୁ ହରାଇ କଳା ଚାର୍ଲୁଙ୍କ ଜୀବନ ଅନ୍ଧାର ହୋଇଗଲା। ତଥାପି ହାରିନଥିଲେ କଳା । ସମାଜର ଆହୁରି ଅନେକ ଝିଅଙ୍କ ସମସ୍ୟା ଦୂର କରି ସେମାନଙ୍କ ଭବିଷ୍ୟତ ଆଲୋକିତ କରିବାର ଲକ୍ଷ୍ୟ ନେଇ ସେ ଆଗେଇ ଆସିଲେ । ଜଣେ ମହିଳା ଭାବେ ସେ ମାସିକ ଋତୁସ୍ରାବ ସମୟରେ ଝିଅମାନେ ଭୋଗୁଥିବା ସମସ୍ୟାକୁ ଭଲ ଭାବେ ବୁଝିଥିଲେ । ମାସିକ ଋତୁସ୍ରାବ ବେଳେ ଅନେକ ଝିଅ ଅର୍ଥାଭାବରୁ ନ୍ୟାପକିନ୍ କିଣିପାରନ୍ତିନି । ଆଉ ଅପରିଚ୍ଛନ୍ନ କପଡା ବ୍ୟବହାର କରନ୍ତି । ଋତୁସ୍ରାବ ସମୟରେ ଗରିବ ଝିଅମାନେ କିପରି ପରିଚ୍ଛନ୍ନ ରହିବେ ସେଥିପାଇଁ ଶସ୍ତାରେ ନ୍ୟାପକିନ୍ ବାଣ୍ଟିବା ଆରମ୍ଭ କରିଥିଲେ କଳା । ବ୍ୟବହୃତ ନ୍ୟାପକିନ୍ ଗୁଡିକ ବାହାରେ ପଡି ପରିବେଶ ନଷ୍ଟ ହେଉଥିବାର ଦେଖିଥିଲେ । ତେଣୁ ପରିବେଶ ପ୍ରତି କ୍ଷତି ପହଞ୍ଚାଉ ନଥିବା ତଥା ସହଜରେ ନଷ୍ଟ ହେଉଥିବା ଏକପ୍ରକାର ନ୍ୟାପକିନ୍ ପ୍ରସ୍ତୁତ କରିବାର ଚିନ୍ତା କରିଥିଲେ । ତାଙ୍କର ଏହି ଚିନ୍ତାର ସଫଳ ରୂପାୟନ ବି ହୋଇଥିଲା । ଗୋଟିଏ ବସ୍ତିରୁ ଆରମ୍ଭ ହୋଇଥିବା କଳାଙ୍କର ଏହି ଅଭିଯାନ ଏବେ ବହୁ ସ୍କୁଲରେ ପହଞ୍ଚିଲାଣି । ଝିଅମାନଙ୍କ ସମ୍ମାନ ପାଇଁ ସେ ଆରମ୍ଭ କରିଥିବା ଏକ ଛୋଟ ଅଭିଯାନ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

image


ଏକମାତ୍ର ଝିଅ ସଡକ ଦୁର୍ଘଟଣାରେ ଅକାଳରେ ଚାଲିଯିବା ପରେ କଳା ଚାରଲୁ ସାମୟିକ ଭାବେ ଭାଙ୍ଗି ପଡିଥିଲେ । ମାତ୍ର ସମାଜରେ ଥିବା ଅନ୍ୟ ଝିଅମାନେ ଯେମିତି ଖୁସି ଓ ସମ୍ମାନର ସହ ବଞ୍ଚିବେ ସେଥିପାଇଁ ସେ ଏହି ଅଭିଯାନ ଆରମ୍ଭ କଲେ । ପ୍ରାୟ ପାଞ୍ଚ ବର୍ଷ ତଳେ ସେ ଆରମ୍ଭ କଲେ ଏକ ସଂଗଠନ ମିଟୁ (MITU) ବା Multiple Initiatives Towards Upliftment । ଏହି ସଂଗଠନ ମାସିକ ଋତୁସ୍ରାବ ସମୟରେ ମହିଳାମାନେ ନିଜକୁ ପରିଚ୍ଛନ୍ନ ରଖିବା ସହିତ ସେମାନଙ୍କ ପାଇଁ ନିଯୁ୍କ୍ତି ସୁଯୋଗ ସୃଷ୍ଟି କରିବା ଉପରେ କାମ କରୁଛି ।

କଳା ଜଣେ ଚମକ୍ତାର ବ୍ୟକ୍ତିତ୍ୱ । ଗୃହ ବିଜ୍ଞାନରେ ସ୍ମାତକ ଡିଗ୍ରୀ କରିବା ସହ ପୋଷଣ ବିଜ୍ଞାନରେ ମଧ୍ୟ ଡିପ୍ଲୋମା ହାସଲ କରିଛନ୍ତି ସେ । ଏହାଛଡା ଖେଳରେ ବି ତାଙ୍କ ରୁଚି ଥିଲା । କର୍ଣ୍ଣାଟକ ତରଫରୁ ସେ ବାସ୍କେଟ୍ ବଲ୍ ଓ ପ୍ରତିଯୋଗିତାମୂଳକ ରାଇଫଲ୍ ସୁଟିଂରେ ପ୍ରତିନିଧିତ୍ୱ କରିଛନ୍ତି । କଳା କୁହନ୍ତି, "ମୋର ପାଞ୍ଚଜଣ ଭଉଣୀଙ୍କ ମଧ୍ୟରୁ ମୁଁ ସବୁଠୁ ସାନ ଥିଲି । ବାପା ଆମ ସମସ୍ତଙ୍କୁ କିଛି ଭିନ୍ନ ଶିକ୍ଷା ଦେବା ଓ ପଢା ଚୟନରେ ସ୍ୱାଧୀନତା ଦେବାକୁ ଚାହୁଁଥିଲେ।" ପ୍ରାୟ ୧୦ବର୍ଷ ତଳେ କଳାଙ୍କ ସ୍ୱାମୀ ଚାକିରିରୁ ଅବସର ନେବା ପରେ ସେ ନିଜ ଝିଅ ମୈତ୍ରୀ ଓ ବାପାଙ୍କୁ ଧରି ବାଙ୍ଗାଲୋର ଚାଲି ଆସିଥିଲେ ।

କଳା କୁହନ୍ତି, ଝିଅ ମୈତ୍ରୀକୁ ୨୬ବର୍ଷ ବୟସ ହୋଇଥିବାବେଳେ ସେ ଏକ ସଡକ ଦୁର୍ଘଟଣାର ଶିକାର ହେଲେ । ଅକାଳରେ ତାଙ୍କ ଜୀବନ ଚାଲିଗଲା । ଏହି ଘଟଣା ତାଙ୍କୁ ଗଭୀର ଆଘାତ ଦେଲା । ଅନ୍ୟ ଝିଅଙ୍କ ପାଇଁ ସେ କିଛି କରିବାକୁ ଚିନ୍ତା କଲେ । ପ୍ରଥମେ ବସ୍ତିର ଗରିବ ଲୋକଙ୍କୁ ଶାଢି ଓ କିଛି ଅନ୍ୟ ସାମଗ୍ରୀ ବାଣ୍ଟିଲେ । କଳାଙ୍କ କହିବା ଅନୁସାରେ, ସେ ଆରମ୍ଭ କରିଥିବା ଏହି କାମ ବ୍ୟକ୍ତିଗତ ଭାବେ ତାଙ୍କୁ ସନ୍ତୋଷ ଦେଲାନି । ଲୋକେ ମଧ୍ୟ ଶାଢି ପାଇବା ପରେ ବି ସନ୍ତୁଷ୍ଟ ହେଲେନି । କିଏ ରଙ୍ଗକୁ ନେଇ ତ ଆଉ କିଏ ଅନ୍ୟ କୌଣସି କାରଣରୁ ଅସନ୍ତୋଷ ପ୍ରକାଶ କଲେ । ଏହି ଘଟଣାରୁ କଳାଙ୍କୁ ବହୁତ କିଛି ଶିଖିବାକୁ ମିଳିଲା । ସେ ଝିଅମାନଙ୍କ ପାଇଁ ଭିନ୍ନ କିଛି କରିବାକୁ ଚାହୁଁଥିଲେ ଯାହାଦ୍ୱାରା ସେ ଆତ୍ମସନ୍ତୋଷ ପାଇବା ସହିତ ଝିଅମାନେ ବି ଉପକୃତ ହେବେ । ଏହି ଲକ୍ଷ୍ୟ ନେଇ ସେ ‘MITU’ ନାମକ ସଂଗଠନ ଗଢି ନିଜ ସ୍ୱପ୍ନକୁ ଆଗଇ ନେଲେ ।

image


ଧୀରେଧୀରେ ‘MITU’ ର ବିଭିନ୍ନ କାର୍ଯ୍ୟକ୍ରମ ସହ ଅନେକ ଲୋକେ ଯୋଡି ହେଉଥିଲେ । ଚିହ୍ନା ଓ ଅଚିହ୍ନା ସମସ୍ତେ ‘MITU’ ର ଅଭିଯାନରେ ସାମିଲ ହେଲେ । କିଏ ଆର୍ଥିକ ସହାୟତା କରୁଥିଲା ତ ଆଉ କିଏ ଏଥିରେ ସ୍ଥାୟୀ ସ୍ୱେଚ୍ଛାସେବୀ ଭାବେ କାମ କରି କଳାଙ୍କର ଏହି ମହତକାକ୍ଷୀଂ ଅଭିଯାନକୁ ଆହୁରି ଆଗକୁ ନେଉଥିଲେ । ମିଟୁ ତିଆରି କରୁଥିବା ବିଭିନ୍ନ ସାମଗ୍ରୀ କିଣିବା ଓ ଏହାର ମୂଳ ଅଭିଯାନ menstrual hygiene management(MHM) ବା ମାସିକ ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବାକୁ ବହୁ ଲୋକେ ସହଯୋଗ କରୁଥିଲେ ।

‘MITU’ ହାସଲ କରିଥିବା ସଫଳତା ବାବଦରେ କଳା କୁହନ୍ତି, ‘ଏପ୍ରିଲ ୨୦୦୯ରେ ଯେତେବେଳେ ଏହି ସଂଗଠନ ଆରମ୍ଭ କଲି ସେତେବେଳେ ଏହାକୁ ନେଇ କିଛି ନିର୍ଦ୍ଧିଷ୍ଟ ଲକ୍ଷ୍ୟ ରଖିନଥିଲି । ପରେ ମୁଁ ସାମାଜିକ ସଂଗଠନ ‘Goonj’ MHM କୁ ନେଇ ଏହାର କାର୍ଯ୍ୟଶୈଳୀ ବିଷୟରେ ବହୁ ପଢାପଢି କଲି । ସାମୟିକ ଭାବେ ଆମେ କିଛି ପୁରୁଣା କପଡା ଓ ଦର୍ଜିର ବଳକା କପଡାରୁ ସାନିଟାରୀ ପ୍ୟାଡ୍ ବା ନ୍ୟାପକିନ୍ ତିଆରି ପାଇଁ ଚେଷ୍ଟା କରିଥିଲୁ । ମାତ୍ର ପରେ ଆମେ ଅନୁଭବ କଲୁ ମାଗଣାରେ ବାଣ୍ଟିଲେ ମଧ୍ୟ ଏହି ନ୍ୟାପକିନ୍ ବ୍ୟବହାର ପାଇଁ କେହି ନେବେନି । ତେଣୁ ଆମେ ଆମର ଯୋଜନା ବଦଳାଇ ଦେଲୁ । ଏଥିପାଇଁ ଆମେ ଦର୍ଜିର ଅଦରକାରୀ କପଡାରୁ ବ୍ୟାଗ୍ ଓ କପଡାର ଅନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ତିଆରି ପାଇଁ ଚିନ୍ତା କଲୁ । ଆଉ ଏହା ବିକ୍ରି କରି କମ୍ ଟଙ୍କା ଓ କମ୍ ରାସାୟନିକ ସାମଗ୍ରୀ ବ୍ୟବହାର ହେଉଥିବା ସାନିଟାରୀ ନ୍ୟାପକିନ୍ ଯୋଗାଇବାକୁ ଯୋଜନା କଲୁ। କମ୍ ରାସାୟନିକ ଥିବା କାରଣରୁ ପରିବେଶ ପ୍ରତି ମଧ୍ୟ ବିଶେଷ କ୍ଷତି ପହଞ୍ଚିବନି । ଆମର ‘Donate for Dignity’ ବାର୍ତ୍ତା ସଫଳ ହେଲା । ଆମେ ବାଙ୍ଗାଲୋର ସହରର ବହୁ ଅନୁଷ୍ଠାନ ଓ ସରକାରୀ ସ୍କୁଲରେ ପଢୁଥିବା ଝିଅମାନଙ୍କୁ ସାନିଟାରୀ ନ୍ୟାପକିନ୍ ଯୋଗାଇବାରେ ସକ୍ଷମ ହେଲୁ ।’

ସେ ଆହୁରି କୁହନ୍ତି, ୨୦୧୨ରେ MHM ସଚେତନତା ବାର୍ତ୍ତାକୁ କର୍ଣ୍ଣାଟକ ତୁମକୁର ଜିଲ୍ଲାର ତୁରୁଭେକ୍ରେ ତହସିଲ ଅଞ୍ଚଳରେ ଥିବା ସ୍କୁଲଗୁଡିକରେ ପ୍ରଚାର କରିବାକୁ ସୁଯୋଗ ପାଇଲୁ । ସେହିପରି ୨୦୧୪ରେ MITU ଦ୍ୱାରା ଆମେ ଚିତ୍ରଦୁର୍ଗା ଜିଲ୍ଲାର ମୋଲ୍କାଲମୁରୁ ତହସିଲ ଅଞ୍ଚଳରେ ଥିବା ସବୁ ସରକାରୀ ସ୍କୁଲର ବାଳିକାଙ୍କୁ MHM ବାବଦରେ ସଚେତନ କଲୁ । ନିକଟରେ ସଂଗଠନ ପକ୍ଷରୁ ତୁରୁଭେକ୍ରେ ତହସିଲ ଅଞ୍ଚଳର ୧୭ଟି ସ୍କୁଲର ଛାତ୍ରୀ ଶୌଚାଳୟରେ ମାନୁଆଲ୍ ଇନ୍ସିନରେଟରସ୍ ତିଆରି କରାଯାଇଛି । ଏହା ସାହାଯ୍ୟରେ ଛାତ୍ରୀମାନେ ବ୍ୟବହାର କରୁଥିବା ନ୍ୟାପକିନ୍ଗୁଡିକୁ ଉପଯୁକ୍ତ ଭାବେ ନଷ୍ଟ କରାଯାଇପାରୁଛି । ଏହାସହ ଏହି ଅଞ୍ଚଳର ହଟ୍ଟିହାଲି ଗାଁରେ ସଂଗଠନ ଏକ ନ୍ୟାପକିନ୍ ତିଆରି ୟୁନିଟ୍ ଆରମ୍ଭ କରିଛି ।

୨୦୧୪ ଆର୍ଥିକ ବର୍ଷରେ MITU ର ପ୍ରାୟ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ଥିଲା । ଏହାର ସବୁ ଅନୁଦାନ ପ୍ରାୟତଃ ଦାନ ସୂତ୍ରରେ ଓ ପ୍ରସ୍ତୁତ ହେଉଥିବା କପଡା ସାମଗ୍ରୀ ବିକ୍ରିରୁ ମିଳିଥିଲା । ସଂଗଠନର ଏକ ୮ରୁ ୧୦ଜଣିଆ ମହିଳା ଗ୍ରୁପ୍ ଏସବୁକୁ ପ୍ରସ୍ତୁତ କରୁଛନ୍ତି । ଏ ବିଷୟରେ କଳା କୁହନ୍ତି, ଝିଅକୁ ହରାଇବା ପରେ ମୋତେ ବହୁତ ବଡ ଝଟକା ଲାଗିଥିଲା । ଏହି ସମୟକୁ ସାମ୍ନା କରିବା ମୋ ଜୀବନରେ ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା । ଏହି କ୍ଷତ ଶୁଖିବାକୁ ବେଶ୍ କିଛି ଦିନ ଲାଗିଥିଲା । ତେବେ ବାପା ଦେଇଥିବା ପରାମର୍ଶ ସବୁବେଳେ ମୋତେ ଆଗକୁ ବଢିବାକୁ ପ୍ରେରଣା ଦେଉଥିଲା ।

ଆମ ଦେଶରେ MHM ବାବଦରେ ସଚେତନତା ଉପରେ ତାଙ୍କ ମତ ହେଉଛି, ସରକାର ଏବେ ଏହି ଉପରେ ସଚେତନତା ପାଇଁ ସରକାର ସକ୍ରିୟ ହେଲେଣି । ସାରା ଦେଶରୁ ବହୁ ଲୋକେ ଏହା ଉପରେ କାମ କରୁଛନ୍ତି । ତେବେ ବାଟ ଏତିକିରେ ସରିନି । ଆହୁରି ବହୁତ ଆଗକୁ ଯିବାର ଅଛି । ଋତୁସ୍ରାବକୁ ନେଇ ବହୁ ଅନ୍ଧବିଶ୍ୱାସ ଓ ଭୁଲ୍ ଚିନ୍ତାଧାରା ଲୋକଙ୍କ ଭିତରେ ରହିଛି । ଏହାକୁ ପରିବର୍ତ୍ତନ କରିବାକୁ ଆହୁରି ଅନେକ ପଦକ୍ଷେପ ଦରକାର ଅଛି । ଏହାକୁ ନେଇ ଆବଶ୍ୟକ ଶିକ୍ଷା ଦେବା, ମାସିକ ଋତୁସ୍ରାବ ବେଳେ ସ୍ୱାସ୍ଥ୍ୟ ରକ୍ଷା ଓ ପରିଚ୍ଛନ୍ନତା ପାଇଁ ଶସ୍ତାରେ ସାନିଟାରୀ ନ୍ୟାପକିନ୍ ଯୋଗାଇବା ଓ ପରିବେଶ ଉପରେ ଖରାପ ପ୍ରଭାବ କମ୍ କରିବାକୁ ଏହାକୁ ଠିକ୍ ଉପାୟରେ ନଷ୍ଟ କରିବା ବାବଦରେ ସଚେତନତା ଜରୁରୀ ।

କଳା କୁହନ୍ତି, ‘ନିଷ୍ଠା, ଦୃଢ ଇଚ୍ଛା ଓ ବିଶ୍ୱାସ ଦ୍ୱାରା ଆଗେଇଲେ ସବୁ କିଛି ସମ୍ଭବ । MITU ରେ କାମ କରିବା ଭିତରେ ଏସବୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଛି । ମୁଁ ମ୍ୟାନେଜମେଣ୍ଟ କି ଫାଇନାନ୍ସ ପାଠ ପଢିନି । କେବଳ ନିଜ ଭିତରେ ଥିବା ଇଚ୍ଛାକୁ କାମରେ କରି ଦେଖାଉଛି । ସବୁ କାମ ଭିତରେ ବି ପରିବାରକୁ ବି ଯଥେଷ୍ଟ ସମୟ ଦିଏ ।’

ଭବିଷ୍ୟତରେ MITU କୁ ଏକ ମୂଲ୍ୟବୋଧଭିତ୍ତିକ ଓ ସୁବ୍ୟବସ୍ଥିତ ସଂସ୍ଥା ଭାବେ ଗଢିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଏହା କେବଳ ‘ୱାନ୍ ୱିମେନ୍ ସୋ’ ନୁହେଁ, ବରଂ ସବୁ ମହିଳା ଯୋଡି ହୋଇ କାମ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।