ସିଲିକନ୍‌ ଭ୍ୟାଲିର ଏକ୍ସପର୍ଟରୁ କାଶ୍ମୀର ଉପତ୍ୟକାର ‘ପଶ୍ମିନା’ ସୌଦାଗର : ଛେଳି, ଜଗୁଆଳୀ ଓ ବୁଣାକାରଙ୍କ ତ୍ରାଣକର୍ତ୍ତା ବାବର୍‌

ସିଲିକନ୍‌ ଭ୍ୟାଲିର ଏକ୍ସପର୍ଟରୁ କାଶ୍ମୀର ଉପତ୍ୟକାର ‘ପଶ୍ମିନା’ ସୌଦାଗର :
ଛେଳି, ଜଗୁଆଳୀ ଓ ବୁଣାକାରଙ୍କ ତ୍ରାଣକର୍ତ୍ତା ବାବର୍‌

Monday December 21, 2015,

8 min Read

ମୃତ୍ୟୁର ଅନୁଭୂତି

ଯେଉଁ ସମୁଦାୟକୁ ସେ ସୁରକ୍ଷା ଦେବାକୁ ଲକ୍ଷ୍ୟ ରଖିଥିଲେ ସେମାନଙ୍କ ପରିଶ୍ରମକୁ ଅଙ୍ଗେ ଲିଭାଇବା ପାଇଁ ଉଦ୍ୟୋଗ ଆରମ୍ଭ କରିବା ପୂର୍ବରୁ ବାବର୍ ନିଜେ ଛେଳି ଜଗୁଆଳି ହେବାକୁ ପଛାଇ ନଥିଲେ। ଆଉ ଏହାରି ଭିତରେ ସେ ମୃତ୍ୟୁକୁ ଖୁବ୍ ନିକଟରୁ ଦେଖିଥିଲେ। “ ମୁଁ ଜାଣିବାକୁ ପାଇଲି ଲେହ ପାଖାପାଖି ଏକ ଗାଁରେ ପଶ୍ମିନା ପ୍ରଜାତିର ଛେଳି ଗୋଠକୁ ଗୋଟିଏ ହେଟାବାଘ ଆକ୍ରମଣ କରିଛି। ମୁଁ ଯେଉଁଠି ଥିଲି ସେଠାରୁ ୬୦-୭୦ କିଲୋମିଟର ଦୂରରେ ଘଟିଥିଲା ଘଟଣା ଓ ସେତେବେଳକୁ ଅପରାହ୍ନ ହୋଇସାରିଥିଲା। ତଥାପି ସେହି ଗାଁରେ ପହଂଚିଗଲି ସଂଧ୍ୟାରେ। ଆକ୍ରମଣ ଘଟିଥିବା ଯାଗାଟି ସେଠାରୁ ଥିଲା ଦେଢ କିଲୋମିଟର ଉଚ୍ଚ । ଗୋଟିଏ ଛୋଟ ଛୁରି ଧରି ହେଟାବାଘମାନଙ୍କୁ ମୁକାବିଲା କରିବାକୁ ସେହି ଅନ୍ଧାରରେ ଚଢିବା ଆରମ୍ଭ କଲି। ୧୪ ହଜାର ଫୁଟ ଚଢିବା ଗୋଟାଏ ବଡ ଭୁଲ ନିଷ୍ପତି ଥିଲା। ସେଠାରେ ମୁଁ ଅଣନିଶ୍ୱାସୀ ହୋଇପଡିଲି ଓ ଅଚେତ ହୋଇ ପଡିଗଲି।”

ବାବର ଆଫଜଲ

ବାବର ଆଫଜଲ


ସେଦିନ ସେହି ଛେଳି ଜଗୁଆଳୀମାନେ ହିଁ ବାବର୍‌ଙ୍କୁ ଉଦ୍ଧାର କଲେ। ସେମାନେ ସେଦିନ ସିନା ନିଜ ଛେଳି ଗୋଠକୁ ହରାଇଲେ, କିନ୍ତୁ ତାଙ୍କୁ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବଂଚାଇ ଦେଲେ। ଚେତା ଫେରିଲା ବେଳକୁ ବାବର୍‌ ନିଜକୁ ଦିଲ୍ଲୀର ଏକ ହସ୍ପିଟାଲ୍‌ରେ ପାଇଲେ। ସେହିଦିନ ଠାରୁ ପଶ୍ମିନା ଛେଳି ଜଗୁଆଳୀଙ୍କ ଜୀବିକା ସୁର‍‍‌କ୍ଷା ପାଇଁ ଥିବା ସଂକଳ୍ପ ବହୁଗୁଣିତ ହୋଇ ଯାଇଥିଲା।

ମଣିଷକୁ ଜଣାଥିବା ସର୍ବୋକୃଷ୍ଟ ବୟନ ସାମଗ୍ରୀ

ନିଜର ଉଦ୍ୟୋଗ କାଶ୍ମିର ଇଂକ୍ ଆରମ୍ଭ କରିବା ଧାରଣା କିପରି ଆସିଲା ବୋଲି ପଚାରା ଯିବାରୁ ବାବର୍‌ ଅଫଜଲ୍ କୁହନ୍ତି, ଏହା ଏକ ଭିନ୍ନ ଅନୁଭୂତି ଥିଲା । ଏହା ଆସିଥିଲା ଯେଉଁମାନେ ପଶ୍ମିନା ଛେଳିକୁ ଶହ ଶହ ବର୍ଷ ଧରି ସୁରକ୍ଷା ଦେଇ ଆସୁଛନ୍ତି। ଏହା ଆସିଥିଲା ସେହି ବସ୍ତ୍ରରୁ ଯାହା ସାରା ବିଶ୍ୱରେ ଆରାମଦାୟକ ସାମଗ୍ରୀର ଶୀର୍ଷରେ ରହିଛି। ଏମିତି ଏକ ସ୍ଥାନରୁ ଏହା ଆସିଥିଲା ଯାହା ପାଣିପାଗ ପରିବର୍ତ୍ତନର ପ୍ରଭାବ ଦ୍ୱାରା ସାଂଘାତିକ ଭାବେ ପ୍ରଭାବିତ। ଆଉ ଏମିତି ଏକ ସ୍ଥାନରୁ ଯାହା ହିଂସା ଓ ଆତଙ୍କବାଦ ପାଇଁ ପରିଚିତ ଥିଲା।

ଏହା ଥିଲା ମୋର ନିଜର ଯାତ୍ରା ଯେଉଁଥିରେ ମୁଁ କର୍ପୋରେଟ୍ କ୍ୟାରିୟର୍ ଛାଡି ପଶ୍ମିନାର ସୁରକ୍ଷା ପାଇଁ ଆଗେଇ ଆସିଥିଲି। ଆଉ ଏହି ପ୍ରକ୍ରିୟା ଦ୍ୱାରା ସେହି ସମୂଦାୟ ମଣିଷକୁ ଜଣାଥିବା ସର୍ବୋକୃଷ୍ଟ ଫେବ୍ରିକ୍ ଦେଇଛି।

image


‘ପଶ୍ମିନା ଶବ୍ଦଟି ପାର୍ସି ଶବ୍ଦ ‘ପାସ୍‌ମ’ରୁ ଆସିଛି। ଯାହାର ଅର୍ଥ ଉଲ୍। ପ୍ରକୃତ ପଶ୍ମିନା ଉଲ୍ ହିମାଳୟର ଛାଙ୍ଗତାଙ୍ଗି ଛେଳିଙ୍କ ଠାରୁ ମିଳିଥାଏ। ଅତ୍ୟନ୍ତ ଥଣ୍ଡା ପରିବେଶରେ ସେମାନେ ବଢିଥାନ୍ତି ଓ ବଂଚିବା ଲାଗି ସେମାନେ ଏହି ଉଲ୍ ତାଙ୍କ ଦେହର ଜାତ ହୋଇଥାଏ। ସେଠାକାର ସମୂଦାୟକୁ ଆର୍ଥନୈତିକ ଭାବେ ସକ୍ଷମ କରିବା ଲାଗି ଭାରତରେ ପଶ୍ମିନା ଶିଳ୍ପ ସୃଷ୍ଟି ହୋଇଛି।

ସିଲିକନ୍‌ ଭାଲି ଲାଇଫ୍ ଷ୍ଟାଇଲ୍ ଛାଡି ଛେଳି ଜଗୁଆଳୀ

ବାବର୍‌ ଜଣେ ସୂଚନା ସୁରକ୍ଷା ବିଶେଷଜ୍ଞ ହ୍ୟାକର ଭାବେ ମାସିକ ୧୮ରୁ ୨୫ ହଜାର ଆମେରିକୀୟ ଡଲାର ଉପାର୍ଜନ କରୁଥିଲେ। ସେଠାରେ ସବୁ ପ୍ରକାର ସୁବିଧା ଥିଲା। ମାଗଣା ଯିବା ଆସିବା ଓ ରହିବା। ପୁଣି ମୁଁ ନିଜକୁ ଭାଗ୍ୟବାନ୍ ବୋଲି ଭାବୁଥିଲି କାରଣ ଏହି କ୍ଷେତ୍ରରେ ବହୁ ବିଶେଷଜ୍ଞ ନଥିଲେ। ପୁଣି ୯/୧୧ ଆକ୍ରମଣ ପରେ ଆମ ପେଶାଦାରଙ୍କ ଚାହିଦା ବଢି ଯାଇଥିଲା ବୋଲି ସେ କୁହନ୍ତି।

image


ନିଜ ମାତୃଭୂମି କାଶ୍ମୀରକୁ ଫେରି ଜଣେ ସାମାଜିକ କର୍ମୀ ଓ ଛେଳି ଜଗୁଆଳି ହେବା ପୂର୍ବରୁ ମୁଁ ଭାରତ, ଆମେରିକା, ବ୍ରିଟେନ୍ ଓ ମଧ୍ୟ ପ୍ରାଚ୍ୟରେ ଟେକ୍ନୋଲୋଜି ଆନାଲିଷ୍ଟ, ବିଜିନେସ୍ ପରାମର୍ଶଦାତା ଓ ହ୍ୟାକର ଭାବେ କାମ କରୁଥିଲି। ମୁଁ ଏଥିରେ ୨୫ରୁ ଉର୍ଦ୍ଧ୍ୱ ଆନ୍ତର୍ଜାତିକ ବ୍ୟବସାୟ ଓ କମ୍ପୁଟର ସାର୍ଟିଫିକେସନ୍ ପାଇଛି। ଏଥି ମଧ୍ୟରେ ଅଛି PMI (USA)ରୁ ପାଇଥିବା PMP ସାର୍ଟିଫିକେଟ୍।

ଆର୍କର୍ଷଣୀୟ ଦରମା ଓ ସିଲିକନ୍ ଭ୍ୟାଲିର ଜୀବନ ଶୈଳୀରେ ଭାରତର ସମ୍ଭ୍ରାନ୍ତମାନଙ୍କ ଭଳି ସେ ଜୀବନ ଅତିବାହିତ କରୁଥିଲେ। କିନ୍ତୁ ଅର୍ଥହୀନ ସଫଳତାର କିଛି ମାନେ ନଥିବାର ଏକ ନିଛକ ଉଦହରଣ ପାଲଟିଥିଲେ ବାବର୍‌। ସବୁ ଛାଡି ଦେଇ କାଶ୍ମୀର ପଶ୍ମିନା ପରିବେଶକୁ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ହୋଇଥିଲେ।

ବାବର କୁହନ୍ତି, “୨୦୦୯ରେ ଯେତେବେଳେ ମୋର ଅଭିଯାନ ଆରମ୍ଭ ହୋଇଥିଲା, ମୁଁ ଉପତ୍ୟକାର ଦୁଃଖଦ ପରିସ୍ଥିତିକୁ ସେତେଟା ବୁଝିପାରିନଥିଲି। ଏବେ ମୁଁ ସବୁଦିନ ସେହି ପରିସ୍ଥିତିକୁ ସାମ୍ନା କରୁଛି, ଆଉ ଲାଗୁଛି ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦ ଅପେକ୍ଷା ପାଣିପାଗ ପରିବର୍ତ୍ତନ ବଡ ବିପଦ।”

ଆତଙ୍କବାଦଠାରୁ ଜଳବାୟୁ ପରିବର୍ତ୍ତନ ବେଶୀ ଭୟଙ୍କର

୨୦୦୯ରେ ଏକ ମରୁଡି ଛାଂଗ୍‌ଥାଂଗ୍‌ରେ ଥିବା ସୋ କାର୍ ହ୍ରଦକୁ ପ୍ରାୟ ଶୁଷ୍କ କରିଦେଇଥିଲା। ୨୦୧୦ରେ ବନ୍ୟା ସବୁ ଧୋଇନେଲା। ୨୦୧୨ରେ ମରୁଡି ଓ ବରଫପାତ ଯୋଗୁଁ ଛାଂଗ୍‌ଥାଂଗ୍‌ରେ ୨୫ ହଜାର ପଶ୍ମିନା ଛେଳି ମରି ଯାଇଥିଲେ।

୨୦୧୪ରେ କାଶ୍ମୀରେ ଭୟଙ୍କର ବନ୍ୟା ସାରା ଦେଶ ଠାରୁ ଏହି ରାଜ୍ୟକୁ ବିଚ୍ଛିନ୍ନ କରିଦେଇଥିଲା। ଏହା ବ୍ୟତୀତ ଅନେକ କାରଣ ପଶ୍ମିନାକୁ ନେଇ ବଂଚୁଥିବା ସମୁଦାୟଙ୍କ ଜୀବିକା ଉପରେ ସଂକଟ ହୋଇ ଛିଡା ହେଉଛି। ଯେମିତିକି ମେସିନ୍ ତନ୍ତର ପ୍ରତିଯୋଗିତା, ନକଲି ପଶ୍ମିନା ବସ୍ତ୍ର ପ୍ରସ୍ତୁତି, ଶ୍ରମିକମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ନ ମିଳିବା, ଜଗୁଆଳିଙ୍କ ସଂଖ୍ୟା କମିଯିବା, ଛେଳି ସଂଖ୍ୟା କମିବା, ଚୀନ୍‌ ଠାରୁ ପ୍ରତିଯୋଗିତା ଆଦି।

କାଶ୍ମୀର, କାଶ୍ମୀର ଉଲ୍ ଓ ପଶ୍ମିନା

ପଶ୍ମିନା ସହିତ ଭାରତର ସମ୍ପର୍କ କେଉଁ ଯୁଗର। ବାବର୍‌ କହନ୍ତି, “ ଚର୍ତ୍ତୁଦଶ ଶତାବ୍ଦୀର ଶେଷ ଆଡକୁ କବି ମୀର୍ ସୟିଦ୍ ଅଲି ହମ୍‌ଦାନି ହିମାଳୟ ଛେଳିଙ୍କ ଉଲ୍‌କୁ କାଶ୍ମୀରରେ ପରିଚିତ କରାଇଥିଲେ, ଯେଉଁଠାରୁ କ୍ୟାସ୍‌ମିର୍‌(cashmere) ଶବ୍ଦ ଆସିଥିଲା। ହମ୍‌ଦାନି କାଶ୍ମୀରରେ ବୟନ ଶିଳ୍ପ ବିକାଶ ପାଇଁ ସହଯୋଗ କରିଥିଲେ। କାଶ୍ମୀର ଶାସକ ଜୈନ-ଉଲ୍-ଆବିଦିନ୍‌ଙ୍କର ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ ଭୂମିକା ଥିଲା। ସେ ତୁର୍କିସ୍ତାନରୁ ଉନ୍ନତମାନର ଜ୍ଞାନକୌଶଳ ସହ ବୁଣାକାରମାନଙ୍କୁ ପରିଚିତ କରାଇଥିଲେ।

image


ଇଜିପ୍ଟରେ ଅଷ୍ଟାଦଶ ଶତାବ୍ଦୀରେ ନେପୋଲିୟନ୍ ବୋନାପାର୍ଟଙ୍କ ସମୟରେ ପସ୍‌ମିନା ପ୍ୟାରିସ୍‌କୁ ଯାଇଥିଲା। ୧୭୯୯-୧୮୦୨ରେ ଇଜିପ୍ଟରେ ଫ୍ରାନ୍ସ ଅଭିଯାନ ସମୟରେ ଏହା ପଶ୍ଚିମ ୟୁରୋପକୁ ବ୍ୟାପିଥିଲା। ନୋପୋଲିୟନ୍‌ଙ୍କ ପତ୍ନୀ ରାଣୀ ଜୋସେଫାଇନ୍ ପଶ୍ମିନା ଷ୍ଟାଇଲ୍‌ର ସାଲ୍ ଘୋଡିହେଉଥିଲେ। ଯାହା ସେତେବେଳେ ଉଚ୍ଚବର୍ଗଙ୍କ ପାଇଁ ଏକ ସମ୍ମାନର ପରିଚାୟକ ଥିଲା। ବର୍ତ୍ତମାନ ସମୟରେ ଏହା ଏକ ସ୍ଥାୟୀ ଆରାମଦାୟକ ଫେସନ୍ ପାଲିଟି ସାରିଛି।

image


ଭଲ ଭାବେ ବୁଣା ଯାଇଥିବା ଏକ ପଶ୍ମିନା ସାଲ୍ ମିଲନ୍ ଓ ପ୍ୟାରିସ୍‌ରେ ୨ ଲକ୍ଷ ଡଲାରରେ ବିକ୍ରି ହୋଇଥାଏ। କିନ୍ତୁ ଏହି ପଶ୍ମିନା ଛେଳିକୁ ବଂଚାଇ ରଖିଥିବା ଜଗୁଆଳୀ, ଏହାକୁ ପ୍ରତିକୂଳ ପରିସ୍ଥିତିରେ ବୁଣୁଥିବା ବୁଣାକାରଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ମଧ୍ୟସ୍ଥି ବା ଦଲାଲ୍‌ମାନଙ୍କ ଦ୍ୱାରା ସେମାନେ ଶୋଷିତ ହେଉଛନ୍ତି। ସେମାନଙ୍କୁ ଜଣାନାହିଁ ସେମାନେ ପ୍ରସ୍ତୁତ କରୁଥିବା କାର୍ଯ୍ୟର ପ୍ରକୃତ ମୂଲ କେତେ। ଯେବେ ଯେବେ ପ୍ରାକୃତିକ ଦୂର୍ବିପାକ ଆସେ, ସେମାନଙ୍କୁ ସର୍ବହରା କରିନିଏ ଓ ପୁଣି ସେମାନେ ନୂଆ କରି ଜୀବନ ଆରମ୍ଭ କରନ୍ତି।

ଯେତେବେଳେ ବାବର୍‌ ଏହି କ୍ଷେତ୍ରରେ ପ୍ରବେଶ କଲେ, ସେ ଦେଖିଲେ ହିମାଳୟ ଅଂଚଳ (ଲଦାଖ, ବାସୋଲି ଓ କାଶ୍ମୀର)ରେ ପଶ୍ମିନା ପରିବେଶ ସହ ସଂପୃକ୍ତି ରଖୁଥିବା ଲୋକଙ୍କ ସଂଖ୍ୟା କମିବାରେ ଲାଗିଛି | ସେ କୁହନ୍ତି, “ ପ୍ରତିକୂଳ ପରିସ୍ଥିତି, ୧୮ ହଜାର ଫୁଟ ଉଚ୍ଚତା ଓ -୩୦ ଡିଗ୍ରୀ ତାପମାତ୍ରାରେ କେବଳ ଏହି ସମୂଦାୟ ଓ ପଶ୍ମିନା ଛେଳି ଜଗୁଆଳି ହିଁ ତିଷ୍ଠି ରହିଛନ୍ତି ଓ ସାରା ବିଶ୍ୱକୁ ଉନ୍ନତ ମାନର ପୋଷାକ ଦେଇ ଆସୁଛନ୍ତି |”

ସେ ଆଶା କରୁଛନ୍ତି ଯେ ଏହି ଶିଳ୍ପକୁ ଅର୍ଥନୈତିକ ଭାବେ ଅର୍ଥପୂର୍ଣ କରିପାରିଲେ ସେମାନେ ଏହି ପରିସ୍ଥିତିରେ ଜୀବନ ନିର୍ବାହ କରିପାରିବେ। ସେ କୁହନ୍ତି, “ମୁଁ ବିଶ୍ୱାସ କରେ ଯେ ମୋର ସମୂଦାୟ ପାଇଁ ଏହା ମୁଁ ଦାୟୀ। ମୁଁ ଯେଉଁ ଲୋକଙ୍କ ପାଇଁ କାମ କରୁଛି, ସେମାନେ ନିଜ ସଂଗ୍ରାମ ନିଜେ ଲଢିପାରିନାହାନ୍ତି। ଏବେ ସେମାନଙ୍କୁ ସହଯୋଗ ନ କଲେ, ବହୁତ ବିଳମ୍ବ ହୋଇଯିବ। ”

୫୦ ହଜାର ଜଗୁଆଳୀ, ୩ ଲକ୍ଷ ବୁଣାକାର ଓ ୨ ଲକ୍ଷ ପଶ୍ମିନା ଛେଳି

image


କାଶ୍ମୀର ଲିଂକ୍ ଦ୍ୱାରା ପରିଚାଳିତ ପଶ୍ମିନା ଛେଳି ପ୍ରୋଜେକ୍ଟ ପରିସ୍ଥିତିର ମୁକାବିଲା ପାଇଁ ତିନିଟି ପଦ୍ଧତି ଆପଣେଇଛି। ବାବର କହନ୍ତି, ଏହି ପ୍ରୋଜେକ୍ଟର ମୁଖ୍ୟ ଲକ୍ଷ୍ୟ ହେଉଛି ପଶ୍ମିନା ପରିବେଶ ସୁରକ୍ଷା ପାଇଁ ଲଢେଇ କରିବା ଓ ୫୦ ହଜାର ଜଗୁଆଳୀ, ୩ ଲକ୍ଷ ବୁଣାକାର ଓ ମହିଳା ଏବଂ ୨ ଲକ୍ଷ ପଶ୍ମିନା ଛେଳିଙ୍କ ବିକାଶ ପାଇଁ କାମ କରିବା। ପ୍ରଥମ ଅଗ୍ରାଧିକାର ହେଉଛି ପଶ୍ମିନା ଛେଳିର ସୁରକ୍ଷା। ଦ୍ୱିତୀୟରେ ନକଲି ପଶ୍ମିନା ପ୍ରତି ସଚେତନତା ସୃଷ୍ଟି କରିବା ଯାହା ଏହି ଶିଳ୍ପକୁ ଧ୍ୱଂସ କରୁଛି। ତୃତୀୟରେ ଜଗୁଆଳୀ, ବୁଣାକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା।

ମଧ୍ୟସ୍ଥି ବ୍ୟବସ୍ଥା ହଟାଇବା

ମଧ୍ୟସ୍ଥି ବ୍ୟବସ୍ଥା ହଟାଇ ଏହି ସମୂଦାୟକୁ ସିଧାସଳଖ କ୍ରେତାଙ୍କ ସହ ସମ୍ପର୍କ କରାଯାଉଛି। ବାବର ଏ ବିଷୟରେ କୁହନ୍ତି, ଆମେ ସେମାନଙ୍କୁ ନିଲାମୀରେ ଭାଗ ନେବାରେ ସାହାଯ୍ୟ କରୁ ଓ ଅଧିକ ଦର ଦେଉଥିବା କ୍ରେତାଙ୍କୁ ହିଁ ଉତ୍ପାଦ ବିକ୍ରି କରାଯାଏ। ପଶ୍ମିନାକୁ ଆମେ ୧୦୦ଟି ରାଷ୍ଟ୍ରରେ ପରିଚିତ କରାଇଛୁ ଓ ଏହା କ୍ରୟ କରିବା ଦ୍ୱାରା ଏହି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଧରଣର ମାନ କିଭଳି ଉନ୍ନତ ହେବ, ତାହା ମଧ୍ୟ ବୁଝାଇବାକୁ ଚେଷ୍ଟା କରୁଛୁ।

image


ସେ ଜାଣିବାରେ ସେ ହେଉଛନ୍ତି ବିଶ୍ୱର ଏକ ମାତ୍ର ପଶ୍ମିନା କର୍ମୀ। ଏହା ତାଙ୍କୁ ରାଜ୍ୟରେ ଟାର୍ଗେଟ୍ ଭାବେ ଲୋକପ୍ରିୟ କରାଇଛି। ସେ ପ୍ରକାଶ କରନ୍ତି ଯେ ତାଙ୍କ ବିରୋଧରେ କିଛି ବ୍ୟବସାୟୀ ସଂଗଠିତ ଅଭିଯାନ ଚଳାଇଛନ୍ତି। ସେ ଯାହା କରୁଛନ୍ତି, ତାହାକୁ ରୋକିବା ଲାଗି ଚେଷ୍ଟା କରାଯାଉଛି। କାରଣ ମୋ କାମ ଯୋଗୁଁ ମଧ୍ୟସ୍ଥି ଓ ଦଲାଲ୍‌ମାନଙ୍କ ବେପାର ମାନ୍ଦା ପଡିଯାଇଛି। ମୁଁ ଅନେକ ନକଲି ପଶ୍ମିନା ବ୍ୟବସାୟୀଙ୍କୁ ଓକିଲ ନୋଟିସ୍ ପଠାଇଛନ୍ତି ଓ ଅନ୍ୟ କେତେକଙ୍କ ବିରୋଧରେ ମାମଲା କରିଛନ୍ତି। 

ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ, ଭାରତର ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତି ମଧ୍ୟ ଏ ଦିଗରେ ତାଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଉଥିବାରୁ ସେ ସନ୍ତୋଷବ୍ୟକ୍ତ କରିଛନ୍ତି।

ଅନ୍ୟ ସଂକଟ

ଚୀନ ପଟୁ ମଧ୍ୟ ଏହି ଶିଳ୍ପକୁ ବିପଦ ଦେଖାଦେଇଛି। ଦେଶର ହାତ ତିଆରି ପଶ୍ମିନା ସାମଗ୍ରୀର ମୁକାବିଲା କରିବା ପାଇଁ ଚୀନ ମେସିନ୍ ତନ୍ତରେ ପ୍ରସ୍ତୁତ ସାମଗ୍ରୀ ମାର୍କେଟିଂ କରୁଛି। ଚୀନ ବିଶ୍ୱ ମାର୍କେଟ୍‌ର ୭୦ ପ୍ରତିଶତକୁ ମାଡି ବସିଥିବା ବେଳେ ଭାରତର ପଶ୍ମିନା ଉତ୍ପାଦନ ତା ଠାରୁ ମାତ୍ର ଏକ ପ୍ରତିଶତରୁ ମଧ୍ୟ କମ୍‌ ରହିଛି। ବାବର ସୂଚନା ଦିଅନ୍ତି ଯେ ଆମ ପାସ୍‌ନିନା କାମ ହେଉଛି ଚୀନ ଠାରୁ ସୂକ୍ଷ୍ମ। କାଶ୍ମୀରର କାରୁକାର୍ଯ୍ୟ ସହ ବିଶ୍ୱସ୍ତରରେ ତୁଳନା ନାହିଁ। ଗୋଟିଏ ଉନ୍ନତମାନର ପାସ୍‌ନିନା ସାଲ୍ ପାଇଁ କାରିଗରଙ୍କୁ ବର୍ଷେ ରୁ ସାତ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଯାଏ। ମେସିନ୍ କାମ ଯେତେ ହେଲେ ବି ହାତ କାମ ସହ ସମାନ ହୋଇ ପାରିବ ନାହିଁ । ଲୋକଙ୍କ ପାଖରେ ହାତ କାମର ଚାହିଦା ବଢିବାରେ ଲାଗିଛି।

image


ଛେଳି ଜଗୁଆଳିମାନଙ୍କ ଜୀବନ ଧାରଣର ମାନ ଉନ୍ନତି ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯାଇଛି। ହିମାଳୟର ଉଚ୍ଚ ପର୍ବତମାଳାରେ ସେମାନଙ୍କ କାର୍ଯ୍ୟକୁ ସରଳ କରିବା ପାଇଁ ସେ ଆପ୍ଲିକେସନ୍‌ ଡିଜାଇନ୍ କରିଛନ୍ତି। ସେମାନଙ୍କୁ ପାଣିପାଗ, ଦର, ନିଲାମୀ, ଡାକ୍ତରୀ ଚିକିତ୍ସା ଆଦିର ଆଲର୍ଟ ମେସେଜ୍‌ ମୋବାଇଲ୍ ଦ୍ୱାରା ମିଳି ଯାଉଛି। ଏହା କେବଳ ସେମାନଙ୍କ ପରିବାର ନୁହେଁ, ସାରା ବିଶ୍ୱ ସହ ସେମାନଙ୍କୁ ସଂଯୁକ୍ତ ରଖୁଛି। ବାବର କୁହନ୍ତି, ସେ IITର କେତେକ ବ୍ୟକ୍ତିଙ୍କ ସହ ଆଲୋଚନା କରି ଏମିତି ଏକ ବିକାଶଶୀଳ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି ଯାହା ଫଳରେ ବୁଣାକାର ଓ କାରିଗରମାନଙ୍କ ମଧ୍ୟରେ ସମନ୍ୱୟ ରହିପାରିବ ଓ ବିଶ୍ୱସ୍ତରରେ କେଉ ଉତ୍ପାଦର ଦର ଅଧିକ ତାହା ସେମାନେ ଜାଣିପାରି ସେହି ଅନୁସାରେ ସାମଗ୍ରୀ ତିଆରି କରିବେ।

ସଂଗତି

ଏହି ଯାତ୍ରା ଅତ୍ୟନ୍ତ କଠିନ, କିନ୍ତୁ ବାବରଙ୍କ ଉଦ୍ୟମ ଜାରି ରହିଛି। କାଶ୍ମୀର ଇଂକ୍‌ରେ ପୁଂଜି ନିବେଶ ପାଇଁ ଅନେକ ସଂସ୍ଥା ହାତବଢେଇଲେଣି। ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଏହାର ମ୍ୟନେଜ୍‌ମେଂଟ୍‌ରେ ରହିବା ପାଇଁ ଆଗ୍ରହୀ। ଏଥିମଧ୍ୟରେ ଅଛନ୍ତି ଫେସ୍‌ବୁକ୍‌ର ଜଣେ ପୂର୍ବତନ କ୍ରିଏଟିଭ୍ ମୁଖ୍ୟ, ୟୁକେ ର ଜଣେ ବ୍ୟାଙ୍କର୍‌, ଜଣେ ଆନ୍ତର୍ଜାତିକ ସ୍ତରର ସାମ୍ବାଦିକ ଓ କମ୍ୟୁନିକେସନ୍‌ ବିଶେଷଜ୍ଞ ଓ ହାର୍ଭାର୍ଡର ପୂର୍ବତନ ଛାତ୍ର ଆଦି।

image


ଆମେରିକି ଏକ ମିଲିଅନ୍‌ ଡଲାରର ଅର୍ଡର କାଶ୍ମୀର ଇଂକ୍ ହାତରେ ଅଛି। ଏହାର ସିଗ୍‌ନେଚର ପଶ୍ମିନା ସାଲ୍‌ ୨ ଲକ୍ଷ ଡଲାରରେ ବିକ୍ରି ହେଉଛି। ପ୍ରତ୍ୟେକ ଉତ୍ପାଦର ବିକ୍ରି ମୂଲ୍ୟର ସାତ ପ୍ରତିଶତ ଲୋକ ସମୂଦାୟଙ୍କ ବିକାଶ ପାଇଁ ଯାଉଛି। ଏହା ହେଉଛି ଆମର ଏକ ସର୍ତ୍ତ। ସାରା ଦେଶରେ ଓ ୨୦ ଟି ବାହାର ଦେଶରେ ଆମେ ରିଟେଲ୍ ପାର୍ଟନର ଚାହୁଁଛୁ। ଆମେ ହିଁ ଅସଲ ପଶ୍ମିନା ସାମଗ୍ରୀ ଯୋଗାଇଥାଉ। ରିଟେଲର୍‌ ହେବା ପାଇଁ ଏକ ନିର୍ଦ୍ଦିଷ୍ଟ ସିକ୍ୟୁରିଟି ଦେବାକୁ ପଡେ ଓ ଆମେ ସାମଗ୍ରୀ ପଠାଉ। ସାମଗ୍ରୀ ବିକ୍ରି ହେଲେ ଆମ ଲାଭ ଆଦାୟ କରୁ। ସାମଗ୍ରୀର ଗୁଣବତ୍ତାର ସବୁ ପ୍ରକାର ପ୍ରମାଣ ଆମେ ଦେଇଥାଉ ବୋଲି କୁହନ୍ତି ବାବର୍‌।

ଭବିଷ୍ୟତ

ଏହାର ଭବିଷ୍ୟତକୁ ନେଇ ବାବର୍‌ ବେଶ୍ ଆଶାବାଦୀ। ସେ କୁହନ୍ତି, ମୁଁ ବିଶ୍ୱାସ କରେ ଆମକୁ ବିଶ୍ୱ ହାତ ଖୋଲି ଅପେକ୍ଷା କରିଛି। ଏଭଳି ଗୋଟିଏ ବି ଉଦ୍ୟମ ସାରା ବିଶ୍ୱରେ କେଉଁଠି ହୋଇନାହିଁ। ପଶ୍ମିନା ଅତୀତରେ ରାଜା ଓ ରାଣୀମାନଙ୍କର ମନପସନ୍ଦର ବ୍ୟକ୍ତିଗତ ସୌଖୀନ ସାମଗ୍ରୀ ଥିଲା ଓ ସେହି ଧାରା ପରବର୍ତ୍ତୀ ପିଢୀରେ ବି ବଜାୟ ରହିଛି। ଆମ ପାଖରେ ଏକ ବାସ୍ତବ ସୌଖୀନ, ଫେସନ୍ ଓ କୀର୍ତିରାଜିର ଉତ୍ସ ରହିଛି ଓ ଆମେ ଏହାକୁ ସାରା ବିଶ୍ୱରେ ରିଟେଲିଂ କରିପାରିବା।

image


ଆଗକୁ ବଢ

ଉଦ୍ୟୋଗ ପ୍ରତି ତାଙ୍କ ମନୋଭାବ ଆଦର୍ଶବାଦୀ ଭାବନାରୁ ଆସିଛି। ତାଙ୍କ ଭାବନା ସହ ମେଳ ଖାଉଥିବା ବ୍ୟକ୍ତିତ୍ୱଙ୍କ ପାଇଁ ତାଙ୍କ ଉପଦେଶ ଖୁବ୍ ସ୍ପଷ୍ଟ।

“ଉଦ୍ୟୋଗ ହେଉଛି ସମସ୍ୟାର ସମାଧାନ କରିବା ଓ ଏଥିପାଇଁ ଯୁବବନ୍ଧୁମାନେ ବଡ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ତେଣୁ ଆଗକୁ ଗୋଡ ବଢାଅ ଓ ସାମିଲ ହୁଅ। ”

ମୂଳ ଲେଖା - ରାଖୀ ଚକ୍ରବର୍ତ୍ତୀ

ଭାଷାନ୍ତର - ଅଖଣ୍ଡ