ବିଶ୍ଵ ଦରବାରରେ କୋହ୍ଲାପୁରୀ ଜୋତାର ନୂତନ ପରିଚୟ ସୃଷ୍ଟିରେ ପ୍ରୟାସରତ Desi Hangover

ବିଶ୍ଵ ଦରବାରରେ କୋହ୍ଲାପୁରୀ ଜୋତାର ନୂତନ ପରିଚୟ ସୃଷ୍ଟିରେ ପ୍ରୟାସରତ Desi Hangover

Thursday November 26, 2015,

3 min Read

ତିନି ବର୍ଷ ତଳେ ନିଜର ଇଜିପ୍ଟ ଗସ୍ତ ସମୟରେ କୋହ୍ଲାପୁରୀ ଚପଲ ପାଇଁ ପାଇଥିବା ପ୍ରଶଂସା ତାଙ୍କ ଜୀବନକୁ ବଦଳେଇ ଦେବ ବୋଲି କେବେ ଭାବି ନଥିଲେ ହିତେଶ କେଞ୍ଜାଲି। ଧୁ ଧୁ ଖରାରେ ମଧ୍ୟ ପ୍ରାଚ୍ୟର ମରୁଭୂମିରେ ବୁଲୁଥିବା ବେଳେ ଅନେକ ଲୋକ ତାଙ୍କ କୋହ୍ଲାପୁରୀ ଚପଲର ପ୍ରଶଂସା କରିଥିଲେ। ଏହି ଘଟଣାରୁ ହିଁ ହିତେଶଙ୍କ ମନରେ ଆକର୍ଷଣୀୟ କର୍ପୋରେଟ ଚାକିରୀ ଛାଡି ନିଜର ସଂସ୍ଥା Desi Hangoverଗଢିବାର ମଞ୍ଜି ବୁଣି ଥିଲା। ଭାରତ ଫେରିଲା ପରେ ବନ୍ଧୁ ଆଭା ଅଗ୍ରୱାଲ ଓ ଓଂକାରଙ୍କ ସହ ମିଶି ସେ Desi Hangoverଆରମ୍ଭ କଲେ। ଇଜିପ୍ଟରେ ତାଙ୍କର ଅନ୍ୟ ଜଣେ ଭାରତୀୟ ଲକ୍ଷ୍ୟ ଅରୋରାଙ୍କ ସହ ମଧ୍ୟ ଦେଖା ହୋଇଥିଲା। ପରବର୍ତ୍ତୀ ସମୟରେ ଲକ୍ଷ୍ୟ ଉତ୍ତର ଭାରତରେ Desi Hangoverର ମାର୍କେଟିଙ୍ଗ ସମ୍ଭାଳିଥିଲେ।

image


କେବଳ ହିତେଶ ନୁହନ୍ତି ତାଙ୍କ ସହଯୋଗୀ ମାନେ ମଧ୍ୟ ଆକର୍ଷଣୀୟ କର୍ପୋରେଟ ଚାକିରୀରେ ଥିଲେ। ଗୋଟିଏ ଜର୍ମାନ ବହୁ ଦେଶୀୟ କମ୍ପାନୀରେ ଚାକିରୀ କରୁଥିବା ଓଂକାରଙ୍କୁ ନିଜ ଚାକିରୀ ଛାଡିବା ପାଇଁ ବୁଝାଇବାକୁ ହିତେଶଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥିଲା। ଏହି ସଂସ୍ଥାର ଆରମ୍ଭ ଦିନ ମାନଙ୍କ ଉପରେ ମତ ରଖି ଓଂକାର କୁହନ୍ତି,” ଆମକୁ ପ୍ରଥମେ ଊଚ୍ଚମାନର ଚମଡା ଖୋଜିବାକୁ ପଡିଥିଲା। ଏହି ଖୋଜିବାର ପ୍ରୟାସ ଆମକୁ କର୍ଣାଟକ ଗୋଟିଏ ଗାଁ ରେ ପହଞ୍ଚାଇଥିଲା। ଏହି ଗାଁରେ ଅନେକ ମୋଚି ବା କୌଳିକ ଭାବେ ଜୋତା ତିଆରି କରୁଥିବା କାରିଗର ରହୁଥିଲେ।“

ଏହି ଗାଁଟି ବେଲଗାଓଁ ଠାରୁ ୧୦୦ କିଲୋମିଟର ଓ ମିରଟଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ। Desi Hangoverପୂର୍ବରୁ ଏହି କାରିଗର ମାନଙ୍କ ପାଇଁ ନା ଥିଲା କିଛି ସୀକୃତି ଅବା ଭଲ ରୋଜଗାରର ମାଧ୍ୟମ। ବେଶୀ ରେ ବେଶୀ ସେମାନେ ମାସକୁ ୩୦୦୦ ଟଙ୍କା ରୋଜଗାର କରୁଥିଲେ। Desi Hangoverର ପ୍ରବେଶ ପରେ ଏହି ଅଞ୍ଚଳରେ ଗୋଟିଏ ଛୋଟ ଜୋତା ତିଆରି ୟୁନିଟ ଗଢି ଉଠିଲା। ସଂସ୍ଥା ତରଫରୁ ଏହି କାରିଗରମାନଙ୍କ ପାଇଁ ବ୍ୟାଙ୍କ ଖାତା ମଧ୍ୟ ଖୋଲି ଦିଆଗଲା ଏବଂ ଏହି ଅଞ୍ଚଳରେ ମାଇକ୍ରୋଫାଇନାନ୍ସ ଉପରେ କର୍ମଶାଳା ମଧ୍ୟ ଆୟୋଜନ କରାଗଲା। ଏହାପରେ Desi Hangover,ଉକ୍ତ ଅଞ୍ଚଳର ଏକ ମାତ୍ର ବିଦ୍ୟାଳୟକୁ ପୋଷ୍ୟ ଭାବରେ ମଧ୍ୟ ଗ୍ରହଣ କଲା। ଏହା ଉପରେ ନିଜର ମତ ରଖି ଓଂକାର କୁହନ୍ତି,”ବିଦ୍ୟାଳୟରେ ପାଠ ପଢା ପରିବେଶର ଉନ୍ନତି ପାଇଁ ଆମେ କମ୍ପ୍ୟୁଟର ଯୋଗାଇ ଦେଲୁ। ଏହି ପ୍ରୟାସ ଆମ ଉଦ୍ୟୋଗର ସାମାଜିକ ପ୍ରତିବଦ୍ଧତାର ପ୍ରତିଫଳନ ମାତ୍ର।“

image


ବର୍ତ୍ତମାନ Desi Hangoverଅନ୍ତର୍ଜାତୀୟ ବଜାରରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଚେଷ୍ଟା କରୁଛି। କାନାଡା ଓ ଅଷ୍ଟ୍ରେଲିଆରେ ସଂସ୍ଥାକୁ କିଛି ପ୍ରତିକୂଳ ପରିସ୍ଥିତିର ସାମ୍ନା ମଧ୍ୟ କରିବାକୁ ପଡିଥିଲା। ସେଥିପାଇଁ ସେମାନେ ଇଜିପ୍ଟରୁ ହିଁ ନିଜ ଅନ୍ତର୍ଜାତୀୟ ବ୍ୟବସାୟ ଆରମ୍ଭ କରିବାକୁ ନିଶ୍ଚିତ କଲେ। ଦେଶୀ ଜିନିଷ ପାଇଁ ମଧ୍ୟ ପ୍ରାଚ୍ୟ ହେଉଛି ଗୋଟିଏ ପ୍ରକୃତିକ ଓ ସହଜ ବଜାର। ମାତ୍ର, ଏହି ବଜାରରେ ନିଜ ଉପସ୍ଥିତି ଜାହିର କରିବା ସଂସ୍ଥାକୁ ଅନେକ ପରିଶ୍ରମ କରିବାକୁ ପଡିଛି। ସେଠିକାର ଜନଜାତିଙ୍କର ନାମ ଓ ପସନ୍ଦ ଅନୁସାରେ ହିଁ Desi Hangoverବିଭିନ୍ନ ଡିଜାଇନର ଜୋତା ପ୍ରସ୍ତୁତ କରି ବିକ୍ରି କରିବାକୁ ଲାଗିଲା। ଏହାପରେ ରୋମାନିଆ ଓ ନେଦରଲ୍ୟାଣ୍ଡରେ ମଧ୍ୟ ନିଜ ଜୋତାର ବଜାର ପ୍ରବେଶ କରେଇବା ପାଇଁ ସଂସ୍ଥା ଲକ୍ଷ୍ୟ ରଖିଛି।

image


Desi Hangoverର ସମସ୍ତ ଜୋତା କାରିଗରମାନଙ୍କ ହାତରେ ହିଁ ତିଆରି ହୋଇଥାଏ। ଏଥିପାଇଁ କୌଣସି ମେସିନର ବ୍ୟବହାର କରାଯାଏ ନାହିଁ। ଏହା ହିଁ Desi Hangoverଦ୍ଵାରା ତିଆରି ଜୋତାକୁ ବିଶ୍ଵ ବଜାରରେ ଅନନ୍ୟ କରିପାରିଛି। ଊଚ୍ଚମାନର ଚମଡାର ଦାମ ବହୁତ ଅଧିକ। ଏହାକୁ ସାମ୍ନା କରିବା ପାଇଁ ସଂସ୍ଥା ଆଗ୍ରା ଓ ପଶ୍ଚିମ ବଙ୍ଗର ଦୁର୍ଗାପୁରରୁ ଏକ ଥରକେ ବହୁ ମାତ୍ରାରେ ଚମଡା କିଣି ଥାଏ। ଆଉ କିଣା ଯାଇଥିବା ଚମଡା ଗୁଡିକ କେବଳ ସ୍ଵାଭାବିକ ମୃତ୍ୟୁ ହୋଇଥିବା ପଶୁମାନଙ୍କ ଠାରୁ ସଂଗ୍ରହ କରାଯିବ, ଏହା ମଧ୍ୟ ସଂସ୍ଥା ସୁନିଶ୍ଚିତ କରାଇଥାଏ। ଭାରତରେ କୌଣସି ଜିନିଷ କିଣିଲା ବେଳେ ଗ୍ରାହକମାନେ ଅନେକ ମୂଲଚାଲ କରିଥାନ୍ତି। ଏହି ମୂଲଚାଲ ବ୍ୟବସାୟ ଆରମ୍ଭ କରୁଥିବା ସଂସ୍ଥାମାନଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟିକରେ। ଥରେ ବ୍ରାଣ୍ଡ ସଚେତନତା ସୃଷ୍ଟି ହୋଇଗଲେ ଏହି ସମସ୍ୟାରେ ଅନେକ ସୁଧାର ଆସିବ ବୋଲି ଓଂକାର ମତ ଦିଅନ୍ତି।

image


କୁଶଳୀ କାରିଗରଙ୍କ ଦ୍ଵାରା ନିର୍ମିତ ଊଚ୍ଚ ମାନର ଜୋତା ହିଁ ତାଙ୍କ ସଂସ୍ଥାର ଅନନ୍ୟତା ବୋଲି ଓଂକାର କୁହନ୍ତି। ଗ୍ରାହକମାନଙ୍କୁ ସଚେତନ କରିବା ପାଇଁ ଏହା ଜୋତା ତିଆରି ସମ୍ଭନ୍ଧିତ ଅନେକ ଭିଡ଼ିଓ ମଧ୍ୟ ସଂସ୍ଥା ଦ୍ଵାରା ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ସଂସ୍ଥା ତରଫରୁ ପ୍ରତି ମାସରେ ପାଖାପାଖି ୫୦୦ଟି ଜୋତା ତିଆରି କରି ବିକ୍ରି କରାଯାଉଛି। ଭବିଷ୍ୟତରେ ଏହି ସଂଖ୍ୟା ବଢିବ ଓ ନୂଆ ବଜାରରେ ସେମାନେ ନିଜକୁ ପ୍ରତିଷ୍ଠା କରିପାରିବେ ବୋଲି ସଂସ୍ଥାପକ ମାନେ ଆଶା ରଖିଛନ୍ତି।

image