ମାଇଣ୍ଡ ଟ୍ରି ର ଅଧ୍ୟକ୍ଷ ସୁବ୍ରତ ବାଗଚୀ ହେବେ ଓଡିଶାର ଦକ୍ଷତା ବିଭାଗର ମୁଖିଆ

0

ଓଡିଶା ସରକାରଙ୍କର ଏକ ନୂତନ ପଦକ୍ଷେପରେ MindTreeର ସହ ପ୍ରତିଷ୍ଠାତା ଏବଂ ପୂର୍ବ ଅଧ୍ୟକ୍ଷ ସୁବ୍ରତ ବାଗଚୀ ରାଜ୍ୟର ଦକ୍ଷତା ଉନ୍ନୟନ ବିଭାଗର ଲଗାମ ତାଙ୍କ ହାତକୁ ନେବେ ବୋଲି ଜଣାପଡିଛି। ବାଗଚୀ ସିଧା ସଳଖ ମୁଖ୍ୟମନ୍ତ୍ରୀକୁ ରିପୋର୍ଟ କରିବେ ଏବଂ ତାଙ୍କୁ କ୍ଯାବିନେଟ ମନ୍ତ୍ରୀ ସହ ସମାନ ପାହ୍ୟା ମିଳିବ। ବାଗଚୀ ଏକ ସମ୍ମିଳିତ ବିଭାଗ ତିଆରିରେ ସାହାଯ୍ୟ କରିବେ ଯାହାକି ରାଜ୍ୟର ସମସ୍ତ ଦକ୍ଷତା ଉନ୍ନୟନ କାର୍ଯ୍ୟକ୍ରମର ମାର୍ଗଦର୍ଶନ ଓ ପର୍ଯ୍ୟବେକ୍ଷଣ ସହ ଲାଗୁ କରିବାରେ ମଧ୍ୟ ସହାୟତା କରିବ। 

"ମୁଁ ଗର୍ବ ଅନୁଭବ କରୁଛି ଯେ ମୋତେ ମୋର ଜନ୍ମଭୂମିର ସେବା କରିବାର ସୁଯୋଗ ମିଳୁଛି। ମୁଁ ଏହି ରାଜ୍ୟରେ ଜନ୍ମ ହେଇଛି, ବଡ ହେଇଛି। ଏଇ ମାଟି ମୋତେ ଅନେକ କିଛି ଦେଇଛି। ଆଜି ମୋର ପ୍ରତିଦାନ କରିବାର ବେଳ" - କହିଛନ୍ତି ବାଗଚୀ। 

ବାଗଚୀ ଏହି କାର୍ଯ୍ୟଭାର ପାଇଁ ବର୍ଷକୁ ମାତ୍ର ଏକ ଟଙ୍କା ଦରମା ନେବେ ବୋଲି ନିଶ୍ଚୟ କରିଛନ୍ତି। ସେ ପ୍ରଥମେ ରାଜ୍ୟର ସମସ୍ତ ଜିଲ୍ଲା ପରିଭ୍ରମଣ କରି ପ୍ରତ୍ଯେକ ଜିଲ୍ଲାର ଆବଶ୍ୟକତା ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ଦାଖଲ କରିବେ, ଯାହା ଉପରେ ତାଙ୍କ ସୁପାରିଶ ଅନୁଯାୟୀ କାର୍ଯ୍ୟକ୍ରମ ତିଆରି କରାଯିବ। 

ଏହି ଅବସରରେ ୟୌରଷ୍ଟୋରିର ସୁବ୍ରତ ବାଗଚୀଙ୍କ ସହ କିଛି ଦିନ ତଳେ ହେଇଥିବା ଏକ ସାକ୍ଷାତକାରର କୀୟଦଂଶ ଦିଆଗଲା। 

Photo Courtesy : The Hindu
Photo Courtesy : The Hindu

କେବଳ ସ୍ଵପ୍ନଟିଏ ଦେଖିବା ଯଥେଷ୍ଟ ନୁହେଁ ପ୍ରକୃତ ସ୍ଵପ୍ନ ହେଉଛି ତାହା, ଯାହାକି ତୁମ କାନ୍ଧରେ ଏକ ବୋଝ ହୋଇ ବସିଥିବ। କିନ୍ତୁ ଜଣେ ଯଦି ଏହି ବୋଝକୁ ଆନନ୍ଦର ସହ ଉପଭୋଗ କରିପାରିଲା, ସେ ସଫଳ ହୋଇପାରିବ, ବୋଲି ମତ ଦିଅନ୍ତି ଦେଶର ଏକ ମର୍ଯ୍ୟାଦାଜନକ ଆଇଟି କମ୍ପାନି ମାଇଣ୍ଡଟ୍ରିର ପ୍ରତିଷ୍ଠାତା, ଅଧ୍ୟକ୍ଷ, ଲୋକପ୍ରିୟ ଲେଖକ ତଥା ଅନୁପ୍ରାଣିତ କଲା ଭଳି ସୁବକ୍ତା ସୁବ୍ରତ ବାଗଚୀ। 1999ରେ ସେ ଅନ୍ୟ, 9 ଜଣଙ୍କ ସହ ମିଶି ପ୍ରତିଷ୍ଠା କରିଥିବା ମାଇଣ୍ଡଟ୍ରି ଆଜି ଦେଶର ଏକ ପ୍ରତିଷ୍ଠିତ ତଥା ପ୍ରଶଂସିତ ଆଇଟି କମ୍ପାନିରେ ଗଣାଯାଉଛି ଓ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଏକ ଆଦର୍ଶ ଉଦାହରଣ ପାଲଟିଛି ।

ଓଡ଼ିଶାରେ ଜନ୍ମ ଓ ଏଠାକାର ମାଟି-ପାଣି-ପବନରେ ବଢିଥିବା ଶ୍ରୀ ବାଗଚୀ ଏ ରାଜ୍ୟ ସହ ତାଙ୍କର ଏକ ସ୍ଵତନ୍ତ୍ର ଭାବଗତ ସଂପର୍କ ରହିିଥିବା କୁହନ୍ତି ଗତ ବର୍ଷ ମାଇଣ୍ଡଟ୍ରିର ଓଡ଼ିଶା କ୍ୟାମ୍ପସ -ମାଇଣ୍ଡ ଟ୍ରି କଳିଙ୍ଗ କାର୍ଯ୍ୟ ଆରମ୍ଭ କରିଛି। ତାଙ୍କ ସହ ଏକ ସ୍ଵତନ୍ତ୍ର ସାକ୍ଷାତକାର।

ପ୍ରାୟ ଦେଢ ଦଶନ୍ଧି ପୂର୍ବେ ଆପଣ ଅନ୍ୟ 9 ଜଣଙ୍କ ସହ ମିଶି ମାଇଣ୍ଡ ଟ୍ରି ପ୍ରତିଷ୍ଠା କରିଥିଲେ ଓ ଆଜି ଏହା ଭାରତର କେତୋଟି ସମ୍ମାନଜନକ ଆଇଟି କମ୍ପାନିମାନଙ୍କ ମଧ୍ୟରେ ଗଣାଯାଉଛି ଏହା ଆରମ୍ଭ କରିବାର ଆଇଡିଆ କିପରି ଆସିଲା ଓ ଆଇଡିଆଟି କିପରି ସାକାର ହେବା ଆରମ୍ଭ କଲା?

ମାଇଣ୍ଡ ଟ୍ରି ଆରମ୍ଭ ହେବା ପଛରେ ଆମର ମୁଖ୍ୟତଃ ତିନୋଟି ଅଭିଳାଷ ଥିଲା- ପ୍ରଥମତଃ ଆମେ ଏକ ସ୍ଵପ୍ନର କମ୍ପାନି ତିଆରି କରିବାକୁ ଚାହୁଁଥିଲୁ, ଦ୍ଵିତୀୟତଃ ଆମେ ଆମଭଳି ଅନେକ ଲୋକଙ୍କ ପାଇଁ ସମୃଦ୍ଧି ଆଣିବାକୁ ଚାହୁଁଥିଲୁ ଓ ତୃତୀୟତଃ ଆମେ ଏପରି ଏକ କମ୍ପାନି ଗଢିବାକୁ ଚାହୁଁଥିଲୁ, ଯାହାର ଏକ ସାମାଜିକ ଦାୟିତ୍ଵବୋଧ ଥିବ। ଏହି ତିନୋଟି ସାଧାରଣ ଅଭିଳାଷ ହିଁ ଆମ ଦଶ ଜଣଙ୍କୁ ଏକାଠି କରିଥିଲା ପ୍ରାୟ 15 ମାସ ଧରି ନିଜ ବ୍ୟକ୍ତିଗତ ଜୀବନରୁ କିଛି ସମୟ ବାହାରକରି ବିଭିନ୍ନ ଆଲୋଚନା ପର୍ଯ୍ୟଲୋଚନା ପରେ ଆମେ ଭାବି-କମ୍ପାନିଟିର ମିଶନ-ଭିଜନ ଓ ଭାଲ୍ୟୁ ଚୂଡାନ୍ତ କରିପାରିଲୁ। ଏକ ଲମ୍ବା ସମୟର ଯୋଜନା ପ୍ରକ୍ରିୟା ଓ ସମାଜର ବିଭିନ୍ନ ବର୍ଗଙ୍କ ସହ ବିସ୍ତୃତ ଆଲୋଚନା ପରେ ଆମେ କମ୍ପାନିଟିର ରୂପରେଖ ପ୍ରସ୍ତୁତ କରିପାରିଲୁ। ତେବେ ଏସବୁ ସତ୍ତ୍ୱେ ଆମେ ବାସ୍ତବତାରୁ ଦୂରେଇଯାଇନଥିଲୁ। ଆମ ପାଇଁ ମାଇଣ୍ଡଟ୍ରି ବ୍ୟକ୍ତିଗତ ଅଭିଳାଷ ପୂରଣର ଏକ ମାଧ୍ୟମ ତୁଳନାରେ ଏକ ଉତ୍ତରଦାୟିତ୍ଵ ଅଧିକ ଥିଲା ( ରହିଛି ମଧ୍ୟ)।

ମାଇଣ୍ଡଟ୍ରି ଆରମ୍ଭ କରିବାବେଳେ ଓ ଆରମ୍ଭର ପ୍ରାରମ୍ଭିକ ଦିନଗୁଡିକର ଅନୁଭୂତି ଅଥବା ସଙ୍ଘର୍ଷ କିପରି ଥିଲା?

ମାଇଣ୍ଡ ଟ୍ରି ପ୍ରତିଷ୍ଠା ବେଳର ଅନୁଭୂତିକୁ ମୁଁ ସଂଘର୍ଷ ବୋଲି କହିବି ନାହିଁ। ତେବେ ମୋର ପ୍ରଥମ ଷ୍ଟାର୍ଟ-ଅପ ପ୍ରୋଜେକ୍ଟ-21 କୁ ଛିଡା କରିବାକୁ ନେଇ ସଂଘର୍ଷ କରିଛି। ମୋତେ 28 ବର୍ଷ ହେଇଥିବାବେଳେ ଏହି ଷ୍ଟାର୍ଟ-ଅପଟିକୁ ଆରମ୍ଭ କରିଥିଲି, ପ୍ରାୟ 3 ବର୍ଷ ସଂଘର୍ଷ କରିବାପରେ ଏହା ବନ୍ଦ ହୋଇଯାଇଥିଲା। ଏ ସଂପର୍କରେ ମୋ ବହି ଗୋ କିସ୍ ଦ ୱାର୍ଲ୍ଡ ରେ ବର୍ଣ୍ଣନା କରିଛି।

ତେବେ ମାଇଣ୍ଡ ଟ୍ରି ବେଳକୁ ପରିସ୍ଥିତି ଟିକିଏ ଅଲଗା ଥିଲା। ବୋଧହୁଏ ଆରମ୍ଭରୁ ହିଁ ଆମ ପ୍ରତି ଭାଗ୍ୟଦେବୀ ପ୍ରସନ୍ନ ଥିଲେ-ଆମର ଏକ ଚମତ୍କାର ଟିମ ଥିଲା, କିଛି ଦୂରଦୃଷ୍ଟି ସଂପନ୍ନ ନିବେଶକ ଓ କିଛି ଭଲ ଗ୍ରାହକ ପାଇଥିଲୁ। ଏଥିପାଇଁ ହିଁ 9/11 ଆତଙ୍କବାଦୀ ଆକ୍ରମଣ,ଆର୍ଥିକ ମାନ୍ଦାବସ୍ଥା ପରି ବିଭିନ୍ନ ଝଡ଼ ଝଞ୍ଜା ଆସିବା ସତ୍ତ୍ୱେ ଆମକୁ ସଂଘର୍ଷ କରିବାଭଳି ଲାଗିନଥିଲା। ଆମର ଭରଷା ଥିଲା, ଆମେ ଭରଷା ରଖିଥିଲୁ ମଧ୍ୟ ଦୃଢ ବିଶ୍ଵାସ ହିଁ ସଂଘର୍ଷର ପଥକୁ ଆନନ୍ଦମୟ କରିଥାଏ ।

photo courtesy livemint.com
photo courtesy livemint.com

ଭାରତରେ ଏବେ ଏକ ଷ୍ଟାର୍ଟ-ଅପ ଆନ୍ଦୋଳନ ଆରମ୍ଭ ହୋଇଛି ବୋଲି କୁହାଯାଇପାରେ ତେବେ ଭାରତର ଷ୍ଟାର୍ଟ-ଅପ/ ଉଦ୍ୟୋଗୀ ବାତାବରଣକୁ କିପରି ଦେଖୁଛନ୍ତି? ତେବେ ଏବର ବାତାବରଣ ଓ ଇନଫୋସିସ୍, ୱିପ୍ରୋ ବା ମାଇଣ୍ଡଟ୍ରି ଆରମ୍ଭ ହେବା ବେଳର ବାତାବରଣ ମଧ୍ୟରେ କଣ ଫରକ ଦେଖୁଛନ୍ତି?

ୱିପ୍ରୋକୁ ଏକ ଷ୍ଟାର୍ଟ-ଅପ ବୋଲି କହିବି ନାହିଁ , ଏହା 1947 ମସିହାରେ ଆରମ୍ଭ ହୋଇଥିଲା ତେବେ ହଁ, ଇନଫୋସିସ୍ ଓ ମାଇଣ୍ଡ ଟ୍ରି ଷ୍ଟାର୍ଟ-ଅପ ଥିଲେ।

ସେତେବେଳର ସମୟକୁ ଆଜି ସହ ତୁଳନା କଲେ ଦୁଇଟି ମୁଖ୍ୟ ଫରକ ଦେଖେ-ପୁଞ୍ଜି ଉପଲବ୍ଧତା ଓ ସାମାଜିକ ଗ୍ରହଣୀୟତା ଆଜି ଏହି ଦୁଇଟି କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ପ୍ରୋଜେକ୍ଟ-21 ଆଗକୁ ବଢିପାରିଲା ନାହିଁ କାରଣ ବ୍ୟାଙ୍କମାନେ ଆମକୁ ଚଳନ୍ତି ପୁଞ୍ଜି ପାଇଁ ଋଣ ଦେଇନଥିଲେ ଆମେ ସମସ୍ତେ ଅବଶ୍ୟ ଇନଫୋସିସର କାହାଣୀ ଜାଣିଛୁ। ମାଇଣ୍ଡ ଟ୍ରି ସମ୍ଭବ ହୋଇପାରିଥିଲା କାରଣ ଆମେ ପ୍ରସ୍ତୁତ ହେବା ବେଳକୁ ଆମକୁ ଭେଞ୍ଚର କ୍ୟାପିଟାଲ ମିଳିଯାଇଥିଲା,ବ୍ୟାଙ୍କକୁ ଯିବାକୁ ପଡିନାହିଁ।

ଆମ ଦେଶରେ ସାମାଜିକ ଗ୍ରହଣୀୟତା ଏକ ବଡ଼ ସମସ୍ୟା ରହିଆସିଛି। ଆଗରୁ ଆମ ସମାଜ ପ୍ରଥମ ପୀଢିର ଉଦ୍ୟୋଗୀ ମାନଙ୍କ ଉପରେ ଭରଷା କରିପାରୁନଥିଲା। ବ୍ୟବସାୟ କେବଳ ବ୍ୟବସାୟିକ ପରିବାରର ପିଲାମାନଙ୍କ ପାଇଁ ଥିଲା, ଅନ୍ୟମାନେ କେବଳ ଭଲ ଚାକିରିଟିଏ କରିବାର ଅଭିଳାଷ ରଖୁଥିଲେ। ଏଭଳି ଏକ ସମାଜରେ ଆପଣ ଯଦି ଏହି ଗତାନୁଗତିକ ଦୂନିଆରୁ ବାହାରି କିଛି ନୂଆ କରିବା ପାଇଁ ଅଣ୍ଟା ଭିଡିଲେ, ତେବେ କଥା ସରିଲା। ବାପାମା ବିରକ୍ତ ହେବେ, ଲୋକମାନେ ମନେକରିବେ ଯେପରି ତୁମେ ସବୁଆଡେ ବିଫଳ ହୋଇ ବ୍ୟବସାୟରେ ପଶିଛ। ପରିସ୍ଥିତି ଏପରି ହେବ, ତମେ ବାହାହେବା କଷ୍ଟକର ହୋଇପଡିବ। ଲୋକେ ଭାବିବେ, ଚାକିରି ନକରି ବ୍ୟବସାୟରେ ପଶିଥିବା ପିଲା ନିଜ ପରିବାରକୁ କିପରି ବା ଚଳାଇପାରିବ?

ତେବେ ଯଦି ଆମ ଦେଶର ଉଦ୍ୟୋଗୀ ବାତାବରଣକୁ ସିଲିକନ ଭ୍ୟାଲି ସହ ତୁଳନା କରିବା କଣ ଫରକ ଦେଖୁଛନ୍ତି? ଆହୁରି କଣ କରିବାକୁ ହେବ?

ଏକ ବଡ଼ ତଫାତ୍। ସିଲିକନ ଭ୍ୟାଲି ହେଉଛି ଉନ୍ନତ ଶିକ୍ଷା ଓ ଗବେଷଣା, ଭେଞ୍ଚର କ୍ୟାପିଟାଲର ପ୍ରାଚୁର୍ଯ୍ୟ ଓ ଦୂରଦୃଷ୍ଟି ସଂପନ୍ନ ତଥା ସମ୍ଭାବନାମୟ ଉଦ୍ୟୋଗୀମାନଙ୍କର ଏକ ସୁନ୍ଦର ମିଳନସ୍ଥଳୀ। ଏଠାରେ ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି।

ଦେଶରେ ଉଦ୍ୟୋଗଶୀଳତା ଓ ଷ୍ଟାର୍ଟ-ଅପଗୁଡିକୁ ପ୍ରେତ୍ସାହନ ଦେବାକୁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ବିଭିନ୍ନ କର୍ପୋରେଟ ହାଉସ ମଧ୍ୟ ନୂଆ ନୂଆ ଆଇଡିଆର ବିକାଶ କରିବା ପାଇଁ ଆଗେଇଆସୁଛନ୍ତି। ଦେଶର ଷ୍ଟାର୍ଟ-ଅପ ବାତାବରଣ କୁ ଉନ୍ନତ କରିବାରେ ଏସବୁର କଣ ପ୍ରଭାବ ରହିବ ବୋଲି ଭାବୁଛନ୍ତି?

ଏହି ପଦକ୍ଷେପଗୁଡିକ ହେଉଛନ୍ତି ଗୋଟିଏ ଗୋଟିଏ ଛୋଟ ଛୋଟ ବୁନ୍ଦା। ଏହି ଛୋଟ ଛୋଟ ବୁନ୍ଦାଗୁଡିକ ମିଶି ହିଁ ଆଗାମୀ ଦିନରେ ପରିବର୍ତ୍ତନର ନଦୀ ସୃଷ୍ଟି ହେବ।

ଏବେ ସମାଜ ସେବା ପାଇଁ ମଧ୍ୟ ଅନେକ ଗୁଡିଏ ଷ୍ଟାର୍ଟ-ଅପ୍ ଆସିଲେଣି । ଲାଭ କମାଇବା ଅପେକ୍ଷା ଆମ ସମାଜରେ ଟିକିଏ ପରିବର୍ତ୍ତନ ଆଣିବା ଏମାନଙ୍କ ଲକ୍ଷ୍ୟ। ଏମାନଙ୍କ ସମ୍ପର୍କରେ ଆପଣଙ୍କ ମତ କଣ?

ମୁଁ ଏହି କ୍ଷେତ୍ରର ଜଣେ ପ୍ରବଳ ସମର୍ଥକ। ତେବେ ଲାଭଆଶାୟୀ ଓ ଲାଭ ଆଶାକରୁନଥିବା ଉଦ୍ୟୋଗମାନଙ୍କ ମଧ୍ୟରେ ଥିବା ତଫାତଟି ଯେତେ କମିବ, ଆମ ଦେଶ ସେତେ ଉପକୃତ ହେବ। ଉଭୟଙ୍କ ମଧ୍ୟରେ କେତେକ କ୍ଷେତ୍ରରେ ସମାନତା ରହିଛି, ଆଉ କିଛି କ୍ଷେତ୍ରରେ ଉଭୟେ ଉଭୟଙ୍କର ପରିପୂରକ ହୋଇପାରିବେ। ଅର୍ଥାତ ସମାଜ କଲ୍ୟାଣ ଉଦ୍ଦେଶ୍ୟ ସାଧନ ଲାଗି ଉଭୟେ ପରସ୍ପରକୁ ସହାୟତା କରିପାରିବେ।

ଆମ ସମାଜରେ ଉଦ୍ୟୋଗଶୀଳତାକୁ ନେଇ କିଛିଟା ପରିବର୍ତ୍ତନ ଆସିଛି ବୋଲି କୁହାଯାଇପାରେ। ଆଜିକାଲିର କଲେଜପଢୁଆ ପିଲାମାନେ ଆଉ କେବଳ ଚାକିରି ପଛରେ ନଗୋଡାଇ, ଉଦ୍ୟୋଗୀ ହେବା ସ୍ଵପ୍ନ ମଧ୍ୟ ଦେଖିଲେଣି। ଏମାନଙ୍କୁ ଆପଣଙ୍କର କଣ ପରାମର୍ଶ ରହିବ?

କେବଳ ସ୍ଵପ୍ନ ଦେଖିବା ଯଥେଷ୍ଟ ନୁହେଁ। ସ୍ଵପ୍ନଟି ଯଦି ନିଦ ହଜେଇ ନ ଦିଏ, ତାହା କି ସ୍ଵପ୍ନ? ପ୍ରକୃତ ସ୍ଵପ୍ନ ହେଉଛି ତାହା, ଯାହାକି ତୁମ କାନ୍ଧରେ ଏକ ବୋଝ ହୋଇ ବସିଥିବ। କିନ୍ତୁ ଯେତେବେଳେ ତୁମେ ସେହି ବୋଝକୁ ବହନ କରିବାକୁ ଆଗେଇ ଆସିବ, ଦେଖିଥିବା ନିଦ ହଜେଇଦେଇଥିବା ବୋଝଟି ଧୀରେ ଧୀରେ ଏକ ଆନନ୍ଦଦାୟକ ଅନୁଭୂତିରେ ପରିଣତ ହେବ। ଅର୍ଥାତ୍ ସ୍ଵପ୍ନଟିକୁ ସାକାର ନ କରିବା ପର୍ଯ୍ୟନ୍ତ ଅକ୍ଳାନ୍ତ ପରିଶ୍ରମ କରିବାକୁ ହେବ।

A bhubaneswar based journalist writes on socio-economic issues

Related Stories