ଭୁବନେଶ୍ୱରରେ ଗୁଜୁରାଟ ମଡେଲ ଟାଉନ ପ୍ଲାନିଂ ସ୍କିମ

ଭୁବନେଶ୍ୱରରେ ଗୁଜୁରାଟ ମଡେଲ ଟାଉନ ପ୍ଲାନିଂ ସ୍କିମ

Saturday March 26, 2016,

3 min Read

image


ଆମ ଭୁବନେଶ୍ୱର ହେବ ସବୁଠୁ ସୁନ୍ଦର । ଦେଶ ମାନଚିତ୍ରରେ ରହିବ ଏକ ବିଶେଷ ସ୍ଥାନ । ସାରା ଭାରତ ବର୍ଷରେ ଭୁବନେଶ୍ୱରକୁ ସ୍ମାର୍ଟ ସିଟିର ତାଲିକାରେ ପ୍ରଥମରେ ରଖାଗଲା । ଏହାକୁ ଶୁଣି ଓଡିଶାବାସୀ ହୋଇଥିବାରୁ ନିଜକୁ ଭାରି ଖୁସି ଲାଗିଲା । ତେବେ ଭୁବନେଶ୍ୱରର ଜନସଂଖ୍ୟା ଯେମିତି ଦିନକୁ ଦିନ ବଢ଼ିବାରେ ଲାଗିଛି ତାକୁ ଦେଖିଲେ ଆସନ୍ତା ୨୦ ବର୍ଷ ପରେ ଏଠାରେ ବାସସ୍ଥାନ ଟିଏ ପାଇବା କେତେ କଷ୍ଟ ହେବ ତାହା ଅନୁଭବି ଲୋକଟିଏ ହିଁ ଜାଣି ପାରିବ ।

image


ଏ କଥା ମୁଁ ଏଠି କାହିଁକି କହିଲି? ମନକୁ ପ୍ରଶ୍ନ ଆସିଲା । ଯେଉଁପରି ଭାବରେ ରାଜଧାନୀରେ ଦିନକୁ ଦିନ ଶିକ୍ଷାନୁଷ୍ଠାନ, ବିଭିନ୍ନ ଆଇଟି କମ୍ପାନୀ ଗଢ଼ି ଉଠିଛି ତାହାକୁ ଦେଖିଲେ ଲାଗୁଛି କିଛି ବର୍ଷ ପରେ ଜନସଂଖ୍ୟା ୪ ଗୁଣ ବଢ଼ି ଯାଇଥିବ । ସେପଟେ ଭୁବନେଶ୍ୱର ଖୋର୍ଦ୍ଧାରେ ମିଶିଯାଇଥିବ ତ ଅନ୍ୟପଟେ ଭୁବନେଶ୍ୱର ଆଉ କଟକ ମଧ୍ୟରେ କିଛି ପାର୍ଥକ୍ୟ ନ ଥିବ ।

ଭୁବନେଶ୍ୱରକୁ ଯେଉଁମାନେ ଚାକିରି ଅନୁସନ୍ଧାନରେ ଆସନ୍ତି କିମ୍ବା ସରକାରୀ କର୍ମଚାରୀ । ସମସ୍ତେ ରାଜଧାନୀରେ ଘରଟିଏ କରି ରହିବାକୁ ଇଚ୍ଛା କରନ୍ତି । ତେବେ କିଛି ବିଲଡରଙ୍କ ପ୍ରଲୋଭନରେ ପଡି ଜମି କିଣନ୍ତି । ଘରଟିଏ ମଧ୍ୟ କରନ୍ତି । ବିଲଡର ଜମି ବାବଦକୁ ତ ମୋଟା ଅଙ୍କର ଅର୍ଥ ନିଏ। ତା' ସହ ରାସ୍ତା ପାଇଁ ଜମିରୁ ୨୦ ପ୍ରତିଶତ ଏବଂ ଅନ୍ୟାନ୍ୟ ବାବଦକୁ ଆହୁରି କିଛି ଟଙ୍କା ନେଇଥାଏ । ଏ କଥା ଏଠାରେ ଜମି କିଣିଥିବା ଲୋକଙ୍କୁ ବେଶ୍ ଜଣା । ଜୀବନର ମଧ୍ୟରେ ଯେତେ ଟଙ୍କା ସଞ୍ଚୟ କରିଥାନ୍ତି ବା ବ୍ୟାଙ୍କରୁ ଲୋନ ଆଣି ଘରଟିଏ କରିଥାନ୍ତି । କିନ୍ତୁ ସେଠାରେ ବିଲଡର ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ ଆସେ । ଅଭିଯୋଗ ଥାନାରୁ ଯାଇ କୋର୍ଟ ଯାଏଁ ମଧ୍ୟ ଚାଲେ । ନିରୀହ ଲୋକେ ଜମି ଦଲାଲ ଓ କିଛି ବିଲଡରଙ୍କ ପାଇଁ ବଡ ହଇରାଣ ହରକତ ହୁଅନ୍ତି ।

ତେବେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବେ ଟାଉନ ପ୍ଳାନିଙ୍ଗ ସ୍କିମ ବାହାର କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ସ୍କିମ ୭୫୦ ଏକର ଜମିକୁ ନେଇ ଆରମ୍ଭ ହୋଇଛି । ପାଇକରାପୁର, ନାରଗୋଦା, ସହଜପୁର, ଓ ସିଜିପୁଟ । ଏହାର ମୂଳ ଲକ୍ଷ୍ୟ ହେଲା ଭୁବନେଶ୍ୱରରେ ନିଜର ବାସସ୍ଥାନ ଖୋଜୁଥିବା ଲୋକଙ୍କୁ ଏକ ସୁନ୍ଦର ଘରଟିଏ ଯୋଗାଇବା । ଯେଉଁଠି ରାଜ୍ୟସରକାର ପ୍ରତି ପ୍ଳଟକୁ ରାସ୍ତା, ଡ୍ରେନେଜ, ପାଣି, ଲାଇଟ ଇତ୍ୟାଦିର ସୁବିଧା ଯୋଗାଇଦେବେ । ଏହି ଗ୍ରାମ ମାନଙ୍କରେ ଥିବା ଖାଲିପଡିଥିବା ଓ ଚାଷ ହେଉଥିବା ଜମି ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇଛି । ତେବେ ଏଥିରେ ଜନସାଧାରଣ ଓ ସରକାରଙ୍କ ସହଭାଗିତାରେ ସମସ୍ତ କାମ ହାତକୁ ନିଆଯାଇଛି । ଏଠାରେ ସହଭାଗିତାର ଅର୍ଥ ହେଉଛି ଜମି ମାଲିକ ମାନେ ତାଙ୍କର ସମୁଦାୟ ଜମିର ୪୦ ପ୍ରତିଶତ ରାଜ୍ୟସରକାରଙ୍କୁ ଦେବେ । ସେହି ୪୦ ପ୍ରତିଶତ ଜମିକୁ ନେଇ ସରକାର ଏଠି ସମସ୍ତ ପ୍ରକାରର ଅତି ଆବଶ୍ୟକ ଜିନିଷ ଉବଲବ୍ଧ କରାଇବେ । ଧରାଯାଉ ଜଣେ ଲୋକର ପ୍ଳଟ ଯେକୈାଣସି ସ୍ଥାନରେ ଥାଉ ସେଠାକୁ ରାସ୍ତା ଠାରୁ ଆରମ୍ଭ କରି ସମସ୍ତ ସୁବିଧା ବିଡିଏ ଦ୍ୱାରା କରାଯିବ । କେମିତି ଏହି ଯୋଜନା ଲୋକଙ୍କ ଜୀବନଧାରଣମାନକୁ ପରିବର୍ତ୍ତନ କରିପାରିବ । କେବଳ ଜନସାଧାରଣ ନୁହିଁନ୍ତିି, ପ୍ରକୃତ ଜମି ମାଲିକ ମାନେ କିପରି ନିଜ ଜମି ନ ହରାଇବେ । ତାହା ରହିଛି ଏ ଯୋଜନାରେ ।

image


ତେବେ ଆସନ୍ତୁ ଏ ମଡେଲ ବା ଯୋଜନା ଉପରେ ଏକ ନଜର ପକାଇବା-

୧-ସମବାୟ ଭିତିରେ ଏହି ମଡେଲ କାର୍ଯ୍ୟ କରିଥାଏ । ଯାହାକି ଗୋଟିଏ ଗୋଷ୍ଠୀ, ସହର ଓ ରାଜ୍ୟର ବିକାଶ ର ପ୍ରତିଶୃତି ଦେଇଥାଏ ।

୨-ଏହି ସ୍କିମରେ ଜମି ଅଧିଗ୍ରହଣର ଆବଶ୍ୟକତା ନ ଥାଏ । ତେଣୁ ଜମି ମାଲିକଙ୍କ ମନରେ ଜମି ହରାଇବାର ଦୁଃଖ ନଥାଏ ।

୩-ନିଜ ସମ୍ପତ୍ତି ଉପରେ ଜମିମାଲିକଙ୍କ ସମ୍ପୂର୍ଣ୍ଣ ଅଧିକାର ରହିଥାଏ ।

୪-ଏଥିରେ ଜମି ମାଲିକ ମାନେ ହେଉଛନ୍ତି ପ୍ରକୃତ ହିତାଧିକାରୀ ।

୫-ବିଡିଏର କାମ ହେଲା କେବଳ ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା ଯୋଗାଇଦେବା ।

୬-ଏକ ସ୍ୱଚ୍ଛ , ନିରପେକ୍ଷ, ନ୍ୟାୟସଂଗତ ଓ ଯୁକ୍ତିଯୁକ୍ତ ଉପାୟରେ ଏହି ପ୍ଳାନକୁ କରାଯାଇଥାଏ ।

୭-ଏହି ପ୍ଳାନ ବା ଯୋଜନା ଶ୍ରୀଘ୍ର ଓ ସହଜରେ କାର୍ଯ୍ୟକାରୀ ହୋଇଥାଏ ।

୮-ସମାଜର ସବୁବର୍ଗର ଲୋକଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥାଏ ।

ଏହା ବ୍ୟତୀତ ଅନେକ ସୁବିଧା ସୁଯୋଗ ପାଇପାରିବେ ଲୋକେ । ଟାଉନପ୍ଳାନିଙ୍ଗ ସ୍କିମ ପୁରା ହେବା ପରେ ନିଜର ଚାରିପାଖରେ ଖୋଜୁଥିବା ସମସ୍ତ ସୁବିଧା ସୁଯୋଗ ତାଙ୍କୁ ହାତ ପାହାନ୍ତାରେ ମିଳିଯିବ ।

ବିଡିଏ ରାଜଧାନୀରେ ହୁ ହୁ ହୋଇ ବଢ଼ୁଥିବା ଜନସଂଖ୍ୟାକୁ ଆଖିରେ ରଖି ଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଗୁଜୁରାଟ ର ଅହମ୍ମଦାବାଦ୍ ସହରେ ଆଜି ୫ ଶହରୁ ଅଧିକ ଟାଉନପ୍ଳାନିଙ୍ଗ ସ୍କିମ ସଫଳତାର ସହ ଆଗେଇ ଚାଲିଛି । ଏହି ସ୍କିମ୍ ଆସିବା ପରେ ସେଠାକାର ଜନସାଧାରଣଙ୍କ ଚେହେରା ପୁରା ବଦଳିଯାଇଛି । ଟାଉନପ୍ଳାନିଙ୍ଗ ସ୍କିମରେ ରାସ୍ତା ଏବଂ ରିଙ୍ଗ ରୋଡ ବାହାରିଲା ସେଥିରେ ସେଠାକାର ଚାଷୀ ଓ ଜମି ମାଲିକ ମାନେ ରାତାରାତି କୋଟିପତି ହୋଇଛନ୍ତି ।

ଆମେ ଏ ସ୍କିମ ବାବଦରେ ପାଇକରାପୁରର କିଛି ବାସିନ୍ଦାଙ୍କ ସହ ଆଲୋଚନା କରିଥିଲୁ । ସେମାନେ ପ୍ରଥମେ ପ୍ରଥମେ ସ୍କିମ କୁ ବାରଣ କରୁଥିଲେ । କିନ୍ତୁ ପ୍ରକୃତ କଥା ଜାଣିବାପରେ ଏବେ ସମସ୍ତେ ମିଶି ଏହି ସ୍କିମକୁ ସ୍ୱାଗତ କରୁଛନ୍ତି ।

ଆଗାମୀ ଦିନରେ ସ୍ମାର୍ଟ ସିଟିର ତାଲିକାରେ ଯେଉଁ ପ୍ରଥମ ସ୍ଥାନ ପାଇଛି ତାହା ଯେପରି ନମ୍ବର ୱାନ ସହରର ମାନ୍ୟତା ପାଇବ ସେଥିପାଇଁ ଆମ ସମସ୍ତଙ୍କୁ ମିଶି କାମ କରିବାର ସମୟ ଆସିଛି ।