ପାରମ୍ପରିକ ଜ୍ଞାନକୁ ସାଇତିବା ସହ ନୂଆ ଉଦ୍ଭାବନକୁ ବାଟ ଦେଖାଉଛି ଶୋଧଯାତ୍ରା

ଆସନ୍ତା ଗ୍ରୀଷ୍ମରେ ଶୋଧଯାତ୍ରାର ଦ୍ଵିତୀୟ ଚକ୍ର ଆରମ୍ଭ ହେବ ଓଡ଼ିଶାରୁ 

ପାରମ୍ପରିକ ଜ୍ଞାନକୁ ସାଇତିବା ସହ ନୂଆ ଉଦ୍ଭାବନକୁ ବାଟ ଦେଖାଉଛି ଶୋଧଯାତ୍ରା

Thursday December 15, 2016,

2 min Read

ଖଣ୍ଡିଆଟେ ହେଇଗଲେ ଆମେ ଡାକ୍ତର ପାଖକୁ ଦଉଡିଯିବା ବା ସଂକ୍ରମଣରୁ ବଞ୍ଚିବା ପାଇଁ ତୁରନ୍ତ ଖଣ୍ଡିଆରେ ଆଣ୍ଟିସେପ୍ଟିକ କ୍ରିମ ଲଗାଇଦେବା ସାଧାରଣ କଥା। କିନ୍ତୁ ନାଗାଲାଣ୍ଡର ଅନେକ ଗ୍ରାମବାସୀ ସେମାନେ 'ଡାକ୍ତର ପତ୍ର' ବୋଲି କହୁଥିବା ଏକ ପତ୍ରକୁ ଗଛରୁ ତୋଳିଆଣି ନିଜ କ୍ଷତରେ ଲଗାଇଦିଅନ୍ତି। ଏଥିରେ ରକ୍ତ ବୋହିବା ମଧ୍ୟ ବନ୍ଦ ହେଇଥାଏ ଓ ସଂକ୍ରମଣର ଆଶଙ୍କା ମଧ୍ୟ ଦୂର ହେଇଥାଏ। ଗାଁଲୋକଙ୍କ ଅନୁସାରେ ସାୟାଙ୍ଗ୍ଲାଜା ଗଛର ପତ୍ର କ୍ଷତରେ ଲଗାଇଲେ ରକ୍ତସ୍ରାବ ତୁରନ୍ତ ବନ୍ଦ ହେଇଯାଇଥାଏ।

Image : Shutterstock

Image : Shutterstock


ଭୌଗୋଳିକ ଭାବେ କଠିନ ଅଞ୍ଚଳରେ ରହିବା ସହ ଓ ସ୍ୱଳ୍ପ ସମ୍ବଳ ସହ ଜୀବନ ଅତିବାହିତ କରୁଥିବା ନାଗାଲାଣ୍ଡର ଏହି ଅଧିବାସୀ ମାନେ ନିଜର ପାରମ୍ପରିକ ଜ୍ଞାନକୁ ସାଇତି ରଖିବା ସହିତ ନିଜ ଜୀବନଶୈଳୀକୁ ଉନ୍ନତ ଓ ସହଜ କରିବା ପାଇଁ ନୂଆ ବୈଜ୍ଞାନିକ ପଦ୍ଧତିକୁ ମଧ୍ୟ ଆପଣେଇଛନ୍ତି। ବଞ୍ଚିବା ପାଇଁ ତାଙ୍କର ଦୁଇଟି ମନ୍ତ୍ର - ‘ନଷ୍ଟ କରିବା ନାହିଁ’ ଏବଂ ‘ଉପଲବ୍ଧ ସମ୍ବଳର ସର୍ବୋତ୍ତମ ବ୍ୟବହାର’। ଏକ କଷ୍ଟକର ଜୀବନକୁ କିଛି ମାତ୍ରାରେ ସହଜ କରିବାରେ ସହାୟକ ହେଇଥାଏ ଏହି ଦୁଇ ମନ୍ତ୍ର।

ଏପରି ଅନେକ ପାରମ୍ପରିକ ଜ୍ଞାନ ଏବଂ ନୂଆ ବୈଜ୍ଞାନିକ ପଦ୍ଧତି, ନାଗାଲାଣ୍ଡରେ ହେଇଥିବା ୩୮ତମ ଶୋଧଯାତ୍ରା ସମୟରେ ଲୋକଲୋଚନକୁ ଆସିଥିଲା। ନଭେମ୍ବର ୨୬ରୁ ଡିସେମ୍ବର ୨ ଯାଏଁ ହେଇଥିବା ଏହି ଶୋଧଯାତ୍ରାରେ ଭାରତ ଏବଂ ଅନ୍ୟାନ୍ୟ ଦେଶର ୬୦ ଜଣ ଶୋଧଯାତ୍ରୀ ଯୋଗ ଦେଇଥିଲେ। Society for Research and Initiatives for Sustainable Technologies and Institutions (SRISTI)ର ଅଧ୍ୟକ୍ଷ ପ୍ରଫେସର ଅନିଲ କୁମାର ଗୁପ୍ତା ପିଟିଆଇକୁ କହନ୍ତି,

ବର୍ଷକୁ ଦୁଇଥର SRISTI ଏପରି ଶୋଧଯାତ୍ରାର ଆୟୋଜନ କରିଥାଏ। ରାଜ୍ୟ ମାନଙ୍କର ଅଭ୍ୟନ୍ତରୀଣ ଗାଁ ମାନଙ୍କରେ କାଳକାଳରୁ ଗଚ୍ଛିତ ଥିବା ପାରମ୍ପରିକ ଜ୍ଞାନ ଏବଂ ତୃଣମୂଳ ସ୍ତରରେ ହେଇଥିବା ନୂଆ ଉଦ୍ଭାବନ ଗୁଡ଼ିକୁ ଲୋକଲୋଚନକୁ ଆଣିବା ସହ ଦେଶର ଅନ୍ୟ ପ୍ରାନ୍ତରୁ ମିଳିଥିବା ଜ୍ଞାନକୁ ବାଣ୍ଟିବା ହେଉଛି ଏହି ଯାତ୍ରାର ଆଭିମୁଖ୍ୟ।

ଏବେ ହେଇଥିବା ଏହି ଶୋଧଯାତ୍ରାରେ ଜୈବ ବିବିଧତା ଏବଂ ଖାଦ୍ୟ ରେସିପିକୁ ନେଇ ନାନା ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା ଯାହାଦ୍ୱାରା ସେଠାକାର ଅଧିବାସୀଙ୍କର ପାରମ୍ପରିକ ଜ୍ଞାନ ବାହାରକୁ ଆସିଥିଲା। ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌତୁହଳ ଏବଂ ସୃଜନଶୀଳତାର ବିକାଶ ପାଇଁ ଅନେକ ଅଭିନବ ବିଚାରର ପ୍ରତିଯୋଗୀତା ହେଇଥିଲା।

ଏପରି ପ୍ରତିଯୋଗୀତା ଛଡ଼ା ନବେ ବର୍ଷ ବୟସରୁ ଊର୍ଦ୍ଧ୍ଵ ବାସିନ୍ଦାଙ୍କୁ ସମ୍ମାନିତ କରାଯାଇଥିଲା। ଫିରାହି ଗାଁର ନ୍ଵିତସାଙ୍ଗପା ଯାହାଙ୍କର ବୟସ ୧୧୨ ବର୍ଷ, ସେ କୁହନ୍ତି,

ମୋର ଜୀବନକାଳରେ ମୁ ଏପ୍ରକାର ଏକ ଶୋଧଯାତ୍ରା ପ୍ରଥମ ଥର ପାଇଁ ଦେଖୁଛି। ଏପରି ପଦକ୍ଷେପ ଆମର ଯୁବପିଢିଙ୍କୁ ପ୍ରେରଣା ଯୋଗାଇବା ସହ ଆମର ପରମ୍ପରା ସମ୍ବନ୍ଧରେ ଏକ ସୂକ୍ଷ୍ମଦୃଷ୍ଟି ଯୋଗାଇବାରେ ସହାୟକ ହେବ।

ଏହି ଯାତ୍ରା ଅବସରରେ ତୃଣମୂଳ ସ୍ତରରୁ ଉଦ୍ଭାବନ ହେଇଥିବା ମେସିନ ଗୁଡିକର ପ୍ରଦର୍ଶନ ହେଇଥିଲା। ମିଜୋରାମର ଏକ ବାଉଁଶରେ ତିଆରି ଧୂପକାଠି ତିଆରି ମେସିନ, ତାମିଲନାଡୁର ହାତଚଳା ପାଣିଉଠା ମେସିନ ଏବଂ ହରିଆଣାରୁ ଆସିଥିବା ଏକ ଫୁଡ ପ୍ରସେସିଙ୍ଗ ମେସିନ ଏମାନଙ୍କ ମଧ୍ୟରୁ କିଛି।

ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ଵାରା ନିମନ୍ତ୍ରିତ ହେଇଥିବା ଉଦ୍ଭାବକ ଏବଂ ଚାଷୀ, ୭୧ ବର୍ଷୀୟ ଅମୃତ ଅଗ୍ରୱାଲ ମଧ୍ୟ ଏହି ଶୋଧଯାତ୍ରାରେ ଭାଗ ନେଇଥିଲେ। ନାଗାଲାଣ୍ଡ ସହ ଏହି ଶୋଧଯାତ୍ରାର ଏକ ଚକ୍ର ଶେଷ ହେଇଛି। ଦ୍ଵିତୀୟ ଚକ୍ରଟି ଖରାଦିନରେ ଓଡ଼ିଶାରୁ ଆରମ୍ଭ ହେବ ବୋଲି ପ୍ରଫେସର ଗୁପ୍ତା କହିଛନ୍ତି।

ଏହି ଶୋଧଯାତ୍ରା ଗୁଡ଼ିକ ୨୦୦ ବର୍ଷ ପୁରୁଣା ଜ୍ଞାନକୁ ସାଇତି ରଖିବାର ଏକ ଜରିଆ। ଏହି ଯାତ୍ରା ସାହାଯ୍ୟରେ ଆମେ ୧୦୦ ବର୍ଷ ପୁରୁଣା ତଥ୍ୟକୁ ସାଇତି ରଖିବାର ପ୍ରୟାସ କରୁଛୁ ଯାହାକି ଆସନ୍ତା ୧୦୦ ବର୍ଷ ପର୍ଯ୍ଯନ୍ତ ଆମର ଯୁବପିଢିକୁ ଜ୍ଞାନ ଯୋଗାଇବ।