ମଧୁସୂଦନ ପତି: ଛାତ୍ରୀଙ୍କ ପାଇଁ ଦାନ କଲେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ଅର୍ଥରାଶି

ମଧୁସୂଦନ ପତି: ଛାତ୍ରୀଙ୍କ ପାଇଁ ଦାନ କଲେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ଅର୍ଥରାଶି

Wednesday March 16, 2016,

2 min Read

image


ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଅତିବଡି ଜଗନ୍ନାଥ ଦାସ ସମ୍ମାନ ପାଇଥିଲେ ପ୍ରଫେସର ମଧୁସୂଦନ ପତି । ମାନପତ୍ର ସହ ଲକ୍ଷେ ଟଙ୍କା ପୁରସ୍କାର ବାବଦକୁ ପାଇଥିଲେ ସେ । ପୁରସ୍କାର ପାଇବା ପରେ ପ୍ରଫେସର ପତି କହିଥିଲେ ଯେ, ପୁରସ୍କାର ବାବଦ ଅର୍ଥ ସେ ନିଜ ପାଇଁ ରଖିବେ ନାହିଁ । ସାହିତ୍ୟ କ୍ଷେତ୍ର ପାଇଁ ହିଁ ଖର୍ଚ୍ଚ କରିବେ । ଓଡ଼ିଶା ସାହିତ୍ୟ ଏକାଡେମୀରୁ ପୁରସ୍କାର ଗ୍ରହଣ ବେଳେ ମଧ୍ୟ ସେ ଏହି କଥା କହିଥିଲେ ସାଧାରଣରେ । ଆଉ ପ୍ରଫେସର ପତି ଆଜି ତାହା କରି ଦେଖାଇଛନ୍ତି । ଟଙ୍କାର ମୋହ ତାଙ୍କ ପ୍ରତିଶ୍ରୁତିକୁ ବାନ୍ଧି ରଖିପାରି ନାହିଁ । ଶ୍ରୀ ପତି ନିଜ କଥା ରଖିଛନ୍ତି । ପୁରସ୍କାର ବାବଦ ଅର୍ଥକୁ କଲ୍ୟାଣମୂଳକ କାର୍ଯ୍ୟ ପାଇଁ ଦାନ କରିଦେଇଛନ୍ତି । ତାଙ୍କର ଏହି ଅର୍ଥରାଶି ମେଧାବୀ ଛାତ୍ରୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ।

Madhusudan Pati

Madhusudan Pati


ବଲାଙ୍ଗୀର ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ଓ ଯୁକ୍ତ ତିନି ଶ୍ରେଣୀ ରହିଛି । ବର୍ଷେ ହେଲା ବିଜ୍ଞାନ ଶ୍ରେଣୀ ଖୋଲିଛି । ତେବେ କିଛି ଦିନ ତଳେ ପ୍ରଫେସର ପତି ସମ୍ମାନ ବାବଦକୁ ପା ଥିବା ଲକ୍ଷେ ଟଙ୍କା ମହିଳା ମହାବିଦ୍ୟାଳୟକୁ ଦେଇଛନ୍ତି । ଏହି ଟଙ୍କା ବ୍ୟାଙ୍କରେ ମିଆଦୀ ଜମା ହୋଇ ରହିବ । ପ୍ରତି ବର୍ଷ ଓଡ଼ିଆ, ସଂସ୍କୃତ ଓ ଇଂରାଜୀ ସାହିତ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଛାତ୍ରୀମାନଙ୍କ ତାଲିକା ପ୍ରସ୍ତୁତ କରାଯିବ । ଯେଉଁମାନେ ଉଚ୍ଚଶିକ୍ଷା ପାଇଁ ଆଶାୟୀ ଓ ଆର୍ଥିକ ଭାବେ ସ୍ୱଚ୍ଛଳ ନୁହନ୍ତି ସେମାନଙ୍କୁ ଏହି ତାଲିକା ମଧ୍ୟରୁ ଚୟନ କରାଯିବ । ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ସବୁଠାରୁ ଅଧିକ ଅଭାବୀ ଛାତ୍ରୀଙ୍କୁ ବ୍ୟାଙ୍କରୁ ବର୍ଷକୁ ମିଳିବାକୁ ଥିବା ସୁଧ ଟଙ୍କା ପାଠ ପଢ଼ିବା ପାଇଁଁ ପ୍ରଦାନ କରାଯିବ । ଏମିତି ଯୋଜନା କରି ପ୍ରଫେସର ପତି ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସୁଷମା ମଂଜରୀ ନାୟକଙ୍କୁ ଲକ୍ଷେ ଟଙ୍କା ପ୍ରଦାନ କରିଛନ୍ତି । କିଛି ଦିନ ତଳୁ ପ୍ରଫେସର ପତି ଏହି ଟଙ୍କା ଦେଏଥିଲେ ବି ଏସଂପର୍କରେ କୌଣସି ପ୍ରଚାର ନକରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ କହିଥିଲେ । ତେବେ ଅତିବଡି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ପ୍ରଫେସର ପତି ତାଙ୍କ ସମ୍ମାନ ଅର୍ଥ ଛାତ୍ରୀଙ୍କ ପାଏଁ ଉତ୍ସର୍ଗ କରିଦେଇଥିବା ଜଣାପଡ଼ିଛି । ଏହା ଜାଣିବା ପରେ ସାରା ରାଜ୍ୟରେ ତାଙ୍କର ସମ୍ମାନ ଆହୁରି ବଢ଼ିଯାଇଛି । ଅନେକ ଏହାକୁ ପ୍ରଶଂସା କରିବା ସହ ପ୍ରଫେସର ପତିଙ୍କ ବଦାନ୍ୟତା ବୋଲି କହୁଛନ୍ତି । କଲେଜ ଛାତ୍ରୀମାନେ ମଧ୍ୟ ଏଭଳି ସହାୟତା ଜଣେ ମେଧାବୀ ଓ ଅର୍ଥ ଆବଶ୍ୟକ କରୁଥିବା ଛାତ୍ରୀକୁ ମିଳିଲେ ସେ ଉପକୃତ ହେବେ ବୋଲି କହିଛନ୍ତି ।