ନୂଆ ଦିଗନ୍ତ: କଂପାନି ସାମାଜିକ ଦାୟିତ୍ୱ (CSR): ବମ୍ବେ ଷ୍ଟକ ବଜାର ଆଣିଲା ଲାଇଭ୍ ପ୍ଲାଟଫର୍ମ

ନୂଆ ଦିଗନ୍ତ: କଂପାନି ସାମାଜିକ ଦାୟିତ୍ୱ (CSR): ବମ୍ବେ ଷ୍ଟକ ବଜାର ଆଣିଲା ଲାଇଭ୍ ପ୍ଲାଟଫର୍ମ

Monday December 14, 2015,

3 min Read

ବିଶ୍ୱର ଏକ ପୁରଣା ଷ୍ଟକ ବଜାରରେ ଭାବେ ବମ୍ବେ ଷ୍ଟକ ବଜାରର ଖ୍ୟାତି ରହିିଛି । ଏବେ ବମ୍ବେ ଷ୍ଟକ ବଜାର ଏଭଳି ଏକ ପ୍ଲାଟଫର୍ମ ଆରମ୍ଭ କରିଛି ଯାହାକୁ ନେଇ ବେଶ ଚର୍ଚ୍ଚା ଚାଲିିଛି । ତାହା ହେଉଛି ଏହାର ସିଏସ୍ଆର୍ ପ୍ଲାଟଫର୍ମ । ଏହାର ଲାଇଭ୍ ହୋଇଯାଇଛି । ଏଥିରେ ୨୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସିଏସ୍ଆର୍ ପ୍ରକଳ୍ପ ବିଷୟରେ ସୂଚନା ପ୍ରଦାନ କରାଯାଇଛି ।

image


ସିଏସ୍ଆରର ପୁରା ନାମ ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ୱ । ଏହାର ଅର୍ଥ ହେଉଛି ଦେଶରେ କାରବାର କରୁଥିବା କର୍ପୋରେଟ୍ ସଂସ୍ଥାଗୁଡ଼ିକ ସମାଜଠାରୁ ଅନେକ କିଛି ପାଉଛନ୍ତି । ସିଏସ୍ଆର୍ କାର୍ଯ୍ୟକ୍ରମ ଜରିଆରେ ସେମାନେ ସେହି କିଛି ଅର୍ଥ ସମାଜକୁ ପୁଣି ଫେରାଉଛନ୍ତି । ତାହା ବିିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଖର୍ଚ କରାଯାଉଛି । କଂପାନିଗୁଡ଼ିକର ଏହା ଏକମାତ୍ର ଖର୍ଚ୍ଚ ଯେଉଁଥିରୁ ସେମାନେ କିଛି ଲାଭ ହାସଲ କରିବାକୁ ଲକ୍ଷ୍ୟ ରଖି ନ ଥାନ୍ତି ।

ବମ୍ବେ ଷ୍ଟକ ବଜାର ଯେଉଁ ପ୍ଲାଟଫର୍ମ ଆରମ୍ଭ କରିିଛି ତାହାର ନାମ ରଖାଯାଇଛି ସମ୍ମାନ । ଏହି ପ୍ଲାଟଫର୍ମକୁ ବ୍ୟବହାର କରି କର୍ପୋରେଟ୍ ସଂସ୍ଥାଗୁଡ଼ିକ ସେମାନଙ୍କ ସିଏସ୍ଆର୍ କାର୍ଯ୍ୟ ପାଇଁ ପାର୍ଟନର୍ ଖୋଜି ପାରିବେ । ବର୍ତ୍ତମାନ ସୁଦ୍ଧା ବିଭିନ୍ନ କଂପାନିର ୨୦୦୦ କୋଟି ଟଙ୍କାର ୬୦୦ଟି ପ୍ରକଳ୍ପ ଏଥିରେ ପଂଜୀକୃତ ହୋଇଛି । ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓ ଆଇଆଇସିଏ ସହଯୋଗରେ ଏହି ପ୍ଲାଟଫର୍ମକୁ ବମ୍ବେ ଷ୍ଟକ ବଜାର ଆରମ୍ଭ କରିଛି । ଚଳିତ ମାସ ୯ରୁ ଏହା ଲାଇଭ୍ ହୋଇଛି ।

ଯେଉଁ ଏନଜିଓ ଓ ବେସରକାରୀ ସଂସ୍ଥାଗୁଡ଼ିକର ଅତୀତ ରେକର୍ଡ ବହୁତ ଭଲ ରହିିଛି, ସେମାନଙ୍କ ସହଯୋଗରେ ବଡ଼ ବଡ଼ କଂପାନି ସେମାନଙ୍କ ସିଏସ୍ଆର୍ କାର୍ଯ୍ୟ କରିବେ । ଏହି ପ୍ଲାଟଫର୍ମରେ କଂପାନିଗୁଡ଼ିକୁ ଭଲ ଏନଜିଓ ଓ ଓ ବେସରକାରୀ ସଂସ୍ଥାର ସହଯୋଗ ମିଳିପାରିବ ।

image


ଦେଶର ବିଭିନ୍ନ ଏନଜିଓ ସେମାନଙ୍କ ପ୍ରକଳ୍ପ ବିବରଣୀ ସହ ସମ୍ମାନରେ ନିଜକୁ ପଂଜୀକୃତ କରିବେ । ଏନଜିଓ ଗୁଡ଼ିକ ନିଜର ପାଣ୍ଠି ଆବଶ୍ୟକତା ବିଷୟରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିବେ । ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ନିଜର ସିଏସ୍ଆର୍ ଆବଶ୍ୟକତା ଅନୁସାରେ ବିଭିନ୍ନ ଏନଜିଓକୁ ଏହି ପ୍ଲାଟଫର୍ମରେ ଚୟନ କରିବେ ।

ନୂଆ କଂପାନି ନିୟମ ଅନୁସାରେ କଂପାନିଗୁଡ଼ିକୁ ସେମାନଙ୍କ ଲାଭର ୨ ପ୍ରତିଶତ ବାଧ୍ୟତାମୂଳକ ଭାବେ ସିଏସ୍ଆରରେ ଖର୍ଚ୍ଚ କରିବାକୁ ପଡ଼ିବ । ବମ୍ବେ ଷ୍ଟକ ଏକ୍ସଚେଂଜ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଏକ୍ସଚେଂଜରେ ପଂଜିକୃତ ହୋଇଥିବା ୧୨୯୩ଟି କଂପାନି ଚଳିତ ଆର୍ଥିକ ବର୍ଷ (୨୦୧୫-୧୬)ରେ ସିଏସ୍ଆର୍ କାର୍ଯ୍ୟକ୍ରମରେ ପାଖାପାଖି ୭୮୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ବମ୍ବେ ଷ୍ଟକ ବଜାର ପକ୍ଷରୁ କୁହାଯାଇଛି ଯେ ସମ୍ମାନ ହେଉଛି ବିଶ୍ୱର ପ୍ରଥମ ଉତ୍ସର୍ଗୀକୃତ ସିଏସ୍ଆର୍ ପ୍ଲାଟଫର୍ମ । ଏଠାରେ ଏନଜିଓଗୁଡ଼ିକୁ ସେମାନଙ୍କ କାମ ପାଇଁ ସହଜରେ ପାଣ୍ଠି ମିଳିଯିବ ଓ କର୍ପୋରେଟ୍ ସଂସ୍ଥା ମଧ୍ୟ ନିଜ ସିଏସ୍ଆର୍ ଖର୍ଚ୍ଚକୁ ଉଚିତ ଢ଼ଙ୍ଗ ଓ କ୍ଷେତ୍ରରେ ପ୍ରଭାବାଶାଳୀ ଭାବେ ଖର୍ଚ୍ଚ କରିପାରିବେ ।

ଭାରତରେ ୨୦ ଲକ୍ଷରୁ ଅଧିକ କର୍ପୋରେଟ୍ ସଂସ୍ଥା ରହିଛନ୍ତି । କିନ୍ତୁ କର୍ପୋରେଟ୍ ସଂସ୍ଥାଗୁଡ଼ିକ ସେମାନଙ୍କ ବିଶ୍ୱାସନୀୟତା ନେଇ ସନ୍ଦେହହରେ ରହିଛନ୍ତି । କେତେକ ହାତ ଗଣତି ଏନଜିଓକୁ ବାଦ ଦେଲେ ଅନ୍ୟମାନଙ୍କ ଉପରେ ବିଶ୍ୱାସ କରିବାକୁ କର୍ପୋରେଟ୍ ସଂସ୍ଥା ଚାହୁଁନାହାନ୍ତି ।

ବିଶ୍ୱସନୀୟ ଏନଜିଓଗୁଡ଼ିକୁ ପ୍ଲାଟଫର୍ମରେ ସାମିଲ କରିବା ପାଇଁ ପଞ୍ଜୀକରଣ ବ୍ୟବସ୍ଥାକୁ ବେଶ କଡ଼ାକଡ଼ି କରାଯାଇଛି । ସେମାନଙ୍କୁ ଅନେକ କଠୋର ପ୍ରକ୍ରିୟା ଦେଇ ଗତି କରିବାକୁ ପଡୁଛି । ସେହିପରି କର୍ପୋରେଟ୍ ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ କଠୋର ପଞ୍ଜୀକରଣ ପ୍ରକ୍ରିୟା ରଖାଯାଇଛି । କୌଣସି ଏନଜିଓକୁ ଏଥିରେ ସାମିଲ ହେବାକୁ ହେଲେ ଆଇଆଇସିର ସାର୍ଟିଫିକେସନ୍ କିମ୍ବା ଏକ ବିଶ୍ୱାସଯୋଗ୍ୟ ଏନଜିଓର ସହଯୋଗୀ ବୋଲି ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ । ସେମାନେ ଦାଖଲ କରିଥିବା ସମସ୍ତ କାଗଜପତ୍ରକୁ ଆଇଆଇସିଏ ଯାଞ୍ଚ କରିବା ପରେ ପଞ୍ଜୀକରଣ ହୋଇପାରିବ ।