ନିଜ ଆଶ୍ରୟରେ ବନିତା

ନିଜ ଆଶ୍ରୟରେ ବନିତା

Thursday April 14, 2016,

3 min Read

ଗୁପଚୁପ । ନାଁ ଟା ଶୁଣିଲାମାତ୍ରେ ପାଟିକୁ ଲାଳ ଆସିଯାଏ । ସମସ୍ତଙ୍କ ପ୍ରିୟ ଏହି ଗୁପଚୁପ । ଆଉ ଯେତେବେଳେ ମହିଳାମାନଙ୍କ କଥା ଉଠେ, ସେତେବେଳେ ତ ସମସ୍ତେ ଜାଣନ୍ତି ଗୁପଚୁପକୁ ନେଇ ସେମାନଙ୍କର ଆଗ୍ରହର କଥା । ମାତ୍ର ସେହି ଗୁପଚୁପ ଦେଉଥିବା ଲୋକଟିହିଁ ଯଦି ମହିଳାଟିଏ ହୋଇଥାଏ, ତେବେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଏମିତି ଜଣେ ମହିଳାଙ୍କୁ ଯିଏ ଅନ୍ୟମାନଙ୍କୁ ପ୍ରତିଦିନ ପରସି ଦିଅନ୍ତି ଗୁପଚୁପ...

ବୟସ ପାଖାପାଖି ୩୬ କି ୩୭ ହେବ । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଅଞ୍ଚଳର ବନିତା ରଣସିଂହଙ୍କ କଥା । ସୂତା ଶାଢ଼ୀ ଖଣ୍ଡେ ପିନ୍ଧି ନିଜ ଗୁପଚୁପ ଡାଲା ସହ ଛିଡା ହୋଇଥାନ୍ତି ଫରେଷ୍ଟ ପାର୍କ ସମ୍ମୁଖରେ । କଥା କଥାକେ ସମାଜରେ ନାରୀ ମାନଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥାଏ । ଆହୁରିମଧ୍ୟ ଲୋକେ କୁହନ୍ତି “ବିନାଶ୍ରୟେ ନ ତରନ୍ତି କବିତା, ବନିତା, ଲତା’ । ମାତ୍ର ଏହାକୁ ମିଛ ପ୍ରମାଣିତ କରିଛନ୍ତି ବନିତା । ଅନେକ ଅଭାବ ଅସୁବିଧାରେ ମଧ୍ୟ ବନିତା ହାର ମାନି ନାହାନ୍ତି । ସ୍ୱାଭିମାନର ସହ ବଞ୍ଚିବା କିଏ ତାଙ୍କଠାରୁ ହିଁ ଶିଖିବାର କଥା । ଘରେ ତାଙ୍କର ତିନୋଟି ସନ୍ତାନ, ସ୍ୱାମୀ ଏବଂ ଶ୍ୱଶୁର ଘରର ସମଗ୍ର ପରିବାର । ପୂରା ପରିବାରର ଦାୟିତ୍ୱ ତା’ ସାଙ୍ଗକୁ ନିଜ ବେପାର, ଦୁଇଟା ଯାକରେ ସେ ନିଜକୁ ସଫଳ କରିପାରିଛନ୍ତି ନିଶ୍ଚୟ ହେଲେ, ପରିବାର ଠାରୁ କୌଣସି ସହାୟତା ପାଇପାରିନାହାନ୍ତି ଏଯାଏଁ । ଲଢ଼ିଚାଲିଛନ୍ତି ନିଜ ଲଢ଼େଇ ଏକା ଏକା ।

image


ଦୀର୍ଘ ଚାରି ବର୍ଷ ଧରି ବନିତା ସଂଘର୍ଷ କରି ଚାଲିଛନ୍ତି ସମ୍ମାନର ସହ ବଞ୍ଚିବା ପାଇଁ । ହାର ମାନି ନାହାନ୍ତି କୌଣସି କ୍ଷେତ୍ରରେ । ସେମିତିରେ ବିହାହର କିଛି ବର୍ଷ ବେଶ୍ ହସଖୁସିରେ ନିଜର ସମୟ କାଟିଥିଲେ ବନିତା । ହେଲେ କିଛି ଦିନ ଭିତରେ ଗ୍ରହଣ ଲାଗିଗଲା ତାଙ୍କ ତେଲ ଲୁଣର ସଂସାରରେ । ନିର୍ବାସ ଆଉ ବନୀତାଙ୍କ ସଂପର୍କରେ । ଧିରେ ଧିରେ ପରିବାରରେ ନାନା ଅଶାନ୍ତି ଦେଖାଦେଲା । ଅଭାବ ଭିତରେ ପ୍ରାୟ ଦିନ ବୁଡି ରହୁଥିଲେ ବନିତା । ନିଜ ଛୋଟ ଛୋଟ ପିଲାମାନଙ୍କ ମୁହଁରେ ମୁଠାଏ ଦାନା ଦେବା ପାଇଁ ବାଛିନେଇଥିଲେ ସେ ଏ ରାସ୍ତା । ଅର୍ଥନୈତିକ ସ୍ୱାଧୀନତା ପାଇଁ ବନିତା କାହା ଉପରେ ନିର୍ଭର କରିବାକୁ ଚାହିଁ ନଥିଲେ । ସମ୍ମାନ ଏବଂ ସ୍ୱାଧୀନତାର ସହ ବଞ୍ଚିବା ଏବଂ ନିଜ ପରିବାରର ପୋଷଣ ଦାୟିତ୍ୱ ନିଜ କାନ୍ଧକୁ ନେବା ତାଙ୍କର ଏକ ମାତ୍ର ଲକ୍ଷ୍ୟ ଥିଲା । 

ତେବେ ଏପରି କାର୍ଯ୍ୟକୁ ନିଜ ବୃତ୍ତି ଭାବରେ କାହିଁକି ବାଛିଲେ ପଚାରିବାରୁ ଲୁହ ଛଳ ଛଳ ଆଖିରେ ବନିତା କହିଥିଲେ, 

ଆଜ୍ଞା କୋଉ ସ୍ତ୍ରୀ ଲୋକକୁ ଘରୁ ପଦାକୁ ଗୋଡ କାଢ଼ିବାକୁ ମନ ହୁଏ କହିଲେ?? ଘର ପାଇଟିରେ ଦିନ ସରୁନି, ତା’ପରେ ଏ ପରି ଧନ୍ଦା’ ମରିବାକୁ ସମୟ ମିଳୁନି ବାବୁ। 

ନୂଆ ନୂଆ ବେପାର ସୁଧୁରିଥିବାର ମଧ୍ୟ ସେ ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ କୋହଭରା ସ୍ୱରରେ ଆଖିରୁ ଲୁହ ପୋଛି ଦେଉ ଦେଉ କହିଲେ

ସେମିତିରେ ଦିନକୁ ୨୦୦ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଥାଏ ସେଥିରେ ପୁରା ପରିବାରର ଦାୟିତ୍ୱ ବୋହିବାକୁ ହୁଏ।

ରାତି ପାହିଲେ ଘରର ସବୁ କାମ ଧନ୍ଦା ସାରି ୩ ଛୁଆଙ୍କୁ ସ୍କୁଲ୍ ପଠାନ୍ତି ବନିତା । ଏତିକିରେ ସରେ ନାହିଁ ତାଙ୍କ ଜଞ୍ଜାଳ, ଏକା ଏକା ଲାଗିପଡନ୍ତି ଗୁପଚୁପ ତିଆରିରେ । ଆଉ ସଂନ୍ଧ୍ୟାରେ ଗୁପଚୁପ ଗାଡି ଧରି ଚାଲିଆସନ୍ତି ନିଜ କର୍ମ କ୍ଷେତ୍ର, ଫରେଷ୍ଟ ପାର୍କର ଦୁଇ ନମ୍ବର ଫାଟକ ସମ୍ମୁଖକୁ । କଥାରେ ଅଛି ମହିଳାମାନେ ସ୍ୱଭାବତଃ ଖୁବ୍ ସ୍ନେହୀ । ତେବେ ଗୁପଚୁପ ପରସିବା ସମୟରେ ଗ୍ରାହକଙ୍କର ପ୍ରତିଟି ରୁଚିକୁ ଧ୍ୟାନରେ ରଖିଥାନ୍ତି ସେ । ଛାତିରେ ଛାତିରେ ଦୁଃଖ ଆଉ ଆଖିରେ ଆଖିଏ ଲୁହ । ସବୁ ଯନ୍ତ୍ରଣାକୁ ଛାତିରେ ଚାପି ଗ୍ରାହକଙ୍କ ରୁଚି ଅନୁସାରେ ପରସି ଯାଆନ୍ତି ଗୁପଚୁପ । କାହାକୁ ଖଟା ଦରକାର ତ କାହାକୁ ରାଗ । 

ସେଇ ଗୁପଚୁପ ବ୍ୟବସାୟରୁ ବାହାରୁ ଥିବା ଲାଭାଶଂକୁ ନିଜ ପିଲାମାନଙ୍କ ପାଠପଢ଼ାରେ ଖର୍ଚ୍ଚ କରିଥାନ୍ତି ବୋଲି ସେ କୁହନ୍ତି । କେବଳ ସେତିକି ନୁହେଁ, ବ୍ୟାଙ୍କ୍ ରୁ ଋଣ ନେଇ ସ୍ୱାମୀଙ୍କ ପାଇଁ ଖଣ୍ଡେ ଅଟୋର ବ୍ୟବସ୍ଥା ମଧ୍ୟ କରିଛନ୍ତିି ସେ । ତେବେ ବନିତା ଗୁପଚୁପ ବିକୁଥିବା ସମୟରେ ତାଙ୍କ ସହ ତାଙ୍କ ୧୨ ବର୍ଷର ପୁଅ ତାଙ୍କୁ ଅଳ୍ପ ବହୁତ ସହଯୋଗ କରୁଥିବାର ଆମେ ଦେଖିଥିଲୁ । ତେବେ ସେଠାରେ ଆମେ ଭେଟିଥିଲୁ ଏମିତି କିଛି ଲୋକଙ୍କୁ ଯେଉଁମାନେ ପ୍ରାୟ ପ୍ରତିଦିନ ତାଙ୍କ ଠାରୁ ଗୁପଚୁପ ଖାଇଥାନ୍ତି, “ବନିତା ଅପାଙ୍କ ଗୁପଚୁପର ସ୍ୱାଦ ଖୁବ୍ ଭଲ । ତା ସହ ତାଙ୍କ ବ୍ୟବହାର ମଧ୍ୟ ଖୁବ୍ ଭଲ । ସେଥିପାଇଁ ଦିନଯାକ ଯେତେ ବ୍ୟସ୍ତ ଥିଲେ ବି ପ୍ରାୟ ସଂନ୍ଧ୍ୟାରେ ମୁଁ ପାର୍କ ସାମ୍ନାକୁ ଗୁପଚୁପ ଖାଇବାକୁ ଦୈାଡିଆସେ" ବୋଲି କୁହନ୍ତି ବିଜେବି କଲେଜର ଛାତ୍ରୀ ରଂଜିତା ।

ଜୀବନର ସମସ୍ତ ଜଞ୍ଜାଳକୁ ସାମ୍ନା କରିବା ସହ ତିନିପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବା ବନିତାଙ୍କର ଏକମାତ୍ର ଲକ୍ଷ୍ୟ । ଶାସ୍ତ୍ର କୁହେ “ଯିଏ ଭରଣ ପୋଷଣରେ ଯୋଗ୍ୟା ସେ ହିଁ ଭାର୍ଯ୍ୟା’ । ମାତ୍ର ଏଠି ଯିଏ ଭରଣ ପୋଷଣ ପାଇବା କଥା ସେ ଭରଣ ପୋଷଣର ସମସ୍ତ ଦାୟିତ୍ୱ ବହନ କରୁଛି । ସମାଜ ଆଗରେ ନିଜର ଏପରି ଉଦ୍ୟମକୁ ନେଇ ଏମିତି ଅନେକ ନାରୀଙ୍କ ପାଇଁ ସେ ସାଜିଛନ୍ତି ଉଦାହରଣ ନିଶ୍ଚୟ ।