କେବଳ ରୋମାଚଂକ ଚିନ୍ତାଧାରା ପାଇଁ ମୁଁ ମୋ ଡଲାର ଦେବି: ରତନ ଟାଟା

କେବଳ ରୋମାଚଂକ ଚିନ୍ତାଧାରା ପାଇଁ ମୁଁ ମୋ ଡଲାର ଦେବି: ରତନ ଟାଟା

Friday January 15, 2016,

3 min Read

ଭାରତୀୟ ଶିଳ୍ପ ଜଗତର ବାଦଶାହ ହେଉଛନ୍ତି ଟାଟା ଗୃପର ପୂର୍ବତନ ମୁଖ୍ୟ ରତନ ଟାଟା । ଉଦ୍ୟୋଗ ଜଗତକୁ ଏକ ନୂତନ ଦିଗ ପ୍ରଦାନ କରିବାରେ ତାଙ୍କର ଗୁୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଟାଟା ଗ୍ରୁପରୁ ଅବସର ଗ୍ରହଣ କରିବାର କିଛି ବର୍ଷ ମଧ୍ୟରେ ସେ ଭାରତର ଷ୍ଟାର୍ଟ-ଅପ୍ ସଂସ୍ଥାଗୁଡ଼ିକରେ ମନ ଖୋଲି ପୁଞ୍ଜିନିବେଶ କରୁଛନ୍ତି । ଇତି ମଧ୍ୟରେ ସେ ୨୦ଟି ଷ୍ଟାର୍ଟ-ଅପରେ ପୁଞ୍ଜିନିବେଶ କରିସାରିଲେଣି ।

image


କିଭଳି ଷ୍ଟାର୍ଟ-ଅପ୍ ସଂସ୍ଥାରେ ରତନ ଟାଟା ନିବେଶ କରୁଛନ୍ତି ତାହା ଜାଣିବାକୁ ସମସ୍ତେ ଆଗ୍ରହୀ । ଏହି ପ୍ରଶ୍ନର ଉତ୍ତର ନିଜେ ଦେଇଛନ୍ତି ରତନ ଟାଟା । 

ସେ କହିଛନ୍ତି ଯେ ଯେଉଁ ଷ୍ଟାର୍ଟ-ଅପ୍ ସଂସ୍ଥା କିମ୍ବା ନୂତନ ଚିନ୍ତାଧାରା ତାଙ୍କ ମଧ୍ୟରେ ରୋମାଚଂ ସୃଷ୍ଟି କରି ନପାରେ ସେଥିରେ ସେ ନିବେଶ କରନ୍ତି ନାହିଁ । କେବଳ ରୋମାଚଂ ଭରି ପାରୁଥିବା ଚିନ୍ତାଧାରାକୁ ହିଁ ସେ ନିଜ ପାଖରେ ଥିବା ଡଲାର ଦେଉଛନ୍ତି ବୋଲି କହିଛନ୍ତି ।

ନିରନ୍ତର ଭାବେ ଷ୍ଟାର୍ଟ-ଅପ୍ ସଂସ୍ଥାଗୁଡ଼ିକରେ ନିବେଶ ଜାରି ରଖିଥିବା ରତନ ଟାଟା କହିଛନ୍ତି ଯେ ଏହା ହେଉଛି ଯୁବ ଭାରତର ନୂତନ ଚିନ୍ତାଧାରାର ପ୍ରତିଫଳନ । ସେ କୌଣସି ସଂସ୍ଥାରେ ପୁଞ୍ଜିନିବେଶ କରିବା ପୂର୍ବରୁ ପ୍ରଥମେ ଭାବନ୍ତି ଯେ ସେହି ସଂସ୍ଥାକୁ ଗଢ଼ି ଥିବା ପ୍ରତିଷ୍ଠାତାଙ୍କ ହାବଭାବ କିଭଳି । ଯଦି ପ୍ରତିଷ୍ଠାତାଙ୍କ ବ୍ୟକ୍ତିତ୍ୱ ଓ ବ୍ୟବହାରରେ ସେ ସନ୍ତୁଷ୍ଟ ହୁଅନ୍ତି, ତା’ ପରେ ସଂସ୍ଥାଟି କେଉଁ ଚିନ୍ତାଧାରାକୁ ନେଇ ଗଢ଼ି ଉଠିଛି ତାହା ଜାଣିବାକୁ ପ୍ରୟାସ କରନ୍ତି । ସମାଜରେ ବଡ଼ ଧରଣର ପରିବର୍ତ୍ତନ ଆଣିବା ପାଇଁ ଯଦି ଚିନ୍ତାଧାରାଟି ପାଖରେ ଶକ୍ତି ରହିଥାଏ ତେବେ ରତନ ତାଙ୍କ ପାଖରେ ଥିବା ଡଲାରର କିଛି ଅଂଶ ସେହି ସଂସ୍ଥାରେ ନିବେଶ କରିବାକୁ ଆଗ୍ରହ ଦେଖାଇଥାନ୍ତି ।

ରତନ ଟାଟା ନିବେଶ କରିଥିବା ସଂସ୍ଥାଗୁଡ଼ିକର ନାମ

-ଆଲ୍ଟାଏରୋସ୍ ଏନର୍ଜିସ୍

-ସ୍ନାପଡିଲ

-ବ୍ଲୁ ଷ୍ଟୋନ୍

-ସ୍ୱସ୍ଥ ଇଣ୍ଡିଆ

-ଅର୍ବାନ୍ ଲାଡର୍

-କାର୍ ଦେଖୋ ଡଟ୍ କମ୍

-ଗ୍ରାମୀଣ କ୍ୟାପିଟାଲ୍

-Paytm

-ଶାଓମି

-କାର୍ୟାହ

-ହାଲୋସେଫ୍

-ଓଲା କ୍ୟାବ୍

-ଇନଫାନାଇଟ୍ ଆନାଲିଟିକ୍

-ୟୋରଷ୍ଟୋରି

-ଡଗ୍ ସ୍ପଟ୍

-ଟ୍ରାକ୍ସନ୍

ଯୁବପିଢ଼ି ମଧରେ ଉଦ୍ୟୋଗୀପଣ ସୃଷ୍ଟି କରିବା ନେଇ ଆୟୋଜନ କରାଯାଇଥିବା ଟାଇକନ୍ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ରତନ ଟାଟା ଏହା କହିଛନ୍ତି । ସେ ଜଣାଇ ଦେଇଛନ୍ତି ଯେ ଯୁବକଯୁବତୀମାନେ ହେଉଛନ୍ତି ଭାରତର ଭବିଷ୍ୟତ । ସେମାନେ ଯେଉଁ ଚିନ୍ତାଧାରା ନେଇ କାମ କରିବାକୁ ଚାହୁଁଛନ୍ତି ତାହା କିଭଳି ପ୍ରଥମେ ତାହା ଜାଣିବା ନିହାତି ଜରୁରୀ । କାରଣ ସେମାନଙ୍କ ଚିନ୍ତାଧାରା ହିଁ ଦେଶ ଓ ବିଶ୍ୱକୁ ଏକ ନୂତନ ଦିଗ ପ୍ରଦାନ କରିବ । ଯଦି କୌଣସି ଚିନ୍ତାଧାରା ତାଙ୍କ ମଧ୍ୟରେ ରୋମାଂଚ ସୃଷ୍ଟି କରେ ସେ ତୁରନ୍ତ ସେହି ସଂସ୍ଥା ସହ ଯୋଗାଯୋଗ କରି ଅଧିକ ବିବରଣୀ ହାସଲ କରିବାକୁ ପ୍ରୟାସ କରନ୍ତି ।

ଯଦି ସେ ଜାଣିଲେ ଯେ ସଂସ୍ଥା ଗଠନ କରିଥିବା ପ୍ରତିଷ୍ଠାତାଙ୍କ ପାଖରେ ସେହି କ୍ଷେତ୍ରରେ କାମ କରିବାର ବିଶେଷ ଆଗ୍ରହ ନାହିଁ, ତେବେ ରତନ ଟାଟା ଆଉ ସେହି ସଂସ୍ଥାରେ ନିବେଶ କରିବାକୁ ଆଗ୍ରହ ଦେଖାନ୍ତି ନାହିଁ । ଯେଉଁ କ୍ଷେତ୍ରରେ ଉଦ୍ୟୋଗୀ କାମ କରିବାକୁ ଚାହୁଁଛନ୍ତି ସେହି କ୍ଷେତ୍ର ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିବା ଦରକାର । ଏହା ହେଲେ ସେ ଅନେକ ନୂତନ ଚିନ୍ତାଧାରା ସୃଷ୍ଟି କରି ସଂସ୍ଥାକୁ ଆକର୍ଷଣୀୟ କରିବାକୁ ପ୍ରୟାସ କରିପାରିବେ । ଅନ୍ୟଥା ସଂସ୍ଥା ଗଠନ କରିବା କିମ୍ବା ସେଥିରେ ପୁଞ୍ଜିନିବେଶ କରିବା କେବଳ ବିଫଳତାର ସ୍ୱାଦ ଚାଖିବା ସହ ସମାନ ହେବ ବୋଲି ସେ ବିଶ୍ୱାସ କରନ୍ତି । ଯୁବକଯୁବତୀଙ୍କ ସହ କଥାବାର୍ତ୍ତା ହେବା ବେଳେ ଅନେକ ନୂଆ କିଛି ଶିଖିବାକୁ ମିଳିଥାଏ । ସେମାନଙ୍କ ସହ କଥା ହେଲେ ସବୁ ବେଳେ ନୂତନ ପ୍ରେରଣା ମିଳେ ବୋଲି ସେ କହିଛନ୍ତି ।

ବିଗତ ଦୁଇ ବର୍ଷ ମଧ୍ୟରେ ରତନ ଟାଟା ୨୦ଟି ଷ୍ଟାର୍ଟ ଅପ୍ ସଂସ୍ଥାରେ ନିବେଶ କରିଛନ୍ତି । ଚଳିତ ବର୍ଷ ଜାନୁଆରି ପ୍ରଥମ ସପ୍ତାହରେ ହିଁ ସେ ଡଗ୍ ସ୍ପଟ୍ ଓ ଟ୍ରାକ୍ସନ୍ ନାମକ ସଂସ୍ଥାରେ ପୁଞ୍ଜିନିବେଶ କରିଛନ୍ତି ।

ଟାଟା ଗ୍ରୁପର ଦେଖାଶୁଣା କରୁଥିବା ବେଳେ ରତନ ଟାଟା ଜାଗୁଆର ଓ ଲ୍ୟାଣ୍ଡ୍ ରୋଭର୍ ଓ କୋରସ୍ ଇସ୍ପାତ କାରଖାନାକୁ ଖରିଦ କରି ଚର୍ଚ୍ଚା ସୃଷ୍ଟି କରିଥିଲେ । ସେ ବିଷୟରେ ଟାଟା କହିଛନ୍ତି ଯେ କଂପାନିର ଅଭିବୃଦ୍ଧି ପାଇଁ ସେଗୁଡ଼ିକ ସୁଚିନ୍ତିତ ବ୍ୟବସାୟ ପଦକ୍ଷେପ ଥିଲା । ଅଂହକାର ପ୍ରଦର୍ଶନ କରିବାର କୌଣସି କାରଣ ଏହି ଅଧିଗ୍ରହଣଗୁଡ଼ିକ ପଛରେ ନଥିଲା ।

କୋରସକୁ କିଣିବା ପରେ ୟୁରୋପ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଥିଲା । ଏହି ପରିସ୍ଥିତିକୁ ଅନୁଶୀଳନ କରିବାରେ ବିଫଳ ହୋଇଥିବାରୁ ଟାଟାଙ୍କୁ ଏବେ ସମାଲୋଚନା କରାଯାଉଛି । କିନ୍ତୁ ସେ ୟୁରୋପ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବ ବୋଲି ଜାଣିପାରି ନ ଥିବା କହିଛନ୍ତି । ବେପରୁଆ ଢ଼ଙ୍ଗରେ କୋରସକୁ କିଣି ନ ଥିବା ସେ କହିଛନ୍ତି ।