ଏକ ସମୟ ଥିଲା ଯେବେ ଘର ଘର ଯାଇ ନିଜର ଗଜଲ ଶୁଣାଉଥିଲେ ରଞ୍ଜିତ....
ଆଜି ଦୂରଦୂରାନ୍ତରୁ ଲୋକେ ତାଙ୍କୁ ଶୁଣିବାପାଇଁ ମେହଫିଲରେ ଜମା ହେଉଛନ୍ତି....
ଏହା ସତଯେ ପ୍ରତିଭା କେବେ ଲୁଚିରୁହେନା। ପ୍ରତିଭା ସହ ଅକ୍ଲାନ୍ତ ପରିଶ୍ରମ ଓ ସଂଘର୍ଷ ମିଶିଗଲେ ସେ ତାର ଗନ୍ତବ୍ୟ ସ୍ଥଳ ନିଜେ ଖୋଜି ନିଏ। ଆବଶ୍ୟକ କେବଳ ନିଜକୁ ଖୋଜି ପାଇବା ଓ ଖୋଦି ପାରିବା। ପ୍ରତ୍ୟେକ ବ୍ୟକ୍ତି ନିଜର କ୍ଷମତା ଓ ଅକ୍ଷମତା ସହ ବଞ୍ଚିଥାଏ। କିନ୍ତୁ ଗାୟନ କଳା ଏକ ଏପରି କଳା ଯେଉଁଥିରେ ନିଜର ଲୁକ୍କାୟିତ କଳାକୁ ଖୋଜି ତାକୁ ଆହୁରି ଉଭାରିବା ଦରକାର ପଡିଥାଏ। ଅନେକ କିଛି ସକାରାତ୍ମକ ଥାଇ ମଧ୍ୟ ସାମାନ୍ୟ କିଛି ନକରାତ୍ମକ ବସ୍ତୁ ସବୁ କିଛି ଖରାପ କରିଦେଇପାରେ। ନିଜର ପ୍ରତିଭାକୁ ବଳଶାଳୀ କରିରଖିବା ପାଇଁ ଦରକାର ନିରନ୍ତର ଅଭ୍ୟାସ। ଏହି ଆଦର୍ଶକୁ ହାତମୁଠାରେ ରଖିବା ବ୍ୟକ୍ତି ରଞ୍ଜିତ ରଜୱାଡା ଗଜଲ ଦୁନିଆରେ ନିଜର ନାମ ସ୍ଵର୍ଣାକ୍ଷରରେ ଲିପିବଦ୍ଧ କରିବାପାଇଁ ବଦ୍ଧପରିକର। ଶାସ୍ତ୍ରୀୟ ସଙ୍ଗୀତ ଜଗତର ମାର୍ତଣ୍ଡ ପଣ୍ଡିତ ଯଶରାଜ ମଧ୍ୟ ଯୁବ ଗଜଲ ଗାୟକ ରଞ୍ଜିତ ରଜୱାଡାଙ୍କ ପାଇଁ କହିଛନ୍ତି ଯେ ସେ ହେଲେ ଗଜଲର ଭବିଷ୍ୟତ। ଗାୟନ ଓ ଗଜଲକୁ ହିଁ ନିଜର ଜୀବନ ମଣୁଥିବା ରଞ୍ଜିତ ସେଇ ରାଜସ୍ଥାନର ମାଟିର ସୁଗନ୍ଧରେ ବଡ ହେଇଛନ୍ତି ଯାହାକୁ ସଙ୍ଗୀତର ଗଡ ବୋଲି ଧରାଯାଏ। କିଛି ନିଜ ମାଟି ଓ କିଛି ତାଙ୍କ ପରିବାରର ସଂସ୍କାର ନେଇ ଆଜି ରଞ୍ଜିତ ଏଠାରେ ପହଞ୍ଚିଛନ୍ତି। ତାଙ୍କର ପ୍ରିୟ ଶ୍ରୋତା ତାଙ୍କୁ ପ୍ରିନ୍ସ ଓ ରାଜକୁମାର ମଧ୍ୟ ଡାକନ୍ତି।
ରଞ୍ଜିତ Yourstoryକୁ ତାଙ୍କର କାହାଣୀ ଶୁଣାଇଲା ସମୟରେ ତାଙ୍କର ସଫଳତାର ପଛରେ ଲୁଚିରହିଥିବା ଅନେକ ସଂଘର୍ଷଭରା ମୂହୁର୍ତ୍ତ ସବୁ ଆଗକୁ ଆସିଲା। ମନେ ପଡିଲା ନିଜର ପରିଚୟ ସୃଷ୍ଟି କରିବା ସମୟରେ ମୁମ୍ବାଇର ଧୁଳି ଚାଖିବାକୁ ପଡିଥିଲା। ନିଜର ପ୍ରାରମ୍ଭିକ ଜୀବନ ସମ୍ପର୍କରେ ରଞ୍ଜିତ କୁହନ୍ତି, "ଚାରି ବର୍ଷ ବୟସରେ ମୁଁ ପରମ୍ପରାରେ ମିଳିଥିବା ସଙ୍ଗୀତ ସହ ନିଜ ଯାତ୍ରା ଆରମ୍ଭ କରିଥିଲି। ସଙ୍ଗୀତ ଓ ବାଦ୍ୟ ପରିବାରରେ ଆଗରୁ ଥିଲା। ମୋର ବାପା ସକାଳ ୬:୩୦ରୁ ୯ଟା ଯାଏଁ ଅଭ୍ୟାସ କରାନ୍ତି ଓ ତାପରେ ମୋତେ ସ୍କୁଲ ଛାଡନ୍ତି। ଏହିପରି ଅନେକ ବର୍ଷ ମୋର ରୁଟିନ ଚାଲିଲା। ୭ବର୍ଷ ବୟସରେ ମୁଁ ମୋର ପ୍ରଥମ ରାଷ୍ଟ୍ରୀୟ ପୁରସ୍କାର ଜିତିଥିଲି। ୧୨ବର୍ଷ ବୟସ ଯାଏଁ ଅନେକ ପୁରସ୍କାର ପାଇଚାଲିଲି। ମୁଁ ଅନୁଭବ କରିଥିଲି ଯେ ପ୍ରତିଭା ଓ ପ୍ରତିସ୍ପର୍ଦ୍ଧା ମଧ୍ୟରେ ହିଁ ନିଜର ଚିନ୍ତାଧାରାକୁ ଉନ୍ନତ କରି ଆଗକୁ ବଢିବାକୁ ହେବ। ମୁଁ ଦୁଇ ଧାଡି କହିବି -
जो अपनी फिक्र को ऊँची उडान देता है
खुदा उसको खुला आसमान देता है ...
ସଙ୍ଗୀତ କ୍ଷେତ୍ରରେ ରିଆଲିଟି ଶୋ ଆରମ୍ଭ ହେବା ସହ ଅନେକ ପ୍ରତିଭା ଆଗକୁ ଆସିଛନ୍ତି। ପ୍ରତିସ୍ପର୍ଦ୍ଧା ମଧ୍ୟ ବଢିଛି। ତା' ମଧ୍ୟରେ ନିଜକୁ ପ୍ରତିଷ୍ଠିତ କରି ରଖିପାରିବା ନିଶ୍ଚିତ ଭାବେ ଏକ ବଡ ଆହ୍ଵାନ। ଏଇନେଇ ରଞ୍ଜିତ କହନ୍ତି ଯେ, "ମୋର ନିଜ ଉପରେ ଗର୍ବ ଅଛି। ମୁଁ ଚାହେଁ ମୋର ଆଜି ଗତକାଲିଠାରୁ ଭଲ ହେଉ। ଅନ୍ୟମାନଙ୍କୁ ଦେଖିବା ପରିବର୍ତେ ମୁଁ ନିଜ ଭିତରେ ହଜି ଆଗକୁ ବଢିବାକୁ ଚାହେଁ। ମୋତେ ଲାଗେ ସବୁ କଳାକାର ନିଜର ନିଆରା ରଙ୍ଗ ଓ ବାସ୍ନା ନେଇ ଆସିଥାଏ।"
ଜୀ ଟିଭି ସାରେଗାମାରେ ଅନ୍ତିମ ପାଞ୍ଚ ଜଣଙ୍କ ମଧ୍ୟରେ ସ୍ଥାନ ରଖିବା ପୂର୍ବରୁ ରଞ୍ଜିତ ସିଂ ରାଜୱାଡା ଏକ ଶିଶୁକଳାକାର ରୂପେ ନିଜର ପରିଚୟ ବନେଇସାରିଥିଲେ। ଅନେକ ରେଡିଓ ଓ ମଞ୍ଚରେ ନିଜର ସଙ୍ଗୀତ ଶୁଣାଇସାରିଥିଲେ। ସାରେଗାମା ପରେ କଣ ପରିବର୍ତ୍ତନ ଆସିଲା ପ୍ରଶ୍ନର ଉତ୍ତର ଦିଅନ୍ତି, "ପ୍ରଥମେ ଭାବି ନଥିଲି ଯେ ରିଆଲିଟି ଶୋରେ ଭାଗ ନେବି। କୋଲକାତାରେ ରେଡିଓରେ ଗାଇବା ସମୟରେ ମୋତେ ଏଥିରେ ଭାଗ ନେବାକୁ କୁହାଗଲା ଓ ଅଡିସନ ପରେ ସିଲେକ୍ଟ ମଧ୍ୟ ହେଇଗଲି। ମୋର ମାନେ ଅଛି ଅନେକ ଲୋକ ସେସମୟରେ ରିଆଲିଟି ଶୋ ରେ ଗଜଲ ଗାୟକଙ୍କୁ ନେବା ସପକ୍ଷରେ ନଥିଲେ। କାରଣ ଗଜଲ ଶ୍ରୋତାଙ୍କର ସଂଖ୍ୟା ବିଶେଷ ବଡ ନୁହେଁ। କିନ୍ତୁ ଶୋ ଚାଲିବା ସହ ସେମାନଙ୍କର ସେ ମତ ବଦଳିବାକୁ ଲାଗିଲା। ମୁଁ ସେ ଉପଲବ୍ଧିକୁ ଶବ୍ଦରେ ପରିପ୍ରକାଶ କରିପାରିବି ନାହିଁ। "
ରଞ୍ଜିତଙ୍କ ପାଇଁ ଏପରି ଏକ ସମୟ ମଧ୍ୟ ଥିଲା ଯେତେବେଳେ ତାଙ୍କର ପରିଚୟ ପାଇଁ ତାଙ୍କୁ ଅନେକ ଲଢିବାକୁ ପଡିଥିଲା। ଏହି ବିଷୟରେ ସେ କୁହନ୍ତି, "ଯେତେବେଳେ ବାପା ରାଜସ୍ଥାନରୁ ମୁମ୍ବାଇ ଆସିଲେ, ଆମକୁ ଏଠାରେ କେହି ଜାଣିନଥିଲେ। ଆମେ ବାଜା ଧରି ବୁଲି ବୁଲି ଲୋକଙ୍କୁ ନିଜର ସଙ୍ଗୀତ ଶୁଣାଇଉଥିଲୁ। ଅନେକ ଦିନ ଲାଗିରହିଲା ଏହିଭଳି ସଂଘର୍ଷ। ଧୀରେ ଧୀରେ ପରିସ୍ଥିତି ବଦଳିବାକୁ ଲାଗିଲା ଓ ଲୋକେ ଆମକୁ ସ୍ଵୀକାର କରିବାକୁ ଆରମ୍ଭ କଲେ।"
ରଞ୍ଜିତ କୁହନ୍ତି ସଙ୍ଗୀତର ଜୀବନ ଅନେକ କଷ୍ଟକର। ଏଠାରେ ଜୀବନ ସାର ବିତିଯାଇଥିବା ଦିନକୁ ଆଉଥରେ ବଞ୍ଚିଲା ଭଳି ଜୀଇଁବାକୁ ପଡେ। ଯଦି କୌଣସି ଦିନ ଅନୁଭବ କରନ୍ତି ଯେ ମୋର ଶିଖିବାକୁ ଆଉ କିଛି ବାକି ନାହିଁ ତେବେ କଳାରେ ପୂର୍ଣ୍ଣ ବିରାମ ଲାଗିଯିବ। ସେ କୁହନ୍ତି, "ଐତିହକୁ ସମ୍ଭାଳିବା ପାଇଁ ପ୍ରତ୍ୟେକ ଦିନ ବିଦ୍ୟାର୍ଥୀ ଭାବେ ଜୀବନଯାପନ କରିବାକୁ ପଡେ। ଲୋକଙ୍କର ଆଶାକୁ ଆଶୀର୍ବାଦ ମଣି ପ୍ରତିଦିନ ଅଭ୍ୟାସରେ ଲାଗିରହିବାକୁ ପଡେ।"
ପ୍ରାୟ କୁହାଯାଏ ଯେ ସଙ୍ଗୀତ ପ୍ରତ୍ୟେକଙ୍କ ବଶରେ ନଥାଏ। ରଞ୍ଜିତ ଏ ବିଷୟରେ କୁହନ୍ତି, "ସଙ୍ଗୀତ ଶିଖିହେବ ନାହିଁ। ପରିଶ୍ରମରୁ କିଛି ମିଳିଲେ ମଧ୍ୟ ଶିଖରରେ ପହଞ୍ଚିବା ପାଇଁ ନିଜ ଅନ୍ତର ଭିତରର ସୁରକୁ କମାଲ କରିବାକୁ ପଡେ।
ରଞ୍ଜିତ ଏବେ ଯୁବକ, ଏକ ସୁନେଲି ଭବିଷ୍ୟତ ତାଙ୍କର ରାସ୍ତା ଦେଖୁଛି। ମେହନ୍ଦି ହସନ ଓ ଜଗଜୀତ ସିଂଙ୍କୁ ନିଜର ଆଦର୍ଶ ମାନୁଥିବା ରଞ୍ଜୀତ କୁହନ୍ତି ଯେ ଏହି ପିଢୀ ଗଲା ପରେ ଭଲ ଗଜଲଶିଳ୍ପୀଙ୍କର ଅଭାବ ଖାସକରି ଅନୁଭବ ହୁଏ। ଏହା ସହ ଯୁବଗାୟକଙ୍କ ଉପରେ ଦାୟିତ୍ଵ ମଧ୍ୟ ବଢିଛି।
ରଞ୍ଜିତ "`तेरे ख्याल से' ଆଲବମ ପରେ ଏବେ ତାଙ୍କର ନୂଆ ଆଲବମ 'पैग़ाम'ର ପ୍ରସ୍ତୁତି କରୁଛନ୍ତି।
ମୂଳ ଲେଖା - ଅରବିନ୍ଦ ଯାଦବ
ଭାଷାନ୍ତର - ରୁଚି ପାଣିଗ୍ରାହୀ