Building Blocks : ବସ୍ତି ପିଲାଙ୍କୁ ମାଗଣା ଶିକ୍ଷା ଦେବାରେ ଏକ ଅନନ୍ୟ ପ୍ରୟାସ

0

ବୁରିଓଖୋପ ପଶ୍ଚିମ ସିକିମର ଏକ ଗ୍ରାମ । ଆଧୁନିକ ଟେକନୋଲୋଜିର ବହୁଦୂରରେ, ହିମାଳୟ ପର୍ବତର ପାଦଦେଶରେ ପର୍ବତମାଳାରେ ବେଢି ହୋଇଥିବା ଏହି ଗ୍ରାମଟିରେ ଶିକ୍ଷା ବ୍ୟବସ୍ଥା କହିଲେ, ସିକିମ ହିମାଳୟାନ ଏକାଡେମୀ ହିଁ ଏକମାତ୍ର କ୍ଷୁଦ୍ର ଇଂରାଜୀ ଏକାଡେମୀ । ଉତ୍ତମ ସ୍ୱାସ୍ଥ୍ୟ ସେବାର ଅଭାବ ସତ୍ତ୍ୱେ ଏଠାକାର ଲୋକମାନେ ଶାନ୍ତ ପ୍ରକୃତିର କୋଳରେ ସୁଖର ଜୀବନ ବିତାନ୍ତି । ଆଧୁନିକ ସଭ୍ୟତାରେ ଟେକନୋଲୋଜିର ଦାସ ପାଲଟିଥିବା ଲୋକ ପାଇଁ ଏହା ଏକ ପରିତ୍ୟକ୍ତ ନିର୍ଜ୍ଜନ ଭୂମି କହିଲେ ଅତ୍ୟୁକ୍ତି ହେବନାହିଁ । ସଭ୍ୟତାର ଆଢୁଆଳରେ ଦୁର୍ଗମ ଅଂଚଳରେ ରହିଥିବା ବୁରିଓଖୋପର ପିଲାମାନଙ୍କ ପାଇଁ ସେମାନଙ୍କର ସଭ୍ୟତା ଓ ସଂସ୍କୃତି ଉପଯୋଗୀ ଏକ ବିଦ୍ୟାଳୟ ଯେ ଅପରିହାର୍ଯ୍ୟ ଏକଥା ଜେମସ୍ ସୁରେଶ ଅମବାଟ ୨୦୧୪ରେ ତାଙ୍କର ସିକିମ ଭ୍ରମଣରେ ଅନୁଭବ କରିଥିଲେ ।

ନିଜ ପିତାମାତାଙ୍କର ଛଅ ସନ୍ତାନଙ୍କ ମଧ୍ୟରୁ ସବୁଠୁ ବଡ ପୁଅଥିଲେ ଅମବାଟ । ସେ ଶୈଶବରେ ଏହିଭଳି ସମସ୍ୟା ସହ ଅତି ଘନିଷ୍ଠ ଥିଲେ । ପିଲାଦିନେ ସେ ଖାଲି ପାଦରେ ଘରୁ ବିଦ୍ୟାଳୟ ଯାଉଥିଲେ ଓ ବୁରିଓଖୋପର ଗ୍ରମବାସୀମାନଙ୍କ ପରି ଅତି ସରଳ ଜୀବନ ବିତାଉଥିଲେ ଏବଂ ତାଙ୍କୁ ସେହି ଶୁନ୍ୟତାରେ ବଂଚିବାରେ ବହୁତ ମଜା ଲାଗୁଥିଲା । ଅବଶ୍ୟ କଲେଜ ଜୀବନରେ ସେ ଏକ ନୂତନ ଜୀବନକୁ ଆଦରି ନେଇଥିଲେ, ଯାହାକି ପିଲାଦିନଠୁ ସଂପୂର୍ଣ୍ଣ ଭିନ୍ନ ଥିଲା । ସେ କଲେଜ ଜୀବନରେ ବିଭିନ୍ନ ସଂସ୍କୃତି ସହ ମିଶିବାର ସୁଯୋଗ ପାଇବା ସହ ବିଭିନ୍ନତାରେ ଭରା, ଏକ ବିଶୃଙ୍ଖଳିତ ଧନୀକର ଜୀବନ ବିତାଇଥିଲୋ ସେ କୁହନ୍ତି ଯୌବନରେ ମୁଁ ଯୁଆଡେ ଦେଖିଲି ଲୋକମାନେ କେବଳ ଟଙ୍କା ହିଁ ଟଙ୍କାର କଥା ହେଉଚନ୍ତି ଓ ଅର୍ଥ ଉପାର୍ଜ୍ଜନ ପାଇଁ ପାଗଳ ପ୍ରାୟ । ତେଣୁ ମୁଁ ମଧ୍ୟ ଟଙ୍କା ପଛରେ ଧାଇଁଲି ।

ପରେ ଅମବାଟଙ୍କ ଜୀବନ ଏକ ନୂଆ ମୋଡ ନେଲା । ସେ ତାଙ୍କର ସେହି ପୁରୁଣା ପାରିବାରିକ ଜୀବନଶୈଳୀକୁ ଫେରିଆସିଲେ । ଏକ ଦୁର୍ଗଟଣା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଲା ଓ ସେ କିଛି କରିବାକୁ ତାଙ୍କର ଅନ୍ତର ଆତ୍ମା ତାଙ୍କୁ ପ୍ରବର୍ତାଇଲା । ମୁଁ ଯଦି ମରିଯାଇଥାନ୍ତି ? ମୁଁ ମୋ ଜୀବନରେ କଣ କରିଛି ? ଏଭଳି ପ୍ରଶ୍ନ ତାଙ୍କ ମନକୁ ଆନ୍ଦୋଳିତ କଲା । ଏଭଳି ଅନେକ ପ୍ରଶ୍ନ ତାଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରିବାରେ ଲାଗିଲା ଓ ସେ ଏହାର ଉତ୍ତର ଖୋଜିବାରେ ଲାଗିଲେ । ଅନ୍ୟମାନଙ୍କ ଜୀବନକୁ ଆଲୋକିତ କରିବା ପାଇଁ ବଂଚିବାରେ ହିଁ ଆନନ୍ଦ ଅଛି । ଏଭଳି ଏକ ଧାରଣା ତାଙ୍କ ଅଭିଜ୍ଞତାରୁ ସେ ଅନୁଭବ କଲେ । ତିନି ଦଶନ୍ଧି ତଳୁ ଅନ୍ୟମାନଙ୍କ ପାଇଁ ବଂଚିବାର ଯାତ୍ରା ଆରମ୍ଭ ହେଲା ଓ ସେବେଠୁ ସେ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ।

ମୁଁ ମରିଗଲା ବେଳେ ଏ ଦୁନିଆରୁ କିଛି ବି ନେଇକରି ଯିବି ନାହିଁ । ତେଣୁ ଏ ବସ୍ତୁବାଦୀ ଦୁନିଆର ବୃଥା ମାୟାରେ ନିଜର ସମୟ କାହିଁକି ନଷ୍ଟ କରିବି ?, ଏଭଳି ଏକ ଚିରନ୍ତନ ସତ୍ୟକୁ ସେ ଉପଲବ୍ଧ କରିଥିବାର କୁହନ୍ତି ।

ନିଜର ଏହି ଦର୍ଶନକୁ ଆଧାର କରି ୨୦୦୪ ମସିହାରେ ସେ ବାଙ୍ଗାଲୁରର ଉଲସୁରରେ ବିଲ୍ଡିଂ ବ୍ଲକ୍ସର ଆରମ୍ଭ କଲେ । ଜଣେ ଶିକ୍ଷକ ଓ ୪-୫ ଜଣ ପିଲାଙ୍କୁ ନେଇ ଆସବାବପତ୍ର ଓ ଆବଶ୍ୟକୀୟ ସରଂଜାମର ଅଭାବରେ ପ୍ରଥମେ ବିଲ୍ଡିଂ ବ୍ଲକ୍ସର ଆରମ୍ଭ ହେଲା ଏବଂ ପରବର୍ତ୍ତୀ ସମୟରେ ନିକଟସ୍ଥ ବସ୍ତିର ସମସ୍ତ ପିଲା ଆସି ଯୋଗଦେଲେ । କିଛି ଲୋକଙ୍କର ବହି, ଖାଦ୍ୟ ପରି ଛୋଟ ଛୋଟ ଦାନରେ ବିଦ୍ୟାଳୟଟି ଚାଲିଲା । ଆଜିର ଦିନରେ ବିଲ୍ଡିଂ ବ୍ଲକ୍ସର ୭ଟି ବିଦ୍ୟାଳୟ ଅଛି ଓ ୭୦ ଶିକ୍ଷକ ୭୦୦ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି । ଏହି ବସ୍ତି ପିଲାମାନଙ୍କୁ ମାଗଣାରେ ସର୍ବୋତ୍କୃଷ୍ଟ ପାଠ୍ୟପୋକରଣ ସହ ମାଗଣା ଶିକ୍ଷା ଦିଆଯାଉଛି । ଏକ ଚାରିଟେବଲ୍ ଅନୁଷ୍ଠାନ ହେତୁ ବିଶ୍ୱର ବିଭିନ୍ନ ଶିକ୍ଷା କର୍ମଶାଳା ଓ ସେମିନାର କରୁଥିବା ସଂସ୍ଥା ଗୁଡିକ ଏଠାକୁ ଆସି ଶିକ୍ଷକମାନଙ୍କୁ ତାଲିମ ଦେବା ସହ ପିଲାମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରୁଛନ୍ତି ।

ଆଜିର ଦିନରେ ବିଦ୍ୟାଳୟଟି ୩ ବର୍ଷରୁ ୫ ବର୍ଷର ପିଲାମାନଙ୍କୁ ଦୁଇବର୍ଷ ପାଇଁ ଉନ୍ନତମାନର ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରଦାନ କରୁଛି ଓ ଦୁଇ ବର୍ଷର ଶିକ୍ଷା ସମାପ୍ତି ପରେ ଦାତାମାନଙ୍କ ସହାୟତାରେ ସେମାନଙ୍କୁ ଉତ୍ତମ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଭର୍ତି କରାଯାଉଛି । ଅନେକ କ୍ଷେତ୍ରରେ ଅର୍ଥାଭାବ ହେତୁ କିଛି ପିଲା ଉଚ୍ଚମାନର ବିଦ୍ୟାଳୟକୁ ଯାଇପାରୁ ନାହାଁନ୍ତିା ଆମ ନିକଟରେ ଦୁଇ ବର୍ଷ ଇଂରାଜୀ ମାଧ୍ୟମ ଶିକ୍ଷା ପରେ ସେମାନଙ୍କ ପିତାମାତା ସେମାନଙ୍କୁ ସାଧାରଣ ବିଦ୍ୟାଳୟରେ ଭର୍ତ୍ତି କରୁଛନ୍ତି । ଏହାହିଁ ଆମ ପାଇଁ ସବୁଠୁ ବଡ ଦୁଖର କଥା । ଆଗାମୀ ଦିନରେ ଆମେ ନିଜର ବଡ ବିଦ୍ୟାଳୟ କରି ପିଲାମାନଙ୍କୁ କଲେଜ ଯିବା ଯାଏ ମାଗଣରେ ଉତ୍କୃଷ୍ଟ ଶିକ୍ଷା ଯୋଗାଇବାର ସ୍ୱପ୍ନ ରଖିଛୁ ବୋଲି ଅମବାଟ କହିଛନ୍ତି ।

ରାଇଟ ଟୁ ଏଜୁକେଶନ ଦ୍ୱାରା ଦେଶରେ ଶିକ୍ଷାର ସମୃଦ୍ଧି ଭଟୁଛି ଏବଂ ଆଗାମୀ ଦିନରେ ସେମାନେ ଅଧିକରୁ ଅଧିକ ବସ୍ତିକୁ ଯାଇ ପିଲାମାନଙ୍କୁ ମାଗଣାରେ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରରଖିଛନ୍ତି ବୋଲି ସେ କୁହନ୍ତି ।