କେବେ ବଦଳିବ ଦ୍ୱୀପାଞ୍ଚଳବାସୀଙ୍କ ଭାଗ୍ୟ !

ଓଡ଼ିଶାର ସବୁଠୁ ପଛୁଆ ଓ ଅବହେଳିତ ଜିଲ୍ଲା ମାଲକାନଗିରି। ମାଓବାଦୀଙ୍କ ଉତ୍ପାତ ଯୋଗୁ ଦୂରରେ ଥିବା ରାଜ୍ୟବାସୀ ଭୟ ପ୍ରକାଶ କରୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ପ୍ରାୟ ୩୫ହଜାର ଲୋକ ଦ୍ଵୀପରେ ରହିବା ପରି ଜୀବନ ଜୀଉଁଛନ୍ତି। କ’ଣ ଏହାର ସମାଧାନ...

କେବେ ବଦଳିବ ଦ୍ୱୀପାଞ୍ଚଳବାସୀଙ୍କ ଭାଗ୍ୟ !

Saturday February 27, 2016,

3 min Read

image


ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାର ଯୋଗୁ ଦ୍ୱୀପାଞ୍ଚଳରେ ପରିଣତ ହୋଇଥିବା କୁଡ଼ୁମୁଲୁଗୁମ୍ମା ବ୍ଲକ୍‌ର ୭ଟି ଗ୍ରାମପଞ୍ଚାୟତର ପୁନର୍ଗଠନ ସମେତ ବ୍ଲକ୍‌ ପୁନର୍ଗଠନ ହେବ । ଏଥିପାଇଁ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଜୁଲାଇ ପହିଲା ୨୦୧୫ରେ ଜାରି କରିଥିବା ବିଜ୍ଞପ୍ତି କ୍ରମାଙ୍କ ୧୦୭୨୯ର ପରିଶିଷ୍ଟ-୧ର ବିନ୍ଦୁ-୧୦ ଅନୁସାରେ ବ୍ଲକ୍‌ ପୁନର୍ଗଠନ ପାଇଁ କ୍ୟାବିନେଟ୍‌ର ସ୍ୱୀକୃତି ମିଳିଥିବା ଦର୍ଶାଯାଇଛି ଏବଂ ବିଭାଗର ୯.୭.୨୦୧୩ ତାରିଖର ଗେଜେଟ୍‌ ବିଜ୍ଞପ୍ତି କ୍ରଂ. ୧୩୭୦ ଅନୁଯାୟୀ କରାଯାଉଥିବା ଉଲ୍ଲେଖ ଅଛି । ହେଲେ ଗେଜେଟ୍‌ ବିଜ୍ଞପ୍ତିକୁ ପାଳନ କରିବାକୁ ଯାଇ ପ୍ରଶାସନ କୁଡୁମୁଲୁଗୁମ୍ମାର ୭ଟି ଦ୍ୱୀପାଞ୍ଚଳ ଗ୍ରାମପଞ୍ଚାୟତ ମଧ୍ୟରୁ ୬ଟିକୁ ସରକାରୀ ଖାତା ଅନୁସାରେ ଚିତ୍ରକୋଣ୍ଡା ବ୍ଲକ୍‌ରେ ମିଶାଇ ଦେଇଛି । ସେଗୁଡ଼ିକ ହେଉଛି ପଣସପୁଟ, ଯୋଡ଼ାମ୍ବ, ରାଲେଗୁଡ଼ା, ବଡ଼ପଦା, ବଡ଼ପଦର ଓ ଅଣ୍ଡ୍ରାପାଲି ଗ୍ରାମପଞ୍ଚାୟତ । କେବଳ ନାକାମାମୁଡ଼ି ଗ୍ରାମପଞ୍ଚାୟତକୁ କୋରୁକୋଣ୍ଡା ବ୍ଲକ୍‌ରେ ମିଶାଯାଇଛି । ବାସ୍ତବରେ ଏବେ ବି କୁଡ଼ୁମୁଲୁଗୁମ୍ମା ବ୍ଲକ୍‌ ଓ ପଞ୍ଚାୟତସମିତି ଅଧୀନରେ ସନ୍ତୁଳି ହେଉଛନ୍ତି ୭ଟି ଗ୍ରାମପଞ୍ଚାୟତର ପ୍ରାୟ ୩୦ ହଜାରରୁ ବେଶି ଲୋକ । ଆଶ୍ଚର୍ଯ୍ୟର କଥା ଯେ "ପେସା' ଆଇନ, ୧୯୯୬କୁ ଏହି ସମସ୍ତ ବିଜ୍ଞପ୍ତିରେ ଅଣଦେଖା କରାଯାଇଛି । "ପେସା' ଅର୍ଥ ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତ ସଂପ୍ରସାରଣ ଆଇନ । ବିଶେଷତଃ ସମ୍ବିଧାନର ପଞ୍ଚମ ଅନୁସୂଚୀ ଅନୁସାରେ ମାଲକାନଗିରି ଏକ ଅନୁସୂଚିତ ଅର୍ଥାତ୍‌ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ୯୩ତମ ସଂବିଧାନ ସଂଶୋଧନ ଆଇନ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ ହେବ ନାହିଁ ।

ଓଡ଼ିଶାରେ ଜଳବିଦ୍ୟୁତ୍‌ ଉତ୍ପାଦନ ନିମିତ୍ତ ବିଶାଳ ଜଳଭଣ୍ଡାର ନିର୍ମାଣ ଯୋଗୁ ବିସ୍ଥାପିତ ହୋଇଥିବା ଅବା ଦ୍ୱୀପାଞ୍ଚଳର ଅଧିବାସୀ ପାଲଟିଥିବା ଲୋକଙ୍କର ଦୁଃଖ ଅବର୍ଣନୀୟ । ଜଳଭଣ୍ଡାରର ଅତିଗଭୀର ଜଳରେ ଯାତ୍ରା ସମୟରେ ବାରମ୍ବାର ଅଘଟଣ ହୋଇ ବିପୁଳ ଧନଜୀବନ ହାନି ଘଟିଛି । ଗତ ୨୫ ବର୍ଷ ମଧ୍ୟରେ ୭ଟି ଗ୍ରାମପଞ୍ଚାୟତ ଓ ୧୫୨ଟି ରାଜସ୍ୱଗ୍ରାମର ଲୋକମାନେ ସ୍ଥଳଭାଗରେ ଥାଇ ବି ନିଜ ଜୀବନ ସହ ବାଜି ଲଗାଇ ବ୍ଲକ୍‌ ମୁଖ୍ୟାଳୟକୁ ଆସିବାକୁ ଜଳଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି । ଏହା ମଧ୍ୟରେ ଦୁଇଟି ପିଢ଼ି ସୃଷ୍ଟି ହୋଇଥିଲେ ବି ସେମାନେ ବିପଜ୍ଜନକ ଜଳଯାତ୍ରାକୁ ଗ୍ରହଣ କରି ପାରୁ ନାହାନ୍ତି । ଜନସଂଖ୍ୟାକୁ ଧ୍ୟାନ ଦେଲେ ସବୁଠୁ ବଡ଼ ଗ୍ରାମପଞ୍ଚାୟତ ନାକାମାମୁଡ଼ିର ଜନସଂଖ୍ୟା ପ୍ରାୟ ସାଢ଼େ ୬ହଜାର । ସେହିଭଳି ବଡ଼ପଦର ୫ହଜାର, ଯୋଡ଼ାମ୍ବ ୫ ହଜାର, ରାଲେଗୁଡ଼ା ସାଢ଼େ ୪ ହଜାର, ପଣସପୁଟ ୪ହଜାର, ଅଣ୍ଡ୍ରାପଲ୍ଲୀ ୩ହଜାର, ଓ ବଡ଼ପଦାରେ ଅଢ଼େଇ ହଜାର ଲୋକ ବାସ କରୁଛନ୍ତି । ଆଇନ ଅନୁସାରେ ପାର୍ବତ୍ୟାଞ୍ଚଳରେ ପଞ୍ଚାୟତର ଜନସଂଖ୍ୟା ହାରାହାରି ୨ହଜାର ରହିବ । ଅତଏବ ଏହି ୭ଟି ଗ୍ରାମପଞ୍ଚାୟତକୁ ପୁନର୍ଗଠନ କଲେ ୧୩ଟି ବା ୧୪ଟି ଗ୍ରାମପଞ୍ଚାୟତ ହେବ । ଖଟିଖିଆ ଆଦିବାସୀ ଲୋକଙ୍କ ପାଖରେ ଆନେ୍ଦାଳନ କରିବା ଓ ଦାବିପତ୍ର ଦାଖଲ କରିବା ଭଳି ଗାଣତନ୍ତ୍ରିକ ରୁଚି ପାଇଁ ସମୟ ନଥିବାରୁ ଆଦିବାସୀ ପରମ୍ପରାକୁ ସମ୍ମାନ ଦେଉଥିବା "ପେସା' ଆଇନ, ୧୯୯୬ ପ୍ରକାରେ ସେହି ୧୩-୧୪ଟି ପଞ୍ଚାୟତକୁ ନେଇ ଏକ ନୂଆ ବ୍ଲକ୍‌ ଗଢ଼ାଯିବା ଆବଶ୍ୟକ । ଯାହା ଫଳରେ ସେମାନେ ନିଜ ଗାଆଁ ପାଖରେ ସରକାରୀ ବାବୁମାନଙ୍କୁ ପଞ୍ଚାୟତସମିତି ଅଧ୍ୟକ୍ଷଙ୍କୁ ଭେଟି ପାରିବେ ଏବଂ ଯୋଜନା ପ୍ରସ୍ତୁତିରେ ସହାୟକ ହୋଇ ପାରିବେ । ତେଣେ ସବୁଠୁ ପଛୁଆ ଓ ନକ୍ସଲପ୍ରବଣ ମାଲକାନଗିରି ଜିଲ୍ଲାର ବିକାଶ ପାଇଁ ମାଥିଲି ଓ କାଲିମେଳା ଭଳି ୨୦ଟି ଓ ୨୩ଟି ପଞ୍ଚାୟତ ବିଶିଷ୍ଟ ବ୍ଲକ୍‌କୁ ଦୁଇ ଦୁଇଟି ବ୍ଲକ୍‌ରେ ଭାଗ କରିବାର ଜରୁରୀ ଆବଶ୍ୟକତା ଦେଖାଦେଇଛି । ଏଣେ ମାଲକାନଗିରି ସଦର ବ୍ଲକ୍‌ରେ ମଧ୍ୟ ୧୯ଟି ଗ୍ରାମପଞ୍ଚାୟତ ରହିଛି । ପ୍ରଶାସନ କେବଳ ବିଜ୍ଞପ୍ତି ଜାରି କରି ସମୟ ଅପଚୟ କରିବା ସହ ୩୦ହଜାର ନିରୀହ ଲୋକଙ୍କର ମାନବାଧିକାରକୁ ଅବମାନନା କରି ଚାଲିଛି । ତେଣୁ ପଞ୍ଚାୟତ ପୁନର୍ଗଠନ ଓ ବ୍ଲକ୍‌ ପୁନର୍ଗଠନ କେଉଁଠି ନହେଲେ ନାହିଁ, ମାଲକାନଗିରିରେ ଜରୁରୀ ହୋଇପଡିଛି । ରାଜ୍ୟର ବୃହତ୍ତମ ଜିଲ୍ଲା ମୟୂରଭଂଜ ମଧ୍ୟ ଅନୁସୂଚିତ । ସେଠାରେ ୭ଟି ୮ଟି ଗ୍ରାମପଞ୍ଚାୟତରେ ବ୍ଲକ୍‌ ଗଢ଼ା ହୋଇଥିବା ବେଳେ ମାଲକାନଗିରିର ଭାଗ୍ୟ ପରିବର୍ତନ ପାଇଁ ସେହି ସୂତ୍ର କାହିଁକି ଅନୁସରଣ କରା ନଯିବ, ତାହା ମଧ୍ୟ ଅନ୍ୟ ଏକ ଯୁକ୍ତି ହୋଇ ଚର୍ଚାକୁ ଆସିଛି ।

ବିମଳ ପ୍ରସାଦ, ଭ୍ରାମ୍ୟଭାଷ ୯୪୩୯୮୨୮୧୭୮