ପ୍ରିୟଜନଙ୍କ ସ୍ମୃତିକୁ ସ୍ମରଣୀୟ କରିବା ପାଇଁ ସ୍ମୃତିବନ

ପ୍ରିୟଜନଙ୍କ ସ୍ମୃତିକୁ ସ୍ମରଣୀୟ କରିବା ପାଇଁ ସ୍ମୃତିବନ

Friday April 08, 2016,

3 min Read

ପ୍ରିୟଜନଙ୍କ ସ୍ମୃତିକୁ ସବୁଦିନ ପାଇଁ ସ୍ମରଣୀୟ ରଖିବାକୁ ଚାହୁଁଛନ୍ତି କି ? ତା’ ହେଲେ ଆସନ୍ତୁ ରାଜଧାନୀର ପାତ୍ରପଡା ଜାତୀୟ ରାଜପଥ କଡ଼ରେ ଥିବା ସ୍ମୃତିବନକୁ । ଜଙ୍ଗଲ ଓ ପରିବେଶ ବିଭାଗ ଏଠାରେ ନିଜ ଆତ୍ମୀୟଙ୍କୁ ସ୍ମୃତିକୁ ଅଭୁଲା କରିବା ପାଇଁ ଦେଉଛି ସୁନ୍ଦର ସୁଯୋଗ । ଏଥିପାଇଁ ପ୍ରାୟ ୧୮ଏକର ପରିମିତ ଜାଗାରେ ତିଆରି ହୋଇଛି ସ୍ମୃତିବନ । ନିଜର ଦିବଙ୍ଗତ ପ୍ରିୟଜନଙ୍କ ସ୍ମୃତିରେ ହେଉ କି ଜୀବନର ଖୁସି ମୁହୂର୍ତ୍ତକୁ ସ୍ମରଣୀୟ କରିବା ଓ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ତାଙ୍କ ନାଁରେ ଏଠାରେ ସ୍ୱତନ୍ତ୍ର ଭାବେ ଗୋଟିଏ ଲଗା ଯାଇପାରୁଛି । ଏହାସହ ଏହି ଗଛ ପାଖରେ ସୌନ୍ଦର୍ଯ୍ୟଭରା ପରିବେଶରେ ସେହି ପ୍ରିୟଜନଙ୍କ ସ୍ମୃତିରେ ପଥର ଖୋଦେଇ ହୋଇଥିବା ଗୋଟିଏ ଫଳକ ଲାଗିପାରିବ ।

 

<b>ସ୍ମୃତିବନର ପ୍ରବେଶ ଫାଟକ</b>

ସ୍ମୃତିବନର ପ୍ରବେଶ ଫାଟକ


୨୦୧୫ ମସିହାରୁ ରାଜଧାନୀରେ ଏହି ସ୍ମୃତିବନ ଖୋଲିଛି । ପାଖାପାଖି ୧୮ ଏକର ଜମି ଉପରେ ପାତ୍ରପଡା ଜାତୀୟ ରାଜପଥ କଡ଼ରେ ପ୍ରସ୍ତୁତ ହୋଇଛି ସୌନ୍ଦର୍ଯ୍ୟଭରା ପରିବେଶ । ଲ୍ୟାଣ୍ଡସ୍କେପିଂ ସହ ଭଳିକି ଭଳି ଫୁଲ ଗଛରେ ଏହାକୁ ସଜାଯାଇଛି । ଏହା ସହ ଏଠାରେ ଏକ କୃତ୍ରିମ ହ୍ରଦ ତିଆରି କରାଯାଇଛି । ଏଥିରେ ହଂସମାନେ ଜଳକ୍ରୀଡା କରୁଛନ୍ତି । ଲୋକଙ୍କ ବସିବା ପାଇଁ ବିଭିନ୍ନ ଡିଜାଇନର ଚେୟାର ପକାଯାଇଛି । ପକ୍ଷୀମାନଙ୍କ କୋଳାହଳରେ ପୂରା ଅଞ୍ଚଳ ହସୁଛି । ଏହି ସୌନ୍ଦର୍ଯ୍ୟଭରା ଓ ଆକର୍ଷଣୀୟ ପରିବେଶରେ ଲୋକେ ନିଜ ପ୍ରିୟଜନଙ୍କ ସ୍ମୃତି ଓ ଖୁସିର ମୂହୁର୍ତ୍ତକୁ ସବୁ ଦିନ ପାଇଁ ସାଉଁଟି ରଖିପାରିବେ ।

<b>ପ୍ରିୟଜନଙ୍କ ସ୍ମୃତିରେ ଲଗା ଯାଇଥିବା ଗଛ ଓ ଫଳକ</b>

ପ୍ରିୟଜନଙ୍କ ସ୍ମୃତିରେ ଲଗା ଯାଇଥିବା ଗଛ ଓ ଫଳକ


ସ୍ମୃତିବନର ଗୋଟିଏ ପାଖର ନାଁ ଦିଆଯାଇଛି ‘ସ୍ମୃତି ବାଟିକା’ । ଏଠାରେ ନିଜ ମୃତ ଆତ୍ମୀୟ ଓ ପରିଜନଙ୍କ ସ୍ମୃତିକୁ ଅଭୁଲା ରଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନିଜ ଆତ୍ମୀୟଙ୍କ ନାମରେ ଗଛ ଲଗାଇ ହେଉଛି । ଥରେ ଗଛ ଲଗାଇଲେ ୨୦ ବର୍ଷ ଯାଏ ଗଛର ସବୁ ରକ୍ଷଣାବେକ୍ଷଣ ଦାୟିତ୍ୱ ବନବିଭାଗ ନେବ । ଗଛ ଲଗା ଯାଇଥିବା ସ୍ଥାନରେ ଆତ୍ମୀୟଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସେହି ଲୋକଙ୍କ ପରିବାରକୁ ୧୨ଫୁଟରେ ୧୨ଫୁଟର ଜମି ଦିଆଯାଉଛି । ବନବିଭାଗ ପକ୍ଷରୁ ଏହି ଜାଗାକୁ ସୌନ୍ଦର୍ଯ୍ୟକରଣ କରଯାଉଛି । ଫୁଲ ଗଛ ସହ ଲ୍ୟାଣ୍ଡସ୍କେପିଂ କାମ ହେଉଛି । ଆହୁରି ସେଠାରେ ଏକ ପଥର ଖୋଦିତ ଫଳକରେ ନିଜ ଆତ୍ମୀୟଙ୍କ ନାଁ ଓ ଅନ୍ୟ ସୂଚନା ବା ବାର୍ତ୍ତା ଲେଖିବାକୁ ତାଙ୍କ ପରିବାର ଲୋକଙ୍କୁ ଅନୁମତି ମିଳୁଛି । ଏଠାରେ ଗଛ ଲଗାଇବାକୁ ଅନୁମତି ପାଇବାକୁ ହେଲେ ପରିବାର ଲୋକଙ୍କୁ ବନବିଭାଗକୁ ୮ ହଜାର ଟଙ୍କା ଦେବାକୁ ପଡିବ । ଗଛ ଲଗାଇବା ପରେ ଅନ୍ୟ ସମସ୍ତ ଦାୟିତ୍ୱ ବିଭାଗ ବୁଝିବ ।

<b>ସ୍ମୃତିବନ ପରିସରରେ ଥିବା କୃତ୍ରିମ ହ୍ରଦ</b>

ସ୍ମୃତିବନ ପରିସରରେ ଥିବା କୃତ୍ରିମ ହ୍ରଦ


ସ୍ମୃତିବନର ଅନ୍ୟ ପାଖର ନାଁ ଦିଆଯାଇଛି ‘ଶୁଭ ବାଟିକା’ । ଏଠାରେ ଜଣେ ନିଜର ଖୁସିର ସମୟ ଜନ୍ମଦିନ, ବିବାହ ବାର୍ଷିକୀ ଓ ଅନ୍ୟ ଖୁସିର ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଗଛ ଲଗାଇ ପାରିବ । ସେଠାରେ ବି ସ୍ମୃତି ବାଟିକା ଭଳି ସମାନ ବ୍ୟବସ୍ଥା ରହିଛି । ତେବେ ସ୍ମୃତି ବାଟିକା ହେଉ କି ଶୁଭ ବାଟିକାରେ ଦୁଇଟିରେ କେବଳ ୫ ପ୍ରକାରର ଗଛ ଲଗାଇବାକୁ ବୋଲି ବିଭାଗ ପକ୍ଷରୁ ଅନୁମତି ଦିଆଯାଉଛି । ବଉଳ, ଜାମୁ, ଅଶୋକ,ଲିମ୍ବ ଓ ରକ୍ତ ଚନ୍ଦନ ଗଛ ଲାଗିପାରିବ । ସ୍ଥାନ ଦୃଷ୍ଟିରୁ ସ୍ମୃତିବନରେ ୧୧୫୦ଟି ଗଛ ଲାଗିବା ପରେ ଆଉ ଗଛ ଲଗାଇବାକୁ ଅନୁମତି ମିଳିବନି ବୋଲି ବିଭାଗ ନିଷ୍ପତ୍ତି ନେଇଛି ।

<b>ଜାତୀୟ ରାଜପଥ କଡ଼ରେ ସ୍ମୃତିବନ</b>

ଜାତୀୟ ରାଜପଥ କଡ଼ରେ ସ୍ମୃତିବନ


ଏବେ ସୁଦ୍ଧା ଏଠାରେ ପ୍ରାୟ ୧୩୦ଜଣ ନିଜ ନିଜ ଆତ୍ମୀୟଙ୍କ ସ୍ମୃତିରେ ଗଛ ଲଗାଇ ସାରିଲେଣି । ଆଗରୁ ଏଠାରେ ଗଛ ଲଗାଇବା ପାଇଁ ୨୦ ହଜାର ଟଙ୍କା ଦେବାକୁ ପଡୁଥିଲା । ଏବର୍ଷ ଅଧିକ ସଂଖ୍ୟକ ଲୋକଙ୍କୁ ଆକୃଷ୍ଟ କରିବା ଓ ସମସ୍ତଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ ଏହାକୁ ୮ ହଜାର ଟଙ୍କାକୁ କମାଇ ଦେଇଛି ଜଙ୍ଗଲ ଓ ପରିବେଶ ବିଭାଗ । ଏହି ସ୍ମୃତିବନର ଦାୟିତ୍ୱରେ ଥିବା ଫରେଷ୍ଟ ରେଞ୍ଜର ବିନୋଦ ଆଚାର୍ଯ୍ୟ କହିଛନ୍ତି, ଲୋକେ ଏଠାରେ ଗଛ ଲଗାଇବାକୁ ଧୀରେଧୀରେ ଆଗ୍ରହ ଦେଖାଉଛନ୍ତି । କେବଳ ନିଜ ଆତ୍ମୀୟଙ୍କ ସ୍ମୃତିରେ ନୁହେଁ ପରିବେଶ ପ୍ରତି ଥିବା ନିଜ ଦାୟିତ୍ୱବୋଧକୁ ମଧ୍ୟ ସେମାନେ ପ୍ରମାଣିତ କରୁଛନ୍ତି ।