ହୋଲି ପାଇଁ ସଚେତନତାର ବାର୍ତ୍ତା : ଜଳ ପ୍ରଦୂଷଣ ନୁହେଁ, ଜଳ ବନ୍ଧନ ଜରୁରୀ

ହୋଲି ପାଇଁ ସଚେତନତାର ବାର୍ତ୍ତା : ଜଳ ପ୍ରଦୂଷଣ ନୁହେଁ, ଜଳ ବନ୍ଧନ ଜରୁରୀ

Wednesday March 23, 2016,

3 min Read

ରଙ୍ଗର ପର୍ବ ହୋଲିରେ ଆମେ ବିଭିନ୍ନ ପ୍ରକାରର ରଙ୍ଗ ଖେଳୁ | ଏଥିରେ ଅଧିକାଂଶ ଥାଏ ରାସାୟନିକ ରଙ୍ଗ | ଯାହା କେବଳ ଆମ ପାଇଁ କ୍ଷତିକାରକ ନୁହେଁ, ବଂର ସାରା ସମାଜ ପାଇଁ କ୍ଷତିକାରକ | କାରଣ ରଙ୍ଗ ଖେଳିବା ପରେ ପୋଖରୀ, ନଦୀ ଆଦିରେ ଗାଧୋଇବା ଦ୍ୱାରା ଜଳ ପ୍ରଦୂଷଣ ହୋଇଥାଏ | ଏହି ପ୍ରଦୂଷିତ ଜଳକୁ ବ୍ୟବହାର କରୁଥିବା ବ୍ୟକ୍ତି ରୋଗଗ୍ରସ୍ତ ହେବାର ଆଶଙ୍କା ଥାଏ | ତେଣୁ ହୋଲି ସହ ଜଳ ସଂରକ୍ଷଣ କଥାଟି ମଧ୍ୟ ସିଧାସଳଖ ଭାବେ ଜଡିତ ଥାଏ | ପୁଣି ଏଥର ବିଶ୍ୱ ଜଳ ଦିବସ ଓ ହୋଲି ପାଖାପାଖି ପଡୁଥିବାରୁ ଏହାର ମହତ୍ୱ ଆହୁରି ବଢିଯାଇଛି|

image


ଏହି ଅବସରରେ ଭୁବନେଶ୍ୱରସ୍ଥିତ ବକୁଳ ଫାଉଣ୍ଡେସନ୍ ପକ୍ଷରୁ ହୋଲିରେ ଜଳ ସଂରକ୍ଷଣ ଓ ସୁରକ୍ଷା ଉପରେ ଏକ ଅଭିନବ ସଚେତନତା ଯାତ୍ରା କରାଯାଇଥିଲା | ଯେଉଁଥିରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଥିଲା | ହୋଲିରେ କିଭଳି ଆମେ ଜଳ ପ୍ରଦୂଷଣ ନ କରିବା ସେଥିପାଇଁ ଲୋକଙ୍କୁ ସଚେତନ କରାଇଥିଲେ ସଂସ୍ଥାର ସ୍ୱେଚ୍ଛାସେବୀମାନେ | ଆଉ ସମସ୍ତେ ଯେଭଳି ପାଣି ବିନା ହୋଲି ଖେଳିବେ, ସେଥିପ୍ରତି ମଧ୍ୟ ଶପଥ ନେବାକୁ ଆହ୍ୱାନ ଦିଆଯାଇଥିଲା |

ଜଳର ମୃତ୍ୟୁ ଶୋଭାଯାତ୍ରା :

image


ରାହାଗିରି ଦିବସ ଅବସରରେ ମାର୍ଚ୍ଚ ୨୦ ତାରିଖରେ ବକୁଳ ଫାଉଣ୍ଡେସନ୍ ପକ୍ଷରୁ ଏଭଳି ଏକ ଅଭିନବ ଶୋଭାଯାତ୍ରା ବାହାରିଥିଲା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ | କଥାଟା ଅଡୁଆ ଲାଗୁଥିଲେ ବି ଏଭଳି ଭାବେ ହିଁ ଲୋକଙ୍କ ମନରେ ଛାପ ଛାଡିବାକୁ ଚାହିଁଥିଲେ ସ୍ୱେଚ୍ଛାସେବୀମାନେ | ହୋଲି ଖେଳିବା ପରେ ମାରାତ୍ମକ ରସାୟନିକ ରଙ୍ଗରେ ପାଣି ପ୍ରଦୂଷିତ ହୋଇ ତାର ମୃତ୍ୟୁ ଘଟଛି | ଏହା ପରେ ପାଣିକୁ ପ୍ରିୟ ପରିଜନମାନେ ଅନ୍ତିମ ସଂସ୍କାର କରିବା ପାଇଁ ଏକ ଶୋଭାଯାତ୍ରାରେ ନେଉଛନ୍ତି | ରାମ ନାମ ସତ୍ୟ ହୈ . . . ମଧ୍ୟ କୁହାଯାଉଥିଲା | କୋକେଇରେ ଶବ ରଖିବା ଭଳି ଏକ ବଡ ଜଳବିନ୍ଦୁ ଶବ ଭାବେ ରଖାଯାଇଥିଲା | ଅନେକ ଲୋକ ଏହି ଶୋଭାଯାତ୍ରାରେ ପାଣିରେ ମୃତ୍ୟୁରେ ବାହୁନି ଥିବାର ଦୃଶ୍ୟ ଲୋକଙ୍କ ଉପରେ ବେଶ୍ ପ୍ରଭାବ ପକାଇଥିଲା | ଏ ସମ୍ପର୍କରେ ବକୁଳ ଫାଉଣ୍ଡେସନର ମୁଖ୍ୟ ସୁଜିତ୍ ମହାପାତ୍ର କହନ୍ତି,

ହୋଲି ଖେଳ ପରେ ଲୋକେ ରଙ୍ଗ ଧୋଇବା ଲାଗି ବହୁ ପରିମାଣର ଜଳ ନଷ୍ଟ କରନ୍ତି | ପୁଣି ରଙ୍ଗ ଧୋଇବା ଯୋଗୁଁ ପାଣି ପ୍ରଦୂଷଣ ମଧ୍ୟ ସେହି ସମୟରେ ବଢିଯାଏ | ବିଶେଷକରି ରସାୟନିକ ରଙ୍ଗ ଯୋଗୁଁ ଏହି ପ୍ରଦୂଷଣ ମାରାତ୍ମକ ହୋଇପଡିଛି | ଆମ କାର୍ଯ୍ୟକ୍ରମ ବିଶ୍ୱ ଜଳ ଦିବସକୁ ଲକ୍ଷ୍ୟ କରି କରାଯାଇଥିଲେ ମଧ୍ୟ ହୋଲି ପାଖାପାଖା ପଡୁଥିବାରୁ ହୋଲିରେ ଜଳ ସୁରକ୍ଷା ଥିମ୍ କୁ ଯୋଡିଥିଲୁ |

ଏଥିରେ ଭାଗ ନେଇଥିବା ଜଣେ ସ୍ୱେଚ୍ଛାସେବୀ ଶ୍ରୀୟା ମହାନ୍ତି କହନ୍ତି,

ଏଭଳି ଏକ ସଚେତନତା ଶୋଭାଯାତ୍ରାକୁ ନେଇ ଅନେକ ଲୋକ ପ୍ରଭାବିତ ହେବେ ବୋଲି ଆଶା | କାରଣ ରାହାଗିରି ଦିବସରେ ଲୋକେ ଏହାକୁ ଆଗ୍ରହର ସହ ଦେଖୁଥିବାର ଓ ଅନେକ ଭାଗନେଉଥିବାର ଦେଖିବାକୁ ମିଳୁଥିଲା | ଆମେ ମଧ୍ୟ ଏଭଳି ଏକ ଅଭିନବ ଶୋଭାଯାତ୍ରାକୁ ନେଇ ବେଶ୍ ଉତ୍ସାହିତ ଥିଲୁ |

ଜଳ ବନ୍ଧନ :

image


ରକ୍ଷା ବନ୍ଧନରେ ଯେପରି ଉଉଣୀଟିଏ ତାର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧେ | ସେହିଭଳି ସ୍ୱେଚ୍ଛାସେବୀମାନେ ଲୋକମାନଙ୍କ ହାତରେ ନୀଳ ବ୍ୟାଣ୍ଡ୍ ବାନ୍ଧି ଜଳ ସୁରକ୍ଷା ପାଇଁ ନିବେଦନ କରିଥିଲେ | ଏହାକୁ ସେମାନେ କହିଥିଲେ ଜଳ ବନ୍ଧନ | ୧୫୦୦ରୁ ଅଧିକ ଲୋକ ସେମାନଙ୍କ ହାତରେ ଜଳ ସୁରକ୍ଷା ବ୍ୟାଣ୍ଡସ୍ ବାନ୍ଧିଥିଲେ | ବିଶେଷକରି ଯୁବକ ଯୁବତୀମାନେ ଏଥିରେ ଭାଗନେବାକୁ ଆଗଭର ହୋଇଥିବା ଦେଖାଯାଇଥିଲା |

ଏ ସମ୍ପର୍କରେ ବକୁଳ ଫାଉଣ୍ଡେସନ୍ ର ଆଉ ଜଣେ ସ୍ୱେଚ୍ଛାସେବୀ ପ୍ରାର୍ଥନା ରାୟ କହନ୍ତି,

ରକ୍ଷା ବନ୍ଧନ ଭଳି ଜଳ ବନ୍ଧନରେ ଆମେ ଲୋକମାନଙ୍କ ହାତରେ ବ୍ୟାଣ୍ଡ୍ ବାନ୍ଧିଥିଲୁ | ସେମାନଙ୍କୁ ଏହି ହୋଲିରେ ଜଳ ନଷ୍ଟ କିମ୍ବା ପ୍ରଦୂଷିତ ନ କରିବାକୁ ଅନୁରୋଧ କରିଥିଲୁ | ଆମର ଭଲ୍ୟୁଣ୍ଟରମାନେ ଏହି କାମ କରିବା ଦ୍ୱାରା ନିଜେ ଜଳ ସୁରକ୍ଷା ପ୍ରତି ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇପାରିଛୁ |

ଏହି ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିବା ଚାକିରିରୁ ଅବସରପ୍ରାପ୍ତ ରାଜ କିଶୋର ପତି କୁହନ୍ତି,

ଯୁବ ସମାଜ ହୋଲିରେ ଜଳ ସୁରକ୍ଷା ପାଇଁ ଯେଉଁ ବାର୍ତ୍ତା ଦେଉଛି, ତାହା ଯଥେଷ୍ଟ ଗୁରୁତ୍ୱପୂର୍ଣ | ଯୁବସମାଜ ହିଁ ଅଧିକ ମାତ୍ରାରେ ହୋଲି ଖେଳନ୍ତି | ତେଣୁ ସେମାନେ ସଚେତନ ହେଲେ ଅଧିକ ଜଳ ନଷ୍ଟ ହେବ ନାହିଁ କିମ୍ବା ଜଳ ପ୍ରଦୂଷଣ ହେବ ନାହିଁ |

ଜଳ ପାଇଁ ଚିତ୍ର :

ଏଇ ଥିଲା ଆଉ ଏକ ଉପାୟ ଲୋକଙ୍କୁ ସଚେତନ କରାଇବାର | ଜଳ ସୁରକ୍ଷାକୁ ନେଇ ଓଡିଶାର ନାମୀ ଚିତ୍ରଶିଳ୍ପୀମାନେ ଆଙ୍କିଥିଲେ ଚିତ୍ର | ବକୁଳକୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲା ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ହେରିଟେଜ୍ | ବଳଦେବ ମହାରଥାଙ୍କ ସମେତ ୧୦ ଜଣ ପ୍ରସିଦ୍ଧ ଶିଳ୍ପୀ ସେମାନଙ୍କ ଚିତ୍ର ଆଙ୍କି ସଚେତନତାର ବାର୍ତ୍ତା ଦେଇଥିଲେ | ଏହା ଅନେକଙ୍କୁ ପ୍ରଭାବିତ କରିପାରିଥିଲା ବୋଲି କୁହନ୍ତି ରୋଟାରିଆନ୍ ଅଶୋକ ତ୍ରିପାଠୀ |

image


ପ୍ରକୃତରେ ସମସ୍ତଙ୍କ ମନୋଭାବ ରହିବା ଦରକାର ଯେ ‘ଜଳର ମୃତ୍ୟୁ ହେବାକୁ ଦେବା ନାହିଁ ‘| କାରଣ ଯଦି ସାମାନ୍ୟ ମନୋରଂଜନ ପାଇଁ ଆମେ ଜଳକୁ ପ୍ରଦୂଷିତ କରି ତାକୁ ମୃତ୍ୟୁ ମୁଖକୁ ଠେଲିଦେବା, ତେବେ ସାରା ମାନବ ସମାଜ ମଧ୍ୟ ତିଷ୍ଟିପାରିବ ନାହିଁ | ଏବେ ଠୁ ଆମକୁ ଏକଥା ବୁଝିବାକୁ ପଡିବ |