ଅଭିନୟରେ ରୂପ ନୁହେଁ ଦକ୍ଷତା ହିଁ ମାପକାଠି: ଇରା ଦୁବେ

0

ବର୍ତ୍ତମାନ ଦେଶରେ ଥିବା ପ୍ରତିଭାବାନ୍ ଓ ବୁଦ୍ଧିମାନ ଯୁବ କଳାକାରଙ୍କ ମଧ୍ୟରୁ ଇରା ଦୁବେ ଅନ୍ୟତମ । ୟେଲ ସ୍କୁଲ ଅଫ୍ ଡ୍ରାମାରୁ ନିଜ ପଢା ଶେଷ କରିବା ପରେ ସେ ବହୁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ‘The President is Coming’, ଆୟେଷା ଭଳି ଚଳଚ୍ଚିତ୍ରରେ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ସେ ଥିଏଟର କଳାକାର ଭାବେ ଓ ଟେଲିଭିଜନ ହୋଷ୍ଟ ଭାବେ ମଧ୍ୟ ଖୁବ୍ ନାଁ କମାଇଛନ୍ତି । ‘9 Parts of Desire’ ଏକକ ଅଭିନୟ କରି ବହୁ ସୁନାମ ପାଇଛନ୍ତି । ଏଥିରେ ସେ ୯ଜଣ ଭିନ୍ନ ଭିନ୍ନ ଇରାକୀ ମହିଳାଙ୍କ ଚରିତ୍ର ଅଭିନୟ କରିଛନ୍ତି ।

ଦେଶର ଥିଏଟର ଶିଳ୍ପ ଓ ଜଣେ ମହିଳା ଏଥିରେ କ୍ୟାରିଅର କରିବା ବିଷୟରେ ଥିବା ସୁଯୋଗ ଆଉ ନିଜ ବିଷୟରେ ଇରା ନିଜର ମତାମତ ଏଠାରେ ଦେଇଛନ୍ତି।

କଳାକାରର ପରିବାର ଭିତରେ ବଢିଲିି...

ଛୋଟବେଳୁ ଥିଏଟର ସଂହ ମୁଁ ସଂପୃକ୍ତ ଥିଲି । ମୁଁ ପରଦା ପଛରେ ସହାୟକ କାମ କରୁଥିଲି । ୬-୭ବର୍ଷ ବୟସ ସମୟରୁ ଥିଏଟରରେ ଲୋକଙ୍କୁ ସେମାନଙ୍କ ସିଟ୍ ଦେଖାଇବା, ବ୍ରୋସର ବା ବିବରଣୀ ପୁସ୍ତିକା ବାଟିଂବା ଭଳି ଦାୟିତ୍ୱ ତୁଲାଉଥିଲି । ଖାଲି ମୁଁ କାହିଁକି ମୋ ମାଁ ଓ ଆମ ପରିବାର ଖୁବ ସକ୍ରିୟ ଭାବେ ଥିଏଟର ସହ ଜଡିତ ଥିଲେ। ସେମାନଙ୍କର ଏକ ଚିଲଡ୍ରେନସ୍ ଥିଏଟର ନାମକ କମ୍ପାନୀ ଥିଲା । ଥିଏଟର ସହ ଏତେ ମାତ୍ରାରେ ଜଡିତ ଥିଲୁ ଯେ ଲୋକେ ଆମକୁ ନୌଟଙ୍କି ଫ୍ୟାମିଲି ‘nautanki family ବୋଲି କହି ମଜା କରୁଥିଲେ । କହିବାକୁ ଗଲେ ମୋ ବ୍ୟକ୍ତିତ୍ୱରେ ଥିଏଟର ପ୍ରତି ବହୁ ଦୁର୍ବଳତା ଅର୍ନ୍ତନିହିତ ହୋଇଥିଲା । ମୋ ପାଇଁ ଏହା ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା ।

ଥିଏଟର ଓ ଦର୍ଶକ

ଖାଲି ବୟସ୍କ ନୁହେଁ ବହୁ ଯୁବଗୋଷ୍ଠୀଙ୍କର ମଧ୍ୟ ଥିଏଟର ପ୍ରତି ଯଥେଷ୍ଟ ରୁଚି ଥାଏ । କଳା ପ୍ରତି ଥିବା ଭଲପାଇବା ଓ ଉତ୍ସାହ ଦେଖି ବହୁତ ଖୁସି ଲାଗେ । ମୁଁ ଭାବେ ସାଧାରଣ ଦର୍ଶକମାନେ ଥିଏଟର କଳାକାରଙ୍କ ପ୍ରତି ବେଶି ସହଯୋଗୀ । କଳାକାରଙ୍କ ପାଇଁ ମଧ୍ୟ ସବୁଠୁ ମୂଲ୍ୟବାନ ହେଉଛନ୍ତି ଦର୍ଶକ । ଦର୍ଶକ ବିନା କଳାକାର ବା ଅଭିନେତାଙ୍କର କୌଣସି ମାନେ ନାହିଁ । ବିଶେଷ କରି ଥିଏଟରରେ କଳାକାର ଓ ଦର୍ଶକ ଅଙ୍ଗାଙ୍ଗୀ ଭାବେ ଯୋଡି ହୋଇଥାନ୍ତି । ଜଣେ ଅନ୍ୟ ଜଣଙ୍କ ବିନା ତିଷ୍ଠିପାରିବନି ।

ତେବେ ଥିଏଟର ହେଉଛି ଏକ ଜୀବନ୍ତ ଅଭିନୟର ମଞ୍ଚ । ଏଠି ବହୁତ କିଛି ବାସ୍ତବିକ୍ କଥାବସ୍ତୁ ଓ ଅଭିନୟକୁ ମଞ୍ଚସ୍ଥ କରିବାକୁ ପଡେ । ଏବେକାର ଥିଏଟର ଦୁନିଆରେ ବହୁ ନୂଆ ଢଙ୍ଗର ଓ ଜୀବନ୍ତ ଅଭିନୟ ଦେଖିବାକୁ ମିଳୁଛି । ଅତୁଲ କୁମାର ଓ ଆକର୍ଶ ଖୁରାନାଙ୍କ ଭଳି ବ୍ୟକ୍ତି ଥିଏଟର ଅଭିନୟ କଳାକୁ ବେଶ୍ ଉଚ୍ଚସ୍ତରକୁ ନେଇଛନ୍ତି। ଏହା ଉଭୟ ନୂଆ ଓ ପୁରୁଣା ଥିଏଟର କଳାକାରଙ୍କୁ ପ୍ରଭାବିତ କରୁଛି । ହେଲେ ଏହି କ୍ଷେତ୍ରରେ ଗୋଟିଏ ଅଭାବ ହେଉଛି ପ୍ରଶିକ୍ଷଣ । ଥିଏଟରରେ ଭଲ ପ୍ରଶିକ୍ଷଣ ପାଇଁ ଆବଶ୍ୟକ ସ୍କୁଲର ଅଭାବ ରହିଛି । ଜେହାନ୍ ମାନେକ୍ସ ଆରମ୍ଭ କରିଥିବା ଆକ୍ଟିଗଂ ସ୍କୁଲ ଥିଏଟର ପ୍ରଫେସନାଲ୍ ଏକ ଭଲ ପଦକ୍ଷେପ । ସେହିପରି ଥିଏଟର ପାଇଁ ସ୍ଥାନ ମଧ୍ୟ ଏକ ମୁଖ୍ୟ ସମସ୍ୟା । ବମ୍ବେରେ ଥିଏଟର ପାଇଁ ସ୍ଥାନ ଅଭାବ ରହିଛି ।

କଳାକାରଙ୍କ ପାଇଁ ସୁଯୋଗ

ଏବେ ଏ କ୍ଷେତ୍ରକୁ ଆସୁଥିବା ନୂଆ କଳାକାରଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇଛି । ନବାଗତ କଳାକାରଙ୍କୁ ପ୍ରଶିକ୍ଷଣ ଦେବା ଓ ସେମାନଙ୍କୁ କଳା ପ୍ରଦର୍ଶନ ଶିଖାଇବା ପାଇଁ ଆଗ ଅପେକ୍ଷା ଏବେ ଅଧିକ ସୁଯୋଗ ରହିଛି ।

ଆର୍ଥିକ ଅନିଶ୍ଚିତତା

ଥିଏଟର କ୍ଷେତ୍ରରେ ଆର୍ଥିକ ଲାଭ ଦିଗକୁ ଭୁଲି ଗଲେ ତିଷ୍ଠିବା ଅସମ୍ଭବ । ଥିଏଟର କଳାକାର ଭାବେ ଅଭିନୟକୁ ଭଲ ପାଇବା ସହ ଆର୍ଥିକ ଲାଭ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ । ଏମତି କିଛି ଥିଏଟର ନାଟକ ଅଛି ଯାହାକୁ କଳାକାର ବହୁତ ଭଲ ପାଏ ମାତ୍ର ଏଥିରୁ ଆର୍ଥିକ ସଫଳତା ମିଳେନି । ଆଉ କିଛି ଥିଏଟର ଅଭିନୟ, କଳାକାରଙ୍କ ପସନ୍ଦର ନ ହେଲେ ବି ଏହା ଆର୍ଥିକ ଦୃଷ୍ଟିରୁ ଲାଭପ୍ରଦ ହୋଇଥାଏ । ଏଥିପାଇଁ ସବୁବେଳେ ଥିଏଟର ଅଭିନୟ ମଞ୍ଚସ୍ଥ କରିବା ପୂର୍ବରୁ ଏହାକୁ ନଜର ରଖିବାକୁ ପଡିବ ।

‘ନାଇନ୍ ପାର୍ଟସ୍ ଅଫ୍ ଡିଜାୟାର’ ବିଷୟରେ

ମୁଁ ଏକାକୀ ଅଭିନୟ କରିଥିବା ନାଇନ ପାର୍ଟସ୍ ଅଫ ଡିଜାୟାରରେ ୯ଜଣ ମୁସଲିମ୍ ମହିଳାଙ୍କ ଚରିତ୍ରରେ ଅଛି । ଏହାର ପ୍ରଚ୍ଛଦ କାହାଣୀ ଅତି ଚମକ୍ରାର ଓ ଏଥିରେ ନିଜ ବଳିଷ୍ଠ ଅଭିନୟ ପ୍ରଦର୍ଶନ କରିବାକୁ ବହୁ ସୁଯୋଗ ରହିଛି। ଏହାର ସମୀକ୍ଷା (reviews)ରୁ ବେଶ୍ ଭଲ ପ୍ରତିକ୍ରିୟା ମିଳିଛି । ଏହା ମଞ୍ଚସ୍ଥ ବେଳେ ଦର୍ଶକଙ୍କଠାରୁ ବହୁ ପ୍ରଂଶସା ମଧ୍ୟ ମିଳିଛି । ମୋର ସବୁ ଅଭିନୟ ମଧ୍ୟରୁ ଏଥିରେ ସବୁଠୁ ଅଧିକ ଚ୍ୟାଲେଞ୍ଜ ସାମ୍ନା କରିଛି । ଏଥିରୁ ଅନେକ ଅଭିଜ୍ଞତା ବି ପାଇଛି ।

ତେବେ ଅଭିନୟକୁ ଜୀବନ୍ତ କରିବାକୁ ଏହାର ଚରିତ୍ର , ଏମିତିକି ଇରାକ ସହ ମୋତେ ସମ୍ପୂର୍ଣ୍ଣି ଜଡିତ ହେବାକୁ ପଡିଥିଲା । ଇରାକ ଏକ ବିଦେଶୀ ରାଷ୍ଟ୍ର । ଏହାର ସଂସ୍କୃତି ଓ ଚଳଣି ପୂରା ଭିନ୍ନ ଥିଲା । ଚଳଚ୍ଚିତ୍ରରେ ଥିବା ଚରିତ୍ରକୁ ଭଲରେ ଫୁଟାଇବାକୁ ମୋତେ ଇରାକର ସାମାଜିକ ଓ ରାଜନୈତିକ ଇତିହାସ ବାବଦରେ ବହୁ ପଢିବାକୁ ପଡିଥିଲା । ଏହା ମୋତେ ଜୀବନ୍ତ ଓ ସଫଳ ଅଭିନୟ କରିବାରେ ସାହାର୍ଯ୍ୟ କରିଥିଲା ।

ମଞ୍ଚରେ ତୃଟିରୁ ଶିକ୍ଷା

ଅନେକ ସମୟରେ ମଞ୍ଚରେ ବି ଛୋଟବଡ ତୃଟି ହୋଇଯାଏ । କେବେ ସଂଳାପ ମନେ ପଡେନି, ତ ଆଉ କିଛି ସମୟରେ କାହାଣୀରେ ଅଚାନକ ପ୍ରବେଶ ଭଳି ତୃଟି ହୋଇଥାଏ । ଏପରି ତୃଟି ଯୋଗୁ କଳାକାର ମଞ୍ଚ ଉପରେ ହିଁ ହଡବଡେଇ ଯାଏ । ହେଲେଏହି ତୃଟିରୁ ଶିଖିବା ହିଁ ଅନୁଭବ ବା ଅଭିଜ୍ଞତା । ସେ ନିଜେ ଏପରି ବଡ ତୃଟି କେବେ କରିନାହାନ୍ତି । ମାତ୍ର ଏକ ଉଦାହରଣ ଦେଇ ଇରା କୁହନ୍ତି, ଗୋଟିଏ ନାଟକରେ ଜଣେ କଳାକାର ତାଙ୍କ ସଂଳାପ ଭୁଲି ଯାଇଥିଲେ । ମଞ୍ଚ ଉପରେ ସେ କିଛି ସମୟ ପାଇଁ ଚୁପ୍ ହୋଇଗଲେ । ଉପସ୍ଥିତ ଦର୍ଶକ ବି ତୃଟିକୁ ଧରିନେଲେ । ହେଲେ ଏଭଳି ତୃଟିକୁ ସେମାନେ ସାଧାରଣ ମନେ କରି ଗ୍ରହଣ କରିନେଲେ ।

ଅଭିନୟ ଶୈଳୀ

ସବୁବେଳେ ଜଣେ କଳାକାର ଭାବେ ମୁଁ କାହାଣୀରେ ଅଭିନୟକୁ ଜୀବନ୍ତ କରିବାକୁ ଚେଷ୍ଟା କରେ । ଏହା କହିବାକୁ ବହୁ ସହଜ ହେଉଥିଲେ ବି ବାସ୍ତବରେ ବହୁ କଷ୍ଟ । ଇରା ତାଙ୍କ ଅଭିଜ୍ଞତାରୁ କୁହନ୍ତି, "ତୁମର ଯଥେଷ୍ଟ ଅଭିଜ୍ଞତା ଥାଇପାରେ, ସଂଳାପ ଭଲ ଭାବେ ମନେ ଥାଇପାରେ ଓ ସ୍ପଷ୍ଟ ଭାବେ କହି ପାରୁ ଥାଇପାର, ଚରିତ୍ରକୁ ଠିକ ଭାବେ ବୁଝି ଅଭିନୟ କରୁ ଥାଇପାର। ସବୁ ପରେ ବି ମୋତେ ଅନେକ ସମୟରେ ଗୋଟିଏ ଜିନିଷକୁ ଭୟ ଲାଗେ। ତା' ହେଉଛି ଯାନ୍ତ୍ରିକ ଅଭିନୟ । ଏହା ନ କରି ସବୁବେଳେ କିଛି ରିଅଲ ବା ଜୀବନ୍ତ କରିବାରୁ ମୁଁ ପ୍ରୟାସ କରେ । ମୋ ପ୍ରଶିକ୍ଷଣ ଏଥିପାଇଁ ମୋତେ ଏହିଠାରେ ସାହାଯ୍ୟ କରେ ।

ୟେଲରେ ପ୍ରଶିକ୍ଷଣ

ଇରା କୌଣସି ନିର୍ଦ୍ଧିଷ୍ଟ ପ୍ରଶିକ୍ଷଣ ସ୍କଲ ବା ସଂସ୍ଥାକୁ ପସନ୍ଦ କରନ୍ତି ନାହିଁ । ସେ କୁହନ୍ତି, ମୁଁ ଅଭିନୟ ମଞ୍ଚରେ ବଡ ହୋଇଛି । ମାଁଙ୍କଠାରୁ ବହୁତ ପ୍ରେରଣା ପାଇଛି । ମୁଁ ଡ୍ରାମା ସ୍କୁଲରେ ପଢିବା ନେଇ କିଛି ସ୍ପଷ୍ଟ ନିଷ୍ପତି ନେଇନଥିଲି। ଏଠାରେ ପଢି ଭାରତ ଫେରିବା ମୋର କଣ ଲାଭ ହେବ ସେ ବିଷୟରେ ବି ମୁଁ ଜାଣିନଥିଲି । ଯଦି ମୁଁ ବିଦେଶରେ ରହି ଏହାକୁ କ୍ୟାରିଅର କରିଥାନ୍ତି ହୁଏତ ଏହି ପ୍ରଶିକ୍ଷଣ ମୋ ପାଇଁ ଯଥେଷ୍ଟ ଲାଭବାନ୍ ହୋଇଥାନ୍ତା । ମାତ୍ର ମୁଁ କିଛି ନିଶ୍ଚିତ ନଥିଲି । ତଥାପି ମୁଁ ବିଦେଶ ଯାଇ ଅଭିନୟରେ ପ୍ରଶିକ୍ଷଣ ନେବାକୁ ସ୍ଥିର କଲି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଅଭିନୟ ଓ କଳାକାରର ନିଜସ୍ୱ ଦକ୍ଷତା ।

ଭାରତର ଫିଲ୍ମ ଓ ଥିଏଟର ଶିଳ୍ପରେ ମହିଳାଙ୍କ ସ୍ଥିତି

ଫିଲ୍ମ ଓ ଥିଏଟର ଶିଳ୍ପ ମୁଖ୍ୟତଃ ପୁରୁଷପ୍ରଧାନ । ହେଲେ ଏବେ ଧୀରେଧୀରେ ଏହି ଧାରା ବଦଳୁଛି । ମୋ ମତରେ ବିଦ୍ୟା ବାଲାନଙ୍କ ଭଳି ଅଭିନେତ୍ରୀମାନେ ଏହି ଧାରାକୁ ବଦଳାଇଛନ୍ତି । ମହିଳାମାନେ ବି ଏଥିରେ ନିଜ ଦକ୍ଷତା ଦେଖାଇପାରିବେ । ମହିଳାମାନଙ୍କୁ ମୋର ବାର୍ତ୍ତା, ସେମାନେ ବି ନିଜ ପ୍ରତିଭା ଦ୍ୱାରା ଏହି କ୍ଷେତ୍ରକୁ ଆସି ସଫଳ ହୋଇପାରିବେ । ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ କାହାର ରୂପ କି ସୌନ୍ଦର୍ଯ୍ୟ ଅପେକ୍ଷା ବା ପ୍ରତିଭାକୁ ଫୋକସ୍ କରନ୍ତୁ । ବହୁ କଳାକାର ମଧ୍ୟ ଏହାକୁ ପ୍ରମାଣିତ କରିଛନ୍ତି । ଭଲ ନ ଦେଖା ଗଲେ ବି ସେମାନେ ନିଜ ଅଭିନୟର ଯାଦୁ ଓ ଦକ୍ଷତା ବଳରେ ସଫଳ କଳାକାର ହୋଇପାରିଛନ୍ତି । ସେମାନେ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ସେହିପରି ଯୁବ ମହିଳା କଳାକାରମାନେ ତାଙ୍କ କଳାରେ କୌଣସି ପ୍ରକାର ସାଲିସ୍ ନ କରି ଏହାକୁ ଭଲ କରିବାକୁ ଗୁରୁତ୍ୱ ଦିଅନ୍ତୁ । ତା ହେଲେ ସଫଳ ହେବାକୁ କେହି ରୋକିପାରିବେନି ।