ବୟସ ନୁହେଁ ମନୋଭାବ ଦରକାର : ୭୬ ବୟସରେ ୧୩୦୦ ଝିଅଙ୍କ ପାଠପଢା ବ୍ୟବସ୍ଥା କରିଛନ୍ତି ବୀରେନ୍ଦ୍ର: ସମସ୍ତଙ୍କ ନାମରେ ଦୈନିକ କରନ୍ତି୧୦ ଟଙ୍କା ଜମା

0

ମହିଳାମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢୁଛନ୍ତି, କିନ୍ତୁ ଶିକ୍ଷା କ୍ଷେତ୍ରରେ ଆଜି ବି ଝିଅ ତୁଳନାରେ ପୁଅକୁ ଲୋକେ ଅଗ୍ରାଧିକାର ଦେଉଛନ୍ତି | ଏହି କଥାକୁ ନଜରରେ ରଖି ବୀରେନ୍ଦ୍ର ସୋମ୍ ସିଂହ ପ୍ରାୟ ୪୦ ବର୍ଷ ବିଦେଶରେ କଟାଇବା ପରେ ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଝିଅମାନଙ୍କ ପାଇଁ ଏମିତି ସ୍କୁଲ ଖୋଲିଲେ, ଯାହା ସମସ୍ତଙ୍କ ପାଇଁ ଉଦାହରଣ | ଏହି ସ୍କୁଲରେ ପଢୁଥିବା ସବୁ ଝିଅମାନଙ୍କୁ ଖାତା, ବହି, ୟୁନିଫର୍ମ ପୋଷାକ ଓ ସ୍କୁଲକୁ ଆସିବା ପାଇଁ ସାଇକେଲ୍ ମାଗଣାରେ ଯୋଗାଇ ଦିଆଯାଉଛି | ପ୍ରତିଦିନ ଝିଅମାନଙ୍କ ଖାତାରେ ଦଶ ଟଙ୍କା ଲେଖାଁଏ ଜମା କରାଯାଉଛି | ବୁଲନ୍ଦସହର ଅନ୍ତର୍ଗତ ଅନୁପସହର ତହସିଲ ଅଂଚଳରେ ଚାଲିଥିବା ପରଦାଦା-ପରଦାଦୀ ଗାଲର୍ସ ଇଂଟର କଲେଜ୍ ରେ ବର୍ତ୍ତମାନ ୧୩ ଶହରୁ ଅଧିକ ପିଲା ପଢୁଛନ୍ତି | ଏହା ସହିତ ବୀରେନ୍ଦ୍ର ଗାଁ ମହିଳଙ୍କ ବିକାଶ ପାଇଁ ସ୍ୱଂୟ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି | ୫୫ଟି ଗାଁର ୨୨ ଶହରୁ ଅଧିକ ମହିଳା ଏଥିରେ ସାମିଲ ହୋଇଛନ୍ତି |

ବୀରେନ୍ଦ୍ର ସୋମ୍‌ ଅନୁପସହର ତହସିଲ ଅଧିନରେ ଥିବା ବିଚୌଲା ଗାଁରେ ହୋଇଥିଲା | ତାଙ୍କ ଜେଜେବାପା ଓ ବାପା ଜମିଦାର ଥିଲେ | ଅବଶ୍ୟ ତାଙ୍କ ବାପା ବୁଲନ୍ଦସହରରେ ଓକିଲାତି କାମ କରୁଥିଲେ | ସେଠାକାର ଏକ ସରକାରୀ ସ୍କୁଲରେ ବୀରେନ୍ଦ୍ର ପାଠ ପଢିଥିଲେ | ଏହାପରେ ଆଲିଗଡ ମୁସ୍ଲିମ୍ ୟୁନିଭରସିଟିରେ ସେ ନାମ ଲେଖାଇଲେ | ହକିରେ ଭଳ ଖେଳୁଥିବାରୁ ତାଙ୍କୁ ପଂଜାବ ବିଶ୍ୱବିଦ୍ୟାଳୟରେ ଇଂଜିନିୟରିଂର ନାମ ଲେଖାଇବା ପାଇଁ ଅଫର୍ ଆସିଥିଲା | କିନ୍ତୁ ବୀରେନ୍ଦ୍ରଙ୍କ ପାଇଁ ଏହା ଥିଲା ମୁସ୍କିଲ ନିଷ୍ପତ୍ତି | ସେ ୟୋର ଷ୍ଟୋରୀକୁ କହନ୍ତି,

“ମୁଁ ପାଠ ପଢାରେ ଏତେ ଭଲ ନଥିଲି | ତେଣୁ ମୁଁ ଦ୍ୱିଧାରେ ପଡିଥିଲି କି ମୁଁ ଇଂଜିନିୟରିଂ ପାସ୍ କରିପାରିବି ନା ନାହିଁ |”

ତାଙ୍କର ଏହି ଦ୍ୱିଧା ଦୂର ପାଇଁ ତାଙ୍କ ବାପା ତାଙ୍କୁ ଦିଗବିଜୟ ସିଂହ ବାବୁଙ୍କର ଏକ ଫଟୋ ଦେଖାଇଲେ | ଚିତ୍ରରେ ଦିଗବିଜୟ ଲକ୍ଷ୍ନୌର ସେହି ଷ୍ଟାଡିୟମ୍ ଭିତରକୁ ପ୍ରବେଶ କରିବା ପାଇଁ ଟିକେଟ କିଣିବା ଲାଗି ଲାଇନ୍‌ ରେ ଛିଡା ହୋଇଥିଲେ, ଯାହା ନାମ ପରେ ପରିବର୍ତ୍ତନ କରି ତାଙ୍କ ନାମରେ ରଖାଯାଇଥିଲା| ତେଣୁ ତୁମେ ଦିଗବିଜୟ ସିଂହ ବାବୁ ନ ହୋଇପାର | କିନ୍ତୁ ଲଗାତର ଖେଳ ଜାରି ରଖିଲେ, ତୁମର ଭବିଷ୍ୟ ନିଶ୍ଚୟ ସଫଳ ହେବ | ଏହା ପରେ ସେ ପଂଜାବ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ଖେଳ ସହ ଇଂଜିନିୟରିଂ ମଧ୍ୟ ଶେଷ କଲେ |

ଏହା ପରେ ସେ ବୋଷ୍ଟନ୍‌ର ଏକ ଟେକ୍ସଟାଇଲ ୟୁନିଭରସିଟିରେ ନାମ ଲେଖାଇଲେ | କିନ୍ତୁ ଏଠାରେ ପାଠପଢାରେ ଅଧିକା ପଇସା ଖର୍ଚ୍ଚ ହେଲା | ଏ ସମ୍ପର୍କରେ ସେ ନିଜ ଡିପାର୍ଟମେଂଟ୍ ର ମୁଖ୍ୟ ସହ କଥା ହେଲେ | ସେ କହିଲେ, ତୁମେ ଚାକିରି କରିବା ସହ ପାଠ ପଢି ପାରିବ ଓ ମୁଁ ଚାହିଁଲେ ତୁମ ପାଇଁ ଚାକିରି ଯୋଗାଡ କରିପାରିବି | କିନ୍ତୁ ଏଥିପାଇଁ ତୁମକୁ ଏଠାକାର ନାଗରିକତା ନେବାକୁ ପଡିବ | ସେ କହିଲେ, ମୋ ପୁଅ ହୋଇଗଲେ ତୁମକୁ ନାଗରିକତା ମିଳିଯିବ | ଏଥିରେ ବୀରେନ୍ଦ୍ର ରାଜି ହେଲେ ଓ ସେ ବୀରେନ୍ଦ୍ରରୁ ପାଲଟିଗଲେ ବୀରେନ୍ଦ୍ର ସୌମ୍ ସିଂହ | ଏଭଳି ଭାବେ ସେ ସେଠାରେ ଇଂଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କଲେ | ତାପରେ ତାଙ୍କର ଏକ ମଲ୍ଟିନେସନାଲ୍ କମ୍ପାନୀରେ ଚାକିରି ହୋଇଗଲା | ଏମିତି ତାଙ୍କ ଜୀବନ କଟିଲା ଆମେରିକାରେ |

୪୦ ବର୍ଷ ପରେ ଦେଶ ପାଇଁ କିଛି କରିବାର ଇଛା ରଖି ସେ ସ୍ୱଦେଶକୁ ଫେରିବା ନିଷ୍ପତ୍ତି ନେଲେ | ଯଦିଓ ସେ କଣ କରିବେ କିଛି ସ୍ଥିର କରିନଥିଲେ, ୨୦୦୦ ମସହାରେ ସେ ଗାଁକୁ ଚାଲି ଆସିଲେ | ସେ ଭାବିଲେ ଯଦି ମହିଳାମାନଙ୍କ ବିକାଶ ହେବ, ତେବେ ସେମାନେ ପରିବାରକୁ ଭଲ ଭାବେ ଗଢି ତୋଳିବେ | ଏହା ଦ୍ୱାରା ସମାଜରେ ମଧ୍ୟ ଅନେକ ଉନ୍ନତି ଘଟିବ | କିନ୍ତୁ ମହିଳାମାନଙ୍କ ସବୁଠୁ ବଡ ଚିନ୍ତା ଥିଲା ଝିଅ | ସେମାନଙ୍କୁ କିଭଳି ବାହାଘର କରାଯିବ, ସେ ନେଇ ସେମାନେ ସବୁବେଳେ ବିବ୍ରତ ରହୁଥିଲେ | ମହିଳାମାନଙ୍କ ସହ ଆଲୋଚନା କରିବା ପରେ ଝିଅମାନଙ୍କ ସମସ୍ୟା ସମାଧାନ ସେ କରିବେ ବୋଲି କହିଲେ | ପିଲାଙ୍କୁ ମାଗଣାରେ ପାଠପଢା ସହିତ ଖାତା, ବହି, ପୋଷାକପତ୍ର, ସାଇକେଲ୍ ଓ ଅନ୍ୟାନ୍ୟ ସବୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଲେ | ସେମାନଙ୍କ ଆକାଉଣ୍ଟରେ ଦୈନିକ ୧୦ ଟଙ୍କା ଜମା ହେବ, ଝିଅ ଦ୍ୱାଦଶ ପାସ୍ କଲା ପରେ ପ୍ରତି ଝିଅଙ୍କ ଆକାଉଣ୍ଟରେ ଅନ୍ୟୁନ୍ୟ ୪୦ ହଜାର ଟଙ୍କା ରହିବ | ଯାହାକୁ ପରବର୍ତ୍ତୀ ସମୟରେ ସେମାନଙ୍କ ବିବାହ ପାଇଁ ଖର୍ଚ୍ଚ କରାଯାଇପାରିବ |

ବୀରେନ୍ଦ୍ର କହନ୍ତି -

"ଆମେ ପ୍ରଥମେ ଏହି ମଡେଲ ଯେତେବେଳେ ୪୧ ଝିଅଙ୍କୁ ନେଇ ଆରମ୍ଭ କଲୁ, ସପ୍ତାହେ ପରେ କେବଳ ୧୩ ଜଣ ଝିଅ ରହିଥିଲେ | ବାକି ଝିଅମାନଙ୍କ ବାପାମାନେ ନୂଆ ସାଇକେଲ, ବହି, ପୋଷାକ ଆଦିସବୁକୁ କମ୍‌ ଦାମରେ ବିକିଦେଇଛନ୍ତି | ଏହାକୁ ନେଇ ଆମକୁ ଝଟକା ଲାଗିଲା, କିନ୍ତୁ ଆମେ ହିମତ ହାରିନଥିଲୁ | ମୁଁ ମୋ ସହ କାମ କରୁଥିବା ଲୋକଙ୍କୁ ମଧ୍ୟ ବୁଝାଇଥିଲି | ଆମକୁ ପୁଣି ଥରେ ଝିଅମାନଙ୍କ ସଂଖ୍ୟା ବଢାଇବାକୁ ଚେଷ୍ଟା କରିବାକୁ ପଡିବ ବୋଲି କହିଥିଲି |"

ଶେଷରେ ବୀରେନ୍ଦ୍ରଙ୍କ ପ୍ରୟାସ ସଫଳ ହେଲା | ବର୍ତ୍ତମାନ ୧୩୫ ଝିଅ ତାଙ୍କ ଦ୍ୱାରା ପ୍ରିତିଷ୍ଠିତ ସ୍କୁଲରେ ପାଠ ପଢୁଛନ୍ତି | ସେମାନଙ୍କୁ ଚାକିରି ବ୍ୟବସ୍ଥା ମଧ୍ୟ କରାଯାଉଛି | କଲେଜ୍‌ ଠାରୁ ପାଂଚକିଲୋମିଟର ମଧ୍ୟରେ ଯିବା ଆସିବା କରୁଥିବା ଝିଅମାନଙ୍କୁ ସାଇକେଲ୍ ଦିଆଯାଇଛି | ଏହା ଠାରୁ ଅଧିକ ବାଟରୁ ଆସୁଥିବା ଝିଅମାନଙ୍କୁ ଆଣିବାକୁ ୬ଟି ବସ୍ ବ୍ୟବସ୍ଥା ହୋଇଛି |

ଏ ସ୍କୁଲ୍ ୧୨ ମାସ ଯାକ ଚାଲେ | ୮ ମାସ ଏହା ଦୈନିକ ୧୦ ଘଣ୍ଟା ଚାଲେ | ଶୀତ ଦିନେ ଏହା ୮ ଘଣ୍ଟା ଖୋଲେ | ସ୍କୁଲରେ ପାଠ ପଢା ସହିତ ଖେଳକୁଦ, କମ୍ପ୍ୟୁଟର ଓ ଇଂରାଜୀ ଶିକ୍ଷା ମଧ୍ୟ ଦିଆଯାଉଛି | ବର୍ଷକରେ ୧୫ ଦିନ ପାଇଁ ଘର କାମ କରିବା ପାଇଁ ଛୁଟି ନେଇପାରନ୍ତି | ବୀମାର ସମୟରେ ମଧ୍ୟ ୧୫ ଦିନ ଛୁଟି ନେଇପାରିବେ | କିନ୍ତୁ ମାସକରୁ ଅଧିକ ଛୁଟି ନେଲେ ତାଙ୍କ ଆକାଉଣ୍ଟରୁ ଦୈନିକ ୨୦ ଟଙ୍କା କଟିଯିବ |

ଯେଉଁ ଝିଅମାନେ ଭଲ ପାଠ ପଢିବା ସହ ଇଂରାଜୀର ଭଲ କରିପାରୁଥିବେ ସେମାନଙ୍କ ପାଇଁ ଏଠାରେ ଏକ କଲ୍ ସେଂଟର ବ୍ୟବସ୍ଥା ଅଛି | ଯାହା ଗୁଡଗାଓଁର ଏକ କମ୍ପାନୀ ପାଇଁ କାମ କରେ | ଏଠାରେ ୨୧ ଜଣ ଝିଅ କାମ କରୁଛନ୍ତି | ସ୍କୁଲରେ ପାଠ ପଢିଥିବା ଶହେରୁ ଅଧିକ ଝିଅ ଦେଶର ବିଭିନ୍ନ ଅଂଚଳରେ କାମ କରୁଛନ୍ତି | ଉଚ୍ଚ ଶିକ୍ଷା ପାଇଁ ଏମାନେ ଝିଅମାନଙ୍କୁ ଲୋନ୍ ମଧ୍ୟ ଦିଅନ୍ତି | ସ୍କୁଲରେ ଅଧିକାଂଶ ଝିଅମାନଙ୍କର ନର୍ସରୀ ଶ୍ରେଣୀରେ ହିଁ ନାମ ଲେଖାଯାଏ | ପ୍ରଥମ ତିନିମାସ କିପରି ସଫା ସୁତୁରା କରିବାକୁ ହୁଏ, ତାହା ଶିଖାଯାଇଥିଲା | ପ୍ରତି ବର୍ଷ ଏହି ସ୍କୁଲରେ ୧୫୦ରୁ ଅଧିକ ଝିଅଙ୍କର ନାମ ଲେଖାଯାଏ |

ବୀରେନ୍ଦ୍ର କେବଳ ଝିଅମାନଙ୍କ ପାଇଁ ନୁହେଁ, ସେମାନଙ୍କ ମା’ ମାନଙ୍କ ପାଇଁ ପରଦାଦା ପରଦାଦୀ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିଷ୍ଠା କରିଛି | ଯେଉଁମାନେ କ୍ଷୀର ବ୍ୟବସାୟ କରୁଛନ୍ତି | ଏହି ଗୋଷ୍ଠୀରେ ୫୫ଟି ଗାଁର ୨୨ ଶହ ମହିଳା ସାମିଲ ହୋଇଛନ୍ତି | ୧୦-୧୫ ଜଣ ମହିଳାଙ୍କୁ ନେଇ ଏକ ଗୋଷ୍ଠୀ ପ୍ରତିଷ୍ଟା ହୁଏ | ସପ୍ତାହରେ ଗୋଟିଏ ଦିନ ସେମାନଙ୍କର ବୈଠକ ହୁଏ | ସେମାନେ ପ୍ରତ୍ୟେକ ସପ୍ତାହକୁ ୧୫ ଟଙ୍କା ଲେଖାଁଏ ଜମା କରନ୍ତି | ଗୋଷ୍ଠୀ ପାଖରେ ୩ ହଜାର ଟଙ୍କା ହୋଇଗଲେ ଜୁରୁରୀ ସମୟରେ ମହିଳାମାନେ ସେଥିରୁ ଉଦ୍ଧାର ନେଇପାରନ୍ତି | ଏହା ପଛରେ ଗୋଟିଏ ଭାବନା ରହିଛି ଯେ କେହି ମହିଳା ସାହୁକାରଙ୍କ ଜାଲରେ ଫସି ନଯାନ୍ତି |

ଏହି କାମ ବ୍ୟତୀତ ବୀରେନ୍ଦ୍ର ଗାଁରେ ଏକ ଡିସ୍ପେନସେରୀ ମଧ୍ୟ ପ୍ରତିଷ୍ଠା କରିଛନ୍ତି | ସେଠାକୁ ସପ୍ତାହକୁ ପାଂଚ ଦିନ ଡାକ୍ତର ଆସନ୍ତି | ସେ ଗାଁରେ ଏକ ହସ୍ପିଟାଲ୍ ଓ ଔଷଧ ଦୋକାନ ଖୋଲିବା ପାଇଁ ଲକ୍ଷ୍ୟ ରଖିଛନ୍ତି | ଏତେ ସବୁ ଆମ କରୁଥିବା ୭୬ ବର୍ଷୀୟ ବୀରେନ୍ଦ୍ର ସିଂହ କହନ୍ତି,

“କୌଣସି ଭଲ କାମ ପାଇଁ ବୟସର କିଛି ମାନେ ନାହିଁ | କେବଳ ନିଜର ଭାବନା ଠିକ୍ ହେବା ଦରକାର |”

ମୂଳ ଲେଖା - ହରିଶ ବିଷ୍ଟ

ଭାଷାନ୍ତର - ଅଖଣ୍ଡ

Akhand is a noted social worker, freelance journalist and writer. He basically writes on various development issues. Can be reached at: indiamediacentre@gmail.com / +91 9938871989

Related Stories