ସମୁଦ୍ରର ସ୍ରୋତକୁ ଜିତିଥିବା ଝିଅ ‘ଭକ୍ତି’

ସମୁଦ୍ରର ସ୍ରୋତକୁ ଜିତିଥିବା ଝିଅ ‘ଭକ୍ତି’

Thursday November 12, 2015,

5 min Read

ଯେଉଁ ବୟସରେ ପିଲାମାନେ ଠିକ ଭାବେ ଚାଲି ମଧ୍ୟ ପାରନ୍ତି ନାହିଁ, ସେ ବୟସରେ ପାଣିରେ ପହଁରିବା ଆରମ୍ଭ କରିଥିଲେ ଭକ୍ତି ଶର୍ମା । ପହଁରିବା ଥିଲା ତାଙ୍କ ଜୀବନ । ୫ରୁ ୬ ଡିଗ୍ରୀର ଥଣ୍ଡା ଓ ଅସମ୍ଭାଳ ଶୀତରେ ସେ ସନ୍ତରଣ ଅଭ୍ୟାସ ଜାରି ରଖିଥିଲେ । ତାଙ୍କର ଏହି ନିଶା ଯୋଗୁ ସନ୍ତରଣରେ ସେ ବହୁ ରେକର୍ଡ କରିଛନ୍ତି । ସ୍ୱିମିଂ ପୁଲ୍ ଠାରୁ ନେଇ ନଦୀ, ସମୁଦ୍ର ଓ ମହାସାଗର ଯାଏ, ସବୁଠି ସେ ଗଭୀର ଜଳରାଶିର ପ୍ରଚଣ୍ଡ ସ୍ରୋତକୁ ଏଡାଇ ବିଜୟୀ ହୋଇଛନ୍ତି। ବିଶ୍ୱର ସବୁଠୁ କନିଷ୍ଠ ଓ ଏସିଆ ମହାଦେଶରୁ ପ୍ରଥମ ମହିଳା ଭାବେ ସେ ଆଣଟର୍କାଟିକା ମହାସାଗରରେ (Open water swim) ରେ ରେକର୍ଡ କରିଛନ୍ତି । ଏହାଛଡା ସେ ୪ଟି ମହାସାଗରରେ ସନ୍ତରଣ କରିବା ସହ ୮ଟି ସମୁଦ୍ର ଓ ପ୍ରଣାଳୀରେ (seas and channels )ରେ ସନ୍ତରଣ ସମ୍ପୂର୍ଣ୍ଣ କରିସାରିଛନ୍ତି।

image


ଭକ୍ତି ମୁମ୍ବାଇରେ ଜନ୍ମ ହୋଇଥିଲେ ବି ରାଜସ୍ଥାନର ଉଦୟପୁରରେ ରହୁଥିଲେ । ଭକ୍ତିଙ୍କ ମା ବି ଜଣେ ଜାତୀୟ ସ୍ତରର ସନ୍ତରଣକାରୀ ଥିଲେ । ଭକ୍ତିଙ୍କୁ ଅଢେଇ ବର୍ଷ ବୟସରୁ ତାଙ୍କ ମା ପ୍ରଶିକ୍ଷଣ ଦେଉଥିଲେ । ଏ ବିଷୟରେ ସେ କୁହନ୍ତି, ଆରମ୍ଭରୁ ମୋତେ ସାମାନ୍ୟ ଡର ଲାଗୁଥିଲା । କିନ୍ତୁ ଏତେ କମ୍ ବୟୟରୁ ପହଁରା ଶିଖିବା ଯୋଗୁ ଭବିଷ୍ୟତ ପାଇଁ ଏହା ମୋତେ ସାହାର୍ଯ୍ୟ କରିଥିଲା । ହେଲେ ସବୁ କିଛି ଏତେ ସହଜ ନଥିଲା । ଭକ୍ତି ରହୁଥିବା ସ୍ଥାନର ଆଖପାଖରେ ଭଲ ସ୍ୱିମିଂ ପୁଲ୍ ଅଭାବ ଥିଲା । ଏହାସହ ଜଣେ ମହିଳା ସନ୍ତରଣକାରୀ ହୋଇଥିବାରୁ ବଡ ହେଉଥିବାରୁ ସେ ବହୁ ସାମାଜିକ ପ୍ରତିବନ୍ଧକ ସାମ୍ନା କରୁଥିଲେ । ଏମିତି ସବୁ କାରଣ ପାଇଁ ସେ ସନ୍ତରଣ ଚାଲୁ ରଖି ପାରିଲେନି । ଶେଷରେ ସେ ଏହାକୁ ଛାଡି ଦେଇଥିଲେ । ପରେ ସେ କରାଟେ ଖେଳିବା ଆରମ୍ଭ କଲେ । ଏଥିରେ ବ୍ଲାକବେଲ୍ଟ ପାଇବା ପାଇଁ ସେ ପ୍ରଶିକ୍ଷଣ ନେଲେ । ମାତ୍ର ଏଥିରେ ବି ତାଙ୍କ ପାଇଁ ସମସ୍ୟା ଆସିଥିଲା । ତାଙ୍କୁ ପ୍ରଶିକ୍ଷଣ ଦେଉଥିବା ପ୍ରଶିକ୍ଷକ ସେହି ସ୍ଥାନ ଛାଡି ନିଜ ସହରକୁ ପଳାଇଥିଲେ । ଏଥିପାଇଁ ଏହି ଖେଳ ବି ସେ ଚାଲୁ କରିପାରିନଥିଲେ ।

"ଯଦି କିଛି କରୁଛ, ଶତ ପ୍ରତିଶତ ମନ ଦେଇ କର, ନ ହେଲେ ଏହାକୁ କରନି," ଭକ୍ତିଙ୍କ ମା ତାଙ୍କୁ ପରାମର୍ଶ ଦେଇଥିଲେ । ଏହା ପରେ ସେ ପୁଣି ଥରେ ନିଜ ପ୍ରିୟ ସନ୍ତରଣକୁ ଫେରିଲେ । କଠିନ ପରିଶ୍ରମ ଓ ପ୍ରଶିକ୍ଷଣ ପରେ ସେ ରାଜ୍ୟ ଓ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଲେ । ତେବେ ସନ୍ତରଣରେ ଅଧିକ ସମୟ ଦେଉଥିବାରୁ ନିଜ ପଢା ପ୍ରତି ଆବଶ୍ୟକ ସମୟ ଦେଇ ପାରୁନଥିଲେ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ସେ ଦଶମରେ ୮୪% ଓ ଦ୍ୱାଦଶରେ ୮୬ % ନମ୍ବର ରଖିବାରେ ସଫଳ ହୋଇଥିଲେ । ଏକା ସମୟରେ ସନ୍ତରଣ ଓ ପଢାକୁ ସମୟ ଦେବା ମୁସ୍କିଲ ହେଉଥିଲା । ଦିନକୁ ୫ ଘଣ୍ଟା ସମୟ ଟ୍ରେନିଂରେ ଯାଉଥିଲା । ଏଥିପାଇଁ ସନ୍ତରଣ ଯୋଗୁ ପଢା ପ୍ରଭାବିତ ହେଉଛି ବୋଲି କହିବା ଖାଲି ବାହାନା ନୁହେଁ ସତ ଥିଲା ବୋଲି ସେ କୁହନ୍ତି ।

ବହୁ ପ୍ରତିଯୋଗିତାରେ ସେ ସବୁଠୁ କନିଷ୍ଠ ଭାବେ ଭାଗ ନେଇ ପ୍ରଥମ ହେଉଥିଲେ । ସେ ଏକ ପ୍ରତିଯୋଗିତା ସମୟର କୈାତୂହଳ ଘଟଣା ମନେ ପକାଇ କୁହନ୍ତି, “ଜିଲ୍ଲାସ୍ତରରେ ପ୍ରଥମ ହୋଇ ମୁଁ ରାଜ୍ୟସ୍ତରର ପ୍ରତିଯୋଗିତାରେ ଖେଳିବାକୁ ଯୋଗ୍ୟତା ହାସଲ କରିଥାଏ । ପ୍ରତିଯୋଗିତା ଆରମ୍ଭ ହେବାକୁ ଅପେକ୍ଷା କରି ମା’ଙ୍କ ସହ ଛିଡା ହୋଇଥାଏ । ସେତେବେଳେ ମୋତେ ମାତ୍ର ୮ବର୍ଷ ହୋଇଥିଲା ଓ ମୋ ଆଗରେ ୨୦୦ମିଟର ଇଭେଟଂ ଅତିକ୍ରମ କରିବା ଲକ୍ଷ୍ୟ ଥାଏ । ଠିକ୍ ସେହି ସମୟରେ ଟାଇମ କୀପର (timekeeper) ମୋତେ ଚାହିଁଲେ ଆଉ ମା ଙ୍କୁ ପଚାରିଲେ, ଇଏ କଣ ଟାର୍ଗେଟ ଛୁଇଁପାରିବ । ତେବେ ମୁଁ ଏହି ଟାର୍ଗେଟକୁ ଅତିକ୍ରମ କରି ଇଭେଟଂ ଜିତି ନେଇଥିଲି” ।

ଓପନ୍ ୱାଟର ସ୍ୱିମ୍ (open water swim)

ଭକ୍ତି ୧୪ ବର୍ଷ ବୟସ ବେଳୁ ଓପନ ୱାଟର ସ୍ୱିମ୍ କରିବାକୁ ସାହସ ଜୁଟାଇଲେ । ମାଙ୍କ ପରାମର୍ଶ ଅନୁସାରେ ସେ ଉରାନ ପୋର୍ଟରୁ ଗେଟ୍ ୱେ ଅଫ୍ ଇଣ୍ଡିଆ ପର୍ଯ୍ୟନ୍ତ ହେଉଥିବା ସମୁଦ୍ରର ଲମ୍ବା ଦୂରତାର ସନ୍ତରଣରେ ଭାଗ ନେଲେ। ପରେ ସେ ଏହି ଲମ୍ବା ଦୂରତାର ସନ୍ତରଣରେ ଅଧିକରୁ ଅଧିକ ଅଭ୍ୟାସ କରିଥିଲେ । ସେ ଶୀତଦିନେ ସନ୍ତରଣ ଅଭ୍ୟାସ ଜୋର୍ କଲେ । ୫ରୁ ୬ ଡିଗ୍ରୀର ଅସମ୍ଭାାଳ ଥଣ୍ଡାରେ ସେ ପ୍ରଶିକ୍ଷଣ ଜାରି ରଖିଲେ । ଏ ବାବଦରେ ଭକ୍ତି କୁହନ୍ତି, "ଅଭ୍ୟାସ କରୁଥିବା ସ୍ୱିମିଂ ପୁଲ୍ କର୍ତ୍ତୃପକ୍ଷ ମୋତେ ଶୀତଦିନେ ଅଭ୍ୟାସ କରିବାକୁ ଅନୁମତି ଦେଲେ । ମୁଁ ମୋ ମାଁଙ୍କ ସହ ସେଠାକୁ ଅଭ୍ୟାସ ପାଇଁ ଗଲା ବେଳେ ପୂରା କ୍ୟାମ୍ପସରେ କେବଳ ଆମେ ଦୁଇ ଜଣ ହିଁ ଥାଉ । ଏମିତି ଦିନରେ ୩ରୁ ୪ ଘଣ୍ଟା ଅନବରତ ଅଭ୍ୟାସ କଲି । ତେବେ ଯେଉଁମାନେ ପ୍ରଫେସନାଲ ଟ୍ରେନିଂ ବିନା ସନ୍ତରଣ କରନ୍ତି ସେମାନଙ୍କ ପାଇଁ ଚ୍ୟାଲେଞ୍ଜ ଅଧିକ ହୋଇଥାଏ । ଏଠି ତୁମେ ନିଜେ ହିଁ ନିଜ ପାଇଁ ସବୁଠୁ ବଡ ପ୍ରେରଣା ହୋଇଥାଅ,"।

ଭକ୍ତିଙ୍କ ପାଇଁ ତାଙ୍କ ସନ୍ତରଣ ଯାତ୍ରା ବହୁ ଚ୍ୟାଲେଞ୍ଜ ଓ କଷ୍ଟ ଥିଲା । ସେ ବହୁବାର ବିଫଳ ହୋଇ ପ୍ରତିକୂଳତା ବିରୋଧରେ ଛିଡା ହେବାକୁ ସକ୍ଷମ ହୋଇଥିଲେ । ନିଜ ଅନୁଭୂତିରୁ ସେ କୁହନ୍ତି, “ପ୍ରତିଯୋଗିତାମୂଳକ ସନ୍ତରଣରେ ଭାଗ ନେବାକୁ ବହୁ ସମୟ ଯାଉଥିଲା । ଏତେ ସମୟ ଦେବା ପରେ ବି ମହାରାଷ୍ଟ୍ର ଓ ଦକ୍ଷିଣ ଭାରତରୁ ଆସୁଥିବା ପ୍ରତିଯୋଗୀଙ୍କ ସମକକ୍ଷ ହୋଇପାରୁନଥିଲି । ଏଥିପାଇଁ ବିଫଳ ହୋଇଛି ବୋଲି ମନେ ହେଉଥିଲା । ଏଥିରେ ଭାଙ୍ଗି ନ ପଡି ନିଜ କ୍ଷମତା ବଢାଇବାକୁ ଚେଷ୍ଟା ଜାରି ରଖିଲି ।”

ଲଗାତାର ଅଭ୍ୟାସ ଓ ଦୃଢ ମନୋବଳ ନେଇ ସେ ତାଙ୍କ ସନ୍ତରଣ ଯାତ୍ରା ଆଗକୁ ନେଲେ । ଓପନ ୱାଟର ସ୍ୱିମିଂ ଜାରି ରଖିବା ପରେ ବହୁ ସଫଳତା ତାଙ୍କ ହାତକୁ ଆସିଲା । ଏବେ ସୁଦ୍ଧା ସେ ବିଶ୍ୱର ସବୁଠୁ କନିଷ୍ଠ ଓ ମହିଳା ପ୍ରତିଯୋଗୀ ଭାବେ ଏସିଆ ମହାଦେଶର ପ୍ରଥମ ସନ୍ତରଣକାରୀ ହୋଇ ୪ଟି ମହାସାଗରରେ ସନ୍ତରଣ କରି ସାରିଛନ୍ତି ବୋଲି ଭକ୍ତି ଦାବି କରନ୍ତି ।

ଇଂଲିସ୍ ଚାନେଲ ଅତିକ୍ରମ

ତେବେ ଆଉ ଏକ ନିଆରା ରେକର୍ଡ ବି ଭକ୍ତିଙ୍କ ନାଁରେ ରହିଛି । ଝିଅ ଓ ମା ଯୋଡି ଭାବେ ଇଂଲିସ ଚାନେଲ ଅତିକ୍ରମ କରିଛନ୍ତି ସେ । ତେବେ ଏହା ପଛରେ ଥିବା କାହାଣୀ ବିଷୟରେ ସେ କୁହନ୍ତି, ମା ଓ ଝିଅ ଯୋଡି ହେବା ଆକସ୍ମିକ ଭାବେ ହୋଇଥିଲା । ଯୋଧପୁରରୁ ଆସିଥିବାଲ ଜଣେ ଝିଅ ସହ ମିଶି ସେ ଓ ତାଙ୍କ ମା ଇଲିଂସ ଚାନେଲ ପାର୍ ହୋଇଥିଲେ । ସେହିପରି ପୂର୍ବରୁ ମଧ୍ୟ ସେ ୧୬ ବର୍ଷ ବୟସ ହୋଇଥିବା ସମୟରେ ଏହାକୁ ଏକାକୀ ଅତିକ୍ରମ କରିଥିଲେ ।

Bhakti Sharma Receiving Tenzing Norgey Award from the President.

Bhakti Sharma Receiving Tenzing Norgey Award from the President.


ରାଷ୍ଟ୍ରପତିଙ୍କ ହାତରୁ ଆଡଭେଚଂର ଆୱାର୍ଡ

ସନ୍ତରଣରେ ସଫଳତା ପାଇଁ ଭକ୍ତି ୨୦୧୨ରେ ରାଷ୍ଟ୍ରପତିଙ୍କଠାରୁ ତେଞ୍ଜିଙ୍ଗ ନର୍ଗେ ନ୍ୟାସନାଲ ଆଡଭେଚଂର ଆୱାର୍ଡ ପାଇଥିଲେ । ତେବେ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ବେଳର କଥା ମନେ ପକାଇ ସେ କୁହନ୍ତି, ପୁରସ୍କାର ପ୍ରଦାନ ସମାରୋହରେ ଯୁବରାଜ ସିଂହଙ୍କୁ ଅର୍ଜୁନ ପୁରସ୍କାର ମିଳିିଥିଲା । ମୋତେ ରାଷ୍ଟ୍ରପତି ଟ୍ରଫି ଦେବା ପୂର୍ବରୁ କଣ ପାଇଁ ମୋତେ ପୁରସ୍କାର ଦିଆଯାଉଛି ତାର ସୂଚନା(introduction) ପଢା ଗଲା । ମୁଁ ସନ୍ତରଣରେ ପାଇଥିବା କୃତିତ୍ୱ ଶୁଣି ଉପସ୍ଥିତ ସବୁ ଦର୍ଶକ ପ୍ରଂଶସାରେ ବାଃ..ବାଃ..କହୁଥିଲେ । ଏହା ମୋତେ ବହୁ ଖୁସି ଦେଇଥିଲା ।

ବରଫରେ ପହଁଁରା

ଏବେ ସେ ଆଣ୍ଟାର୍କଟୀକାରେ ସନ୍ତରଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ସେ ଅର୍ଥଯୋଗାଡରେ ଲାଗିଛନ୍ତି । ସନ୍ତରଣ ଦ୍ୱାରା ପିଲାଙ୍କ ପାଇଁ କାମ କରୁଥିବା ରାଜସ୍ଥାନର ଏକ ସ୍ୱେଚ୍ଛାସେବୀ ସଂଗଠନକୁ ମଧ୍ୟ ସେ ସହାୟତା ଦେଉଛନ୍ତି । ବିନା କୌଣସି ପ୍ରଫେସନାଲ ଟ୍ରେନର୍ ଓ ମ୍ୟାନେଜରଙ୍କ ବିନା ସେ ନିଜ ସ୍ୱପ୍ନକୁ ସତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । କେବଳ ତାଙ୍କ ପରିବାର ଲୋକଙ୍କ ସହଯୋଗରେ ସେ ଆଗକୁ ମାଡି ଚାଲିଛନ୍ତି । ତାଙ୍କ ଦୈନିକ ରୁଟିନ୍ ବିଷୟରେ ସେ କୁହନ୍ତି, ସ୍ୱିମିଂ ପାଇଁ ଅତି କମ୍ ଦୁଇ ଘଣ୍ଟା ଅଭ୍ୟାସ କରେ । କାନ୍ଧ ଜଖମରୁ ମୁକ୍ତି ପାଇଁ ଫିଜିଓଥେରାପି କରେ । ବହୁତ କିଛି ପଢେ । ଆୟୋଜକ ଯୋଗାଡ କରିବାକୁ ବହୁ ଇ-ମେଲ୍ ପଠାଇବାକୁ ପଡେ । ସନ୍ଧ୍ୟାରେ ଜିମ୍ ଯାଏ । ଏବେ ମୁଁ ନିଜେ ଆଥଲେଟ୍, ମ୍ୟାନେଜର, ଲୋକସମ୍ପର୍କ ଅଧିକାରୀ ଓ ଆୟୋଜକ ଯୋଗାଡ ପାଇଁ ଚେଷ୍ଟା କରୁଥିବା ଏଜେଟଂ । ଏସବୁ କାମକୁ ମୁଁ ନିଜେ କରେ ।

ସେହିପରି ସନ୍ତରଣକୁ କ୍ୟାରିଅର କରିବା ବିଷୟରେ ତାଙ୍କ ମତ ହେଉଛି, ଅନ୍ୟ କ୍ରୀଡା ଠାରୁ ସନ୍ତରଣ ପୂରା ଭିନ୍ନ । ବିଶେଷ କରି ମହିଳାଙ୍କ ପାଇଁ ସନ୍ତରଣ କ୍ୟାରିଅର କରିବା ବହୁ ଚାଲେଞ୍ଜ । ସ୍ୱିମିଂକୁ ନେଇ ଭାରତରେ ଉତ୍ସାହ କମ୍ ଓ ସେଲିବ୍ରେସନ ହୁଏନି । ସେହିପରି ବହୁ ଝିଅ ପୋଷାକ ସମସ୍ୟା ପାଇଁ ଭଲ ପ୍ରଦର୍ଶନ ସତ୍ୱେ ସନ୍ତରଣ କରିବା ଛାଡି ଦିଅନ୍ତି । ସରକାରୀ ସ୍କୁଲରୁ ସନ୍ତରଣ ପାଇଁ ଆସୁଥିବା ଝିଅମାନେ ଉପଯୁକ୍ତ ପୋଷାକ ବିନା କେମିତି ଅସୁବିଧା ଭୋଗନ୍ତି ତା ମୁଁ ଦେଖିଛି ବୋଲି ଭକ୍ତି କୁହନ୍ତି ।