ପଣା ସଙ୍କ୍ରାନ୍ତିରେ ୪ଟି ଓଡିଆ ପଣା

ପଣା ସଙ୍କ୍ରାନ୍ତିରେ ୪ଟି ଓଡିଆ ପଣା

Wednesday April 13, 2016,

2 min Read

ମହାବିଷୁବ ସଙ୍କ୍ରାନ୍ତି ଦିନ ହେଉଛି ଓଡ଼ିଆ ନୂଆବର୍ଷର ପ୍ରଥମ ଦିନ। ସୌରମାନ ମାସ ଅନୁସାରେ ତିଥି, ବାର ଇତ୍ୟାଦି ଗଣନା କରାଯାଏ। ଏହି ଗଣନା ଅନୁସାରେ ଆମେ ବାରମାସରେ ବାରଟି ସଙ୍କ୍ରାନ୍ତି ପାଳନ କରିଥାଉ। ଏହି ବାରଟି ସଙ୍କ୍ରାନ୍ତି ବାରଟି ରାଶିନାମରେ ନାମିତ ହୋଇଥାନ୍ତି, ଯଥା: ମେଷ, ବୃଷ……କୁମ୍ଭ, ମୀନ ଆଦି। ଗୋଟିଏ ସଙ୍କ୍ରାନ୍ତିରୁ ପରବର୍ତ୍ତୀ ସଙ୍କ୍ରାନ୍ତି ପର୍ଯ୍ୟନ୍ତ ସମୟକୁ ଗୋଟିଏ ମାସ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏହି ଦିନ ମେଷରାଶିରେ ପ୍ରବେଶ କରୁଥିବାରୁ ଏହି ସଂକ୍ରାନ୍ତିକୁ ମେଷ ସଙ୍କ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏହି ଦିନ ମେଷରାଶିରେ ଅବସ୍ଥାନ କରନ୍ତି। ଏହି ବିଷୁବ ସଙ୍କ୍ରାନ୍ତି ଠାରୁ ସୌରମାସର ପ୍ରଥମ ମାସ ଗଣନା କରାଯାଏ ଓ ଏହା ହିଁ ଓଡ଼ିଆ ନବର୍ଷର ପ୍ରଥମ ଦିନ। 

ଏହି ସଙ୍କ୍ରାନ୍ତିକୁ ପଣା ସଙ୍କ୍ରାନ୍ତି ମଧ୍ୟ କୁହାଯାଏ। ଏହି ଦିନଠାରୁ ସୂର୍ଯ୍ୟତାପ ପ୍ରଖରରୁ ପ୍ରଖରତର ହୁଏ। ତେଣୁ ଏହି ସମୟରେ ସୂର୍ଯ୍ୟ ଉପାସନା ସହ, ଦେବାଳୟରେ ହେଉଥିବା ପୂଜାର୍ଚ୍ଚନାରେ ଭଜା ଗହମ ଓ ଅରୁଆ ଚାଉଳରୁ ପ୍ରସ୍ତୁତ “ଛତୁଆ” ଭୋଗ ସହ “ପଣା” ଭୋଗ ମଧ୍ୟ କରାଯାଏ। “ପଣାରେ” ପାଚିଲା କଦଳୀ, ଛେନା, ଦୁଗ୍ଧ, ପାଚିଲା ବେଲ, ନଡ଼ିଆ, ଗୁଡ଼ ବା ଚିନି, ଛତୁଆ ମିଶିଥାଏ। 

ନିମ୍ନରେ ୟୌରଷ୍ଟୋରି ଆପଣଙ୍କୁ କିଛି ପଣା ତିଆରି କରିବାର ବିଧି ଜଣାଉଛି।

image


ବେଲ ପଣା

ସାମଗ୍ରୀ:

୧ ଗୋଟି ପାଚିଲା ବେଲ

୨୫୦ ଗ୍ରାମ ଗୁଡ଼

ଟିକେ ଗୋଲମରିଚ ଗୁଣ୍ଡ

୨୫୦ ଗ୍ରାମ ଦହି

୫୦ ଗ୍ରାମ ଛେନା

୩-୪ଟି ପାଚିଲା କଦଳୀ

ତିଆରି ପ୍ରଣାଳୀ:

ବେଲରୁ ଶସ ବାହାର କରି ତାକୁ ଦହି, ଗୁଡ଼, ଛେନା କଦଳୀ ଆଦି ସେଥିରେ ଚକଟି ଏହା ତିଆରି କରାଯାଇଥାଏ ।

ଫଳ ପଣା

image


ସାମଗ୍ରୀ:

ଅଧା କପ ଛେନା

ଅଧା କପ ଛୋଟ ଛୋଟ କଟା ହେଇଥିବା ସେଉ

1/4 କପ ଛୋଟ ଛୋଟ କଟା ହେଇଥିବା କଞ୍ଚା ଆମ୍ବ(ମିଠା) 

1/4 କପ ଛୋଟ ଛୋଟ କଟା ହେଇଥିବା ପାଚିଲା କଦଳୀ

1/4 କପ ଛୋଟ ଛୋଟ କଟା ହେଇଥିବା କମଳା କୋଷା

ଏକ ଚାମଚ ଗୁଡ

ଏକ କପ କ୍ଷୀର

୨ ଟି ଗୁଜୁରାତି (ଗୁଣ୍ଡ), ଅଦା ଛେଚା (ଅଳ୍ପ), ଗୋଲମରୀଚ ଗୁଣ୍ଡ, କାଜୁ ଖଣ୍ଡ, ମୁଠାଏ ନଡିଆ କୋରା

ପ୍ରଣାଳୀ:

ସମସ୍ତ ସାମଗ୍ରୀରେ ଏକ କପ ପାଣି ମିଶାଇ ହାତରେ ଚକଟି ଦିଅନ୍ତୁ। କାଜୁ ଖଣ୍ଡ ଓ କୋରା ନଡିଆ ଉପରେ ପକାଇ ପରଶନ୍ତୁ। 

ପାଳୁଅ ଝରା ପଣା

ସାମଗ୍ରୀ:

୧ କପ ପାଳୁଅ

ଅଧା କପ ଛେନା

୪ଟି ପାଚିଲା କଦଳୀ

ଅଧା କପ ଚିନି

ଗୁଜୁରାତି ଗୁଣ୍ଡ, ଗୋଲମରୀଚ ଗୁଣ୍ଡ, କାଜୁ ଖଣ୍ଡ, କିସମିସ ମୁଠାଏ

ପ୍ରଣାଳୀ:

ପାଳୁଅ ଖଣ୍ଡକୁ ରାତିରୁ ବତୁରାଇ ରଖନ୍ତୁ। ଉପର ପାଣି ଗଡେଇ ଦେଇ ତାକୁ ଆଉଟି ଦେଇ ଥଣ୍ଡା କରନ୍ତୁ। ଗୋଟିଏ ହାଣ୍ଡିରେ ଥଣ୍ଡା ପାଣି ରଖି ଉପରେ ଜାଲି ଚଟୁ ରଖି ତା'ଉପରେ ଅଳ୍ପ ଅଳ୍ପ କରି ଥଣ୍ଡା ହେଇଯାଇଥିବା ପାଳୁଅ ଦେଇ ହାତରେ ଘଷିଦିଅନ୍ତୁ। ଦେଖିବେ ପାଳୁଅ ସୁନ୍ଦର ଭାବେ ଝରା ହେଇ ଥଣ୍ଡା ପାଣିରେ ପଡିବ। ଏହିପରି ଭାବେ ସବୁ ପାଳୁଅକୁ ଝରା କରିଦିଅନ୍ତୁ। 

ଅଲଗା ଜାଗାରେ କଦଳୀ, ଛେନା, ଗୁଜୁରାତି ଗୁଣ୍ଡ, ଗୋଲମରୀଚ ଗୁଣ୍ଡ ଓ ଚିନି ଏକ କପ କପ ପାଣି ସହ ମିଶାଇ ଚକଟି ଦିଅନ୍ତୁ। ଗ୍ଳାସରେ ପ୍ରଥମେ କିଛି ପାଳୁଅ ଝରା ପକାଇ ତା'ଉପରେ ପଣା ଢାଳନ୍ତୁ। ଉପରେ କାଜୁ ଖଣ୍ଡ ଓ ନଡିଆ କୋରା ସଜାଇ ପରଶନ୍ତୁ। 

ଏହି ପଣାଟି ମୁଖ୍ୟତଃ କେନ୍ଦୁଝର ଅଞ୍ଚଳରେ ପ୍ରସ୍ତୁତ କରାଯାଏ। 

image


କଞ୍ଚା ଆମ୍ବ ପଣା

ସାମଗ୍ରୀ:

କଞ୍ଚା ଆମ୍ବ - ୧ (ବଡ ସାଇଜର)

ଚିନି - ୨/୩ ବଡ ଚାମଚ

ଭଜା ଜୀରା ଗୁଣ୍ଡ - ୧ ଛୋଟ ଚାମଚ

ପୋଦିନା ପତ୍ର - ମୁଠାଏ

ଲୁଣ - ସ୍ଵାଦ ଅନୁସାରେ

ପ୍ରଣାଳୀ:

କଞ୍ଚା ଆମ୍ବକୁ ପ୍ରେସର କୁକରରେ ସିଝାଇ ନିଅନ୍ତୁ। ଥଣ୍ଡା ହେଇଗଲେ ତାର ଚୋପା ବାହାର କରି ତାର ଶଶକୁ ବାହାର କରି ଚିନି, ଲୁଣ ଓ ଜୀରା ଗୁଣ୍ଡ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ଥଣ୍ଡା ପାଣି ଏକ କପ ମିଶାଇ ପୋଦିନା ପତ୍ର ଓ ବରଫ ଦେଇ ପରିବେଷଣ କରନ୍ତୁ।