ସହରରେ କାମ କରି ପାଠ ପଢିଲେ, ଗାଁକୁ ଫେରି ପାଲଟିଲେ ଅନାଥଙ୍କ ସାହାରା

0

ଏହି ଧାଁ ଦଉଡ ଜୀବନ ଭିତରେ ସମସ୍ତେ ଦୌଡ ଲଗାଇଛନ୍ତି। ସୁଖି ଜୀବନ ବିତାଇବା ସମସ୍ତଙ୍କର ମହତ୍ୱାକାଂକ୍ଷା। ଭଲ ଘର ହେବ, ଗାଡି ହେବ, ଚାକର ବାକର ରହିବେ, ସମ୍ପତ୍ତିବାଡି ଆଦି ରହିବ। ତେବେ ଏଥିରେ କିଛି ସଫଳ ହୋଇଯାନ୍ତି, ଆଉ କିଛି ପଛରେ ରହିଯାନ୍ତି। କିନ୍ତୁ କିଛି ତୃତୀୟ ପ୍ରକାର ଲୋକ ମଧ୍ୟ ଅଛନ୍ତି ଏହି ସମାଜରେ। ସେମାନେ ଏହି ଦୌଡରୁ ନିଜକୁ ଅଲଗା ରଖିଥାନ୍ତି ଓ ନିଜ ପାଇଁ ନୂଆ ପ୍ରତିଯୋଗିତା ପ୍ରସ୍ତୁତ କରନ୍ତି। ଆଉ ଏଥିରେ ଦୌଡିବା ବାଲା କେବଳ ସେ ନିଜେ ହିଁ ଥାଆନ୍ତି ଓ ଲକ୍ଷ୍ୟ ବି ନିଜେ ସ୍ଥିର କରିଥାନ୍ତି। କିନ୍ତୁ ଏହି ଦୌଡ ନିଜ ସଫଳତା ପାଇଁ ନଥାଏ। ଏଥିରେ ସଫଳତା ଓ ଅସଫଳତା ଅନ୍ୟମାନଙ୍କ ସହ ଯୋଡି ହୋଇ ରହିଥାଏ। ଅଶୋକ ଭାଇ ଚୌଧୁରୀ ଏମିତି ଜଣେ ବ୍ୟକ୍ତିତ୍ୱ। ମହାତ୍ମା ଗାନ୍ଧୀଙ୍କୁ ନିଜର ପ୍ରେରଣା ଭାବେ ଗ୍ରହଣ କରି ଏମିତି ପିଲାମାନଙ୍କର ସାହାରା ହୋଇଛନ୍ତି, ଯେଉଁମାନେ ଅନାଥ। ଅଶୋକ ଭାଇ ଚାହିଁଥିଲେ ଭଲ ଚାକିରି କରି ନିଜେ ଭଲ ଜୀବନ ବିତାଇପାରିଥାନ୍ତେ। କିନ୍ତୁ ସେ ଗରିବ ଓ ନିରକ୍ଷର ପିଲାମାନଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି।

ଅଶୋକ ଭାଇ ଗୁଜରାଟର ସୁରତ ଜିଲ୍ଲା ଅନ୍ତର୍ଗତ କରୁଠା ଗାଁରେ ରହି ତାଙ୍କ ସ୍ୱପ୍ନକୁ ରୂପ ଦେଉଛନ୍ତି। ଯେଉଁମାନଙ୍କର ନିଜର ବୋଲି କେହି ନାହାନ୍ତି, ସେହି ପୁଅ ଝିଅମାନଙ୍କୁ ପାଠ ପଢାଇବା ସହ ସବୁ ପ୍ରକାର ଦାୟିତ୍ୱ ନେଉଛନ୍ତି। ଯେଉଁ ପିଲାଙ୍କର ମା-ବାପା ଅଛନ୍ତି, କିନ୍ତୁ ସେମାନେ ପିଲାଙ୍କୁ ପାଠ ପଢାଇବାରେ ସକ୍ଷମ ନୁହନ୍ତି, ସେଭଳି ପିଲାଙ୍କୁ ମଧ୍ୟ ଅଶୋକ ଭାଇ ନିଜ ପାଖରେ ରଖିଛନ୍ତି। ଅନ୍ୟମାନଙ୍କ ସହଯୋଗରେ ସେ ପାଞ୍ଚ ବର୍ଷ ହେଲା ଏହି ପିଲାମାନଙ୍କର ସାହାରା ପାଲଟିଛନ୍ତି |

ଅଶୋକ ଭାଇ ପଛୁଆ ସମୂଦାୟର ହୋଇଥିଲେ ବି ନିଜକୁ କେବେ ପଛୁଆ ବୋଲି ଭାବିନାହାନ୍ତି। ପିଲାବେଳେ ସେ ଦେଖିଲେ ତାଙ୍କ ଆଖପାଖରେ ଏମିତି ବହୁତ ପିଲା ଓ ବଡ ଲୋକ ଅଛନ୍ତି, ଯେଉଁମାନେ ନିରକ୍ଷର। ସେ ଦେଖୁଥିଲେ ଗାଁର ପିଲାମାନେ ପାଠ ନ ପଢି ଫାଲତୁରେ ବୁଲାବୁଲି କରି ସମୟ ବିତାଉଛନ୍ତି। ତେଣୁ ସେ ନିଷ୍ପତି ନେଲେ ନିଜେ ପାଠ ପଢିବେ ଓ ଅନ୍ୟକୁ ପାଠ ପଢାଇବାର ଉଦ୍ୟମ କରିବେ। ଯାହା ଫଳରେ ସେମାନେ ମଧ୍ୟ ନିଜ ଗୋଡରେ ନିଜେ ଛିଡା ହୋଇ ପାରିବେ। ଅଶୋକ ଭାଇ ସ୍କୁଲରେ ପଢିବା ଦିନରୁ ହିଁ ତାଙ୍କୁ ଭତ୍ତା ମିଳୁଥିଲା। ତେଣୁ ସେ ସମୟରେ କିଛି ଅସୁବିଧା ହେଲା ନାହିଁ। ସ୍କୁଲ ପାଠ ପଢା ସାରି ସେ ସୁରତ ଜିଲ୍ଲାର ମାଣ୍ଡବୀ ଅଂଳର ଏକ କଲେଜରେ ନାଁ ଲେଖାଇଲେ। ସେତେବେଳେ ଗୋଟିଏ ପଟେ କଲେଜରେ ପାଠ ପଢୁଥିଲେ ତ ଅନ୍ୟପଟେ ମହତ୍ମାଗାନ୍ଧୀ ନରେଗା ଯୋଜନାରେ ଶ୍ରମିକ ଭାବେ କାମ କରୁଥିଲେ।

“ଶ୍ରମିକ ଭାବେ କାମ କରି ପାଇଥିବା ପଇସାକୁ ସଂଚୟ କଲି। ଯେତେବେଳେ କଲେଜରେ ପାଠ ପଢା ଶେଷ ହେଲା ଉଚ୍ଚ ଶିକ୍ଷା ପାଇଁ ଏହି ପଇସା କାମରେ ଆସିଲା।”

ଅଶୋକ ଭାଇ କଲେଜ୍‌ ପାଠ ପଢା ଶେଷ କଲା ପରେ ଅହମ୍ମଦାବାଦ ଯାଇ ଗୁଜରାଟ ବିଦ୍ୟାପୀଠରେ ଏମ.ଏ. ପଢିଲେ। ଏହା ପରେ ସେ ବି.ଏଡ୍ କୋର୍ସ ମଧ୍ୟ କଲେ। ପାଠ ପଢା ସମୟରେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଲେଖା ଯାଇଥିବା କିଛି ବହି ପଢିବାର ସୁଯୋଗ ମିଳିଥିଲା। ଏହାପରେ ବଦଳି ଯାଇଥିଲା ତାଙ୍କ ଜୀବନର ଦିଗ। ପାଠ ପଢା ଶେଷ କରିବା ପରେ ଅଶୋକ ଭାଇ ଚାହିଁଥିଲେ ଯେକୌଣସି ସ୍କୁଲରେ ଚାକିରି କରିପାରିଥାନ୍ତେ। କିନ୍ତୁ ସେ ନିଷ୍ପତ୍ତି ନେଇଥିଲେ ଯେ ପୁଣି ଗାଁକୁ ଫେରିଯିବେ ଓ ସେଠାରେ ଏମିତି ପିଲାଙ୍କୁ ପାଠ ପଢାଇବେ ଯେଉଁମାନେ ଅନାଥ ଓ ଗରିବ।

ଯେତେବେଳେ ଅଶୋକ ଭାଇ ଅହମ୍ମଦାବାଦରୁ ଫେରିଲେ ସେ ୧୭ ଜଣ ଅନାଥ ଓ ଗରିବ ପିଲାଙ୍କୁ ଆପଣେଇଲେ। କିନ୍ତୁ ପ୍ରଥମେ ଦରକାର ଥିଲା ଏହି ପିଲାଙ୍କ ପାଇଁ ଏକ ଘର। ସେହି ପିଲାମାନଙ୍କୁ ନେଇ ସେ ପ୍ରଥମେ କରୁଠା ଗାଁରେ ପହଁଚିଲେ। ସେଠାକାର ଲୋକ ତାଙ୍କୁ ଜାଣି ନଥିଲେ। କିନ୍ତୁ ଗାଁ ଲୋକ ଜାଣିଲେ ଯେ ସେ ଅନାଥ ପିଲାମାନଙ୍କ ସେବା କରିବାକୁ ଚାହୁଁଛନ୍ତି। ତେଣୁ କମ୍ୟୁନିଟି ହଲ୍‌ ବାହାରେ ରହିବା ପାଇଁ ଅନୁମତି ଦେଲେ। ଅଶୋକ ଭାଇ ସେହି ଦିନକୁ ମନେ ପକାଇ କହନ୍ତି,

“ପ୍ରଥମ ରାତିରେ ହିଁ ସବୁ ଜିନିଷପତ୍ର ଚୋରି ହୋଇ ଯାଇଥିଲା। ପୋଷାକପତ୍ର ଓ ବାସନ କୁସନ ସବୁ କିଛି। ତେବେ ଏହାକୁ ନେଇ ଗାଁ ଲୋକଙ୍କ ଆଗରେ ଅଭିଯୋଗ କରିନଥିଲୁ। କାରଣ ଏହା କରିବା ଦ୍ୱାରା ଆମେ ଆମ ଉଦ୍ଦେଶ୍ୟରୁ ବିଚ୍ୟୁତ ହୋଇ ଯାଇଥାନ୍ତୁ। ପୁଣି ଆମେ ନୂଆ ଭାବେ ନିଜ କାମକୁ ସଫଳ କରିବାକୁ ଜୁଟି ଯାଇଥିଲୁ।”

ଗୋଟିଏ ପଟେ ୧୭ ଜଣ ଅନାଥ ଶିଶୁ ତ ଅନ୍ୟପଟେ ଖରାପ ଆର୍ଥିକ ସ୍ଥିତି । ଏହି କାରଣ ଯୋଗୁଁ ପିଲାମାନଙ୍କ ପେଟ ଲାଗି ଦାନା ସଂଗ୍ରହ କରିବାକୁ ଯାଇ ତାଙ୍କୁ ଭିକ୍ଷା କରିବାକୁ ମଧ୍ୟ ପଡିଛି। ତଥାପି ସେ ସାହସ ହାରି ନାହାନ୍ତି କିମ୍ବା ପିଲାଙ୍କ ଦେଖାଶୁଣା କରିବାରୁ ପଛକୁ ହଟିନାହାନ୍ତି। ପିଲାଙ୍କ ପାଇଁ ଅଶୋକ ଭାଇଙ୍କ ପରିଶ୍ରମ ଓ ଶ୍ରଦ୍ଧା ଦେଖି ଗାଁ ଲୋକେ ତାଙ୍କୁ ଓ ପିଲାମାନଙ୍କୁ ଗାଁର କମ୍ୟୁନିଟି ହଲ୍‌ରେ ରହିବାକୁ ଅନୁମତି ଦେଇଥିଲେ। ଏହାର ପ୍ରାୟ ବର୍ଷେ ପରେ ଏମାନଙ୍କ ପାଇଁ ଘର କରିବା ଲାଗି ଗାଁର ଜଣେ ଚାଷୀ ନିଜ ଜମି ଦାନ କରିଥିଲେ। ଅଶୋକ ଭାଇଙ୍କ କାମ ଜାଣିବା ପରେ ଆଖପାଖ ଗାଁରୁ ମଧ୍ୟ ମିଳିଲା ସହଯୋଗ। ଏଭଳିକି ଅହମ୍ମଦବାଦ ଓ ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ ସାହାଯ୍ୟ ଆସିଲା। ଆଉ ସେମାନଙ୍କ ରହିବା ପାଇଁ ଘର ତିଆରି ହୋଇଗଲା।

ଅଶୋକ ଭାଇ ନିଜ ସାଥିରେ ରହୁଥିବା ପିଲାମାନଙ୍କର ନା କେବଳ ମନୋବଳ ବଢାନ୍ତି, ବରଂ ସେମାନଙ୍କୁ ଶିକ୍ଷାର ମହତ୍ତ୍ୱ କଥା ମଧ୍ୟ ବୁଝାନ୍ତି। କରୁଠା ଗାଁ ଠାରୁ ପାଂଚ କିଲୋମିଟର ଦୂର ପିପଲବାଡା ଗାଁର ଏକ ସରକାରୀ ସ୍କୁଲରେ ପିଲାମାନଙ୍କର ନାମ ଲେଖାଯାଇଛି। ସେଠାରେ ପିଲାମାନେ ପଢୁଛନ୍ତି। ଅଶୋକ ଭାଇ ଯେଉଁଠାରେ ପିଲାମାନଙ୍କୁ ରଖିଛନ୍ତି ତାର ନାଁ ଦେଇଛନ୍ତି ଆନନ୍ଦ ବନ କୁମାର କନ୍ୟା ଛାତ୍ରାଳୟ। ବର୍ତ୍ତମାନ ଏଠାରେ ୪୬ ଜଣ ପିଲା ରହୁଛନ୍ତି। ଏଥିରେ ୨୮ ପୁଅ ଓ ୧୮ ଝିଅ ରହୁଛନ୍ତି। ଏମାନଙ୍କ ବୟସ ୯ରୁ ୧୪ ବର୍ଷ ମଧ୍ୟରେ ରହିଛି। ଅଶୋକ ଭାଇ ସେମାନଙ୍କୁ ପଢାଇବାର ଭାର ଉଠାଇବା ସହ ଏମିତି ସଂସ୍କାର ଦେଉଛନ୍ତି, ଯାହା ଆଗାମୀ ଦିନରେ ନିଜ ସମାଜ ଓ ଦେଶ ପାଇଁ କାମରେ ଆସିବ।

ସ୍କୁଲ ପାଠ ପଢି ପିଲାମାନେ ଯେବେ ଛାତ୍ରାବାସକୁ ଫେରନ୍ତି, ଅଶୋକ ଭାଇ ସେମାନଙ୍କ ପାଠ ପଢା ଦେଖନ୍ତି। ଯଦି କାହାର କିଛି ଅବୁଝା ଥାଏ, ତେବେ ତାକୁ ପଢାନ୍ତି। ଏହା ବ୍ୟତୀତ ଏହି ପିଲାମାନଙ୍କୁ ସଂଗୀତ ଶିକ୍ଷା ଦେଇଥାନ୍ତି। ଲୋକଙ୍କ ସହାୟତାରେ ସେ ଛାତ୍ରାବାସରେ କମ୍ପ୍ୟୁଟର ବ୍ୟବସ୍ଥା ମଧ୍ୟ କରିଛନ୍ତି। ସେଠାରେ ସେ ପିଲାମାନଙ୍କୁ କମ୍ପ୍ୟୁଟର ଟ୍ରେନିଂ ଦିଆଯାଏ। ପିଲାମାନଙ୍କ ପାଇଁ ଖାଦ୍ୟ ରାନ୍ଧିବାର ଦାୟିତ୍ୱ ନେଇଛନ୍ତି ଅଶୋକଙ୍କ ପତ୍ନୀ । ସେ ମା ପରି ପିଲାମାନଙ୍କୁ ସ୍ନେହ କରନ୍ତି। ଅଶୋକ ଭାଇଙ୍କ ଇଛା ପିଲାମାନଙ୍କୁ ପଢିବା ପାଇଁ ଗାଁ ଠାରୁ ଅଧିକ ଦୂର ବାଟ ଯିବାକୁ ନ ପଡୁ। ଗାଁରେ ଏକ ସ୍କୁଲ ଖୋଲିବା ପାଇଁ ସେ ଚେଷ୍ଟା ଜାରି ରଖିଛନ୍ତି। ଯାହା ଫଳରେ ଅଧିକରୁ ଅଧିକ ପିଲାଙ୍କୁ ଶିକ୍ଷା ଦିଆଯାଇପାରିବ।

ମୂଳ ଲେଖା - ହରିଶ ବିଷ୍ଟ

ଭାଷାନ୍ତର - ଅଖଣ୍ଡ