ନିଜେ ଛିଡା ହେଇପାରୁନଥିଲେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକମାନଙ୍କୁ ଛିଡା ହେବାକୁ ବାଧ୍ୟ କରୁଥିବା ରୋଜାଲିନର କାହାଣୀ

ନିଜେ ଛିଡା ହେଇପାରୁନଥିଲେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକମାନଙ୍କୁ ଛିଡା ହେବାକୁ ବାଧ୍ୟ କରୁଥିବା ରୋଜାଲିନର କାହାଣୀ

Monday January 25, 2016,

3 min Read

ଆମେ ଯେଉଁମାନଙ୍କୁ ଶାରୀରିକ ଅକ୍ଷମ ବା ବିକଳାଙ୍ଗ କହିଆସୁଥିଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଦିବ୍ୟାଙ୍ଗ ସମ୍ବୋଧନ କରି ଏକ ଉପଯୁକ୍ତ ପରିଚୟ ଦେବା ସହିତ ନିଜର ବଡପଣ ଦେଖାଇଛନ୍ତି । ପ୍ରକୃତରେ ପ୍ରତ୍ୟକ ଦିବ୍ୟାଙ୍ଗଙ୍କ ପାଖରେ ରହିଥାଏ କିଛି ଅସାଧାରଣ ଗୁଣ । କେବଳ ଏହାକୁ ଚିହ୍ନି ଉପଯୁକ୍ତ ପରିବେଶ ଓ ସୁବିଧା ସୁଯୋଗ ଦେବାର ଅଛି । ସେମାନେ ଦୟା ବା ସହାନୁଭୂତିର ପାତ୍ର ନୁହନ୍ତି ବରଂ ସେମାନେ ସମସ୍ତେ କିଛି ନା କିଛି ଅସାଧାରଣ ଶକ୍ତିର ଅଧିକାରୀ । କେବଳ ଆବଶ୍ୟକୀୟ ପୃଷ୍ଠପୋଷକତାର ଅଭାବରେ ସେମାନଙ୍କ ପ୍ରତିଭା ଲୋକଲୋଚନକୁ ଆସିପାରୁନାହିଁ ।

ଏଠାରେ ଆମେ ସେଭଳି ଜଣେ ଦିବ୍ୟାଙ୍ଗଙ୍କ କଥା ହେବାକୁ ଯାଉଛେ, ଯେ ନିଜର କଠୋର ଅଧ୍ୟବସାୟ ଓ ଦୃଢ଼ ନିଷ୍ଠା ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ପାରିଛନ୍ତି । ସେ ହେଉଛନ୍ତି ଭୁବନେଶ୍ୱରର କଲେଜ ଅଫ୍ ବେସିକ ସାଇନ୍ସ ଏଣ୍ଡ ହ୍ୟୁମାନିଟିଜର ଯୁକ୍ତ ୩ ବିଜ୍ଞ୍ୟାନର ପ୍ରଥମ ବର୍ଷର ଛାତ୍ରୀ ରୋଜାଲିନ ଚୌଧୂରୀ । ନିଜ ଗୋଡରେ ଠିକ ଭାବରେ ଛିଡା ହୋଇପାରୁନଥିବା ଏହି ବାଳିକା ଜଣକ ଯେତେବେଳେ ମଂଚ ଉପରକୁ ଉଠନ୍ତି ନିଜର ନୃତ୍ୟର ଯାଦୁରେ ଦର୍ଶକମାନଙ୍କୁ ମତୁଆଲା ଜରିଦିଅନ୍ତି । ନାଚ ତାଙ୍କ ପାଇଁ କେବଳ ଏକ ନିଶା ନୁହେଁ ଏହା ତାଙ୍କର ଆତ୍ମା ବୋଲି କୁହନ୍ତି ରୋଜାଲିନ ।

image


ମୁଁ ଯେତେବେଳେ ୭ ବର୍ଷ ବୟସର ହୋଇଥିଲି ସେତେବେଳେ ପ୍ରଥମ କରି ମଂଚ ଉପରେ ନାଚିବା ଆରମ୍ଭ କରିଥିଲି । ଏମିତିତ ମୁଁ ସୁସ୍ଥଭାବେ ଚାଲିବାକୁ ଅକ୍ଷମ କିନ୍ତୁ କହିବାକୁ ଗଲେ ମୁଁ ଚାଲିବା କଣ ଜାଣିବା ପୂର୍ବରୁ ବୋଧହୁଏ ନୃତ୍ୟ ସହିତ ବନ୍ଧୁତା ବାନ୍ଧିସାରିଛି ।

ହିପହପ, କଣ୍ଟେପରାରୀ ଓ କ୍ଲାସିକାଲ ନୃତ୍ୟରେ ସେ ଯେ ଉଚ୍ଚ ପାରଙ୍ଗମ ତାଙ୍କର ଗୋଡକୁ ଦେଖିଲେ କେହି ସ୍ୱପ୍ନରେ ବି ଭାବି ପାରିବେ ନାହିଁ । ନିଜେ ଛିଡା ହୋଇପାରୁନଥିବା ଏହି ବାଳିକା ଜଣକ ଯେତେବେଳେ ମଂଚ ଉପରକୁ ଉଠନ୍ତି ଉପସ୍ଥିତ ଦର୍ଶକ ଛିଡା ହେବାକୁ ବାଧ୍ୟ ହୁଅନ୍ତି ।

image


ନିଜର ନୃତ୍ୟ ପରିଚୟକୁ ନେଇ ସେ କୁହନ୍ତି ୭ ବର୍ଷ ବୟସରୁ ମଂଚ ଉପରକୁ ଉଠିବା ଆରମ୍ଭ କରିଥିଲେ ବି ୭ ଷ୍ଟାଣ୍ଡାର୍ଡରେ ପଠିବା ବେଳକୁ ମୋର ପରିଚୟ ସୃଷ୍ଟିହେଲା ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୋତେ ନିମନ୍ତ୍ରଣ ମିଳିବା ଆରମ୍ଭ କଲା । ୧୨ ବର୍ଷ ବୟସରଙ୍କ ମୁଁ ଅଞ୍ଜଳି ପୁରସ୍କାର ପାଇଲି । ତା ପରଠୁ ମୁଁ କେବେ ବି ପଛକୁ ଫେରିଚାହିଁନାହଁ । ଏତଦ ବ୍ୟତୀତ ମୁଁ ପୂର୍ବତନ ରାଜ୍ୟପାଳ ମୂରଲୀ ଚନ୍ଦ୍ରକାନ୍ତ ଭଣ୍ଡାରେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଧ୍ୟ ସମ୍ମାନୀତ ହୋଇଛି ।

ଭବିଷ୍ୟତରେ ନିଜର ନୃତ୍ୟ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନୀତ ହେବାକୁ ଆଶା ରଖିଥିବା ଏହି ପ୍ରତିଭା ସମ୍ପନା ବାଳିକା ନିଜର ସଫଳତା ପାଇଁ ମାଙ୍କ ପ୍ରେରଣା ଓ ପିତାଙ୍କ ଦୃଢ଼ ସମର୍ଥନକୁ ଦାୟୀ କରନ୍ତି । ମୋ ମା ପ୍ରତି ମୁହୂର୍ତରେ ମୋତେ ଉତ୍ସାହିତ କରିଆସିଛନ୍ତି ଓ ପିତା ସମର୍ଥନ ଦେଇଆସିଛନ୍ତି ।

ଏ ନେଇ ତାଙ୍କ ପିତା ଅରୁଣ କୁମାର ଚୌଧୂରୀ କୁହନ୍ତି, ପିଲାଟି ଦିନରୁ ତା ମଧ୍ୟରେ ଆମେ ଏହି ପ୍ରତିଭାଟି ଦେଖିବାକୁ ପାଇଲୁ । ନୃତ୍ୟ ଦେଖିଲେ ସେ କିପରି ଅସମ୍ଭାଳ ହୋଇପଡୁଥିଲା ଓ ନିଜେ ମଧ୍ୟ ନାଚି ପକାଉଥିଲା ।

ନିଜର ଅନ୍ତରର କଥା ପାରିବାରୁ ସେ କୁହନ୍ତି ମୁଁ ନିଜର କଠାର ପରିଶ୍ରମ ଓ ଦକ୍ଷତା ବଳରେ ସଫଳତା ପାଇଥିଲେ ମଧ୍ୟ ଅନେକ ସମୟରେ ମୋର ଶରୀରିକ ଅକ୍ଷମତା ଯୋଗୁ ମୋତେ ପ୍ରାଥମିକତା ଦିଆଯାଉଥିବା କଥା ଶୁଣିବାକୁ ମିଳେ, ଯାହାକି ମୋତେବହୁତ ଖରାପ ଲାଗେ ତେଣୁ ମୁଁ ଆଗାମୀ ଦିନରେ ଜାତୀୟ ସ୍ତରରେ ସଫଳତା ହାସଲ କରିବାର ଲକ୍ଷ୍ୟ ରଖିଛି ।

ରୋଜାଲିନ ଯେ କେବଳ ନୃତ୍ୟରେ ପାରଙ୍ଗମ ତା ନୁହେଁ, ନୃତ୍ୟ ସହିତ ସେ ପାଠ ପଢ଼ାରେ ମଧ୍ୟ ଆଗୁଆ । ଜଣେ କୃତିଛାତ୍ରୀ ହିସାବରେ ମଧ୍ୟ ସେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ଅତି ଆଦରଣୀୟା ।