Apni Shala - ଜୀବନ ଗଢ଼ିବା ପାଇଁ ଶିଶୁଙ୍କୁ ଅନୁଭୂତିରୁ ଶିକ୍ଷା ମାଧ୍ୟମରେ ପ୍ରଶିକ୍ଷଣ

0

ନେଲସନ୍ ମାଣ୍ଡେଲା କହିଥିଲେ, “ବିଶ୍ଵକୁ ପରିବର୍ତ୍ତନ କରିବା ପାଇଁ ଶିକ୍ଷା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର”। ତେବେ ଶିକ୍ଷା କହିଲେ କଣ କେବଳ ସ୍କୁଲମାନଙ୍କରେ ଦିଆଯାଉଥିବା ଶିକ୍ଷାକୁ ବୁଝାଏ? ଜୀବନକୁ ଗଢ଼ିବା ପାଇଁ ଯେଉଁ ଅନୁଭୂତିରୁ ସେ ପ୍ରେରଣା ପାଏ ତାକୁ କେଉଁଠୁ ସେ ପାଏ? ପରିବର୍ତ୍ତନ ପାଇଁ ଦକ୍ଷତା ଏକ ପ୍ରମୁଖ ମାଧ୍ୟମର କାମ କରିଥାଏ। ଜୀବନର ଅନୁଭୂତିକୁ ନେଇ ତା ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ଦେଖିଲେ ଏବେ ବି ଆମ ସ୍କୁଲମାନଙ୍କରେ ଥିବା ଶିକ୍ଷାଦାନ ପଦ୍ଧତିରେ ଏକ ବିରାଟ ବ୍ୟବଧାନ ଦେଖାଯାଏ। ସମାଜର ଅବହେଳିତ ପଛୁଆବର୍ଗର ପିଲାମନଙ୍କ କଥା ଆସିବା ବେଳକୁ ଏହି ବ୍ୟବଧାନର ଦୂରତା ଆହୁରି ସ୍ପଷ୍ଟ ଭାବରେ ବାରି ହୋଇପଡ଼େ। ପାରମ୍ପରିକ ଶିକ୍ଷାଦାନ ବ୍ୟବସ୍ଥା ଏବଂ ଜୀବନର ପ୍ରତ୍ୟେକ୍ଷ ଅନୁଭୂତିକୁ ନେଇ ଶିକ୍ଷାଦାନ ଭିତରେ ଥିବା ଏହି ବ୍ୟବଧାନକୁ କମାଇବା ପାଇଁ ତିନି ମହିଳା ସାମାଜିକ ଉଦ୍ୟୋଗୀଙ୍କ ଦ୍ଵାରା ଆରମ୍ଭ ହୋଇଥିଲା ଅପନି ଶାଳା।

ନିମ୍ନ ଆୟ ରୋଜଗାର ବର୍ଗର ପିଲାମାନଙ୍କୁ ନେଇ ଅପନି ଶାଳା ତାର କାର୍ଯ୍ୟକ୍ରମ ଚାଲୁରଖିଛି ଏବଂ ସେମାନଙ୍କ ଆବେଗ, ପରସ୍ପର ମଧ୍ୟରେ ସଂପର୍କ ଏବଂ ଚିନ୍ତା କରିବାର ଦକ୍ଷତା ବୃଦ୍ଧି କରିବା ପାଇଁ ସାହାଯ୍ୟ କରିଥାଏ।

“ଯେତେବେଳେ ସ୍କୁଲମାନଙ୍କରେ ଗଣିତ, ବିଜ୍ଞାନ, ଇତିହାସ ଏବଂ ଭାଷା ଉପରେ ଗୁରୁତ୍ତ୍ଵ ଦେଇ ଶିକ୍ଷାଦାନ କରାଯାଏ, ସେମାନେ ବାସ୍ତବତାର ଗୁରୁତ୍ତ୍ଵପୁର୍ଣ୍ଣ ଜୀବନର ବିକାଶ ଏବଂ ଅନୁଭୂତିର ଶିକ୍ଷା ଦେବାକୁ ସୁଯୋଗ ଦେଇପାରିନଥାନ୍ତି। ଆଜିର ଦିନରେ ପିଲାମାନଙ୍କର ସାମାଜିକ ବିକାଶ, ସଠିକ ଆଚରଣ, ଅସୁବିଧାର ସମାଧାନ ଏବଂ ନିର୍ଣ୍ଣୟ ନେବାର କ୍ଷମତାକୁ ବିକାଶ କରିବାର ଆବଶ୍ୟକତା ରହିଛି” ବୋଲି ଅପନି ଶାଳାର ସହ- ପ୍ରତିଷ୍ଠାତା ଶ୍ଵେତା ମତ ଦିଅନ୍ତି।

ଶ୍ଵେତାଙ୍କ ମତରେ ଶିକ୍ଷାଦାନ ବ୍ୟବସ୍ଥାରେ ଜୀବନ ଗଢ଼ିବାର ଦକ୍ଷତା ଏବଂ ଅନୁଭୂତି ମାଧ୍ୟମରେ ଏହାର ଶିକ୍ଷାଦାନର ସ୍ଥାନ ପ୍ରଥମ । ଏକ ଏନଜିଓରେ ନିଜର ଅଳ୍ପ ଦିନର ଶିକ୍ଷକତାର ଅନୁଭୂତି ମାଧ୍ୟମରେ ଜୀବନ ଗଢ଼ିବାର ଦକ୍ଷତା ଉପରେ ବାସ୍ତବ ସତ୍ୟକୁ ବଳବତ୍ତର କରିଛି। ଏକ ଘଟଣାର ଉଦାହରଣ ଦେଇ ସେ ଦେଖିଥିବା ଶିକ୍ଷା ବ୍ୟବସ୍ଥା ଉପରେ ମତ ଦେଇ ଶ୍ଵେତା କୁହନ୍ତି, “ମୁଁ ଯେତେବେଳେ Each One Teachରେ ଶିକ୍ଷକ ଭାବରେ କାମ କରୁଥିଲି ସେତେବେଳେ ସେଠି ଗୋଟିଏ ପିଲାପାଖରେ ଏହି ନିର୍ଦ୍ଦିଷ୍ଟ ସମସ୍ୟା ଥିଲା ଯାହା ମୋର ଧ୍ୟାନ ଆକର୍ଷଣ କରୁଥିଲା। ସେ ସାଧାରଣ ଥିଲା ଏବଂ କେତେକ ସ୍ଥଳରେ ପାଠପଢ଼ାରେ ଭଲ ଥିଲା କିନ୍ତୁ ଅସାମାଜିକ ପ୍ରବୃତ୍ତିର ଥିଲା। ତାର କେହି ସାଙ୍ଗସାଥୀ ନଥିଲେ ଏବଂ ସେ ବହୁତ ରାଗୀ ଥିଲା। ତା ବିଷୟରେ କିଛି ତଥ୍ୟ ଯୋଗାଡ଼ କରି ଜାଣିପାରିଲି ଯେ ତାର ବାପା ମଦ୍ୟପ ଥିଲେ ଏବଂ ତାକୁ ଶୋଷଣ କରୁଥିଲେ। ଏହା ବ୍ୟତୀତ ସ୍କୁଲରୁ ଘରକୁ ଫେରି ତାକୁ ଘର କାମ ବି କରିବାକୁ ପଡୁଥିଲା। ସେଠି ଶିକ୍ଷାଦାନରେ କିଛି ଭୁଲ ନଥିଲା କିନ୍ତୁ ତାର ପରିବାରର ବିଭିନ୍ନ ସମସ୍ୟା ରହିଥିଲା ଯାହା ତାର ଜୀବନ ଉପରେ ପ୍ରଭାବ ପକାଉଥିଲା। ”

ଏହି ଘଟଣା ପରେ ଶ୍ଵେତା ତାଙ୍କର ଆରାମଦାୟକ କର୍ପୋରେଟ ଚାକିରୀକୁ ଯାଇପାରିନଥିଲେ। ସେ ଭେଟିଥିବା ଏବଂ ଦେଖିଥିବା ସ୍କୁଲର ପିଲା ପରି ଅନ୍ୟମାନଙ୍କୁ ସାହାଯ୍ୟ କରିବାର ଆକାଂକ୍ଷା ମନରେ ତୀବ୍ର ହୋଇଥିଲା। ସେ ନିଜର କର୍ପୋରେଟ ଚାକିରୀକୁ ଛାଡ଼ି ଦେଇ ପ୍ରଥମ ନାମକ ସଂସ୍ଥାରେ କଣ୍ଟେଣ୍ଟ ଡେଭେଲପର ଭାବରେ ଯୋଗ ଦେଲା। ଶ୍ଵେତା ପୁଣି ଥରେ ପାଠ ପଢ଼ିବାକୁ ମନସ୍ଥ କଲେ ଏବଂ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନସରେ ଆବେଦନ କଲେ। ସେ TISSରେ ସୋସିଆଲ ଏଣ୍ଟରପ୍ରେନ୍ୟୁଅରସିପ କୋର୍ସ ସ୍ନାତକୋତ୍ତରରେ ପଢ଼ା ଆରମ୍ଭ କଲେ।

TISSରେ ସେ ଅମ୍ରିତା ଏବଂ ଅନୁକୃତିଙ୍କୁ ଭେଟିଲେ ଯେଉଁମାନେ ପରେ ତାଙ୍କର ସହ-ପ୍ରତିଷ୍ଟାତା ହେଲେ। TISSର ଦିନଗୁଡ଼ିକର ସ୍ମୃତିଚାରଣ କରି ଶ୍ଵେତା କୁହନ୍ତି, “TISSରେ ଆମେ ପରସ୍ପରର ନିକଟତର ହୋଇପାରିଲୁ। ଅନୁକୃତିର ସବୁବେଳେ ଏକ ଉଦ୍ୟୋଗୀଙ୍କ ଚିନ୍ତାଧାରା ରହୁଥିଲା ଏବଂ ସେ ଅଲଗା କିଛି କରିବାକୁ ଚାହୁଁଥିଲା। ଅନ୍ୟପକ୍ଷରେ ଅମ୍ରିତା ଜଣେ ମନସ୍ତତ୍ତ୍ଵବିତ ଏବଂ ପରାମର୍ଶଦାତା ଭାବେ ପ୍ରଶିକ୍ଷିତ ଥିଲା। ଆମେ ସମସ୍ତେ ଜାଣିଥିଲୁ ଆମେ ପିଲାମାନଙ୍କ ପାଇଁ ଏବଂ ଶିକ୍ଷାଦାନ ଉପରେ କିଛି କରିବାକୁ ଚାହୁଁଥିଲୁ କିନ୍ତୁ ଆମେ ଏକାଠି ମିଶି କାମକରିବୁ ବୋଲି କେବେ ଭାବିନଥିଲୁ। ତେବେ ଆମେ ପରସ୍ପରକୁ ସାହାଯ୍ୟ କରିବୁ ବୋଲି ନିଶ୍ଚିତ ଥିଲୁ।”

ସମାଜର ଅବହେଳିତ ବର୍ଗର ପିଲାମାନଙ୍କୁ ଜୀବନଧାରଣର ମାନ ଉପରେ ଶିକ୍ଷାଦାନକୁ ଶ୍ଵେତା ଲକ୍ଷ୍ୟ କରିଥିବା ବେଳେ ଅନୁକୃତି ଏବଂ ଅମ୍ରିତା ଲାଇବ୍ରେରୀ ମଡେଲ ଉପରେ କାର୍ଯ୍ୟ କରିଥାନ୍ତି। ତେବେ ସେମାନେ ସ୍ଥିର କରିଥିବା ସ୍କୁଲଗୁଡ଼ିକର ଢାଞ୍ଚା ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ତ୍ଵ ଉପରେ ଆଧାରିତ ହେଉଥିଲା। ବହୁ ଆଲୋଚନା ଏବଂ ଚିନ୍ତା ପରେ ସେମାନେ ଏକତ୍ର କାମ ପିଲାମାନଙ୍କ ବିକାଶ ଉପରେ ଶିକ୍ଷାଦାନ ପାଇଁ ସ୍ଥିର କଲେ।

ଏବେ ଲକ୍ଷ୍ୟ ନିଶ୍ଚିତ ଥିଲା କିନ୍ତୁ ବାଟ ସହଜ ନଥିଲା। ଯଦିଓ ସ୍କୁଲଗୁଡ଼ିକ ପିଲାମାନଙ୍କର ବିକାଶ ଏବଂ ସେମାନଙ୍କୁ ଏଗୁଡ଼ିକ ଉପରେ ଶିକ୍ଷାଦାନ ଦେବାକୁ ଉଚିତ ଭାବୁଥିଲେ, ତେବେ ଏଭଳି ସ୍କୁଲମାନଙ୍କ ସହ ସହଭାଗିତା କରିବା ଅପନି ଶାଳା ପାଇଁ କଷ୍ଟସାଧ୍ୟ ବିଷୟ ଥିଲା। “ଆମେ ଯେତେବେଳେ ଆମ ଚିନ୍ତା ଅନ୍ୟମାନଙ୍କ ସହ ମତ ବିନିମୟ କଲୁ ଏହାକୁ ସମସ୍ତେ ପ୍ରଶଂସା କଲେ, କିନ୍ତୁ ଶିକ୍ଷା ବ୍ୟବସ୍ଥା ଭିତରେ ଆମେ ଯେତେବେଳେ ଏଥିପାଇଁ କିଛି ସମୟ ଚାହିଁଲୁ ସମସ୍ତେ ଏଥିପାଇଁ ବିମୁଖତା ଦେଖାଇଲେ” ବୋଲି ଶ୍ଵେତା କୁହନ୍ତି।

ଏହି ସମସ୍ୟାରୁ ମୁକୁଳିବା ପାଇଁ ସରକାରୀ ସ୍କୁଲମାନଙ୍କୁ ସିଧାସଳଖ ଚୁକ୍ତି କରିବା ବଦଳରେ ଅପନି ଶାଳା ଏନଜିଓମାନଙ୍କ ସହ ସହବନ୍ଧନ କରିବା ପାଇଁ ସ୍ଥିର କଲା। “ଏହି ଏନଜିଓମାନେ ପ୍ରତିଷ୍ଠିତ ଥିଲେ ଏବଂ ଏମାନଙ୍କ ବିଭିନ୍ନ ସ୍କୁଲମାନଙ୍କ ସହ ସହବନ୍ଧନ ଥିଲା। ଆମେ ଆମର ଲକ୍ଷ୍ୟକୁ ଆହୁରି ସରଳ କରିବା ପାଇଁ ଆମର ଚିହ୍ନା ଏନଜିଓମାନଙ୍କୁ ଯୋଗାଯୋଗ କଲୁ। ଯଦିଓ ଶିକ୍ଷା କ୍ଷେତ୍ରରେ ଜଡ଼ିତ ଥିବା ବହୁ ସଂସ୍ଥା ରହିଥିଲେ ତେବେ ଅନୁଭୂତି ମାଧ୍ୟମରେ ଜୀବନ ଗଢ଼ିବାର ଲକ୍ଷ୍ୟକୁ ନେଇ ଶିକ୍ଷାଦାନ କାହା ପାଖରେ ନଥିଲା। ଆମର ପ୍ରସ୍ତାବ ଶୁଣି ସେମାନେ ଏହାକୁ ସହଜରେ ଗ୍ରହଣ କଲେ ଏବଂ ଏଥିରେ ଏକମତ ହେଲେ। ଏହି ଏନଜିଓମାନଙ୍କ ମାଧ୍ୟମରେ ଆମେ ସ୍କୁଲକୁ ଯାଇପାରିଲୁ ଏବଂ ଜୀବନ ଗଢ଼ିବା ଉପରେ ଶିକ୍ଷା ଦେବାକୁ ସକ୍ଷମ ହୋଇପାରିଲୁ” ବୋଲି ଶ୍ଵେତା କୁହନ୍ତି।

ଏହା ପରେ ବିଭିନ୍ନ ସ୍ତରରେ ସମସ୍ୟା ଦେଖାଦେଲା ବିଶେଷକରି ସରକାରଙ୍କ ସହ କାମ କରିବା ବେଳରେ। “ଏପରିକି ଆଜିପର୍ଯ୍ୟନ୍ତ ମଧ୍ୟ ଆମକୁ ବିଭିନ୍ନ କ୍ଷେତ୍ରରେ ବହୁ ଅନୁମତି ନେବାକୁ ପଡୁଛି, ବହୁ ପର୍ଯ୍ୟାୟରେ କିନ୍ତୁ ଠିକ ଭାବରେ ଏହା ଆମ ଲକ୍ଷ୍ୟକୁ ପୂରଣ କରିବାରେ ସାହାଯ୍ୟ କରୁଛି। ” ବୋଲି ଶ୍ଵେତା ମତ ରଖନ୍ତି।

ଯେତେବେଳେ ଟିମ୍ ବହୁ ବାଧାବିଘ୍ନ ଦେଇ ଗତି କରୁଥିଲା, ସେତେବେଳେ ସେମାନେ DBSର ସାହାଯ୍ୟ ପାଇପାରିଲେ। “ବାସ୍ତବରେ DBS ଜୀବନକୁ ଆହୁରି ସରଳ କରିପାରିଛି ଆମମାନଙ୍କ ଭଳି ଯୁବବର୍ଗ ଏବଂ ଉଦ୍ୟୋଗ କ୍ଷେତ୍ରରେ ନୂଆ ଭାବରେ ପାଦ ଦେଇଥିବା ସଂସ୍ଥା ଠାରେ । DBS ଆମର ଚିନ୍ତା ଉପରେ ବିଶ୍ଵାସ ରଖିଛି ଏବଂ ଆର୍ଥିକ ସହାୟତା ମାଧ୍ୟମରେ ସହାୟତା ପ୍ରଦାନ କରିଛି। ତେଣୁ ଆମକୁ କେବଳ ସଠିକ ପାଠ୍ୟକ୍ରମର ପ୍ରୟୋଗ ଉପରେ ସବୁ ଧ୍ୟାନ ରଖିଛୁ। ଏହା ଆମକୁ ନିଜ ଉପରେ ଆସ୍ଥା ପ୍ରକଟ କରିବା ଏବଂ ଆମର ପ୍ରକଳ୍ପକୁ ଆଗକୁ ବଢ଼ାଇ ନେବାର ନୂଆ ବାଟ ଦେଖାଇବାରେ ସାହାଯ୍ୟ କରୁଛି ” ବୋଲି ଶ୍ଵେତା କୁହନ୍ତି।

ସାମାଜିକ ଏବଂ ଆବେଗର ବିକାଶ ଆଣିବା ପାଇଁ ଅପନି ଶାଳା ଏକ ପରୀକ୍ଷାନିରୀକ୍ଷା ପ୍ରଶିକ୍ଷଣ ମଡେଲ ଉପରେ କାମକରୁଛି। ଏହା ମଧ୍ୟରେ ଗପ ଶୁଣାଇବା, ଏକକ ଅଭିନୟ ଏବଂ ବିଭିନ୍ନ ଖେଳକୁ ଅନ୍ତର୍ଭୁକ୍ତ କରାଯାଇଛି। “ଭାରତର ସବୁ ସ୍କୁଲରେ ପ୍ରୟୋଗାତ୍ମକ ଶିକ୍ଷାଦାନ ଏବଂ ଜୀବନ ଗଢ଼ିବାର ଶିକ୍ଷାଦାନକୁ ପାଠ୍ୟକ୍ରମର ଏକ ଗୁରୁତ୍ତ୍ଵପୁର୍ଣ୍ଣ ଅଂଶବିଶେଷ ଭାବରେ ଗ୍ରହଣ କରାଯାଉ ବୋଲି ଆମେ ଚାହୁଁ। ଏବଂ ଏହା ପ୍ରୟୋଗ ଏକ ପରୀକ୍ଷଣ ମାଧ୍ୟମରେ ହେବା ଆବଶ୍ୟକ” ବୋଲି ଶ୍ଵେତା କୁହନ୍ତି।

ଆଗାମୀ ବର୍ଷ ସୁଦ୍ଧା ଅପନି ଶାଳା ୧୧୦୦ ପିଲାଙ୍କୁ ପଢ଼ାଇବାର ଲକ୍ଷ୍ୟ ଧାର୍ଯ୍ୟ କରିଛି। ଶିକ୍ଷକମାନଙ୍କୁ ମଧ୍ୟ ଏଥିରେ ନିୟୋଜିତ କରି ସେମାନଙ୍କୁ ଅନୁଭୂତି ବଖାଣି ଶିକ୍ଷାଦାନ ଉପରେ ଗୁରୁତ୍ତ୍ଵ ଦେବାକୁ ସେମାନେ ଚିନ୍ତା କରିଛନ୍ତି ଯାହା ସମାଜରେ ଏକ ମଧୁର ପ୍ରଭାବ ପକାଇବ।