ପ୍ରତିକ୍ରିୟାକୁ ମାଧୁର୍ଯ୍ୟତାର ସହକାରେ ଗ୍ରହଣ କରିବାକୁ ଶିକ୍ଷା ମୋତେ ସହାୟତା କରେ-ଯୋଗଗୁରୁ ରିଙ୍କୁ ସୂରୀ

ପ୍ରତିକ୍ରିୟାକୁ ମାଧୁର୍ଯ୍ୟତାର ସହକାରେ ଗ୍ରହଣ କରିବାକୁ ଶିକ୍ଷା ମୋତେ ସହାୟତା କରେ-ଯୋଗଗୁରୁ ରିଙ୍କୁ ସୂରୀ

Saturday November 21, 2015,

5 min Read

ଯୋଗ ଶିକ୍ଷକ ରିଙ୍କୁ ସୂରୀ କହନ୍ତି ଯେ ସେ ଯୋଗକୁ “ଅନେକ ସମୟରେ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ସହରୀ ବାସିନ୍ଦା ଓ ଆତ୍ମାନୁସନ୍ଧାନକାରୀଙ୍କ ନିମନ୍ତେ ଏକ ଏକାକାର ଶରୀର ଓ ଆତ୍ମାର ଦିଗରେ” ଏକ ପଥପ୍ରଦର୍ଶକ ଭାବେ ବ୍ୟବହାର କରନ୍ତି । ମୁମ୍ବାଇର ଏକ ସବୁଜିମା ଭରା ସ୍ଥାନରେ ତାଙ୍କର ଆଶ୍ରମ ଯୋଗ-୧୦୧ ସ୍ଥାପିତ ।

image


ଗୋଟିଏ ଛାତ ତଳେ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ଆଙ୍ଗୁଠିଗଣତି ଶିକ୍ଷକଙ୍କ ଗୋଷ୍ଠୀଙ୍କ ଦ୍ୱାରା ଆନୀତ ଅନେକ ପ୍ରକାରର ଯୋଗ ସାଙ୍ଗକୁ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ଓ ଗଭୀର ତ୍ୟାଗ ଯୋଗ-୧୦୧କୁ ଅଦ୍ୱିତୀୟ ଭାବେ ଗଢ଼ିତୋଳିଛି । ରିଙ୍କୁ କହନ୍ତି, “ଲୋକମାନେ ବିଭିନ୍ନ କାରଣ ପାଇଁ ଯୋଗକୁ ଆପଣେଇଥାନ୍ତି କିନ୍ତୁ ଧୀରେ ଧୀରେ ଏହି ସଂପର୍କ ତାଙ୍କୁ ରୂପାନ୍ତରିିତ କରିଥାଏ । ଶାରୀରିକ ବ୍ୟାୟାମ ଠାରୁ ଏହା ଏକ ଆଧ୍ୟାତ୍ମିକ ଓ ସୌନ୍ଦର୍ଯ୍ୟ ଭରା ଯାତ୍ରା ପଥରେ ଅଗ୍ରସର କରାଇଥାଏ । ଯୋଗ ଜୀବନର କାର୍ଯ୍ୟ, ବଚନ ଓ ଚେତନାର ଏକ ଧାରା ହୋଇଯାଇଥାଏ । ଏହା କେବଳ ମୋ କ୍ଷେତ୍ରରେ ନୁହେଁ, ଅନେକଙ୍କ କ୍ଷେତ୍ରରେ ଅନୁଭୂତ ହୋଇଛି ।”

ଯୋଗ ସହତି ତାଙ୍କର କ୍ରିୟାତ୍ମକ ସଂପର୍କ ଆଠବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା, ଯେଉଁସମୟରେ ତାଙ୍କୁ ସୁସ୍ଥ ଓ ସୌଷ୍ଠବ ରହିବା ପାଇଁ ଯୋଗ କରିବାକୁ ପରାମର୍ଶ ମିଳିଥିଲା । ଏହା ପରେ ବର୍ଷ ପରେ ବର୍ଷ ତାଙ୍କର ଯୋଗ ସହ ଅଭିଜ୍ଞତା ଓ ସଂପର୍କ ଏକ ବଡ଼ ବିବର୍ତନ ଆଣିଥିଲା । ସେ କହନ୍ତି, “ ଏହା ଆଉ ଶାରୀରିକ ବ୍ୟାୟାମ ଓ କସରତରେ ସୀମିତ ରହିନଥିଲା, କିନ୍ତୁ ଏହାଠାରୁ ଅଧିକ ଅର୍ଥପୂର୍ଣ୍ଣ ଥିଲା ।” ୨୦୧୨ ଅଗଷ୍ଟରେ ରିଙ୍କୁ କାମ୍ବୋଡିଆ ଯାଇଥିଲେ, ଅବକାଶ ସମୟରେ ମଧ୍ୟ ସେ ଯୋଗ ଅଭ୍ୟାସଠାରୁ ନିଜକୁ ଦୂରେଇ ପାରିନଥିଲେ । କାମ୍ବୋଡିଆ ଠାରେ ସେ ସୁନ୍ଦର ପ୍ରାକୃତିକ ବାତାବରଣରେ ଏକ ଯୋଗାଶ୍ରମକୁ ଦେଖିବାକୁ ପାଇଥିଲେ । ଯୋଗ-୧୦୧ର ସୃଷ୍ଟି ପଛରେ ଏହି ଆବିଷ୍କାର ହିଁ ପ୍ରେରଣା ଦେଇଥିଲା ।

HerStory ଏହି ଆବେଗପୂର୍ଣ୍ଣ ଯୋଗ ଶିକ୍ଷକ ଓ ଉଦ୍ୟୋଗୀଙ୍କୁ ତାଙ୍କର ପ୍ରେରଣାଦାୟୀ ଯାତ୍ରା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ସାକ୍ଷାତ କରିଥିଲା ।

ଯୋଗ କାହିଁକି?

ଜଣେ ଯୋଗ ଅଭ୍ୟାସକାରୀ ଓ ଶିକ୍ଷକ ଭାବେ ମୁଁ ଏହାର ସଂଖ୍ୟାଧିକ ଲାଭପ୍ରଦ ଗୁଣାବଳୀକୁ ତାଲିକାଭୁକ୍ତ କରିପାରେ । ଏହି ସମସ୍ତ କେବଳ ଶାରୀରିକ ନୁହେଁ ଅଧିକନ୍ତୁ ମାନସିକ । ଆମର କ୍ରିୟାଶୂନ୍ୟ ଜୀବନଶୈଳୀରେ ଆମର ମୋଟାପଣକୁ ପ୍ରତିରୋଧ କରିବା ପାଇଁ ଯୋଗ ଏକ ଉକ୍ରୃଷ୍ଟ ମାଧ୍ୟମ । ଏହା ବିଶ୍ୱର ଏକମାତ୍ର ଶାରୀରିକ ବ୍ୟାୟାମ ଯାହା ସଂପୂର୍ଣ୍ଣ ଶରୀର, ସମସ୍ତଅଙ୍ଗପ୍ରତ୍ୟଙ୍ଗ, ମସ୍ତିଷ୍କ ଏବଂ ଆତ୍ମାର ଯତ୍ମ କରେ । ଯୋଗ ଆପଣଙ୍କ ବୟସର ବୃଦ୍ଧିକୁ ପଶ୍ଚାତଗତି କରାଏ । ଏହା ଆପଣଙ୍କୁ ଉଭୟ ବାହ୍ୟ ଏବଂ ଆଭ୍ୟନ୍ତରରେ ଯୌବନ ଉଦ୍ଧୀପ୍ତ କରାଏ । ଏହା ଅନେକ ଲୋକଙ୍କୁ ଯେଉଁମାନେ କୌଣସି ନିଶାଠାରୁ ମୁକ୍ତିପାଇବାକୁ ଚାହାନ୍ତି କିମ୍ବା ନିଜର ଆବେଗକୁ ନିୟନ୍ତ୍ରଣ କରିବାକୁ ଚାହାନ୍ତି କିମ୍ବା ଓଜନ କମାଇବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ । ଏହା ଏଭଳି ଏକ ଯନ୍ତ୍ର ଯାହାଦ୍ୱାରା ଅନେକ ପ୍ରକାରର ସୁଫଳ ମିଳିଥାଏ ।

image


ଯୋଗ ଆପଣଙ୍କୁ ଦୃଢ଼, ସକାରାତ୍ମକ ଓ ସମସ୍ତ ଦ୍ୱନ୍ଦ୍ୱ ଏବଂ ଅପଚେଷ୍ଟା ଠାରୁ ଦୂରେଇ ରଖିଥାଏ । ଯେଉଁମାନେ ନିୟମିତ ଯୋଗ ଅଭ୍ୟାସ କରନ୍ତି ସେମାନେ ନିଜର ଜୀବନ ପ୍ରତି ଅଧିକ ସକାରାତ୍ମକ ଥାନ୍ତି ।

ଯୋଗର ରାସ୍ତା

ମୁମ୍ବାଇରେ ଏକ ରକ୍ଷଣଶୀଳ ପରିବାରରେ ଜନ୍ମ ହୋଇ ବଡ଼ ହୋଇଥିବା ରିଙ୍କୁ ସର୍ବଦା ଏକ ଶିକ୍ଷକ ହେବା ପାଇଁ ଇଚ୍ଛା ରଖିଥିଲେ । ତାଙ୍କ ମା’ ସେ ଶିକ୍ଷକତା କରନ୍ତୁ ବୋଲି ଚାହୁଁନଥିଲେ ଏଣୁ ସେ ବଡ଼ ହେବା ପରେ କଳା ବଦଳରେ ବାଣିଜ୍ୟ ପାଠ୍ୟକ୍ରମକୁ ଗ୍ରହଣ କରିଥିଲେ ଓ କଲେଜ ଶିକ୍ଷା ପରେ ମାର୍କେଟିଂରେ ପ୍ରବେଶ କଲେ । ସେ CNBCରେ ଯୋଗ ଦେଲେ ଏବଂ ସେଠାରେ ସେ ୧୨ ବର୍ଷ କାମ କଲେ । ତାଙ୍କର କାମ ବୁଲିବା ଓ ଫଟୋଗ୍ରାଫି ଥିବାରୁ ସେ CNBCକୁ ଧନ୍ୟବାଦ ଦିଅନ୍ତି, କାରଣ ଏହି ଦୁଇଟିକୁ ସେ ଭଲପାଆନ୍ତି । ସମୟାନୁକ୍ରମେ ଯୋଗ ପ୍ରତି ତାଙ୍କର ଆଗ୍ରହ ବଢ଼ିଲା, ବିଶେଷତଃ ସେ ଯେତେବେଳେ ଏହାର ଯାଦୁକରୀ ଗୁଣକୁ ଜାଣିଲେ । ବର୍ତ୍ତମାନ ସେ ଜଣେ ଯୋଗ ଶିକ୍ଷକ । ବିଭିନ୍ନ ଶ୍ରେଣୀର ଏବଂ ବୟସର ଲୋକମାନେ ତାଙ୍କ ନିକଟକୁ ଶିକ୍ଷା ପାଇଁ ଆସିଥାନ୍ତି ।

ଯୋଗ ଷ୍ଟୁଡିଓ

image


କାମ୍ବୋଡ଼ିଆରୁ ଫେରିବା ପରେ, ରିଙ୍କୁ ମୁମ୍ବାଇର ଏକ ବଡ଼ ଯୋଗ ଷ୍ଟୁଡ଼ିଓ ସହ ଏକ ଶାଖା ଖୋଲିବା ପାଇଁ ଯୋଗାଯୋଗ କଲେ, କିନ୍ତୁ ସେଠାରୁ ସେ କୌଣସି ପ୍ରତିକ୍ରିୟା ନପାଇବାରୁ ନିଜେ ଏହା ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ। ତେବେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଲା ଯେତେବେଳେ ତାଙ୍କ ପରିବାର ସ୍ଥାନାନ୍ତର ହେବାପାଇଁ ଏବଂ ଦୀର୍ଘ ବର୍ଷ ଧରି ରହିଥିବା ବଙ୍ଗଳାକୁ ଭଡ଼ାରେ ଦେଇଦେବାକୁ ନିଷ୍ପତ୍ତି ନେଲେ । ରିଙ୍କୁ ଏହି ଘରଟିକୁ ଭଡ଼ାରେ ଦେବା ପରିବର୍ତେ ନିଜର କାମରେ ଲଗାଇବାକୁ ମନସ୍ଥ କଲେ । ଡିସେମ୍ବର, ୨୦୧୨ରେ ଏହି ଷ୍ଟୁଡ଼ିଓର କାମ ଆରମ୍ଭ କଲେ, ଜୁଲାଇ, ୨୦୧୩ରେ ଯୋଗ-୧୦୧ର ପ୍ରତିଷ୍ଠାହେଲା । ରିଙ୍କୁ ଏହି ଷ୍ଟୁଡ଼ିଓର ଡିଜାଇନ୍ ପ୍ରସ୍ତୁତ କରିବାରେ ପ୍ରତ୍ୟକ୍ଷଭାବେ ସାମିଲ ହେଲେ । ଏଥିରେ ଏକ ସାଧାରଣ ସ୍ଥାନ ରହିଥିଲା ଯେଉଁଠି ଲୋକମାନେ ବସି ଅନୁଦାନରୁ ସଂଗୃହୀତ ପାଠାଗାରରୁ ବହି ଆଣି ପଢ଼ିପାରିବେ । ଏଠାରେ ସୁସ୍ଥତା ଓ ଯୋଗ ସାମଗ୍ରୀ-ଧୂପ, ତେଲ, ଯୋଗାସନ ଓ ପୁସ୍ତକ ଆଦି ପାଇଁ ଏକ ସ୍ୱତନ୍ତ୍ର କକ୍ଷ ରହିଥିଲା । କେବଳ ଏହାନୁହେଁ ରିଙ୍କୁଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଯୋଗ ବସ୍ତ୍ର ମଧ୍ୟ ଏଠାରେ ସ୍ଥାନ ପାଇଥିଲା ।

ଆହ୍ୱାନ

ମୁଁ କହିବି ଯେ ଇଚ୍ଛାଥିଲେ ଉପାୟ ମିଳେ । ଯଦିଓ ଲୋକଙ୍କ ଠାରେ ସ୍ପଳ୍ପ ସମୟ ରହିଛି, ତଥାପି ସେମାନେ ବ୍ୟାୟାମ କରନ୍ତି । ଏଥିରୁ ପ୍ରମାଣିତ ହୁଏ ଯେ ସେମାନଙ୍କ ମଧ୍ୟରେ ସଚେତନତା ରହିଛି । ଭାରତର ଅନେକ ପରିବାରରେ ଯୋଗାଭ୍ୟାସର ପରଂପରା ରହିଛି, କିନ୍ତୁ ଷ୍ଟୁଡିଓକୁ ଆସିବାରେ ଭିନ୍ନତା ଏହିକି ଯେ ଆପଣ ଜଣେ ଶିକ୍ଷକଙ୍କୁ ଦେଖି ତାଙ୍କ ଭଳି ହେବାକୁ ପ୍ରେରଣା ପାଇବେ । ମୋ ନିକଟରେ ଦକ୍ଷ ଗ୍ରାହକ (ଯେଉଁମାନେ ନିଜଘରେ କିମ୍ବା ସୁବିଧାଜନକ ସ୍ଥାନରେ ଯୋଗାଭ୍ୟାସ କରନ୍ତି)ଙ୍କୁ ଯୋଗାଡ଼ କରିବା ଓ ସେମାନଙ୍କୁ ଏକ ସ୍ଥାନରେ ଯୋଗଅଭ୍ୟାସ ପାଇଁ ଏକଯୁଟ କରିବା ଏକ ବଡ଼ ଆହ୍ୱାନ ଥିଲା । ମୁଁ ପ୍ରତ୍ୟେକଙ୍କୁ କହିଲି ଯେ ଏକୁଟିଆ ବସି ଯୋଗ କରିବା ଏବଂ ଏକ ଗୋଷ୍ଠୀ ମଧ୍ୟରେ ଯୋଗ କରିବା ଦୁଇଟି ଭିନ୍ନ ଅଟେ । ଯେହେତୁ ସମସ୍ତଙ୍କର ଶକ୍ତିରେ ଭିନ୍ନତା ରହିଛି ଏବଂ ଏକତ୍ରିତ ପ୍ରଚେଷ୍ଟାରେ ଶତପ୍ରତିଶତ ସଫଳତା ମିଳିବ ।

ଯୋଗ-୧୦୧ ପ୍ରତି ଲୋକଙ୍କ ପ୍ରତିକ୍ରିୟା

ଥରେ ମୋର ଆଶ୍ରମ/ଷ୍ଟୁଡିଓର ଜଣେ ସଦସ୍ୟ ବିଭିନ୍ନ ପ୍ରକାରର ଯୋଗ ପ୍ରତି ସଚେତନ ହୁଏ, ଏହାପରେ ସେ ଏହାକୁ ଅଭ୍ୟାସ କରିବାକୁ ଆପଣାଛାଏଁ ଚେଷ୍ଟାକରନ୍ତି । ବୃଦ୍ଧଲୋକଙ୍କ ଦୃଷ୍ଟିରେ ଯୋଗ ଏକ ବ୍ୟାୟାମ ଅଟେ ଏବଂ ଯେଉଁମାନେ ରୋଗାକ୍ରାନ୍ତ ସେମାନଙ୍କ ପାଇଁ ଏହାର ପରାମର୍ଶ ଦିଆଯାଇଥାଏ । ଯୋଗ ଅନେକଙ୍କ ପାଇଁ ଧୀର ଏବଂ ବିରକ୍ତିକର ଅଟେ । ବର୍ତ୍ତମାନ ସଂଖ୍ୟାଧିକ ପ୍ରକାରଭେଦରେ ଯୋଗର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ମୁଁ ଦେଖୁଛି ଅଧିକରୁ ଅଧିକ ଲୋକ ଯୋଗଶିକ୍ଷାର ପଥରେ ପ୍ରବେଶକରୁଛନ୍ତି ।

ଯୋଗ ଓ ପାଶ୍ଚାତ୍ୟ ସଭ୍ୟତା

ପାଶ୍ଚାତ୍ୟରେ ଯୋଗ ମିଳେଇଯାଇନାହିଁ । ସେମାନେ ଏହାକୁ ଗ୍ରହଣ କରି ନୂତନ ସଂସ୍କରଣ କରିଛନ୍ତି । ଯୋଗର ଦର୍ଶନ ଅପରିବର୍ତନୀୟ ରଖି ପାଶ୍ଚାତ୍ୟ ସଭ୍ୟତା ଏହାକୁ ଆକର୍ଷକ ଓ ଆମୋଦପ୍ରିୟ କରିଛି । ଆପଣ ଏହାକୁ କୌଣସି ସ୍ଥାନରେ ଆରମ୍ଭ କରିପାରିବେ ଓ ବିନ୍ୟାସ ଭଳି କ୍ରିୟାତ୍ମକ ସଂସ୍କରଣରେ ସଂଗୀତ ସହ ଏହାର ଅଭ୍ୟାସ କରିପାରିବେ ।

ଭବିଷ୍ୟତ ଯୋଜନା

୨୦୧୫ ଶେଷବେଳକୁ ମୁଁ ଉକ୍ରୃଷ୍ଟ ଓ ସୁସ୍ଥ ଖାଦ୍ୟପେୟ ସାମଗ୍ରୀକୁ ନେଇ ଏକ କାଫେ ସ୍ଥାପନ କରିବାକୁ ଯୋଜନା ରଖିଛି ।

ଋିଙ୍କୁ ଯୋଗ ଦ୍ୱାରା ଜୀବନଧାରଣ କରନ୍ତି ଓ ଶ୍ୱାସନିଅନ୍ତି । ଦିନ ଥିଲା ସେ ନିଜକୁ ପ୍ରଶ୍ନ ପଚାରୁଥିଲେ, କିନ୍ତୁ ଏହି ଦ୍ୱନ୍ଦ୍ୱ ଦୂରେଇଗଲା ଯେତେବେଳେ “ସେ ନିଜକୁ ଯୋଗ-୧୦୧ ମାଧ୍ୟମରେ ରୂପାନ୍ତରିତ କଲେ” ।

ସେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାରୁ ଶକ୍ତି ଓ ପ୍ରେରଣା ପାଆନ୍ତି । ସେ ଦେଶର ଓ ଦେଶବାହାରୁ ଲୋକଙ୍କ ଠାରୁ ସହାୟତା ନିମନ୍ତେ ଫୋନ୍ କଲ, ବାର୍ତ୍ତା ଓ ଇମେଲ୍ ପାଆନ୍ତି । ଯେଉଁମାନେ ବିଷାଦଗ୍ରସ୍ତ ସେମାନ ଯୋଗଦ୍ୱାରା ସହାୟତା ପାଇବାକୁ ଆସିଥାନ୍ତି ଓ ଅନ୍ୟମାନେ ଯେଉଁମାନେ ଯୋଗକୁ ପ୍ରଚାର ଓ ପ୍ରସାର କରିବାକୁ ଚାହାନ୍ତି ସେମାନେ ମଧ୍ୟ ସହାୟତା ପାଇଁ ଆସିଥାନ୍ତି । ସେ କହନ୍ତି, “ଏହା ସେମାନଙ୍କର ଯାତ୍ରା ଓ ମୁଁ ଖୁସୀଯେ ମୁଁ ସେମାନଙ୍କୁ ପରାମର୍ଶ ଏବଂ ପ୍ରେରଣା ଦେବାକୁ ଏଠାରେ ଅଛି ।”

ମୂଳ ଲେଖା - ତନବୀ ଦୂବେ

ଭାଷାନ୍ତର - ଲମ୍ବୋଦାର ପ୍ରସାଦ ଦାଶ