ଇଂରାଜୀ ସହଜ କରିବାକୁ ବର୍ଷା ଭର୍ଗିଜଙ୍କ ପ୍ରୟାସ ‘Wordsworth Project’

0

ଛୋଟ ଛୋଟ ପିଲା ଇଂରାଜୀ ପଢିବେ । ଇଂରାଜୀକୁ ପଢିବାକୁ ସେମାନେ କଷ୍ଟ ମନେ କରିବେନି, ଖୁସି ହେବେ । ନିଜ ମାତୃଭାଷା ଭଳି ଇଂରାଜୀ ବି ସେମାନଙ୍କ ପାଇଁ ସହଜ ହେବ । ଏମିତି ଏକ ମହାନ ଉଦ୍ଧେଶ୍ୟ ନେଇ Young India Fellowship’’ ଛାତ୍ରୀ ବର୍ଷା ଭର୍ଗିଜ୍ ଆରମ୍ଭ କରିଥିଲେ Wordsworth Project” । ସେ ନିଜେ ଓ ତାଙ୍କ ସାଥି ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପିଲାଙ୍କୁ ଇଂରାଜୀ ପଢାଉଛନ୍ତି ।

ଦିଲ୍ଲୀ ସେଣ୍ଟ ଷ୍ଟିଫେନସ୍ କଲେଜ ଛାତ୍ରୀ ବର୍ଷା ୨୦୧୪ରେ ଏହି ଉଦ୍ୟମ ଆରମ୍ଭ କରିଥିଲେ । ସେ କୁହନ୍ତି, ଅଧିକରୁ ଅଧିକ ବହି ପଢିବାକୁ ମୁଁ ଉପଭୋଗ କରେ । ଏଥିପାଇଁ ମୋ ଅର୍ଜିତ ଟଙ୍କା ଅଧିକ ବହି କିଣାରେ ଖର୍ଚ୍ଚ ହୁଏ ।

ବର୍ଷା ଦୁବାଇରୁ ସ୍କୁଲ ପଢା ଶେଷ କରିବା ପରେ ଦିଲ୍ଲୀ ଫେରି ଆସିଥିଲେ । ନିଜର ଏକ ପରିଚୟ ତିଆରି କରିବା ତାଙ୍କର ଇଚ୍ଛା ଥିଲା । ତାଙ୍କର ପ୍ରକୃତ ଘର କେରଳ ହୋଇଥିଲେ ବି ପରିବାର ଲୋକେ ୟୁଏଇରେ ରହୁଥିଲେ । ତେବେ ପଢା ଶେଷ ପରେ ସେ ଭାରତ ଫେରି ଆସଥିଲେ ।

ଦୁବାଇରେ ନିଜ ସ୍କୁଲ ପଢା କଥା ମନେ ପକାଇ ବର୍ଷା କୁହନ୍ତି, “ଦୁବାଇରେ ଏକ ପ୍ରତିଷ୍ଠିତ ସ୍କୁଲରେ ପଢିବା ବେଳେ ବହୁତ ପ୍ରେରଣା ପାଉଥିଲି । ଜୀବନ ବହୁତ ସହଜ ମନେ ହେଉଥିଲା । ଜୀବନରେ ଅସୁବିଧା, ବାଧା ବିଘ୍ନ କହିଲେ ଖୁବ କମ ଥିଲା। ସ୍କୁଲ ସମୟରେ ବହୁତ ସ୍ମାର୍ଟ ଥିଲି । ସ୍କୁଲର ଷ୍ଟୁଡେଣ୍ଟ କାଉନସିଲର ପ୍ରେସିଡେଣ୍ଟ ଥିବାରୁ ଏକ ବଡ ସଫଳତା ପାଇଛି ବୋଲି ମନେ ହେଉଥିଲା । ସେଠାରେ ସମସ୍ତେ ଅଳ୍ପ ବହୁତେ ସଫଳ ଥିଲେ, ସମସ୍ତେ ସ୍ମାର୍ଟ ଥିଲେ । ଏହା ଏକ ସୁଖଦ ଅନୁଭୂତି ଥିଲା । ସେଠାରେ ବିତାଇଥିବା ତିନି ବର୍ଷ ଓ ଦିଲ୍ଲୀର କଟିଥିବା ସମୟ ମୋତେ ଆଗକୁ ବଢିବାକୁ ସାହାଯ୍ୟ କରିଥିଲା।"

ଦିଲ୍ଲୀରେ କଲେଜର ପ୍ରଥମ ବର୍ଷରେ ପଢା ବାଦ୍ କିଛି ଭିନ୍ନ କରିବାକୁ ଚିନ୍ତା କଲେ, ବର୍ଷା । କର୍ପୋରେଟ କ୍ଷେତ୍ରରେ କ୍ୟାରିଅର କରିବାକୁ ତାଙ୍କର ଇଚ୍ଛା ଥିଲେ ମଧ୍ୟ ଭିଡ ଭିତରେ ଅଲଗା ଛିଡା ହେବାର ଇଚ୍ଛା ଥିଲା। କିଛି ଭିନ୍ନ କରିବାକୁ ଇଚ୍ଛା ଥିବାରୁ ସେ Make a Diffrence (MAD) ରେ ଜଣେ Teaching volunteer ବା ଶିକ୍ଷା ସ୍ୱେଚ୍ଛାସେବୀ ଭାବେ ଯୋଗ ଦେଲେ । ସେ MAD ର ନୂଆ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦେଲେ । MAD ରେ ଥିବାବେଳେ ବର୍ଷା ନିଜ ଠାରୁ ବୟସରେ ବଡ ବହୁ ସ୍ୱେଚ୍ଛାସେବୀଙ୍କୁ ପଢାଉଥିଲେ । ତେବେ ଆରମ୍ଭରୁ ଛୋଟ ପିଲାଙ୍କୁ ସହଜ ବାଟରେ ଇଂରାଜୀ ପଢାଇବାକୁ ସେ ଇଚ୍ଛା କରିଥିଲେ । ଏହାକୁ ବାସ୍ତବ ରୂପ ଦେବାକୁ ସେ କାମ ଆରମ୍ଭ କଲେ । ପ୍ରଥମେ ସେ ସପ୍ତାହର କିଛି ଦିନ ଛୋଟ ପିଲାଙ୍କୁ ଇଂରାଜୀ ପଢାଇବାକୁ ଲାଗିଲେ ।

ଏମିତି କିଛି ଦିନ ବିତିବା ପରେ ବର୍ଷା ପିଲାଙ୍କୁ ଆହୁରି ଅଧିକ ପଢାଇବାକୁ ଯୋଜନା କଲେ । ଏମିତି ସପ୍ତାହର ମାତ୍ର କିଛି ଘଣ୍ଟା ପିଲାଙ୍କୁ ଇଂରାଜୀ ପଢାଇଲେ ଏହା ତାଙ୍କ ଉପରେ କିଛି ପ୍ରଭାବ ପକାଇବନି । ଏଥିରୁ ପିଲାମାନେ ଆବଶ୍ୟକ ଲାଭ ବି ପାଇବେନି । ଏଥିପାଇଁ ପିଲାଙ୍କ ପାଇଁ କିଛି ଅଧିକ ପ୍ରଭାବଶାଳୀ ହେଉଥିବା କାମ କରିବାକୁ ସେ ଚିନ୍ତା କଲେ ।

ପିଲାଙ୍କୁ ଭାଷା, ବିଶେଷ କରି ଇଂରାଜୀ ପଢାଇବାକୁ ବର୍ଷା କାହିଁକି ଭାବିଲେ? ଏ ବିଷୟରେ ସେ କୁହନ୍ତି, ସବୁ ବିଷୟ ପଢିବାକୁ ବା ଜାଣିବାକୁ ହେଲେ ଭାଷା ଏକ ମାଧ୍ୟମ । ଆଉ ବାକି ରହିଲା ଇଂରାଜୀ । ଏହାର ଉଦାହରଣ ଦେଇ ସେ କୁହନ୍ତି, ୪ର୍ଥ ଷ୍ଟାଣ୍ଡାଣ୍ଡରେ ପଢୁଥିବା ଜଣେ ଛାତ୍ର ଗଣିତରେ ଭଲ କରୁଛି । ହେଲେ ବହିରେ ଇଂରାଜୀରେ ଲେଖା ହୋଇଥିବା ଗଣିତ ପ୍ରଶ୍ନକୁ ଠିକ୍ରେ ବୁଝିପାରୁନି । ଏଥିପାଇଁ ଗଣିତ ଜ୍ଞାନ ଥିଲେ ବି ସେ ଏହାକୁ ସମାଧାନ କରିବାରେ ସଫଳ ହୁଏନି । ଖାସ୍ ଏଇ ସମସ୍ୟା ପାଇଁ ବହୁ ପିଲା ଗଣିତର ପ୍ରଶ୍ନକୁ ଘୋଷି ମନେ ରଖିବା ଭଳି କରନ୍ତି, ହେଲେ ପ୍ରଶ୍ନକୁ ବୁଝନ୍ତନି । ଆଉ ଏବେ ପ୍ରାୟ ସବୁ ଜାଗାରେ ଇଂରାଜୀ ଗୁରୁତ୍ୱ ସ୍ଥାନ ନେଇଛି। ବହୁ ଅଭିଭାବକ,ଏମିତିକି କମ୍ ରୋଜଗାର କରୁଥିବା ଅଭିଭାବକମାନେ ମଧ୍ୟ ସେମାନଙ୍କ ପିଲାଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲକୁ ପଢିବା ପାଇଁ ପଠାଉଛନ୍ତି । ଏହାଦ୍ୱାରା ସେମାନଙ୍କ ପିଲାଙ୍କ କ୍ୟାରିଅର ଭଲ ହେବ ଓ ସେମାନେ ଭବିଷ୍ୟତରେ କିଛି କରି ଦେଖାଇବେ ବୋଲି ଅଭିଭାବକମାନେ ଆଶା ରଖୁଛନ୍ତି । ହେଲେ ପିଲାମାନେ ସ୍କୁଲ ଛାଡି ଘରକୁ ଯିବା ପରେ ପୁଣି ସେମାନଙ୍କ ମାତୃଭାଷାରେ କଥାବାର୍ତ୍ତା କରିବା ଆରମ୍ଭ କରନ୍ତି । ଫଳରେ ସେମାନଙ୍କ ଇଂରାଜୀ ଶିଖିବା କେବଳ ସ୍କୁଲର ଚାରିକାନ୍ଥ ଭିତରେ ସୀମିତ ହୋଇଯାଏ ।

ବର୍ଷାଙ୍କ କହିବା କଥା, ଭାଷା ଓ ଶବ୍ଦ ହେଉଛି ସବୁଠୁ ବଡ ଶକ୍ତି । ଏହି ଦୁଇଟି ଜିନିଷକୁ ହଜମ କରିବାକୁ ବହୁ ଛୋଟ ପିଲା କଷ୍ଟ ମନେ କରୁଛନ୍ତି । ଏହାକୁ ଦୂର କରିବାକୁ କିଛି କରିବାକୁ ବାରମ୍ବାର ଭାବୁଥିଲେ ବର୍ଷା ।

ଆହୁରି ମଧ୍ୟ ବହିକୁ ପିଲାଙ୍କ ଉଜ୍ଜଳ ଭବିିଷ୍ୟତ ପାଇଁ ଏକ ପ୍ରମୁଖ ଅସ୍ତ୍ର ବୋଲି ମନେ କରୁଥିଲେ ବର୍ଷା । ତାଙ୍କ ଅନୁସାରେ, ବହୁ ସମୟରେ ଲାଇବ୍ରେରୀରେ ଥିବା ଅନେକ ବହି ପିଲାଙ୍କ ବ୍ୟବହାରରେ ଲାଗେନି । ଏହି ବହିଗୁଡିକ ପିଲାଙ୍କ ପସନ୍ଦ ସହ ମିଶେନି । ଏଥିପାଇଁ ଏହି ଉପରେ ମଧ୍ୟ ଭବିଷ୍ୟତରେ କାମ କରିବାକୁ ସେ ଇଚ୍ଛା କଲେ । ତେବେ ଏହା ଉପରେ କାମ କରିବାକୁ ତାଙ୍କୁ ଏକ ସୁଯୋଗ ମିଳିଲା । ଏହି କାମ ପାଇଁ ୩ ଜଣ ସ୍ୱେଚ୍ଛାସେବୀ ଆବଶ୍ୟକ ହେଲା । ପରେ ତାଙ୍କ ସହ ପ୍ରିୟଙ୍କା ଓ ରାଜୁ ନାମକ ୨ଜଣ ଯୋଗ ଦେଲେ । ସେମାନେ ଦିଲ୍ଲୀରେ ଥିବା କୁଟୁମ୍ବ ଫାଉଣ୍ଡେସନ୍ ନାମକ ଏକ ସଂସ୍ଥା ସହ ଯୋଡି ହେଲେ । ସେହିପରି କିଛି ପୂର୍ବତନ ଶିକ୍ଷକମାନଙ୍କ ଦ୍ୱାରା ଚାଲିଥିବା ୨ଟି କମ୍ୟୁନିଟି ସେଣ୍ଟର ସହ ସେମାନେ ମିଶି କାମ କଲେ । ୨୦୧୪ରେ ସେମାନେ ତାଙ୍କ କାମ ଆରମ୍ଭ କଲେ । ପିଲାମାନେ ମୂଳରୁ ନିଜ ମାତୃଭାଷା କହୁଥିବାରୁ ଇଂରାଜୀ ସେମାନଙ୍କ ପାଇଁ ସାମାନ୍ୟ କଷ୍ଟ ହେଉଥିଲା । ଏଥିପାଇଁ କିଛି ସହଜ ପୁସ୍ତକ ଓ ଗପ ମାଧ୍ୟମରେ ଇଂରାଜୀକୁ ସେମାନଙ୍କୁ ଶିଖାଇବାକୁ ଉଦ୍ୟମ କରାଗଲା । ପୁସ୍ତକ ମାଧ୍ୟମରେ ସେମାନେ ପିଲାଙ୍କୁ ସହଜରେ ଇଂରାଜୀ ପଢାଇବାକୁ ଲାଗିଲେ ।

ସେହିପରି ଏହି ‘Wordsworth Project’ ରେ ସ୍ୱେଚ୍ଛାସେବୀମାନେ ପିଲାଙ୍କୁ କିପରି ସହଜରେ ଇଂରାଜୀ ପଢାଇବେ, ସେଥିପାଇଁ ନିର୍ଦ୍ଧିଷ୍ଟ ପ୍ରଶିକ୍ଷଣ ଦିଆଯାଇଥିଲା । ପିଲାମାନେ ଏହାକୁ କେତେ ମାତ୍ରାରେ ଗ୍ରହଣ କରୁଛନ୍ତି, ତାକୁ ସେମାନେ ପରୀକ୍ଷା କରୁଥିଲେ । ତେବେ ଏହି ଅଭିଯାନ ଆଗକୁ ଚାଲିବା ବାବଦରେ ବର୍ଷା ମତ ଦେଇ କୁହନ୍ତି, ଅଭିଯାନକୁ ଆଗକୁ ନେବାକୁ ହେଲେ ଆର୍ଥିକ ଦୃଷ୍ଟିରୁ କିଛି ଆୟ ବ୍ୟବସ୍ଥା ଆବଶ୍ୟକ । ଏଥିପାଇଁ କୌଣସି ସୁତ୍ରରୁ ବାରମ୍ବାର କିଛି ଗ୍ରାଣ୍ଟ୍ ମିଳିବା ଜରୁରୀ । ସେହିପରି ପୂର୍ବରୁ ଥିବା ବ୍ୟବସ୍ଥା ସହ ଆଉ ଅଧିକ ସ୍ଥାନରେ ଏହାକୁ ଚଲାଇବାକୁ ପଡିବ । ସେହପରି ଅନ୍ୟମାନଙ୍କୁ ‘Wordsworth Project’ ଅଭିଯାନ ବିଷୟରେ ଜଣାଇଲେ ସେମାନେ ନିଜ ଅଞ୍ଚଳରେ ପିଲାଙ୍କ ପାଇଁ ଏମିତି ସହଜ ଶିକ୍ଷଣୀୟ କାମ ଆରମ୍ଭ କରିବେ ।