ସାମାଜିକ ଉଦ୍ଯୋଗ ପାଇଁ ଟ୍ରେନ ଯାତ୍ରା, ଜାଗୃତି ଯାତ୍ରା
Tuesday January 03, 2017,
4 min Read
ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରାରୁ ପ୍ରେରଣା ନେଇ ଆରମ୍ଭ ହେଇଛି ୧୫ ଦିନିଆ ଜାଗୃତି ଯାତ୍ରା। ୮୦୦୦ କିଲୋମିଟରର ଦୂରତା ଅତିକ୍ରମ କରିବାକୁ ଯାଉଥିବା ଏହି ଟ୍ରେନ ଯାତ୍ରା ଦେଶରେ ସାମାଜିକ ଉଦ୍ଯୋଗକୁ ପ୍ରୋତ୍ସାହନ ଦେବାର ଆଭିମୁଖ୍ୟ ନେଇ ଆରମ୍ଭ ହେଇଛି।
ଜାଗୃତି ଯାତ୍ରାର ନବମ ସଂସ୍କରଣ ବଡ଼ଦିନର ପୂର୍ବଦିନରୁ ମୁମ୍ବାଇ ଠାରେ ଆରମ୍ଭ ହେଇଛି। ଏଥିରେ ଯାତ୍ରା କରୁଥିବା ୪୮୦ ଜଣ ଯାତ୍ରୀ ଦେଶର କୋଣ ଅନୁକୋଣରୁ ଆସି ଏଥିରେ ସାମିଲ ହେଇଛନ୍ତି। ଏମାନଙ୍କର ଚୟନ ୧୨,୦୦୦ ପଞ୍ଜୀକରଣ ଏବଂ ୨୫୦୦ ଦରଖାସ୍ତ ମଧ୍ୟରୁ ହୋଇଛି। ସମସ୍ତ ଅଂଶଗ୍ରହଣକାରୀ ମାନେ ଆମ ଦେଶର ୨୭ଟି ରାଜ୍ୟ ତଥା ୪୬ଟି ବାହାର ଦେଶରୁ ଆସିଛନ୍ତି। ଏଥିରୁ ୩୩ ପ୍ରତିଶତ ଗ୍ରାମୀଣ ଭାରତରୁ ଆସିଥିବା ବେଳେ ୩୬ ପ୍ରତିଶତ ସେମି-ଅର୍ବାନ ଅଞ୍ଚଳରୁ ଆସିଛନ୍ତି। ପ୍ରାୟ ୪୦ ପ୍ରତିଶତ ଯାତ୍ରୀ ହେଉଛନ୍ତି ମହିଳା।
ଏହି ଯାତ୍ରୀ ମାନଙ୍କ ସହ ତାଙ୍କର ପଥପ୍ରଦର୍ଶକ ମାନେ ଅଛନ୍ତି ଯେଉଁମାନେ ସାମାଜିକ ଉଦ୍ଯୋଗ ମଧ୍ୟରେ ଥିବା ବିଭିନ୍ନ କ୍ଷେତ୍ର ଯେପରିକି ସ୍ୱାସ୍ଥ୍ୟ, କୃଷି, ଶକ୍ତି, ଶିକ୍ଷା, ଜଳ ଓ ସ୍ବଚ୍ଛତା ଇତ୍ୟାଦିରେ ଥିବା ଆବଶ୍ୟକ ଓ ସୁଯୋଗ ସମ୍ପର୍କରେ ତାଙ୍କୁ ବୁଝାଇବେ। ଜାଗୃତି ସେବା ସଂସ୍ଥାନର ଚେୟାରମ୍ଯାନ ଶ୍ରୀ ଶଶାଙ୍କ ମଣି ତ୍ରିପାଠୀ କୁହନ୍ତି,
ଉଦ୍ଯୋଗ ଯୋଗେ ଭାରତ ନିର୍ମାଣ ପ୍ରୟାସ କରିବା ପାଇଁ ବର୍ତ୍ତମାନର ସମୟ ଅପେକ୍ଷା ଆଉ ଭଲ ସମୟ ନାହିଁ। ଭାରତର ୭୦ତମ ସ୍ଵାଧୀନତା ଦିବସ ଯେତେ ପାଖେଇ ଆସୁଛି ଆମର ଏଇ ଆନ୍ଦୋଳନର ଆକାର ବଢେଇବାର ସେତେ ଜରୁରୀ ହେଇପଡ଼ିଛି।
କାର୍ଯ୍ୟକ୍ରମ ଚିଠା
୧୫ ଦିନର ଏହି ଯାତ୍ରା ମଧ୍ୟରେ ଟ୍ରେନଟି ଦେଶର ୧୨ଟି ଛୋଟବଡ଼ ସହର ମାନଙ୍କରେ ଅଟକିବ – ମୁମ୍ବାଇ, ହୁବଳି, ବେଙ୍ଗାଲୁରୁ, ମଦୁରାଇ, ଚେନ୍ନାଇ, ବିଶାଖାପାଟଣା, ଭୁବନେଶ୍ବର, ନାଳନ୍ଦା, ଦେଓରିଆ, ଦିଲ୍ଲୀ, ତିଳୋନିଆ ଓ ଅହମଦାବାଦ।
ଏହି ସମୟ ମଧ୍ୟରେ ଯାତ୍ରୀ ମାନେ ସାମାଜିକ ଉଦ୍ଯୋଗ କ୍ଷେତ୍ରରେ ଥିବା କିଛି ବଡ଼ ବ୍ୟକ୍ତିତ୍ବଙ୍କ ସହ ମିଶିବାର ସୁଯୋଗ ପାଇବେ। ଏହି ବ୍ୟକ୍ତିତ୍ବ ମାନଙ୍କ ମଧ୍ୟରେ Goonjର ଅଂଶୁ ଗୁପ୍ତା ଓ ଗ୍ରାମ ବିକାଶର ଜୋ ମାଡିୟାଥ ଅନ୍ଯତମ। ବ୍ୟକ୍ତିଗତ ଭାବେ ଆଲୋଚନା ସହ ପାନେଲ ଚର୍ଚ୍ଚା ମାଧ୍ୟମରେ ଯାତ୍ରୀ ମାନେ ସେମାନଙ୍କ ସହ କଥାବାର୍ତ୍ତା ହେଇପାରିବେ। ଭାରତ ସାମନା କରୁଥିବା ତୃଣମୂଳ ସ୍ତରର ସମସ୍ଯା ଓ ତାର ସମାଧାନ କିପରି ଭାବେ ହେବ ସେ ସମ୍ବନ୍ଧରେ ଜାଣିବାକୁ ମିଳିବ।
“ଆମେ ଏକ ଯୁବା ରାଷ୍ଟ୍ର ଏବଂ ଜନସାଂଖ୍ୟିକ ଦୃଷ୍ଟିକୋଣରୁ ଫାଇଦାର ସ୍ଥିତିରେ ଅଛୁ। ଦେଶର ବିକାଶ ପାଇଁ ଆଗାମୀ ୨୦ ବର୍ଷ ଖୁବ ଗୁରୁତ୍ତ୍ୱପୂର୍ଣ୍ଣ।
ଟ୍ରେନଯାତ୍ରା ସମୟରେ ଯାତ୍ରୀ ମାନେ ‘ବିଜ ଜ୍ଞାନ ଟ୍ରୀ’(Biz Gyan Tree) ନାମକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏଥିରେ ଉଦ୍ଯୋଗ ଓ ବ୍ୟବସାୟ ପାଇଁ ଯୋଜନା କିପରି ଭାବେ କରିବେ ଓ ତୃଣମୂଳ ସ୍ତରରେ ନିହିତ ଥିବା ସୂକ୍ଷ୍ମ ବିଷୟ ସମ୍ପର୍କରେ ବିଶେଷଜ୍ଞ ମାନଙ୍କ ଠାରୁ ମାର୍ଗଦର୍ଶନ ପାଇପାରିବେ।
ଉତ୍ତରପ୍ରଦେଶର ଦେଓରିଆ ଅଞ୍ଚଳରେ ଥିବା ବରପାର ନାମକ ଏକ ଗାଁରେ ପହଞ୍ଚିବା ପରେ ଅଂଶଗ୍ରହଣକାରୀ ମାନେ ବିଶେଷଜ୍ଞ ମାନଙ୍କର ଏକ ଜୁରୀ ପ୍ଯାନେଲ ସମ୍ମୁଖରେ ନିଜ ନିଜର ବ୍ୟବସାୟ ଯୋଜନା ପ୍ରଦର୍ଶନ କରିବେ। ଏଥିରେ ମନୋନୀତ ଦଳ ମାନେ ଦେଓରିଆ ଠାରେ ଆସନ୍ତା ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଥିବା ଏକ ୧୦ ଦିନିଆ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ।
ପ୍ରଥମ ଥର ପାଇଁ ଜାଗୃତି ସଂସ୍ଥାନ ଜାଗୃତି ଉଦ୍ଯୋଗ ମେଳା ନାମରେ ଏକ ମେଳା ଆୟୋଜନ କରିବାକୁ ଯାଉଛି ଯେଉଁଥିରେ ସାମାଜିକ ବିକାଶ କ୍ଷେତ୍ରରେ କାର୍ଯ୍ୟରତ ୬୫ଟି ଉଦ୍ଯୋଗ ଭାଗ ନେଇ ନିଜ ନିଜ କାମକୁ ପ୍ରଦର୍ଶନ କରିବେ। ଅଂଶଗ୍ରହଣକାରୀ ମାନେ ବେଙ୍ଗାଲୁରୁ ପହଞ୍ଚିବା ସମୟରେ ଏହି ମେଳାରେ ଭାଗ ନେବେ।
ଏକ ସାମାଜିକ ଆନ୍ଦୋଳନର ଆରମ୍ଭ
୩୭୦୦ରୁ ଊର୍ଦ୍ଧ୍ଵ ପ୍ରାକ୍ତନ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ଏ ବର୍ଷ ବୃଦ୍ଧି ପାଇ ୪୨୦୦ରେ ପହଞ୍ଚିବାର ସମ୍ଭାବନା ଅଛି। ସାମାଜିକ ଉନ୍ନତି ପାଇଁ କାମ କରୁଥିବା ଏବଂ ଏଥିସହ ଜଡ଼ିତ ବ୍ୟକ୍ତିଙ୍କର ଏକ ବିଶାଳ ନେଟୱର୍କ ତିଆରି କରିବାରେ ଜାଗୃତି ସକ୍ଷମ ହେଇଛି। ଅତୀତରେ ହେଇଥିବା ଜାଗୃତି ଯାତ୍ରାରେ ଭାଗ ନେଇଥିବା ଯାତ୍ରୀଙ୍କ ମଧ୍ୟରୁ ୬୦୦ ଜଣ ନିଜର ସାମାଜିକ ଉଦ୍ଯୋଗ ଆରମ୍ଭ କରିସାରିଲେଣି। ଜାଗୃତିର ନିର୍ବାହୀ ପରିଚାଳକ, ଆଶୁତୋଷ କୁମାର କୁହନ୍ତି,
ଭାରତର କୋଣ ଅନୁକୋଣରୁ ଆସିଥିବା ଏହି ଅଗ୍ରଦୂତ ମାନେ ‘ମଧ୍ୟ ଭାରତ’ – (ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ଅଞ୍ଚଳ)କୁ ରୂପାନ୍ତର କରିବା ଆରମ୍ଭ କରିସାରିଛନ୍ତି। ପରସ୍ପର ସହ ହାତ ମିଳାଇ ଏହି ପରିବର୍ତ୍ତନ ଆରମ୍ଭ ହେଇଛି। ଦେଶ ନିର୍ମାଣର ଏହି ମୁଖିଆ ମାନଙ୍କର ନେଟୱର୍କ ଆଜି ଜାଗୃତି ପାଇଁ ଏକ ମୂଲ୍ୟବାନ ସମ୍ପଦ।
ମେଟ୍ରୋ ସହର ବାହାରେ ଥିବା ଏଇ ଇନକୁବେଟର
ଭାରତର ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ଜିଲ୍ଲା ଓ ସହର ମାନଙ୍କରେ ଜାଗୃତି, ଜାଗୃତି ଉଦ୍ଯୋଗ କେନ୍ଦ୍ର ନାମରେ ଏକ କ୍ୟାମ୍ପସ ଓ ଇମ୍ପାକ୍ଟ ସେଣ୍ଟର ଖୋଲିଛି। ବଜାର ସହ ସମ୍ପର୍କ, ଉଦ୍ଯୋଗ ପାଇଁ ତାଲିମ ଏବଂ ପାଣ୍ଠି ସଂଗ୍ରହର ସୁବିଧାରଲକ୍ଷ୍ୟ ନେଇ ଏହି ଉଦ୍ଯୋଗ କେନ୍ଦ୍ର ଆରମ୍ଭ ହେଇଛି।
ଉତ୍ତର ପ୍ରଦେଶର ପୂର୍ବାଞ୍ଚଳରେ ଏହି ଉଦ୍ଯୋଗ କେନ୍ଦ୍ର ତା’ର କାମ ଆରମ୍ଭ କରିସାରିଲାଣି। ଏଥିରେ ୨୮ଟି ଜିଲ୍ଲା ଆସୁଛନ୍ତି। ବର୍ତ୍ତମାନ ଏଠାରେ ଛ’ ଟି ଷ୍ଟାର୍ଟଅପକୁ ସହାୟତା ଦିଆଯାଇଛି। ଦେଓରିଆର ଜଣେ ମହିଳା, ପୂଜା ଶାହି ଜାଗୃତିର ମାର୍ଗଦର୍ଶନ ନେଇ କିଛିଦିନ ତଳେ ମୁମ୍ବାଇ ଯାଇଛନ୍ତି। ସେ ସେଠାରେ ଦେଓରିଆ ଡିଜାଇନ ନାମରେ ଏକ ସାମାଜିକ ଉଦ୍ଯୋଗ ଆରମ୍ଭ କରିଛନ୍ତି। ସେ କୁହନ୍ତି,
ଜାଗୃତି ଯାତ୍ରା ମୋ ଜୀବନକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଛି। ସବୁ ଗାଁରେ ଲୁଚି ରହିଥିବା ଏମିତି ଅନେକ ପୂଜାଙ୍କୁ କେବଳ ଜାଗୃତି କେନ୍ଦ୍ର ହିଁ ଖୋଜି ପାରିବ। ଜାଗୃତି ନେଟୱର୍କ ଜରିଆରେ ମୁ ମୁମ୍ବାଇରେ ଥିବା ଜଣେ ବ୍ୟବସାୟିକ ପାର୍ଟନରଙ୍କୁ ଖୋଜି ପାଇଲି ଯିଏ ମୋର ପରିକଳ୍ପନାକୁ ରୂପ ଦେବା ପାଇଁ ସମ୍ବଳ ଯୋଗାଇଲେ। ଆଜି ପୂର୍ବାଞ୍ଚଳର ଲୋକଙ୍କ ପାଇଁ ଜାଗୃତି ଯାହା କରୁଛି ଆଉ କେହି କେବେ କରି ପାରିନଥିଲେ।