ଅଜଣା ହ୍ୱିସଲବ୍ଲୋୟର୍ : ଗୋଟିଏ ଫୋନ୍ କଲ୍ ରେ ରୋକିଲେ ବାଲ୍ୟ ବିବାହ

ଅଜଣା ହ୍ୱିସଲବ୍ଲୋୟର୍ : ଗୋଟିଏ ଫୋନ୍ କଲ୍ ରେ ରୋକିଲେ ବାଲ୍ୟ ବିବାହ

Friday March 11, 2016,

3 min Read

ବାଲ୍ୟ ବିବାହ କେବଳ ଏକ ସାମାଜିକ କଳଙ୍କ ନୁହେଁ, ଏହା ଦଣ୍ଡନୀୟ ଅପରାଧ | ଏହାକୁ ରୋକିବା ପାଇଁ କଡାକଡି ଆଇନ ଅଛି | ତଥାପି କେତେକ ଅଂଚଳରେ ଏପରି ବିବାହ ଝିଅମାନଙ୍କର ଜୀବନକୁ ନଷ୍ଟ କରିଦେଉଛି | ଅପରିପକ୍ୱ ବୟସରେ ବିବାହ ଯୋଗୁଁ ଝିଅମାନଙ୍କ ସ୍ୱାସ୍ଥ୍ୟରେ ଅବନତି ହେବା ସହ ତାଙ୍କ ଠାରୁ ସୃଷ୍ଟି ହେଉଥିବା ସନ୍ତାନ ସନ୍ତତି ମଧ୍ୟ ଦୁର୍ବଳ ଓ ରୋଗୀଣା ହେଉଛନ୍ତି | ଯାହା ଦେଶ ପାଇଁ ଏକ ଶୁଭଙ୍କର ନୁହେଁ| ତେଣୁ ବାଲ୍ୟ ବିବାହକୁ ରୋକିବା ପାଇଁ ସରକାର ଓ ବିଭିନ୍ନ ସ୍ୱଂୟସେବୀ ସଂସ୍ଥା କାମ କରୁଛନ୍ତି | କୌଣସି ୧୮ ବର୍ଷରୁ କମ୍ ବୟସର ଝିଅ ବାହା ହେଉଥିବା ଦେଖିଲେ ଆପଣ ସିଧା ଶିଶୁ ମଙ୍ଗଳ ସମିତି, ଚାଇଲ୍ଡ ଲାଇନ୍ କିମ୍ବା ଥାନାକୁ ଫୋନ୍ କରି ଜଣାଇପାରିବେ | ସେମାନେ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଉଛନ୍ତି | ଏଇ ନିକଟରେ ପୁରୀ ଜିଲ୍ଲାରେ ଜଣେ ଅଜଣା ବ୍ୟକ୍ତି ଶିଶୁ ମଙ୍ଗଳ ସମିତିକୁ ଫୋନ୍ କରି ଏକ ବାଲ୍ୟ ବିବାହକୁ ରୋକି ପାରିଛନ୍ତି | ଏବଂ ଜଣେ ଝିଅ ବେଆଇନ୍ କାର୍ଯ୍ୟ କବଳରୁ ବର୍ତ୍ତି ଯାଇଛନ୍ତି |

image


ସାରା ଦେଶରେ ମାର୍ଚ୍ଚ ୭ ରେ ଆନ୍ତର୍ଜାତିକ ମହିଳା ଦିବସ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୁରୀରେ ବାଲ୍ୟ ବିବାହ ଉଦ୍ୟମ ବିଷୟରେ ଶିଶୁ ମଙ୍ଗଳ ସମିତି ଖବର ପାଇଥିଲା | ପୁରୀ ସହର ଚକ୍ରତୀର୍ଥ ରୋଡ୍ ଅଂଚଳରେ ରହୁଥିବା ଜଣେ ପରିବାର ଆର୍ଥିକ ଅନାଟନ ଯୋଗୁଁ ସପ୍ତମ ଶ୍ରେଣୀରେ ପଢୁଥିବା ନିଜର ଝିଅ ମାମିନା(ଛଦ୍ମନାମ)କୁ ବାହା କରିବା ପାଇଁ ସ୍ଥିର କରିଥିଲେ | ମାମିନାର ବୟସ ୧୩ ବର୍ଷରୁ କମ୍ ହେବ | ବାଲିସାହିରେ ଜଣେ ଯୁବକଙ୍କ ସହ ତାଙ୍କ ବିବାହ ସ୍ଥିର କରାଯାଇଥିଲା | ସେହିଅନୁସାରେ ମାର୍ଚ୍ଚ ୨ ତାରିଖରେ ମଙ୍ଗଳକୃତ୍ୟ ଓ ୩ ତାରିଖରେ ବିବାହ ହେବାକୁ ସବୁ ଯୋଜନା ଶେଷ ହୋଇଥିଲା | ୨ ତାରିଖ ରାତିରେ ଜଣେ ବ୍ୟକ୍ତି ଏହି ବେଆଇନ କାର୍ଯ୍ୟକଳାପ ବିରୋଧରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କୁ ଫୋନ୍ ରେ ସୂଚନା ଦେଇଥିଲେ | ୩ ତାରିଖ ଦିନ ମାମିନାଙ୍କ ବିବାହ ପିକେଡିଏ କାର୍ଯ୍ୟାଳୟ ପଛପଟେ ଅବକାରୀ ବାରାକ୍ ପରିସରରେ ଥିବା ରାମେଶ୍ୱର ମହାଦେବ ମନ୍ଦିରରେ ଅନୁଷ୍ଠିତ ହୋଇଥାନ୍ତା | 

ଏହା ବିରୋଧରେ ତୁରନ୍ତ ପଦକ୍ଷପ ନେବା ଲାଗି ପୁରୀ ଏସ୍.ପି, ସିଡିପିଓ ଓ ଚାଇଲ୍ଡ ଲାଇନ୍ କୁ ନିର୍ଦ୍ଦେଶ ଦେଇଥିଲେ | ଚାଇଲ୍ଡ ଲାଇନ୍ ର କର୍ମକର୍ତ୍ତାମାନେ ସେହିଦିନ ତୁରନ୍ତ ଝିଅ ପରିବାରକୁ ଯାଇ ସେଠାରୁ ତାଙ୍କୁ ଉଦ୍ଧାର କରି ଆଣିଥିଲେ | ଯାହା ଫଳରେ ବିବାହ ଉତ୍ସବ ହୋଇପାରିନଥିଲା । ଏବେ ଝିଅଟିକୁ ଏକ ବାଳାଶ୍ରମରେ ରଖାଯାଇଛି |

image


ସେ କହିଛନ୍ତି,

ବାପା ବିବାହ ଠିକ୍ କରିଥିଲେ | ମୋତେ ପଚରାଯାଇନଥିଲା | ମୁଁ ପଢିବାକୁ ଚାହୁଁଥିଲେ ମଧ୍ୟ ଭଲ ପ୍ରସ୍ତାବ ଆସିଛି ବୋଲି କହି ବିବାହ କରିବାକୁ କୁହାଗଲା | ମୁଁ କିଛି ଚିନ୍ତା କରି ପାରୁନଥିଲି |

ଏବେ ଏହି ବାଳିକାଙ୍କୁ ଏତେ କମ୍ ବୟସରେ ବିବାହ କରାଇଥିବା ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ପୁଲିସ୍ | ଏ ସମ୍ପର୍କରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କହନ୍ତି,

image


ଆମେ ଅଭିଯୋଗ ପାଇଲା ପରେ ତୁରନ୍ତ ପଦକ୍ଷେପ ନେଲୁ | ସେଇଥି ପାଇଁ ଏଭଳି ଏକ ବାଲ୍ୟ ବିବାହକୁ ରୋକାଯାଇପରିଲା | ଚାଇଲ୍ଡ ଲାଇନ୍ କର୍ମକର୍ତ୍ତାମାନେ ମଧ୍ୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରିଛନ୍ତି | ଫୋନ୍ କରିଥିବା ଲୋକ ଯୋଗୁଁ ହିଁ ଏହା ହୋଇପାରିଲା । ବାଲ୍ୟ ବିବାହ ବିରୋଧରେ ସମସ୍ତେ ସ୍ୱର ଉଠାଇବା ଦରକାର ।

ପୁରୀ ଭଳି ସହରାଂଚଳରେ ଏଭଳି ବେଆଇନ କାର୍ଯ୍ୟ ହେବା ସମସ୍ତଙ୍କୁ ଚକିତ କରିଦେଇଥିଲା | ଚାଇଲ୍ଡ ଲାଇନ୍ ର ନିର୍ଦ୍ଦେଶକ ଦେବାଶିଷ ରଥ କହନ୍ତି,

ଆମେ ଝିଅର ଘରକୁ ଗଲା ପରେ ସେଠାରେ ଦେଖିଲୁ ଯେ ଅଭିଯୋଗରେ ସତ୍ୟତା ରହିଛି | ତା ପରେ ସିଡିପିଓଙ୍କୁ କହି ସ୍କୁଲରୁ ଜନ୍ମ ତାରିଖ ଅଣାଗଲା | ସେଥିରୁ ଜଣାପଡିଲା ଝିଅଟି ୧୩/୧୪ ବର୍ଷର | ତାପରେ ଆମେ ତାକୁ ଉଦ୍ଧାର କରି ବାଳାଶ୍ରମରେ ଛାଡିଲୁ |

ଏହି ବିବାହ ହେବ ବୋଲି ସମସ୍ତଙ୍କୁ ଜଣାଥିଲା | ଏଥିପାଇଁ ନିମନ୍ତ୍ରଣ କାର୍ଡ ବଣ୍ଟାଯାଇଥିଲା | ସାହି ପଡିଶା ସମସ୍ତେ ଜାଣିଥିଲେ | ଏଭଳିକି ଝିଅଟି ଯେଉଁ ସ୍କୁଲରେ ପଢୁଥିଲା, ସେଠାକାର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଏକଥା ଜାଣି ଥିଲେ | ହେଲେ କେହି ଏହା ବିରୋଧରେ ପାଟି ଖୋଲି ନଥିଲେ | ସମାଜରେ ଝିଅକୁ ଯେ ଏବେ ଏକ ବୋଝ ବୋଲି ପରିଗଣିତ କରାଯାଉଛି ଓ ତା’ର ବିବାହ ଯେତେଶୀଘ୍ର କରିଦେଲେ ବୋଝ ଯିବ ବୋଲି ପରିବାର ଲୋକ କାହିଁକି ଅଧିକାଂଶ ଶୁଭେଚ୍ଛୁ ମଧ୍ୟ ଚିନ୍ତା କରୁଛନ୍ତି | ଏହି ଘଟଣାରେ ମଧ୍ୟ ସେୟା ହୋଇଥିଲା | ତେବେ ଧନ୍ୟବାଦ ଦେବାକୁ ହେବ ସେହି ଅଜଣା ହ୍ୱିସିଲବ୍ଲୋୟରଙ୍କୁ ଯିଏ ଏହି ବେଆଇନ ଓ ସମାଜର ଏକ କଦର୍ଯ୍ୟ ପ୍ରଥା ବାଲ୍ୟବିବାହ ଉପରେ ସ୍ୱର ଉଠାଇଥିଲେ | ଯାହା ଫଳରେ ବାଲ୍ୟ ବିବାହକୁ ରୋକାଯାଇପାରିଛି | ପୁରୀରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି |