ଆସିକାରୁ ବଲିଉଡ଼୍: ସୁକାନ୍ତଙ୍କ ଲମ୍ବା ସଂଘର୍ଷ ଓ ସଫଳତାର କାହାଣୀ

ଆସିକାରୁ ବଲିଉଡ଼୍: ସୁକାନ୍ତଙ୍କ ଲମ୍ବା ସଂଘର୍ଷ ଓ ସଫଳତାର କାହାଣୀ

Wednesday April 20, 2016,

3 min Read

ଲମ୍ବା ସଂଘର୍ଷ । ଅନ୍ତହୀନ ଯାତ୍ରା । ପାଦେ ପାଦେ ଜୀବନ ସହ ଲଢେଇ । କିନ୍ତୁ ସେଇ ଲଢେଇରେ କେବେ ହାରି ଯାଇ ନଥିଲେ ସୁକାନ୍ତ ପାଣିଗ୍ରାହୀ। ଆଉ ଯେତେବେଳେ ସଫଳତା ଆସିଲା, ସେତେବେଳେ ସିଧା ଶୀର୍ଷରେ ପହଂଚିଗଲେ ସୁକାନ୍ତ । ଓଡ଼ିଶାର ଆସିକାରୁ ଯାଇ ବଲିଉଡ଼ରେ ଏବେ ସେ ପ୍ରସିଦ୍ଧ କଳା ନିର୍ଦ୍ଦେଶକ ।

PC: Facebook

PC: Facebook


‘ଫନା’ ସିନେମାର ସ୍ୱପ୍ନ ପରି ରୋମାନ୍ସ ସିନ୍ ହେଉ କିମ୍ବା ‘ନୋ ୱାନ କିଲ୍ଡ ଜେସିକା’ର ଭୟାନକ ମର୍ଡ଼ର ସିନ୍ - ସବୁଥିରେ ସୁକାନ୍ତଙ୍କ ସ୍ୱତନ୍ତ୍ରତା ଆପେ ବାରି ହୋଇଯାଏ । ପ୍ରସିଦ୍ଧି ଯେତିକି ସୁକାନ୍ତଙ୍କ ପାଖ ଛୁଇଁଛି, ସେତିକି ସେ ସରଳ ଓ ମାଟି ସହ ଯୋଡ଼ି ହୋଇ ଯାଇଥିବା ଜୀବନ ଜୀଇଁଛନ୍ତି। ଅନେକ ଜାତୀୟ ଓ ଆନ୍ତର୍ଜାତିକ ସମ୍ମାନ ପାଇଛନ୍ତି ସୁକାନ୍ତ ।

ସୁକାନ୍ତ ପାଣିଗ୍ରାହୀ କାମ କରିଥିବା ବେଶ ଲୋକପ୍ରିୟ ଫିଲ୍ମ ତାଲିକାରେ ରହିଛି - ଗଙ୍ଗାଜଲ, ଚକ୍ ଦେ ଇଣ୍ଡିଆ, ଫିତୁର, ଆଜା ନଚ ଲେ, ଚିଲ୍ଲାର ପାର୍ଟି, ଭେଜା ଫ୍ରାଏ, ତଶନ, ଦିଲ ବୋଲେ ହଡ଼ିପ୍ପା, ଡି-ଡେ ଇତ୍ୟାଦି । ଆଉ ଏଇ ତାଲିକାଟି ସତରେ ବେଶ ଲମ୍ବା । ଭୋପାଳ ଗ୍ୟାସ୍ ଦୁର୍ଘଟଣା ଉପରେ ସେ କାମ କରିଥିବା - ‘Bhopal - A Prayer for Rain’ ତାଙ୍କ ପାଇଁ ସବୁଠାରୁ ସ୍ମରଣୀୟ ଅନୁଭୂତି ବୋଲି ସୁକାନ୍ତ କହନ୍ତି ।

ଓଡ଼ିଶାର ଗଂଜାମର ଆସିକାରେ ଜନ୍ମ ହୋଇଥିବା ସୁକାନ୍ତଙ୍କ ଜୀବନ ବେଶ ସାଧାରଣ ଥିଲା । ସ୍ୱପ୍ନ ପଛରେ ଧାଇଁ ସେ ଅଧାରୁ ପାଠ ଛାଡ଼ି ଭୁବନେଶ୍ୱର ଚାଲି ଆସିଥିଲେ । କାଳେ ଏଇଠି ସ୍ୱପ୍ନ ସାକାର ରୂପ ନେବ ! ବରମୁଣ୍ଡାରେ ରହୁଥିବା ସୁକାନ୍ତ ପ୍ରତିଦିନ ୬ କିଲୋମିଟରରୁ ଅଧିକ ଚାଲି ଚାଲି ଷ୍ଟେସନ ଛକର ସୁରସଙ୍ଗମ ଷ୍ଟୁଡ଼ିଓକୁ ଆସୁଥିଲେ କାମ କରିବାକୁ । ଦରମା ଥିଲା ମାସକୁ ୩୦୦ ଟଙ୍କା । ଆଉ ଭଗବାନଙ୍କ ଲୀଳା ଦେଖନ୍ତୁ- ଯେଉଁଦିନ ସେ ପ୍ରଥମ ଦରମା ପାଇଲେ ତାହା ବି ଚୋରି ହୋଇଗଲା ।

image


ସେ ଦିନ ଗୁଡ଼ିକୁମନେ ପକାଇ ସୁକାନ୍ତ କହନ୍ତି- 

ଏକାଥରେ ମୁଁ ଯାଇ କୋଣାର୍କ ଏକ୍ସପ୍ରେସରେ ବସିଲି ମୁମ୍ବାଇ ଯିବାକୁ । ପାଖରେ ନା ପଇସା ନା ଆଉକିଛି । ଟିଟିଇ ଠାରୁ ଲୁଚି ସହଯାତ୍ରୀଙ୍କ ଚାହା ବିସ୍କୁଟ ଦୟାରେ ମୁଁ ମୁମ୍ବାଇରେ ପାଦ ଥୋଇଥିଲି ।

ମୁମ୍ବାଇରେ ପହଁଚିବା ପରେ ଜୀବନ ସତରେ ଯେମିତି ନର୍କ ପାଲଟି ଯାଇଥିଲା । ଆହୁରି ଦୁର୍ବିସହ ହୋଇ ପଡ଼ିଥିଲା । ଦାଦରରେ ସପୁର ରେଷ୍ଟୁରାଷ୍ଟରେ ସେ କାମ କଲେ । ବଳକା ଖାଦ୍ୟ ଖାଇ ଭଙ୍ଗା ବେଂଚରେ ଶୋଇଲେ । ଏମିତିବି ହୋଇଛି ଅନେକ ରାତିରେ ପୋଲିସ ଆସି ତାଙ୍କୁ ଅଧା ନିଦରୁ ଉଠେଇଛି । ନା କପଡ଼ା ଥିଲା । ହଳେ କି ଦି ହଳ ଜାମା ପେଣ୍ଟ । ତାକୁଇ ପିନ୍ଧି ପାଗଳ ପରିକା ଦେଖାଯିବାକୁ ଲାଗିଲେ ସୁକାନ୍ତ । ଏଇ ସମୟରେ ଜଣେ ଓଡ଼ିଆ ଡାକ୍ତରଙ୍କ ନାମ ଫଳକ ଦେଖି ସେଇଠି ଯାଇ ସାହାଯ୍ୟ ପାଇଁ କବାଟ ବାଡ଼େଇ ଥିଲେ ସୁକାନ୍ତ । ସାହାଯ୍ୟ ମିଳି ନଥିଲା । ଅବଶ୍ୟ ଗେଟ୍ ସାମ୍ନାରେ ବସିଥିବାର ଦେଖି ଡାକ୍ତରଙ୍କ ଭାଇ ବିଶ୍ୱରଂଜନ ତାଙ୍କୁ କପଡ଼ା, ଖାଦ୍ୟ ଓ ଶୋଇବାକୁ ଜାଗା ଦେଇଥିଲେ । ସେହିଁ ଥିଲେ ତାଙ୍କର ପ୍ରଥମ ସାଙ୍ଗ ।

ସିଆଇଡି ଓ ଟିପୁ ସୁଲତାନ ପରି ପ୍ରସିଦ୍ଧ ଟେଲି ସିରିଏଲର କଳା ନିର୍ଦ୍ଦେଶକ ଅଜିତ ପଟ୍ଟନାୟକ ତାଙ୍କୁ ପରେ ନିଜ ସହଯୋଗୀ ଭାବେ ନେଇଥିଲେ । ସୁକାନ୍ତ ସେଇଠି ସବୁ କାମ କରିବା ସହିତ ଝାଡ଼ୁ ମାରିବା ଓ ଟଏଲେଟ ସଫା କରିବା କାମ ବି କରୁଥିଲେ ।

କିନ୍ତୁ ଶର୍ମିଷ୍ଠା ରାୟଙ୍କ ସହ ଦେଖା ମୋ ଜୀବନରେ ବଡ଼ ପରିବର୍ତ୍ତନ ଆଣିଲା । ତାଙ୍କ ସହିତ ସଂପର୍କ ବେଶ ଭଲ ରହିଲା । ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ- ର ପୁରସ୍କାରପ୍ରାପ୍ତ କଳା ନିର୍ଦ୍ଦେଶକ ଥିଲେ ଶର୍ମିଷ୍ଠା । ସାତ ବର୍ଷ ତାଙ୍କ ସହ କାମ କରିବା ଯେମିତି ଟ୍ରେନିଂ ସ୍କୁଲ ପରି ଥିଲା । ମତେ ଭଲ ପଇସା ମିଳିଲା । ସମ୍ମାନ ମିଳିଲା । ଆଉ ଆତ୍ମସମ୍ମାନ ବି ଫେରି ପାଇଲି - କହିଲା ବେଳେ ସୁକାନ୍ତଙ୍କ ମୁହଁରେ ହସ ଫେରିଆସେ ।
image


ପ୍ରସିଦ୍ଧ କଳା ନିର୍ଦ୍ଦେଶକ ଶୁଦ୍ଧେନ୍ଦୁ ରାୟଙ୍କଠାରୁ ସେ ଅନେକ କିଛି ଶିଖିଲେ । ମଲ୍ଟିମିଡ଼ିଆ ଓ ଆନିମେସନ୍ ଉପରେ ଅଧିକ ଶିଖିବା ପାଇଁ ସେ ସେଇଠୁ ଚେନ୍ନାଇ ଗଲେ । ସ୍ୱାଧୀନ ଭାବେ ପ୍ରକାଶ ଝା’ଙ୍କ ପ୍ରସିଦ୍ଧ ଫିଲ୍ମ ‘ଗଙ୍ଗାଜଲ’ ରେ ସେ କଳା ନିର୍ଦ୍ଦେଶକ ଭାବେ କାମ କଲେ । ‘ସେତେବେଳକୁ ମୋତେ ୨୫ ବର୍ଷ । ଆଉ ତାହା ବେଶ ସଫଳତା ପାଇଲା ବୋଲି କହନ୍ତି ସୁକାନ୍ତ ।

image


ସୁକାନ୍ତ ୟଶରାଜ ବ୍ୟାନର୍, ନାଡ଼ିଆଦୱାଲା ଗ୍ରାଣ୍ଡ ସନ୍ସ, ୟୁଟିଭି ମୋସନ ପିକଚର୍ସ ପରି ବଡ଼ ବଡ଼ ବ୍ୟାନରରେ କାମ କରିଛନ୍ତି । ‘ମୁସ୍କାନ’ ବୋଲି ତାଙ୍କର ଗୋଟେ ସଂସ୍ଥା ମଧ୍ୟ ରହିଛି, ଯାହା ରାସ୍ତା କଡ଼ର ପିଲାମାନଙ୍କୁ ମଣିଷ କରିବାରେ ସହାୟକ ହୁଏ । ପ୍ରସିଦ୍ଧି ସତ୍ୱେ ଆଜି ବି ସୁକାନ୍ତ ସେମିତି ସାଧାସିଧା....ସରଳ।