ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କର ମାଟି ପ୍ରତି ମମତା

ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କର ମାଟି ପ୍ରତି ମମତା

Tuesday February 28, 2017,

1 min Read

ମଧ୍ୟପ୍ରାଚ୍ୟ ଦେଶସମୂହ (ୟୁଏଇ)ରେ ରହୁଥିବା ଓଡ଼ିଆମାନେ ଓଡ଼ିଶା ପ୍ରଦେଶ ଗଠନର ୮୦ ବର୍ଷ ପୂର୍ତି ପାଳନ ଅବସରରେ ନିକଟରେ ଦୁଇବାଠାରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରିଥିଲେ। “ଓଡ଼ିଆ ସୋସାଇଟି ଅଫ୍ ୟୁଏଇ’ ଦ୍ୱାରା ଆୟୋଜିତ ଏହି “ଓଡ଼ିଶା ଉତ୍ସବ’ ଦୁବାଇ ସହରର ପ୍ରସିଦ୍ଧ ଏମିରେଟ୍ସ ଥିଏଟରରେ ଆୟୋଜିତ ହୋଇଥିଲା।

image


ଏହି ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲେ ଗଜପତି ଦିବ୍ୟସିଂହ ଦେବ। ସେ ଓଡ଼ିଶା ଉତ୍ସବକୁ ଉଦ୍ଘାଟନ କରିବା ସହ ସ୍କନ୍ଦ ପୁରାଣକୁ ଆଧାରକରି ଶ୍ରୀଜଗନ୍ନାଥ ଏବଂ ଶ୍ରୀମନ୍ଦିରର ଉତ୍ପତି ଓ ପ୍ରତିଷ୍ଠା ଉପରେ ବର୍ଣର୍ନା କରିଥିଲେ। ଗଜପତିଙ୍କ ମୁହଁରୁ ଶ୍ରୀଜଗନ୍ନାଥ ବନ୍ଦନା ଏବଂ ଗୁରୁ ରାମହରି ଦାସଙ୍କ ବିଶେଷ ଭକ୍ତି ଉପସ୍ଥାପନା ପରିବେଶକୁ ଆବେଗମୟ କରିଦେଇଥିଲା।

ଏହି ମଂଚରେ ଗଜପତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ପ୍ରତିଷ୍ଠିତ ଭାରତୀୟ ଡକ୍ଟର ବି. ଆର. ସେଟ୍ଟୀ ଏବଂ ଓଡ଼ିଶା ଉତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରଶେଖର ଖୁଂଟିଆ ପ୍ରମୁଖ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଓଡ଼ିଶାରୁ ଯାଇଥିବା ୧୮ ଜଣିଆ ସାଂସ୍କୃତିକ ଦଳ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ସହ ଓଡ଼ିଶୀ ସଂଗୀତ ଓ ତାଳବାଦ୍ୟ ମାଧ୍ୟମରେ ଉପସ୍ଥିତ ପ୍ରବାସୀ ଦର୍ଶକଙ୍କୁ ମୁଗ୍ଧ କରିଥିଲେ। ଏହି କଳାକାରମାନଙ୍କ ମଧ୍ୟରେ ଆଗଧାଡ଼ିରେ ଥିଲେ ଗୁରୁ ରାମହରି ଦାସ, ଗୁରୁ ଧନେଶ୍ୱର ସ୍ୱାଇଁ ଓ ଗୁରୁ ନିରଞ୍ଜନ ରାଉତ। ସେହିପରି ସ୍ଥାନୀୟ କଳାକାର ଓ ଶିଶୁଶିଳ୍ପୀମାନେ ଓଡ଼ିଶାର ସଂସ୍କୃତି ଓ ବିଭିନ୍ନ ପର୍ବପର୍ବାଣୀ ଉପରେ ଆଧାରିତ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଦୁବାଇରେ ଅନୁଷ୍ଠିତ ଏହି ଓଡ଼ିଶା ଉତ୍ସବରେ ପ୍ରାୟ ୮୦୦ ଦର୍ଶକ ଯୋଗ ଦେଇଥିଲେ, ଯେଉଁମାନଙ୍କ ମଧ୍ୟରେ କେବଳ ଯେ ପ୍ରବାସୀ ଓଡ଼ିଆ ଥିଲେ ତାହା ନୁହେଁ, ବରଂ ଏଥିରେ ବହୁ ପ୍ରବାସୀ ଭାରତୀୟ ଯୋଗଦେଇ ଶ୍ରୀଜଗନ୍ନାଥ ଚେତନା ଏବଂ ଓଡ଼ିଶୀ କଳାସଂସ୍କୃତି ସହ ଭାବଗତ ଭାବେ ପରିଚିତ ହୋଇଥିଲେ।