ଆମ ଆଦମୀ ପାର୍ଟି : ରାଜନୀତିର ଷ୍ଟାର୍ଟଅପ

ଆତ୍ମବିଶ୍ଵାସ ଓ ନିଜ ଚିନ୍ତାଧାରାର ସଠିକ ରୂପାୟନ ହିଁ ଷ୍ଟାର୍ଟଅପ ସଫଳତାର ଚାବିକାଠି

ଆମ ଆଦମୀ ପାର୍ଟି : ରାଜନୀତିର ଷ୍ଟାର୍ଟଅପ

Tuesday April 05, 2016,

5 min Read

କିଛି ଦିନ ତଳେ ଏନଡ଼ି ଟିଭିରେ ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କ ଶୋ “'Walk the Talk' ଦେଖୁଥିଲି। ପ୍ରଥମରୁ କହି ରଖୁଛି ଯେ ମୁଁ ଏହି ଶୋ ର ଜଣେ ନିୟମିତ ଦର୍ଶକ ନୁହେଁ। ସେଦିନ ଶେଖର ଦୁଇ ଜଣ କଲେଜ ପଢୁଆଙ୍କ ଭଳି ଦେଖା ଯାଉଥିବା ପିଲାଙ୍କ ସହ କଥା ହେଉଥିଲେ। ଏତେ ଛୋଟ ବୟସର ପିଲାଙ୍କୁ ଶେଖରଙ୍କ ଶୋ ରେ ଦେଖି ମତେ ଟିକେ ଆଶ୍ଚର୍ଯ୍ୟ ଲାଗିଲା ଓ ମୁଁ ଶୋ ଟିକୁ ଦେଖିବାରେ ଲାଗିଲେ। ଅଳ୍ପ ସମୟ ପରେ ମୁଁ ସେହି ଦୁଇ ପିଲାଙ୍କୁ ଚିହ୍ନି ପରିଲି। ସେମାନେ ଥିଲେ ଭାରତର ସବୁଠାରୁ ବଡ ଅନଲାଇନ ମାର୍କେଟ ପ୍ଲେସ “ସ୍ନାପଡିଲ”ର ପ୍ରତିଷ୍ଠାତା କୁନାଲ ବହଲ ଓ ରୋହିତ ବଂଶଲ। ବେଶୀ ରେ ବେଶୀ ଉଭୟଙ୍କ ବୟସ ୩୦ ହୋଇଥିବ। ମାତ୍ର ଏହି କମ ବୟସରେ ସେମାନେ ନିଜକୁ ଓ ନିଜ ବ୍ୟବସାୟକୁ ଜାତୀୟ ସ୍ତରରେ ପ୍ରମାଣିତ କରିପାରିଛନ୍ତି।

Pic source : sumhr.com

Pic source : sumhr.com


ଶେଖରଙ୍କ ସହ କୁନାଲ ଓ ରୋହିତ ସେମାନଙ୍କ ସଂଘର୍ଷର କାହାଣୀ ବିଷୟରେ କଥା ହେଉଥିଲେ। ୨୦୦୭ ମସିହାରେ ଗୋଟିଏ ସମୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୫୦ ହଜାର ଟଙ୍କା ଥିଲା ଓ ତା ପର ଦିନ ସେମାନଙ୍କୁ ନିଜ କର୍ମଚାରୀଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦରମା ଆକାରରେ ଦେବାର ଥିଲା। ଅନ୍ୟ କେହି ହୋଇଥିଲେ ବୋଧ ହୁଏ ଏପରି ପରିସ୍ଥିତିରେ କମ୍ପାନୀ ବନ୍ଦ କରି ଦେଇଥାନ୍ତା ଓ ନିଜ ପାଇଁ କିଛି ଅଲଗା କାମ ଖୋଜିଥାନ୍ତା। ମାତ୍ର, ଏପରି ପରିସ୍ଥିତିରେ ରୋହିତ ଓ କୁନାଲ ଭାଙ୍ଗି ପଡିନଥିଲେ। ନିଜ ସାଙ୍ଗମାନଙ୍କ ଠାରୁ ଧାର ନେଇ କମ୍ପାନୀର କାମକୁ ଆଗକୁ ବଢେଇଥିଲେ। ସେହିପରି ୨୦୧୩ ମସିହାରେ ଉଭୟଙ୍କୁ ଆଉ ଗୋଟିଏ ଆର୍ଥିକ ଦୁର୍ଗତିର ଶିକାର ହେବାକୁ ପଡିଥିଲା। ସେମାନଙ୍କ ପାଖରେ ଏକ ଲକ୍ଷ ଡଲାର ଥିଲା ଓ କମ୍ପାନୀ ପାଇଁ ଦେବାକୁ ଥିଲା ପାଞ୍ଚ ଲକ୍ଷ ଡଲାର। ଉଭୟ ପରିସ୍ଥିତିରେ ସେମାନେ ଧୈର୍ଯ୍ୟହରା ହୋଇ ନଥିଲେ। ସେଥିପାଇଁ ତ ବୋଧେ ସେମାନେ ଆଜି ଏ ଉଚ୍ଚତାରେ ପହଞ୍ଚି ପାରିଛନ୍ତି। ଶେଖର ଉଭୟଙ୍କୁ ପଚାରିଥିଲେ ଯେ ଏଭଳି ପ୍ରତିକୂଳ ପରିସ୍ଥିତିରେ ସେମାନେ କିପରି କାମ କରି ପାରୁଥିଲେ। ଉଭୟ ନମ୍ର ଭାବେ ଏହି ପ୍ରଶ୍ନର ସିଧା ଉତ୍ତରଟିଏ ଦେଇଥିଲେ ଯେ ନିଜ ଦକ୍ଷତା ଓ ନିଜ ବ୍ୟବସାୟ ଉପରେ ସେମାନଙ୍କ ଅଖଣ୍ଡ ବିଶ୍ଵାସ ଥିଲା।

image


ଏହି ଶୋ ଦେଖିସାରିଲା ପରେ ମୁଁ ଭାବପ୍ରବଣ ହୋଇଗଲି ଓ ମୋର ପୁରୁଣା କଥା ମନେ ପଡିଗଲା। ଷ୍ଟାର୍ଟଅପର ଏହି ଯୁଗରେ ଆମ ଆଦମୀ ପାର୍ଟି ମଧ୍ୟ ଏକ ରାଜନୈତିକ ଷ୍ଟାର୍ଟଅପ। ଆନ୍ନା ଆନ୍ଦୋଳନରୁ ଆରମ୍ଭ ହେଇଥିବା ଏହି ପ୍ରୟାସ ସମଗ୍ର ଦେଶର ଜନମାନସକୁ ଅଳ୍ପ କିଛି ସପ୍ତାହ ମଧ୍ୟରେ ହିଁ ପ୍ରଭାବିତ କରିବାରେ ସକ୍ଷମ ହେଇଥିଲା। ତା ଭିତରେ ହିଁ ଏପରି ଏକ ସମୟ ଆସିଲା ଯେବେ ଆନ୍ନା ଓ ଅରବିନ୍ଦ ନିଜ ନିଜ ବାଟ ଅଲଗା କରିବା ପାଇଁ ନିଷ୍ପତ୍ତି ନେଲେ। ଅରବିନ୍ଦ ଓ ତାଙ୍କ ସାଥି ମାନେ ଗଢିଥିବା ରାଜନୈତିକ ଦଳଟି ଆନ୍ନାଙ୍କ ନାମକୁ ବ୍ୟବହାର କରିପାରିବ ନାହିଁ ବୋଲି ଆନ୍ନା ଜଣାଇ ଦେଲେ। ସେ ସମୟରେ ଆନ୍ନାଙ୍କ ପଛରେ ସାରା ଭାରତ ଠିଆ ହୋଇଥିଲା ଓ ଆନ୍ନାଙ୍କୁ ଗାନ୍ଧୀ ଓ ଜୟ ପ୍ରକାଶ ନାରାୟଣଙ୍କ ସହ ତୁଳନା କରା ଯାଉଥିଲା। ଆନ୍ନାଙ୍କ ବିନା ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନ ପାଇଁ ରଣନୀତି ତିଆରି କରିବା ଅସମ୍ଭବ ମନେ ହେଉଥିଲା। ମାତ୍ର, ଆନ୍ନା କୌଣସି କଥା ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ। ଏହି ସମୟଟି ଜୀବନ ମରଣ ସମସ୍ୟା ଭଳି ଥିଲା। ଆନ୍ଦୋଳନ ନିଜ ପ୍ରାସଙ୍ଗିକତା ହରାଇ ସାରିଥିଲା ଓ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ରାଜନୀତି ହିଁ ଏକ ମାତ୍ର ବିକଳ୍ପ ଭାବେ ବାକିଥିଲା। ହେଲେ ଏହି ସମୟରେ ସବୁଠୁ ବଡ ପ୍ରଶ୍ନଟି ଏଇଆ ଥିଲା ଯେ ଏହା କଣ ଆନ୍ନାଙ୍କ ବିନା ସମ୍ଭବ? ଟିମ ଭିତରେ କିଛି ସହଯୋଗୀଙ୍କର ମତ ଥିଲା ଯେ ଆନ୍ନାଙ୍କ ବିନା ଏହି ରାଜନୈତିକ ଦଳର ଭବିଷ୍ୟତ ନାହିଁ। ଏହି ସମୟଟି ନିର୍ଣ୍ଣାୟକ ଥିଲା। ଅରବିନ୍ଦ ଓ ତାଙ୍କ ଟିମ ଆନ୍ନାଙ୍କ ବିନା ଆଗକୁ ବଢିବା ପାଇଁ ନିଷ୍ପତ୍ତି ନେଲେ।

ଦିଲ୍ଲୀକୁ ଏହି ପରୀକ୍ଷା ନିରୀକ୍ଷାର ପ୍ରୟୋଗଶାଳା ଭାବେ ବଛାଗଲ।। ବର୍ଷକ ପରେ ଦିଲ୍ଲୀରେ ନିର୍ବାଚନ ଥାଏ। ସଂଗଠନ ତିଆରି କରିବା, ସମସ୍ତ କ୍ୟାଡରଙ୍କୁ ଏକାଠି କରିବା ଓ ଆପ ହିଁ ହେଉଛି ବିଜେପି ଓ କଂଗ୍ରେସର ବିକଳ୍ପ ବୋଲି ଦିଲ୍ଲୀ ଲୋକଙ୍କୁ ବୁଝେଇବା ବହୁତ ବଡ କାମ ଥିଲା। ବୁଥ ସ୍ତରରେ ସଂଗଠନ କରିବା ଓ ଆପ କଂଗ୍ରେସ ଓ ବିଜେପି ଭଳି ପୁରୁଣା ଓ ଶକ୍ତିଶାଳୀ ଦଳକୁ ହରାଇ ପାରିବ ଏ ବିଶ୍ଵାସ ଲୋକଙ୍କ ଭିତରେ ଜନ୍ମାଇବା ସହଜ ନଥିଲା। ଆମେ କରି ପାରିବା କି- ଏହି ପ୍ରଶ୍ନ ଆମ ପାଇଁ ସେତେବେଳେ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା।

ଟିମର ଦୃଢ ବିଶ୍ଵାସ ଥିଲା ଯେ ଏହା କରିହେବ । ଯେଉଁ ଦିନ ନିର୍ବାଚନ ଫଳାଫଳ ଘୋଷଣା କରାଗଲା ରାଜନୈତିକ ପଣ୍ଡିତ ମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଘୋଷଣାର କିଛି ଦିନ ପୂର୍ବରୁ ଆପ ବେଶୀରେ ବେଶୀ ଚାରୋଟି ଆସନ ପାଇବ ବୋଲି ଭବିଷ୍ୟବାଣୀ କରୁଥିବା ପଣ୍ଡିତମାନେ ଫଳାଫଳ ଘୋଷଣା ଦିନ ଆପ କୁ ବିପ୍ଲବ ସହ ତୁଳନା କରିଥିଲେ। ଅସମ୍ଭବ ସମ୍ଭବରେ ରୂପାନ୍ତରିତ ହେଇ ସାରିଥିଲା ଓ ତାହା ପୁଣି ଆନ୍ନା ହଜାରେଙ୍କ ବିନା। ଏକଥା କହିଲା ବେଳକୁ ମୁଁ କୁନାଳ ଓ ରୋହିତଙ୍କ ଭଳି ଶୁଣା ଯାଉନି କି?

ଦିଲ୍ଲୀରେ କ୍ଷମତାକୁ ଆସିବାର ୪୯ ଦିନ ପରେ ଆପ ସରକାର ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲେ। ଏହା ପୁଣି ଥରେ ସମସ୍ତଙ୍କୁ ଚକିତ କଲା। ରାଜନୈତିକ ପଣ୍ଡିତମାନେ ଆପ ଆଉ କେବେ କ୍ଷମତାକୁ ଫେରିବନି ବୋଲି ନିଜର ଭବିଷ୍ୟବାଣୀ ଶୁଣେଇବା ଆରମ୍ଭ କଲେ। ସେ ସମୟରେ ଚତୁର୍ଦିଗ ମୋଦୀମୟ ଥିଲା। ଭାରତ ମୋଦୀଙ୍କ ଭିତରେ ଭବିଷ୍ୟତ ଦେଖିବା ଆରମ୍ଭ କରିସାରିଥିଲା। ସଂସଦୀୟ ନିର୍ବାଚନ ଆପ ପାଇଁ କଠିନ ସମୟ ଥିଲା। ଦିଲ୍ଲୀର ସବୁ ଆସନରେ ଆପ ପ୍ରାର୍ଥୀମାନେ ପରାଜିତ ହେଇଥିଲେ। ରାଜନୈତିକ ପଣ୍ଡିତମାନେ ଆପ ଉଦ୍ଦେଶ୍ୟରେ ଶୋକବାର୍ତ୍ତା ଲେଖି ସାରିଥିଲେ। ମୋଦୀଙ୍କ ଲୋକପ୍ରିୟତା ସେତେବେଳେ ଶିଖରରେ ଥାଏ। ଚାରୋଟି ରାଜ୍ୟରେ ମୋଦୀ ଏକାକୀ ବିଜେପିକୁ ନିର୍ବାଚନ ଜିତାଇଲେ। ପଞ୍ଚମ ଥର ପାଳି ଥିଲା ଦିଲ୍ଲୀର। ଆଉ ଦିଲ୍ଲୀ ନିର୍ବାଚନ ଆମ ପାଇଁ ଜୀବନ ମୃତ୍ୟୁର ସମସ୍ୟା ଭଳି ଥିଲା। ଆମେ ଭାଙ୍ଗି ପଡିଥିଲୁ ହେଲେ ମାନସିକ ସ୍ତରରେ ହାରିଯାଇ ନଥିଲୁ। ଆମ କ୍ୟାଡରମାନଙ୍କ ନୈତିକ ବଳ ସେ ସମୟରେ ଏତେ ଉଚ୍ଚରେ ନଥିଲା। ଇସ୍ତଫା ପ୍ରସଙ୍ଗରେ ଦିଲ୍ଲୀବାସୀ ଅରବିନ୍ଦଙ୍କ ଉପରେ ରାଗିଥିଲେ। ଏ ପରିସ୍ଥିତିରେ ଆମକୁ ପୁଣିଥରେ ମୂଳରୁ ନିଜକୁ ଗଢିବାର ଓ ଆମେ ଜିତି ପାରିବୁ ବୋଲି ବିଶ୍ଵାସ ସୃଷ୍ଟି କରିବାର ଆବଶ୍ୟକତା ଥିଲା।

ଆମର ନିଜ ଉପରେ ଅବିଶ୍ଵାସ ନଥିଲା। ଆମେ ଜାଣିଥିଲୁ ଯେ ଲୋକେ ଆମକୁ ବିଶ୍ଵାସ କରନ୍ତି। ସେମାନେ ଆମକୁ ଅନଭିଜ୍ଞ ଭାବୁଥାଇ ପାରନ୍ତି ହେଲେ ଆମେ ଭ୍ରଷ୍ଟାଚାର ଠାରୁ ଦୂରରେ ବୋଲି ସେମାନଙ୍କ ବିଶ୍ଵାସ ରହିଛି। ଆମେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ନିଷ୍ପତ୍ତି ନେଲୁ। ଇସ୍ତଫା ପାଇଁ କ୍ଷମା ମାଗିବା ସହ ଦିଲ୍ଲୀ ପାଇଁ ଆମେ କଣ କରିପାରିବୁ ତାହା ବୁଝେଇବା ପାଇଁ ଚେଷ୍ଟା କଲୁ। ଆମେ ଜାଣିଥିଲୁ ଯେ ଆମେ ମୋଦୀଙ୍କ ସହ ଲଢୁଛୁ। ବିଗତ ୩୦ ବର୍ଷରେ ମୋଦୀହିଁ ହେଉଛନ୍ତି ଭାରତର ସବୁଠାରୁ ଅଧିକ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ। ଏ ଲଢେଇ ଡେଭିଡ଼ ଓ ଗୋଳିୟାଥ ଭିତରେ ଥିଲା। ଆମେ ଅର୍ଥ ଓ ସମ୍ବଳରେ ତାଙ୍କ ସମକକ୍ଷ ନଥିଲୁ। ତା ସାଙ୍ଗକୁ “ମୋଦୀଙ୍କୁ ହରାଇବା ସମ୍ଭବ ନୁହେଁ” ସେତେବେଳେ ଏପରି ଏକ ଅବଧାରଣା ମଧ୍ୟ ଥିଲା। ହେଲେ ଆମ ପାଖରେ ଥିଲା ଗୋଟିଏ ଚିନ୍ତାଧାରା ଆଉ ଆମେ ଓ ଆମର କ୍ୟାଡରମାନେ ଏହି ଚିନ୍ତାଧାରାରେ ସମ୍ପୂର୍ଣ ବିଶ୍ଵାସ ରଖିଥିଲୁ।

ସେହି ଚିନ୍ତାଧାରା ଅନୁସାରେ ପାରମ୍ପରିକ ରାଜନୀତି ଓ ନେତାମାନେ ଏହି ଦେଶକୁ ଲୁଟି ଚାଲିଛନ୍ତି ଓ ଏଥିରେ ପରିବର୍ତ୍ତନ ଆସିବାର ଆବଶ୍ୟକତା ରହିଛି। ଭାରତ ଗୋଟିଏ ଭଲ ଶାସକ ବର୍ଗ ପାଇବା ଦରକାର ବୋଲି ଏହି ଚିନ୍ତାଧାରା ବିଶ୍ଵାସ ରଖିଥିଲା। ଏ ଚିନ୍ତାଧାରା ଏକଥା ମଧ୍ୟ କହୁଥିଲା ଯେ ପ୍ରଥମେ ସାଧାରଣ ନାଗରିକଟିର ସଶକ୍ତୀକରଣ ଆବଶ୍ୟକ କାରଣ ସେ ହିଁ ହେଉଛି କ୍ଷମତାର କେନ୍ଦ୍ର। ଏ ଚିନ୍ତାଧାରାଟି ଥିଲ ସ୍ଵଛ, ସଚ୍ଚୋଟ ଓ ସୁଲଭ ରାଜନୀତିର। ଏ ଚିନ୍ତାଧାରାର ଦକ୍ଷତା ଉପରେ ଆମେ ନିଶ୍ଚିତ ଥିଲୁ ଓ ଲୋକେ ଏହାଦ୍ୱାରା ପ୍ରଭାବିତ ହେବେ ସେ ବିଶ୍ଵାସ ମଧ୍ୟ ଆମର ଥିଲା। ନିର୍ବାଚନ ସମୟରେ ଆମେ ଭାଙ୍ଗି ନପଡି ନିଜ କାମ କରିଚାଲିଥିଲୁ। ଆଉ ଏହାପରେ ଯାହା ହେଲା ତାହା ହେଉଛି ଇତିହାସ। ଆପ ଦିଲ୍ଲୀର ୭୦ ଆସନ ରୁ ୬୭ଟି ଆସନରେ ବିଜୟୀ ହେଲା।

ଦିଲ୍ଲୀରେ କାମ କରିଥିବା ଏହି ଚିନ୍ତାଧାରା ବର୍ତ୍ତମାନ ପଞ୍ଜାବରେ ମଧ୍ୟ ନୂଆ ସମୀକରଣ ସୃଷ୍ଟି କରିବାକୁ ଯାଉଛି। ଯଦି ସବୁ କିଛି ଠିକ ଚାଲିଲା, ୨୦୧୭ ମସିହାରେ ପଞ୍ଜାବ ଓ ଅନ୍ୟାନ୍ୟ ରାଜ୍ୟରେ ଆମେ ଦିଲ୍ଲୀର ସେ ଐତିହାସିକ ସଫଳତା କୁ ଦୋହରାଇବୁ। ନିଜ ଚିନ୍ତାଧାରା ଓ ଦକ୍ଷତା ଉପରେ ବିଶ୍ଵାସ ପ୍ରତି ସଫଳତା ପାଇଁ ଅତ୍ୟନ୍ତ ଜରୁରୀ। ଏପରି ହୋଇ ନଥିଲେ କୁନାଳ ଓ ରୋହିତ ଆଜି ସଫଳ ହୋଇ ନଥାନ୍ତେ ନା ମୁଁ ଆଜି ସଫଳ ପରୀକ୍ଷଣ ବିଷୟରେ ଏହି ଲେଖା ଲେଖିଥାନ୍ତି। ସଠିକ ଚିନ୍ତାଧାରା ହିଁ ଷ୍ଟାର୍ଟଅପ ମାନଙ୍କ ପାଇଁ ସଫଳତାର ଚାବିକାଠି। ରୋହିତ ଓ କୁନାଲଙ୍କୁ ଅନେକ ଅନେକ ଅଭିନନ୍ଦନ। 

Disclaimer - ଲେଖକ ଆଶୁତୋଷ AAPର ନେତା ତଥା ସାମ୍ବାଦିକ। ଲେଖାର ମତାମତ ତାଙ୍କର ନିଜସ୍ୱ।

ଅନୁବାଦ - ପରଂବ୍ରହ୍ମ ତ୍ରିପାଠୀ