ମାନବିକତାର ଏକ ବିଲ

0

ବେଳେବେଳେ ଏମିତି କିଛି ଘଟଣା ଆମ ଆଖି ସାମ୍ନାକୁ ଆସେ, ଯାହା ଆମକୁ ସାମାଜିକ ମୂଲ୍ୟବୋଧର ଶିକ୍ଷା ଦେଇଯାଏ । ଖାଲି ଏତିକି ନୁହେଁ ବରଂ ଏକ ଅଭୁଲା ଅନୁଭୂତି ବି ପ୍ରଦାନ କରିଥାଏ ।

କେରଳର ମାଲାପୁରମ୍ ଅଂଚଳର ଜଣେ ବ୍ୟକ୍ତି ଦିନ ତମାମର କଠିନ ପରିଶ୍ରମ ପରେ ସନ୍ଧ୍ୟା ବେଳକୁ ଏକ ରେସ୍ତୋରାଁକୁ ଖାଇବା ଗଲେ । ଏକ ଟେବୁଲ ନିକଟରେ ବସି ୱେଟରକୁ ଖାଇବା ଅର୍ଡର କରି ଦେଲେ । ଯେତେବେଳେ ତାଙ୍କ ଖାଦ୍ୟ ଆସି ଟେବୁଲ ଉପରେ ରଖାଗଲା, ସେ ଦେଖିଲେ ପାଖରେ ଥିବା ଝରକା ପଛରୁ ଦୁଇ ଜଣେ ଛୋଟ ପିଲା ତାଙ୍କ ଖାଦ୍ୟ ଆଡକୁ ଚାହିଁ ରହିଛନ୍ତି । ଖାଲି ତାଙ୍କ ଟେବୁଲ ନୁହେଁ ବରଂ ସେମାନେ ସେହି ରେସ୍ତୋରାଁର ସବୁ ଟେବୁଲ ଉପରେ ଆଖି ଫେରାଇ ଆଣୁଛନ୍ତି । ବ୍ୟକ୍ତ ଜଣଙ୍କ ହାତ ଦେଖାଇ ଉଭୟଙ୍କୁ ଭିତରକୁ ଆସିବାକୁ କହିଲେ । ବାଳକଟି ତା’ ଭଉଣୀକୁ ସାଙ୍ଗରେ ଧରି ତାଙ୍କ ଟେବୁଲ୍ ପାଖରେ ଆସି ବସି ପଡିଲା । ବ୍ୟକ୍ତି ଜଣଙ୍କ ଉଭୟଙ୍କୁ ସେମାନେ କ’ଣ ଖାଇବେ ବୋଲି ପଚାରିଲେ । ବାଳକ ଜଣଙ୍କ ଟେବୁଲ ଉପରେ ଥିବା ଥାଳି ଆଉକୁ ଅଙ୍ଗୁଳି ଦେଖାଇଲା। ବ୍ୟକ୍ତି ଜଣଙ୍କ ତା’ ସମାନ ଖାଦ୍ୟର ଆଉ ଏକ ଥାଳି ମଗାଇ ଦେଲେ । କିନ୍ତୁ ବାଳକଟି ସେଯାଏଁ ଧୈର୍ଯ୍ୟହରା ହୋଇ ବ୍ୟକ୍ତି ଜଣଙ୍କର ଥାଳିରୁ ଖାଇବାକୁ ଉଦ୍ୟତ ହୁଅନ୍ତେ ସାଙ୍ଗରେ ଥିବା ତା’ ଭଉଣୀ ହାତ ଧୋଇ ଆସିବାକୁ କହିଲା ।

ଦୁହେଁ ହାତ ଧୋଇ ଆସି ଶାନ୍ତିରେ ଖାଇବାକୁ ଆରମ୍ଭ କଲେ । ଖାଇବା ସମୟରେ ଦୁହେଁ ପରସ୍ପର ଆଡକୁ ଥରଟିଏ ବି ଦେଖୁ ନଥିଲେ । କଥା ହେବା ତ ଦୂରର କଥା । ଖାଇ ସାରିବା ପରେ ଉଭୟ ସେ ବ୍ୟକ୍ତି ଜଣଙ୍କ ଆଡକୁ ସନ୍ତୋଷର ସହ ଚାହିଁଲେ, ହାତ ଧୋଇ ସାରି ସେଠାରୁ ଉଠି ଚାଲିଗଲେ । ସେତେବେଳ ପର୍ଯ୍ୟନ୍ତ ବ୍ୟକ୍ତି ଜଣଙ୍କ ଖାଇବା ଆରମ୍ଭ କରି ନଥିଲେ ।

କିଛି ସମୟ ପରେ ବ୍ୟକ୍ତି ଜଣଙ୍କ ମଧ୍ୟ ଖାଇବା ଶେଷ କରି ବିଲ୍ ମାଗିଲେ । କିନ୍ତୁ ବିଲ୍ରେ ସେ ଯାହା ଦେଖିଲେ, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରି ଦେଲା । ସେହି ବିଲରେ କିଛି ଟଙ୍କା ଲେଖା ନଥିଲେ । ବାସ୍ ଦୁଇ ଧାଡି ଲେଖା ହୋଇଥିଲା । 

ସେଥିରେ ଲେଖାଥିଲା, “ଆମ ପାଖରେ ଏମିତି କିଛି ମେସିନ୍ ନାହିଁ, ଯାହା ମାନବିକତାର ମୂଲ୍ୟ ଛାପି ପାରିବ । ତୁମ ଜୀବନ ସବୁବେଳେ ସୁଖମୟ ହେଉ ।”

ସତରେ ଏମିତି କାର୍ଯ୍ୟ କରୁଥିବା ଲୋକମାନଙ୍କର ଜୀବନ ପାଇଁ ପ୍ରାର୍ଥନା କରିବା ଉଚିତ୍ । ସେହି ବ୍ୟକ୍ତି ଜଣଙ୍କର ଅଭ୍ୟର୍ଥନା, ସେଦିନ ସେ ଦୁଇ ପିଲାଙ୍କର ଦିନଟିକୁ ସୁଖମୟ କରି ଦେଲା । ସେ ରେସ୍ତୋରାଁରେ ସେଦିନ ଆହୁରି ଅନେକ ଲୋକ ଥିଲେ । ସମସ୍ତଙ୍କ ନଜର ପିଲା ଦୁଇଟିଙ୍କ ଉପରେ ମଧ୍ୟ ପଡିଥିଲା । କିଛି ଲୋକଙ୍କ ମନରେ ପିଲା ଦୁହିଁଙ୍କ ପ୍ରତି ଉଦାର ଭାବ ମଧ୍ୟ ଆସିଥିବ ନିଶ୍ଚିତ । କିନ୍ତୁ ଏହି ବ୍ୟକ୍ତି ଜଣଙ୍କ ମାନବିକତା ଓ ଉଦାରତା ଆଡକୁ ଆଉ ପାଦେ ଆଗେଇ ଯାଇ ପିଲା ଦୁହିଁଙ୍କୁ ଖାଇବାକୁ ଦେଇଥିଲେ, ଯାହା ଅନେକଙ୍କୁ ମାନବିକତାର ଶିକ୍ଷା ଦେଲା ।