ବାଇକର ଇଶା

ବାଇକର ଇଶା

Tuesday October 18, 2016,

1 min Read

କଥାରେ ଅଛି ଝିଅ, ତା’କୁ ସାଇତି ସୁମରି ଥୁଅ । ଘରୁ ବାହାରିଲେ ଝିଅମାନେ ଅସୁରକ୍ଷିତ । ତେଣୁ ଝିଅକୁ ଯେତେ ଯତ୍ନର ସହ ଘରେ ରଖିବ ସେ ସେତେ ସୁରକ୍ଷିତ ରହିବ । ହେଲେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ବାଙ୍ଗାଲୋରର ଈଶା ଗୁପ୍ତା । ନା ତାଙ୍କୁ ଦୁନିଆର ଡର ଅଛି ନା କାହାକୁ ଖାତିର । ‘ଝିଅମାନଙ୍କ ପାଇଁ ଭାରତ ଅସୁରକ୍ଷିତ ନୁହେଁ’, ଏହି ବାର୍ତ୍ତାନେଇ ସେ ଆଗେଇ ଚାଲିଛନ୍ତି। ବାଇକ ଚଳାଇବାର ନିଶା ତାଙ୍କୁ ଦେଇଛି ନୂଆ ଏକ ପରିଚୟ । ତାହାପୁଣି ୨୨୦ସିସିର ବଜାଜ ଆଭେଞ୍ଜର କ୍ରୁଜର। ଯେଉଁଥିରେ ସେ ବାଙ୍ଗାଲୋରରୁ ଏକୁଟିଆ ବାହାରି ଏପର୍ଯ୍ୟନ୍ତ ସୁଦ୍ଧା ୩୮,୦୦୦ କି.ମି. ରାସ୍ତା ଅତିକ୍ରମ କରିଛନ୍ତି । 

image


ମାତ୍ର ୧୧୦ ଦିନରେ ୭ଟି ରାଜ୍ୟକୁ ଅତିକ୍ରମ କରିସାରିଛନ୍ତି । ଏଭଳି ଏକ ବିରଳ ରେକର୍ଡ କରିବାରେ ନିଶା ଭାରତର ପ୍ରଥମ ଝିଅ । କେବଳ ଏତିକି ନୁହେଁ, ୨୦୧୪ରେ ମଧ୍ୟ ସେ ଏକୁଟିଆ ୭,୦୦୦ କି.ମି. ବାଇକ ଚଳାଇ ରେକର୍ଡ କରିଛନ୍ତି । ଭାରତ ଝିଅମାନଙ୍କ ପାଇଁ କେବେ ବି ଅସୁରକ୍ଷିତ ନୁହେଁ । ବରଂ ଲୋକମାନଙ୍କର ଏହା ଏକ ଭ୍ରାନ୍ତ ଧାରଣା । ଝିଅମାନେ ଘରୁ ଏକୁଟିଆ ବାହାରିବା ବିପଦଜନକ ବୋଲି ଭାବୁଥିବା ସମାଜକୁ ଏକ ଶିକ୍ଷା ଦେବାକୁ ସେ ଏହିଭଳି ଅଭିଯାନରେ ବାହାରିଥିବା ଈଶା କହିଛନ୍ତି । ବର୍ତ୍ତମାନ ସୁଦ୍ଧା ତାମିଲନାଡୁ, କେରଲ, କର୍ଣ୍ଣାଟକ, ତେଲେଙ୍ଗାନା ଆଦି ରାଜ୍ୟ ସହ ଓଡିଶାର ରାଉରକେଲା, ସମ୍ବଲପୁର, କୋରାପୁଟ, କେନ୍ଦୁଝର, ବାଲେଶ୍ଵର ଅତିକ୍ରମ କରି ନିକଟରେ ଭୁବନେଶ୍ଵରରେ ପହଞ୍ଚିଛନ୍ତି । ଆଗକୁ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ନିଜ ନାମକୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ଈଶା ।