ଯୋଗ ଉଦ୍ୟୋଗୀଙ୍କ ଜୀବନର ଏକ ଅବିଭାଜ୍ୟ ଅଙ୍ଗ ହେବା ଉଚିତ : ଚାରିଟି କାରଣ

ଯୋଗ ଉଦ୍ୟୋଗୀଙ୍କ ଜୀବନର ଏକ ଅବିଭାଜ୍ୟ ଅଙ୍ଗ ହେବା ଉଚିତ : ଚାରିଟି କାରଣ

Monday June 13, 2016,

4 min Read

ଏହି ଲେଖାଟି ଯୋଗ ଓ ୨୧ ଜୁନରେ ପାଳିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ନିମନ୍ତେ ସଚେତନତା ସୃଷ୍ଟି କରିବା ଦିଗରେ ଏକ କ୍ରମର ଅଂଶବିଶେଷ।

ଯୋଗର ଶାରୀରିକ ଉପକାର ସମ୍ବନ୍ଧରେ ଅନେକ ସଚେତନତା କାର୍ଯ୍ୟକ୍ରମ ହୋଇଆସିଛି ଓ ଏହା ସଭିଙ୍କୁ ଜ୍ଞାତ। କିନ୍ତୁ ଉଦ୍ୟୋଗୀ ଓ ଉଦ୍ୟମୀ ହେବା ପାଇଁ ଆବଶ୍ୟକୀୟ କିଛି ଗୁଣ ପାଇବା ପାଇଁ ଯୋଗ ସିଧାସଳଖ ଭାବେ ସାହାଯ୍ୟ କରିପାରେ ଏହା ଅନେକେ ଜାଣିନଥିବେ। ସୃଜନଶୀଳତାକୁ ବଢାଇବାରେ, ଚିନ୍ତାକୁ କମାଇ ମନର ଶାନ୍ତି ଆଣିବାରେ, ଦିନର ଶେଷରେ ବ୍ୟକ୍ତିର ଉତ୍ପାଦନ କ୍ଷମତାକୁ ବଢାଇବାରେ ଏବଂ ଏକ ସୁସ୍ଥ ଓ ବଳିଷ୍ଠ ମାନସିକତା ତିଆରି କରିବାରେ ଯୋଗ ସାହାଯ୍ୟ କରିଥାଏ। ମାନସିକ, ବୌଦ୍ଧିକ ଓ ସ୍ନାୟୁବିକ ସ୍ତରରେ ଯୋଗର ଉପକାର କହିଲେ ନ ସରେ। ଯୋଗାଭ୍ୟାସ ନୂତନ ଭାବେ ଆରମ୍ଭ କରୁଥିବା ବ୍ୟକ୍ତି ବା ଏକ ବିଶେଷଜ୍ଞ ହେଉ ଯୋଗାଭ୍ୟାସ ଦିନକୁ ମାତ୍ର କେଇ ମିନିଟ ପାଇଁ କଲେ ମଧ୍ୟ ଏହା ଆପଣଙ୍କ ମନ ଓ ଶରୀରକୁ ଶକ୍ତିର ଏକ ପାୱାର ହାଉସ ଭାବେ ଗଢି ତୋଳିବ।

ମାନସିକ ଉପକାର

ଅନେକ ମାନସିକ ରୋଗ ବିଶେଷଜ୍ଞ ମାନେ obsessive compulsive disorders ତଥା attention deficit disordersର ଚିକିତ୍ସା ପାଇଁ ଯୋଗ ପ୍ରଣାଳୀକୁ ବ୍ୟବହାର କରିଥାନ୍ତି। ଗବେଷଣାରୁ ଜଣାପଡିଛି ଯେ ଯୋଗ କଲେ ମସ୍ତିଷ୍କକୁ ଉପଯୁକ୍ତ ମାତ୍ରାରେ ଅମ୍ଳଜାନ ଯିବା ଯୋଗୁଁ ଏହା ମାନସିକ ଅବସାଦକୁ ଦୂରରେ ରଖିଥାଏ। ନିୟମିତ ଭାବେ ଯୋଗାଭ୍ୟାସ କଲେ ଶାରୀରିକ ପ୍ରଫୁଲ୍ଲତା ସହ ମାନସିକ ସନ୍ତୋଷ ମଧ୍ୟ ମିଳିଥାଏ। ଏକ ପ୍ରଚଣ୍ଡ ଯୋଗ ଅଭ୍ୟାସ ପରେ ଅନ୍ତରାତ୍ମା ଭିତରୁ ଏକ ପ୍ରଗାଢ ଶାନ୍ତି ମିଳିଥାଏ ଯାହାକି ଜୀବନ ପ୍ରତି ଏକ ସକାରାତ୍ମକ ଦୃଷ୍ଟିକୋଣ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ।

ଅଧିକାଂଶ ଉଦ୍ୟୋଗୀ ମାନେ ଶାରୀରିକ ସ୍ଵାସ୍ଥ୍ୟକୁ ଅନେକ ଗୁରୁତ୍ଵ ଦେଇଥାନ୍ତି କିନ୍ତୁ ମାନସିକ ସ୍ୱାସ୍ଥ୍ୟ ବା ପ୍ରଶାନ୍ତିକୁ ଏତେ ଟା ଧ୍ୟାନ କେହି ଦିଅନ୍ତି ନାହିଁ। ଏହା ବହୁତ ଦୁର୍ଭାଗ୍ୟଜଣକ ଜିନିଷ ଅଟେ। କାରଣ ଷ୍ଟାର୍ଟଅପର ଯାତ୍ରା ଅତ୍ୟନ୍ତ କଠିନ ଓ କ୍ଲାନ୍ତିମୟ ହୋଇଥାଏ। ଏଥିପାଇଁ ଦରକାର ହେଉଥିବା ମାନସିକ ଶ୍ରମ ଯୋଗୁ ଜଣେ ବ୍ୟକ୍ତି ଖୁବଶୀଘ୍ର କ୍ଳାନ୍ତ ହେଇଯାଏ। କସବୁ ସମୟରେ କ୍ଳାନ୍ତ ରହିବା ଫଳରେ କ୍ରମଶଃ ମାନସିକ ଅବସାଦ ମଧ୍ୟ ଆସିଥାଏ। ତେଣୁ ନିଜ ଜୀବନଯାପନର ଶୈଳୀରେ ଏକ ସକାରାତ୍ମକ ପରିବର୍ତନ ଆଣିବା ନିହାତି ଆବଶ୍ୟକ ହୋଇଥାଏ।

ଚିନ୍ତାରୁ ମୁକ୍ତି

ଲୋକପ୍ରିୟ ଧାରଣାର ବିପରୀତ ପ୍ରକୃତରେ ଚିନ୍ତା ସବୁ ସମୟରେ ଶରୀର ପାଇଁ କ୍ଷତିକାରକ ହୋଇନଥାଏ। ଆଦିମ ମାନବ ପାଇଁ ଚିନ୍ତା ବା ସ୍ଟ୍ରେସ ତାକୁ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ବଞ୍ଚାଇ ରଖିବାରେ ସାହାଯ୍ୟ କରୁଥିଲା। ଜନ୍ତୁଜୁନ୍ତା ଓ ପ୍ରାକୃତିକ ବିପଦ ଠାରୁ ନିଜକୁ ରକ୍ଷା କରିବାରେ ସହାୟକ ହେଉଥିଲା। ଧନ୍ୟ କହିବା ଆମର ସେଇ ପୂର୍ବପୁରୁଷଙ୍କୁ ଯାହାଙ୍କ ଯୋଗୁଁ ଆଜି ଚିନ୍ତା ଆମର ଜିନରେ ଗୁନ୍ଥି ହେଇ ରହିଛି। ସମସ୍ତ ଉଦ୍ୟୋଗୀ ଏହି ମିଥ ସମ୍ପର୍କରେ ଭଲ ଭାବେ ଜ୍ଞାତ। ଯେତେବେଳେ ଆପଣ ନିଜର ଉଦ୍ୟୋଗ ବା ବ୍ୟବସାୟକୁ ଶୂନ୍ୟରୁ ଆରମ୍ଭ କରି ତୋଳିବା ପାଇଁ କଠିନ ପରିଶ୍ରମ କରନ୍ତି ସେତେବେଳେ ସେ ଶ୍ରମର ପ୍ରଭାବ ପ୍ରଥମେ ଶରୀର ଉପରେ ପଡିଥାଏ। ନିଷ୍ଠୁର ଡେଡଲାଇନର ଶିକାର ପ୍ରଥମେ ହୁଏ ଶରୀର।

ପୂର୍ବରୁ କୁହାଯାଇଥିବା ଭଳି ଚିନ୍ତା ସବୁ ସମୟରେ ହାନିକାରକ ହୋଇନଥାଏ। ମାତ୍ର ଯଦି ଚିନ୍ତା ଶରୀର ଓ ମନକୁ ଛାଡିବା ପାଇଁ ନାରାଜ ହେଲା ତେବେ ଏହା ଏକ ଅତ୍ୟନ୍ତ ହାନିକାରକ ଅବସ୍ଥା ସୃଷ୍ଟି କରେ। ସମସ୍ତ ଅଙ୍ଗପ୍ରତ୍ୟଙ୍ଗକୁ ଏକ ପ୍ରକାର ଏସିଡରେ ଧୋଇଦିଏ। ଏକ ଗବେଷଣା କୁହେ ଯେ ମଣିଷ ମାନେ ଟ୍ରାଫିକ ଜାମରେ ଫାଶୀ ରହିବା ସମୟରେ ଓ ଅଫିସ ପାଇଁ ଲେଟ ହେଇଗଲେ ଯେଉଁ ପରିମାଣରେ ଚିନ୍ତା ଅନୁଭବ କରନ୍ତି ତାହା ଆଫ୍ରିକାର ଅରଣ୍ୟରେ ଜିରାଫ ଓ ଜେବ୍ରା ମାନେ ତାଙ୍କୁ ସିଂହ ଦୌଡାଇଲା ସମୟରେ ଅନୁଭବ କରୁଥିବା ଚିନ୍ତା ସହ ସମାନ!

ଏପରି ଏକ ବ୍ୟକ୍ତି ଯିଏ କି ପ୍ରଥମ ଥର ପାଇଁ ଯୋଗ ଅଭ୍ୟାସ କରୁଛି ସେ ମଧ୍ୟ ତାର ପ୍ରଥମ ଅଧିବେଶନରୁ ହିଁ ଶାନ୍ତି ଅନୁଭବ କରିପାରିବ। ଯେଉଁମାନେ ଅନେକ ଦିନ ଧରି ଯୋଗାଭ୍ୟାସ କରୁଛନ୍ତି ସେମାନେ ହୁଏତ ତାଙ୍କର ଶରୀର ଓ ମନରୁ ଚିନ୍ତାକୁ ସଂପୂର୍ଣ୍ଣ ରୂପେ କାଢି ଦେଇପାରିଛନ୍ତି। ଯୋଗର ପ୍ରଣାଳୀ ଯୋଗୁଁ ଶରୀର ଓ ମନରେ ସୃଷ୍ଟି ହେଉଥିବା ନିରନ୍ତର କୋଳାହଳ ଯାହା ଫଳରେ ଚିନ୍ତାର ଉତ୍ପତ୍ତି ହୁଏ, ତାହା ଚୁପ ପଡିଯାଏ। ଏକ ପରକାର ଶାନ୍ତ ନୀରବତା ସୃଷ୍ଟି ହୁଏ।

ସ୍ନାୟୁବିକ ଉପକାର

ଯୋଗାଭ୍ୟାସ ଦ୍ଵାରା ଶାରୀରିକ ଓ ସ୍ନାୟୁବିକ ଯୋଗାଯୋଗର ବିଭିନ୍ନ କେନ୍ଦ୍ରବିନ୍ଦୁ ମଧ୍ୟରେ ଏକ ସମନ୍ଵୟ ସୃଷ୍ଟି ହୋଇଥାଏ। ଏହା ଯୋଗୁ ଏକ ହୋଲିଷ୍ଟିକ ଶକ୍ତିର ପ୍ରବାହ ବିନା ବାଧାରେ ହୋଇଥାଏ ଯାହାକି ମନ, ଶରୀର ଓ ମସ୍ତିଷ୍କକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ। ଯୋଗ ଅଭ୍ୟାସ ଫଳରେ ଜ୍ଞାନ ସମ୍ଭନ୍ଧୀୟ ବିକାଶ ହୋଇଥାଏ ଏବଂ ସ୍ମରଣଶକ୍ତି ମଧ୍ୟ ବଢିଥାଏ।

ସୃଜନଶୀଳତା ଓ ଅନ୍ତଃପ୍ରଜ୍ଞା

ବର୍ତମାନର ସମୟରେ ଆମେ ସବୁ ସମୟରେ ଉତ୍ପାଦନକ୍ଷମତା ଓ ଏକ ବଡ ଆଇଡିୟାର ସନ୍ଧାନରେ ରହୁଛୁ। ମାତ୍ର ଏହା ଭୁଲିଯିବା କଥା ନୁହେଁ ଯେ ସର୍ବୋତ୍ତମ ବିଚାର ସବୁ ଅନ୍ତରାତ୍ମାର ସବୁଠାରୁ ଭିତିରିଆ ଥାକରୁ ହିଁ ବାହାରିଥାଏ। ଯୋଗ ଆପଣଙ୍କୁ ନିଜର ଆତ୍ମା ସହ ପୁଣି ଆଉଥରେ ଯୋଡିବାରେ ସାହାଯ୍ୟ କରିଥାଏ। ଉଦ୍ୟୋଗୀର ପ୍ରଥମ ଆବଶ୍ୟକତା ସୃଜନଶୀଳତା ଓ ଅନ୍ତଃପ୍ରଜ୍ଞାକୁ ଶାଣ ଦେବା କାମ କରିଥାଏ।

ଯୋଗ ଚିନ୍ତା କମାଏ, ମାନସିକ ଅବସାଦ ଦୂର କରେ ଓ ନିଜର ପ୍ରତିଭା ପ୍ରତି ଥିବା ସନ୍ଦେହକୁ ବିନାଶ କରିଥାଏ। ଫଳରେ ନିଜକୁ ସଂପୂର୍ଣ୍ଣ ଭାବେ ଆପଣେଇ ନେବା ଓ ନିଜ ମଧ୍ୟରେ ଥିବା ସୃଜନଶୀଳତାର ପରିପ୍ରକାଶ ସମ୍ଭବ ହେଇଥାଏ। ସମସ୍ତ ବ୍ୟକ୍ତି ନିଜ ନିଜ ଭିତରେ ନିଆରା। ନିଆଜକୁ ଆପଣେଇନେବା ପ୍ରଣାଳୀରେ ହିଁ ଅନେକ ନକାରାତ୍ମକ ଚିନ୍ତାର ବିନାଶ ହୋଇଥାଏ। ଏହା ଯୋଗ ଯୋଗୁଁ ସମ୍ଭବ ହୋଇପାରେ। ମନକୁ ପ୍ରଫୁଲ୍ଲିତ କରେ ଓ ଦେହକୁ ସୁସ୍ଥ କରେ।

ଯୋଗକୁ ନିଜ ଜୀବନର ଏକ ଅଂଶ ଭାବେ ଆପଣେଇବାକୁ ଚାହୁଁଛନ୍ତି କି? ତେବେ International Day of Yogaର ଏହି ପୋର୍ଟାଲକୁ ଚେକ କରନ୍ତୁ।